Unknown

 

 

 

 

 

 

 

 

 

 

 

ସେବକ ଲକ୍ଷ୍ମୀନାରାୟଣ

ନୃସିଂହ ଚରଣ ସାହୁ

 

ସେବକଶ୍ରେଷ୍ଠ ଲକ୍ଷ୍ମୀନାରାୟଣ

 

ଶ୍ରୀ ଲକ୍ଷ୍ମୀନାରାୟଣ ସାହୁଙ୍କ ଠାରେ ମୁଁ ପ୍ରଥମେ ସାଧାରଣ ସେବାକାର୍ଯ୍ୟ ସମ୍ବନ୍ଧରେ ପ୍ରାଥମିକ ଶିକ୍ଷାଲାଭ କରିଥିଲି । ସାଧାରଣ ସେବୀ ହେଲେ, କି ପ୍ରକାର ଜୀବନଯାପନ ଓ କି ମନୋବୃତ୍ତିର ବିକାଶ ଆବଶ୍ୟକ ତାହା ତାଙ୍କଠାରୁ କେବଳ ମୁହଁରୁ ନୁହେଁ ତାଙ୍କ ଜୀବନରୁ ଆମ୍ଭେମାନେ ଜାଣିବାର ସୁଯୋଗ ପାଇଥିଲୁ । ତାଙ୍କର ଜୀବନ ବହୁମୂଖୀ; କିନ୍ତୁ ସେବା ଥିଲା ତାଙ୍କ ଜୀବନର ମୁଖ୍ୟ ଧ୍ୟେୟ । ନିଜକୁ ଭୁଲିଯାଇ ଅନ୍ୟର ସୁଖ ଦୁଃଖରେ ଭାଗୀ ହେବା ଥିଲା ତାଙ୍କର ସ୍ୱଭାବ । ସେ ଥିଲେ ବାସ୍ତବିକ୍ ସେବକଶ୍ରେଷ୍ଠ । ତାଙ୍କର ଜୀବନୀର କେତେକ ଅଂଶ ଏ ପୁସ୍ତିକାରେ ପ୍ରକାଶିତ ହୋଇଛି; ସେଥିରେ ସୂଚନା ମିଳିବ ଲକ୍ଷ୍ମୀନାରାୟଣଙ୍କ ସେବାପରାୟଣତା । ଏପରି କ୍ଷୁଦ୍ର ପୁସ୍ତିକାମାନ ପ୍ରକାଶିତ ହୋଇ କ୍ରମେ ତାଙ୍କର ସମଗ୍ର ଜୀବନୀ ବିଶାଳ ଆକାରରେ ପ୍ରକାଶିତ ହେବ ଏଥିରେ ସନ୍ଦେହ ନାହିଁ । ଏହି କ୍ଷୁଦ୍ର ପୁସ୍ତିକାଟି ଛାତ୍ର ଯୁବକମାନଙ୍କ ମଧ୍ୟରେ ପ୍ରସାରଲାଭ କରିବ ବୋଲି ମୁଁ ଆଶା କରେ ।

 

–ହରେକୃଷ୍ଣ ମହତାବ

Image

 

ମୁଖବନ୍ଧ

 

ସାଧାରଣ ମଣିଷଙ୍କୁ କୃତକର୍ମ ଅନୁସାରେ ମପାଯାଏ, ମାତ୍ର କେତେକ ଅସାଧାରଣ ମଣିଷ ଥାଆନ୍ତି, ଯେଉଁମାନେ ନିଜର କୃତକର୍ମ ଅପେକ୍ଷା ବଡ଼ ହୋଇ ଯାଆନ୍ତି । ଲକ୍ଷ୍ମୀନାରାୟଣ ସାହୁ—ଏହି ଭଳି ଜଣେ ବିରାଟ ବ୍ୟତିକ୍ରମ । ସେ ମନ୍ଦିର, ମସ୍‍ଜିଦ୍ ବା ପିରାମିଡ଼୍ ଗଢ଼ି ନିଜର ନାମକୁ ଅମର କରିବା କାମନା କେବେ ପୋଷଣ କରି ନଥିଲେ । ସେ ଜାଣିଥିଲେ-ପାଷାଣରେ ନିଜର ନିହାଣ ମୁନରେ ଚାରୁକଳା ଫୁଟାଇ ପାଷାଣକୁ ଜୀବନ୍ୟାସ ଦେଉଥିବା ଶିଳ୍ପୀର ନାମ ଲୋକେ କିଛିଦିନ ସ୍ମରଣ କରନ୍ତି । ପାଷାଣ ଗାତ୍ରରେ ସେ ନାମ ଖୋଦିତ ହୋଇପାରେ; ସମସ୍ତଙ୍କ ଦୃଷ୍ଟିରେ ପଡ଼େ; କିନ୍ତୁ ଯେଉଁମାନେ ମଣିଷ ଗଢ଼ନ୍ତି, ସେମାନେ କେଉଁଠି ନିଜର ନାମ ଖୋଦନ କରନ୍ତେ ? କିପରି ବା ତାହା ସମସ୍ତଙ୍କର ଦୃଷ୍ଟି ପଥାରୂଢ଼ ହୁଅନ୍ତା ? ଏସବୁ ସତ୍ତ୍ୱେ ସେ ସାରା ଜୀଵନ ମଣିଷର ପୂଜାରୀ ହୋଇ ରହିଗଲେ । ତେଣୁ ନିଜର ଶୋକଲିପି (ମୃତ୍ୟୁପରେ ଶ୍ରଦ୍ଧାଞ୍ଜଳି) ପ୍ରକାଶ କରି ସେ ଲେଖିଥିଲେ–ଲକ୍ଷ୍ମୀନାରାୟଣ ସାହୁଙ୍କର ପରଲୋକ ଘଟିଲା । ସେ ଆଇସ୍‌ବର୍ଗ ପରି ମଣିଷଟିଏ ଥିଲେ । ତାଙ୍କର ଆଠ ଭାଗରୁ ସାତଭାଗ ପାଣି ଭିତରେ ବୁଡ଼ିଥିଲା ଏବଂ ଯାହା ଉପରକୁ ଦିଶୁଥୁଲା, ତାହା ଗୋଟିଏ ଭାଗମାତ୍ର ।

 

ବାସ୍ତବରେ ଲକ୍ଷ୍ମୀନାରାୟଣ କଣ ଭାବୁଥିଲେ, ତାହା ବୁଝିଲାବେଳକୁ ସମୟ ନ ଥିଲା । ସେ ଲାଞ୍ଛିତ, ବଞ୍ଚିତ, ପତିତ, ଅଭାଜନ, ମଣିଷଙ୍କର ଥିଲେ ମହାନ୍ ବନ୍ଧୁ, ଅସମୟର ସାଥୀ । ତାଙ୍କ ପର ଦୁଃଖ କାତରତାରେ ଥିଲା ଏକ ପ୍ରାଣବନ୍ତ ଉଦ୍‍ବେଗ, ମମତାର ଉତ୍ତେଜନା । ସେ ଦୟାକରି କାହାରି ସେବା କରୁ ନ ଥିଲେ, ଦୁଃଖରେ ପଡ଼ିଥିବା ମଣିଷଙ୍କ ପାଇଁ ସେ ସ୍ୱତଃ ପରମବନ୍ଧୁ ଭଳି ଆକର୍ଷିତ ହୋଇ ଯାଉଥିଲେ । ବିନା ସ୍ୱାର୍ଥରେ ଯେଉଁଠି ମଣିଷ ପାଟି ଫିଟାଏ ନାହିଁ; ସେଇଠି ସେ ଏକ ପ୍ରେମ ବିପ୍ଳବର ଶୁଭ ଶଙ୍ଖ ଫୁଙ୍କିଥିଲେ । ଏହି ନୂତନ ବିପ୍ଳବର ସନ୍ଧାନରେ ସେ ଥିଲେ ଭଗୀରଥ ।

 

ତାଙ୍କର ଜୀବନ, ଓଡ଼ିଶାର ଜାତୀୟ ଜୀବନର ଗୋଟିଏ ଉଜ୍ଜ୍ୱଳ ନକ୍ଷତ୍ର । ସେ କେବଳ ସାଧାରଣ ଲୋକଙ୍କ ଚଲାବାଟରୁ ବାଟଭାଙ୍ଗି, ନିଜ କଥା ଭୁଲି ପର ପାଇଁ ପାଗଳ ହୋଇନାହାନ୍ତି; ଏହି କାର୍ଯ୍ୟରେ ଓଡ଼ିଶାର ଶତ ଶତ ଯୁବକଯୁବତୀଙ୍କୁ ଅନୁପ୍ରାଣିତ କରି ଯାଇଛନ୍ତି । ତାଙ୍କ ଜୀବନ ଥିଲା କେବଳ ସେବାର, ପରକୁ ଆପଣାର କରିବାର । ସମାଜକୁ ପଛରେ ପକାଇ ମଣିଷକୁ ଆଗକୁ ଆଣିବାରେ ସେ ଥିଲେ ଅଗ୍ରଦୂତ । ଦୁଃଖୀ ମଣିଷ ପ୍ରଭୁ ସହାନୁଭୂତି ପ୍ରକାଶ ବେଳେ ସେ ସାମାଜିକ ଓ ଧାର୍ମିକ ନୀତି ନିୟମ, ଆଇନ କଟକଣାକୁ ଖାତିର କରି ନ ଥିଲେ ।

 

ତାଙ୍କ ଜୀବନ ସାର୍ଥକ ଜୀବନ । କ’ଣ ଗୋଟାଏ ହେବାର ଅଭିମାନ ତାଙ୍କର ନ ଥିଲା; କିନ୍ତୁ ସେ ବହୁ "ଅନ୍ୟଙ୍କୁ" ଲକ୍ଷ୍ୟସ୍ଥଳରେ ପହଞ୍ଚିଯିବାରେ ଓ ସିଦ୍ଧିଲାଭ କରିବାରେ ଦୁର୍ଲ୍ଲଭ ସହାୟତା ପ୍ରଦାନ କରିଥିଲେ । ଅର୍ଦ୍ଧ ଶତାବ୍ଦୀ ଧରି ସମାଜସେବା, ସାହିତ୍ୟ, ରାଜନୀତି ଓ ସଂସ୍କୃତି କ୍ଷେତ୍ରରେ ତାଙ୍କର କ୍ରିୟା କଳାପ ସହଜରେ ଭୁଲି ହେବନାହିଁ । ଯୌବନର ଆରମ୍ଭରୁ ଘନ ଅନ୍ଧାର ମଧ୍ୟରେ କିଶୋର ପ୍ରାଣରେ ଦିହୁଡ଼ି ଜାଳି ଜୀବନର ମଧ୍ୟାହ୍ନରେ ବ୍ୟକ୍ତି ସଙ୍ଗେ ବ୍ୟକ୍ତିର ବନ୍ଧନକୁ ଯୁଗର ପରିବର୍ତ୍ତନ ଦୃଷ୍ଟିରୁ ନୂଆ ପରିବେଶରେ ସୁନ୍ଦର ଓ ଶୁଭଙ୍କର କରିବାକୁ ସେ ନେତୃତ୍ଵ ନେଇଥିଲେ । ଜୀଵନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ନର ନାରାୟଣଙ୍କ ସେବାହିଁ ଈଶ୍ଵର ସେବା ବୋଲି ସେ ମର୍ମେମର୍ମେ ଅନୁଭବ କରିଥିଲେ । ଏଥିପାଇଁ ସେ କାହାର ଆହ୍ୱାନ ବା ନିମନ୍ତ୍ରଣକୁ ଅପେକ୍ଷା କରୁ ନ ଥିଲେ । ପ୍ରାଣରୁ ଆବେଗ ଓ ଆତୁରତା ନେଇ "ବସୁଧୈବ କୁଟୁମ୍ୱକଂ" ନୀତିରେ ବିଶ୍ଵାସ କରି, ନିର୍ଭୟ ଚିତ୍ତରେ ଦୁଃଖ ଯେଉଁଠି ସେ ସେଇଠି ଠିଆ ହୋଇ ପଡ଼ୁଥିଲେ ।

 

ସେ ସବୁବେଳେ କହୁଥିଲେ, "ଯେଉଁମାନେ ସମାଜ ତଥା ଦେଶରେ କିଛି କାର୍ଯ୍ୟସାଧନ କରି ଯାଇଛନ୍ତି; ସେମାନେ ସମସ୍ତେ ପାଗଳ ହୋଇଥିଲେ । ସାଧାରଣ ଲୋକେ ଯେଉଁ ପଥରେ ଗତିକରି ଚାଲିଛନ୍ତି ସେହି ବାଟ ଭାଙ୍ଗି ଅନ୍ୟ ବାଟ ଧରିଲେ, ଲୋକେ ନିଶ୍ଚୟ ପାଗଳ କହିବେ । ପାଗଳ ନ ବନିଲେ ଜୀବନରେ ଆନନ୍ଦ ନାହିଁ କି ମୂଲ୍ୟ ମଧ୍ୟ ନାହିଁ । ତେଣୁ ବହୁ ସଂଖ୍ୟାରେ ନିସ୍ୱାର୍ଥପର ପାଗଳ ବନିବାକୁ ପଡ଼ିବ । ନିବେଦିତ ଜୀବନ ହିଁ ପ୍ରକୃତ ଜୀବନ । ଆଉସବୁ ଜୀଵନ ଗଡ୍ ଡ଼ାଳିକା ପ୍ରବାହପରି । ଯେଉଁ ଜୀବନରେ ଅନୁଭବ, ବ୍ୟାପ୍ତି, ସୌନ୍ଦର୍ଯ୍ୟ, ସହୃଦୟତା, ସହାନୁଭୂତି, ସେହି ଜୀବନ ହିଁ କଳ୍ପଲତା । କାକର କାକଳୀ ପ୍ରତି ପ୍ରତ୍ୟୁଷରେ ଏହି କଥା ହିଁ କହିଯାଏ ।"

 

ବାସ୍ତବିକ୍ ଗରିବ ପାଇଁ, ନିଃସ୍ଵ ପାଇଁ, ଦୁଃଖୀ ପାଇଁ ଅବହେଳିତ ପାଇଁ ସେ ନିଜକୁ ନିଃଶେଷ କରି ଦେଇଥିଲେ । ତାଙ୍କର ପ୍ରୀତି, ତାଙ୍କର ସ୍ନେହ, ତାଙ୍କର ହସ, ତାଙ୍କର ଉନ୍ମାଦନା, ତାଙ୍କର ଚିର ତାରୁଣ୍ୟୋଚ୍ଛଳ ସବୁଜିମା ସତରେ ସରିବାର ନୁହେଁ, ମରିବାର ନୁହେଁ । କିନ୍ତୁ ସେ ଯେପରି ଅଧିକ ସଂଖ୍ୟାରେ ପାଗଳ ସୃଷ୍ଟିପାଇଁ, ନିବେଦିତ ଜୀବନ ଗଠନ ପାଇଁ ଅହରହ କାମନା କରୁଥିଲେ ତାହା ଯଦି ପୂର୍ଣ୍ଣ ନ ହୁଏ, ତେବେ ଓଡ଼ିଶାବାସୀ ସେହି ତ୍ୟାଗପୂତ ଜୀବନ ପ୍ରତି ଯଥାର୍ଥ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବୋଲି କହି ହେବନାହିଁ ।

Image

 

ଲକ୍ଷ୍ମୀନାରାୟଣ ସାହୁ ସ୍ମୃତିରକ୍ଷା ସମିତିର କାର୍ଯ୍ୟକଳାପ :

 

ଡକ୍ଟର ହରେକୃଷ୍ଣ ମହତାବଙ୍କ ସଭାପତିତ୍ୱରେ ଗଠିତ ଲକ୍ଷ୍ମୀନାରାୟଣ ସାହୁ ସ୍ମୃତିରକ୍ଷା ସମିତି ଅଦ୍ୟାବଧି ନିମ୍ନଲିଖିତ କାର୍ଯ୍ୟ କରିପାରିଛନ୍ତି ।

 

୧.

ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଉତ୍କଳ ବିଶ୍ଵବିଦ୍ୟାଳୟରୁ ପ୍ରତିବର୍ଷ ଏକ ସ୍ଵର୍ଣ୍ଣ ପଦକ ପ୍ରଦାନ ବ୍ୟବସ୍ଥା ।

 

 

୨.

ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ସମ୍ବଲପୁର ବିଶ୍ଵବିଦ୍ୟାଳୟରେ ଏକ ସ୍ଵର୍ଣ୍ଣ ପଦକ ପ୍ରଦାନ ବ୍ୟବସ୍ଥା ।

 

 

୩.

ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଏକ ସ୍ଵର୍ଣ୍ଣ ପଦକ ପ୍ରଦାନ ବ୍ୟବସ୍ଥା ।

 

 

୪.

ହରିଜନ ଓ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଓଡ଼ିଶା ବୋର୍ଡ଼ ଅଫ୍ ସେକେଣ୍ଡାରୀ ଏଜୁକେଶନର ଏକ ସ୍ଵର୍ଣ୍ଣ ପଦକ ପ୍ରଦାନ ବ୍ୟବସ୍ଥା ।

 

 

୫.

ଚଉଦ୍ଵାର ଗ୍ରାମ ସଂଗଠନ କେନ୍ଦ୍ରରେ ଲକ୍ଷ୍ମୀନାରାୟଣ ପାଠାଗାର ଉନ୍ମୋଚନ ।

 

 

୬.

ବାଲେଶ୍ୱର ଜିଲ୍ଲା ସ୍କୁଲ, ବାଲେଶ୍ୱରରେ ଲକ୍ଷ୍ମୀନାରାୟଣ ସାହୁ ଲାଇବ୍ରେରୀ ଉନ୍ମୋଚନ ।

 

 

୭.

ଏକ ସ୍ମରଣିକା ପ୍ରକାଶନ ।

 

 

୮.

ତାଙ୍କ ଆତ୍ମଜୀବନୀ "ମୋ ବାରବୁଲା ଜୀଵନ" ପ୍ରକାଶନ ।

 

 

୯.

ଲକ୍ଷ୍ମୀନାରାୟଣ ଗ୍ରନ୍ଥାବଳୀ ପ୍ରକାଶନ ।

 

 

୧୦.

ହିନ୍ଦ୍ ସେବକ ସମିତି, କଟକ ପ୍ରାଙ୍ଗଣରେ ଲକ୍ଷ୍ମୀନାରାୟଣଙ୍କର ଏକ ବ୍ରୋଞ୍ଜ ପ୍ରତିମୂର୍ତ୍ତି ସ୍ଥାପନ ।

 

 

୧୧.

ସତୀଚଉରା, କଟକ ଠାରେ ଏକ ସମାଧି ପ୍ରତିଷ୍ଠା ।

 

 

୧୨.

୧୯୭୧ ରେ ରାଜ୍ୟପାଳଙ୍କ ବାତ୍ୟା ରିଲିଫ୍ ପାଣ୍ଠିକୁ କୁ ୧,୦୦୦ ଟଙ୍କା ପ୍ରଦାନ ।

 

 

୧୩.

କଟକରେ "ଲକ୍ଷ୍ମୀ ନାରାୟଣ ସରଣୀ" ଉନ୍ମୋଚନ ।

 

 

୧୪.

କଟକ ଓ ବାଲେଶ୍ୱରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗିତା ।

 

 

୧୫.

ବାଲେଶ୍ୱରରେ କଲେଜ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରବନ୍ଧ ପ୍ରତିଯୋଗିତା ।

 

 

୧୬.

କଟକର ବିଭିନ୍ନ ସ୍କୁଲରେ ଲକ୍ଷ୍ମୀନାରାୟଣଙ୍କ ପ୍ରତିକୃତି ଉନ୍ମୋଚନ ଓ ସମାଜ ସେବା ପାଇଁ ପୁରସ୍କାର ବିତରଣ ।

 

ଏତଦ୍‌ବ୍ୟତୀତ କଟକରେ ଲକ୍ଷ୍ମୀନାରାୟଣଙ୍କ ନାମରେ ଦରିଦ୍ର ଓ ମେଧାବୀ ଛାତ୍ରଙ୍କ ପାଇଁ ଏକ ସ୍ଥାୟୀ ଜୀବନ୍ତ ଅନୁଷ୍ଠାନ ଗଢ଼ିବା ଆମର ଲକ୍ଷ୍ୟ । ସେଥିପାଇଁ ଆମେ ଦେଶବାସୀଙ୍କର ଅକୁଣ୍ଠ ଆଶୀର୍ବାଦ ଓ ସହଯୋଗ କାମନା କରୁ ।

 

ନରସିଂହ ସାହୁ

ତା ୧୮ । ୧ । ୭୫

ଯୁଗ ସମ୍ପାଦକ

ଲକ୍ଷ୍ମୀନାରାୟଣ ସାହୁ ସ୍ମୃତିରକ୍ଷା ସମିତି :

ପୀଠାପୁର, କଟକ–୧

Image

 

ଜନ୍ମ ପୀଠ

 

ସ୍ୱର୍ଣ୍ଣପ୍ରସୂ ଭାରତ । ଏହାର କୀର୍ତ୍ତି କାହାଣୀ ସମଗ୍ର ପୃଥିବୀରେ ବ୍ୟାପିଥିଲା । ତେଣୁ ଭାରତରେ ବାଣିଜ୍ୟ କରିବା ପାଇଁ ଇଂରେଜଙ୍କ ବହୁପୂର୍ବରୁ ଷୋଡ଼ଶ ଶତାବ୍ଦୀ ଆରମ୍ଭରେ ହଲାଣ୍ଡ ଓ ଡେନ୍‍ମାର୍କର ବଣିକମାନେ ମଧ୍ୟ ସମୁଦ୍ର ଓ ନଦୀରେ ଆସି ଛୋଟ ଛୋଟ ସହର କଡ଼ରେ ନଙ୍ଗର ପକାଇଥିଲେ । ଗୋଟିଏ ଗୋଟିଏ ଜାତିର ଲୋକ ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳକୁ ଆଦରି ଯାଇଥିଲେ । ସମଗ୍ର ଭାରତର ଭଗ୍ୟାକାଶରେ କ୍ରମେ ଘୋର ଅନ୍ଧାର ଦେଖାଦେଲା । ଇଂରେଜ (ଇଂଲଣ୍ଡ) ଓଲନ୍ଦାଜ (ହଲାଣ୍ଡ) ଫରସୀ (ଫ୍ରାନ୍ସ) ଦୀନାମାର (ଡେନ୍‍ମାର୍କ୍) ବଣିକମାନେ ଦୁର୍ବଳ ଭାରତୀୟଙ୍କୁ କୂଟ କପଟରେ କାବୁକରି ଶେଷରେ ଦେଶଟାକୁ ପରାଧୀନ କରିଦେଲେ ।

 

କ୍ରମେ ପରାଧୀନତା ଅସହ୍ୟ ହେଲା । ଭାରତବାସୀ ହେଲେ ମୁକ୍ତି ପିପାସୁ ଆଉ କ୍ରୀତଦାସର ଜୀବନ ଚଳିଲା ନାହିଁ; ଆଉ ଇଂରେଜଙ୍କ ଅତ୍ୟାଚାର ଆଖିବୁଜି ସହି ହେଲାନାହିଁ । ୧୮୫୭ ମସିହାରେ ଆରମ୍ଭ ହେଲା ପ୍ରଥମ ଭାରତୀୟ ସ୍ଵାଧୀନତା ସଂଗ୍ରାମ—ଇଂରେଜମାନେ କହିଲେ ସିପାହୀ ବିଦ୍ରୋହ । ବିଦ୍ରୋହ ଦବିଗଲା ସତ, କିନ୍ତୁ ବିଦ୍ରୋହର ଅଗ୍ନି ଲିଭିଲାନାହିଁ, ବିଦ୍ରୋହର ବାଣୀ ବହନ କରି ବିଦ୍ରୋହ ଅଗ୍ନିରୁ ନିର୍ଗତ ଧୂମ୍ର କୁଣ୍ଡଳୀ ଭାରତର ଚତୁର୍ଦ୍ଦିଗକୁ ପ୍ରସାରିତ ହେଲା । ଶେଷରେ ୧୮୮୪ ମସିହାରେ କଂଗ୍ରେସର ଜନ୍ମପରେ ଇଂରେଜମାନେ ଅନୁଭବ କଲେ ଓ ସ୍ଵୀକାର ମଧ୍ୟ କଲେ ସେ "ଭାରତୀୟମାନେ କିଛି ଗୋଟାଏ କରିବାକୁ ବସିଛନ୍ତି-।'

 

ଏହି ପଟ୍ଟଭୂମିରେ ଊନବିଂଶ ଶତାବ୍ଦୀର ଶେଷ ଦଶନ୍ଧି ଥିଲା ଭାରତର ଏକ ଯୁଗ ଜାଗରଣର ପ୍ରତ୍ୟୁଷ ପ୍ରହର । ଏହି ସମୟରେ ସ୍ୱାଧୀନ ଭାରତର ଅଧିକାଂଶ ଯୁଗପୁରୁଷଙ୍କର ଜନ୍ମ-। ଆଉ ଜନ୍ମ ମଧ୍ୟ ଆଜୀବନ ଜନ ସେବା ଲକ୍ଷ୍ମୀନାରାୟଣଙ୍କର ବାଲେଶ୍ଵର ସହରର ଓଲନ୍ଦା ସାହିରେ ସନ ୧୮୯୦ ମସିହା ଅକ୍ଟୋବର ମାସ ୩ ତାରିଖ ଗୁରୁବାରରେ ।

 

ଏହି ଓଲନ୍ଦା ସାହି ସେତେବେଳେ ସମୃଦ୍ଧ ଥିଲା, ସୁନ୍ଦର ଥିଲା । ବଳଙ୍ଗ ନଦୀ ତା କୂଳ ଧୋଉଥିଲା । ଆଜି ମଧ୍ୟ ଧୋଉଛି; କିନ୍ତୁ ସେଦିନର ସମୃଦ୍ଧି ନାହିଁ । ଆଗେ ବୁଢ଼ାବଳଙ୍ଗ ନଈ ଏତେ ପୋତିହୋଇ ପଡ଼ି ନଥିଲା । ବାଲେଶ୍ଵର ସହରଠାରୁ ୮ମାଇଲ ଦୂରରେ ଚାନ୍ଦିପୁର, ସେଇଠି ସମୁଦ୍ର, ନିକଟରେ ବଳରାମ ଗଡ଼ । ବୁଢ଼ାବଳଙ୍ଗ ସେଠାରେ ସମୁଦ୍ରରେ ମିଶିଛି । ପୂର୍ବେ ସମୁଦ୍ରରେ ଜାହାଜ ଆସି ବଳରାମ ଗଡ଼ଠାରୁ ବୁଢ଼ାବଳଙ୍ଗ ନଈରେ ବାଲେଶ୍ୱର ଆସୁଥିଲା । ଦେଶ ବିଦେଶରୁ ମାଲ୍ ଆସୁଥିଲା ମାଲ ଯାଉଥିଲା । ନୌବାଣିଜ୍ୟକୁ ଭିତ୍ତିକରି ବାଲେଶ୍ୱର ସହରବାସୀଙ୍କର ସମୃଦ୍ଧି ଘଟିଥିଲା ।

 

ବାଲେଶ୍ୱର ସହର ପାଖରେ ଏହି ବୁଢ଼ାବଳଙ୍ଗ ନଈର ଧାରେ ଧାରେ ବାଙ୍କଶାଳ ସବୁଥିଲା । ତନ୍ମଧ୍ୟରେ ଲକ୍ଷ୍ମୀନାରାୟଣଙ୍କ ପିତା ଓ ତାଙ୍କ ପିତାଙ୍କର ମଧ୍ୟ ବାଙ୍କଶାଳ ଥିଲା, ୩ଟା ଜାହାଜ ଚାଲୁଥିଲା, ଅଫିମଦୋକାନ ଥିଲା ଓ ଗୁଡ଼ କାରବାର ହେଉଥିଲା । ଦି'ଦିଟା କୋଠାଘର ଓ ହାତରେ ବେଶ୍ ଦିପଇସା ଥିଲା । ଲକ୍ଷ୍ମୀନାରାୟଣଙ୍କର ଜନ୍ମବେଳକୁ ତାଙ୍କ ଘରେ ଅଭାବର ଛାଇ ପଡ଼ିନି । ଝିଅ ପରେ ପୁଅ । କେତେ ଆନନ୍ଦ । ପିଲାଟି ଗୋରା ରଙ୍ଗ ଦିଶୁଥିବାରୁ କେତେକ ଗୌର ବୋଲି ଡାକିଲେଣି । ମାତ୍ର ତାଙ୍କ ଘରକୁ ଆସୁଥିବା ଧାଇଟି କହିଦେଲା—ଗୁରୁବାର ଦିନ ଜନ୍ମ । ଲକ୍ଷ୍ମୀକୁ ସାଙ୍ଗରେ ଧରି ଆସିଛି । ନାଁ ଦିଅଁ ଲକ୍ଷ୍ମୀ, ସେହିଦିନ ଠାରୁ ତାଙ୍କ ନାମ ଲକ୍ଷ୍ମୀନାରାୟଣ ଦିଆଗଲା ।

 

ସମୟର ଗତି ସବୁବେଳେ ସମାନ ନୁହେଁ । ଗୁରୁବାରରେ ଜନ୍ମହୋଇ ଲକ୍ଷ୍ମୀନାରାୟଣ ଲକ୍ଷ୍ମୀ ଆଣିବା ପରିବର୍ତ୍ତେ ସତେ ଯେପରି ତାଙ୍କୁ ବିଦା କରିବାକୁ ଆସିଥିଲେ । ହଠାତ୍ ତାଙ୍କ ପିତାଙ୍କ ପିତାଙ୍କର ମୃତ୍ୟୁପରେ କାରବାର ପତ୍ର ସବୁ ନଷ୍ଟଭ୍ରଷ୍ଟ ହୋଇଗଲା । ତାଙ୍କ ପିତା କ୍ଷେତ୍ରମୋହନ ସାହୁ ବ୍ୟବସାୟ ସମ୍ଭାଳି ପାରିଲେ ନାହିଁ, ଦେଖୁ ଦେଖୁ ସବୁ ସମ୍ପତ୍ତି କୁଆଡ଼େ ଉଭେଇ ଗଲା । ଲକ୍ଷ୍ମୀ ଚଞ୍ଚଳା—ଆସନ୍ତି ଶୀଘ୍ର ଯାଆନ୍ତି ବି ଶୀଘ୍ର । କ୍ଷେତ୍ରମୋହନ ବର୍ତ୍ତମାନ ହତବୁଦ୍ଧି ହୋଇ ଶ୍ୱଶୁରଘରକୁ ପଳାଇଗଲେ । ଲକ୍ଷ୍ମୀନାରାୟଣଙ୍କର ଅନେକ ମାମୁଁ ଥାଆନ୍ତି । ମା’ ମଧ୍ୟ ତାଙ୍କ ଅଜାଘରେ ବେଶ୍ ଆଦରର ପାତ୍ରୀ ।

 

ରୋଜଗାରହୀନ କ୍ଷେତ୍ରମୋହନ । ଶ୍ୱଶୁର ତାଙ୍କୁ ବାରବାଟିରେ ଗୋଟିଏ ଘର କରିଦେଲେ । ଉପାୟ ନପାଇ ସେ ନିଜେ ଶଡୁ ରାଧାନାଥ ଚୌଧୁରୀଙ୍କ ଦୋକାନରେ ଦିନକୁ ଛଅଣା ମୂଲରେ କାମକଲେ । କିନ୍ତୁ ଲକ୍ଷ୍ମୀନାରାୟଣଙ୍କ ମା ପିଲାଦିନରୁ ଅତି ଗେଲବସର ଥିବାଯୋଗୁ ଏସବୁ ଦୁଃଖକଷ୍ଟ ସହପାରିଲେ ନାହିଁ । ବାପଘର ମୁହିଁ ହେଲେ ।

 

ଲକ୍ଷ୍ମୀନାରଣଙ୍କ ପିତା କ୍ଷେତ୍ରମୋହନ । ଭାଗ୍ୟ ବିପର୍ଯ୍ୟରୁ ଧନୀରୁ ଗରୀବ ହୋଇଯିବା ସଙ୍ଗେ ସଙ୍ଗେ ଖୁବ୍ ଉଦାସୀ ହୋଇଗଲେ । ଦି’ ଦିଟା କୋଠା, ମାଣିକ୍ୟ ଖାମ୍‍ରେ ଥିବା ପୁରୁଣା ଘର ସବୁ ନିଲାମ ଓ ବିକ୍ରି ହୋଇଗଲା । ତଥାପି ମଧ୍ୟ ଜମିଦାରଙ୍କ କୋପଦୃଷ୍ଟିରୁ ସେ ରକ୍ଷା ପାଇଲେ ନାହିଁ । ସଂସାର ଅତି ବିଚିତ୍ର । ବଡ଼ କଷ୍ଟରେ ଯେଉଁ ଧନ ଅର୍ଜନକରି ଠୁଳ କରାଯାଇଥାଏ ଚାହୁଁଚାହୁଁ ତାହା ଏପରି ଚାଲିଯାଏ । ନିୟତିର ଇଚ୍ଛା ଲଙ୍ଘନ କରିବାକୁ ଶକ୍ତି ବା କାହାର ଅଛି ? ଏସବୁ ସତ୍ତ୍ୱେ ମଧ୍ୟ କ୍ଷେତ୍ରମୋହନ ଜୀବନର ଅପରାହ୍ନରେ ଖୁବ୍ ସ୍ନେହୀ ଓ ଅହଙ୍କାର ଶୂନ୍ୟଥିଲେ ।

 

ତାଙ୍କର ମା ଶ୍ରୀମତୀ ଅନ୍ନପୂର୍ଣ୍ଣା କିନ୍ତୁ ଥିଲେ ଖୁବ୍ ଜବରଦସ୍ତ ଲୋକ । ଅନ୍ୟାୟ ଦେଖିଲେ ସହି ପାରନ୍ତି ନାହିଁ । ଭୀଷଣ ରାଗି, ଭୀଷଣ ତେଜସ୍ଵିନୀ ଓ ପରୋପକାରୀ । ଅନ୍ୟର ବିପଦ ଆପଦରେ ଦୁଆରେ ଆସି ଠିଆ ହୁଅନ୍ତି । ଜୀଵନ ଦେଇ କାମ କରନ୍ତି ହଇଜା, ବସନ୍ତ ଆଦି ସଂକ୍ରାମକ ରୋଗ ସମୟରେ ଚରଖିପରି ବୁଲି ଅନ୍ୟମାନଙ୍କ ଯତ୍ନ ନିଅନ୍ତି । ତାଙ୍କର ଏହିସବୁ ଗୁଣ ଲକ୍ଷ୍ମୀନାରାୟଣଙ୍କୁ ଶୈଶବରେ ପ୍ରଭାବିତ କରିଥିଲା । କିନ୍ତୁ ତାଙ୍କ ମା ଖୁବ୍ ଧନୀଘରର ଝିଅଥିଲେ । ମୁର୍ଶିଦାବାଦରେ ସେ ଜନ୍ମ ହୋଇଥିଲେ । ତାଙ୍କ ବାବା ତାଙ୍କୁ ଅତି ସ୍ନେହରେ ବେଟୀ ନ ଡାକି ବେଟା ଡାକୁଥିଲେ । ଧନୀଘରେ ବିଭା ହୋଇଥିଲେ ମଧ୍ୟ ଧନ ଉଭେଇ ଯିବାରୁ ଝିଅର କଷ୍ଟ ସହି ନ ପାରି ଲକ୍ଷ୍ମୀନାରାୟଣଙ୍କ ଅଜା ତାଙ୍କୁ ନିଜ ଘରକୁ ଡକାଇନେଇ ରଖାଇଥିଲେ । ସେହିଠାରେ ଲକ୍ଷ୍ମୀନାରାୟଣଙ୍କର ବାଲ୍ୟ ଜୀବନର ବହୁ ଭାଗ ଅତିବାହିତ ହୋଇଥିଲା । ଲକ୍ଷ୍ମୀନାରାୟଣ ବଡ଼ହେବା ପରେ ନିଜ ପିତାଙ୍କୁ 'ସ୍ନେହଝର' ଓ ମାତାଙ୍କୁ 'ମହିଷମର୍ଦ୍ଦିନୀ' ଦୃଷ୍ଟିରେ ମନେ ପକାଉଥିଲେ ।

Image

 

ବାଲ୍ୟଜୀବନ

 

ଲକ୍ଷ୍ମୀନାରାୟଣଙ୍କ ପିଲାଦିନରୁ ସେ ଜଣେ ଖୁବ୍ ବଡ଼ ମଣିଷ ହେବେ ଏହାର ବିଶେଷ କିଛି ସୂଚନା ମିଳି ନଥିଲା । ବରଂ କେତେକ ଘଟଣାରୁ ସେ ବଦରାଗୀ ହେବେ ବୋଲି ଜଣାଯାଉଥିଲା । ସେ ଯେତେବେଳେ ଚାରି ପାଞ୍ଚ ବର୍ଷର ହୋଇଥିଲେ ଅଜାଘରେ ତ ଥାଆନ୍ତି । କ'ଣ ଗୋଟିଏ କଥାରେ ଏତେ ରାଗିଗଲେ ଯେ ପୁରା କିରୋସିନି ଟିଣଟିକୁ ଗଡ଼ାଇ ନଈରେ ଢାଳିଦେଲେ । ତାଙ୍କ ଅଜା ତାଙ୍କ ମା' କୁ କହିଥିଲେ– ‘‘ବେଟା ତୋ ପୁଅ ଭାରି ରାଗୀହେବ ।

 

ଉନବିଂଶ ଶତାବ୍ଦୀର ଶେଷ ଦର୍ଶକ । ବ୍ରାହ୍ମଣ, କରଣଙ୍କ ବ୍ୟତୀତ ଆଉ କେହି ଯେ ପାଠ ପଢ଼ିବା ଉଚିତ ଏକଥା କାହାରି ମନକୁ ଢୁକୁ ନ ଥାଏ । ସହଜେତ ଲକ୍ଷ୍ମୀନାରାୟଣ ଗୁଡ଼ିଆ ହାଟୁଆ ଜାତିର ପିଲା । ସେମାନଙ୍କର ପଢ଼ାପଢ଼ି ନଥାଏ । ବ୍ୟବସାୟ କରି ଦି ପଇସା କଞ୍ଚାପଇସା ହାତରେ ପାଇଲେ ସେମାନଙ୍କର ସବୁ ହେଲା । ପାଠପଢ଼ି ଗୋଲାମ ହେବାର ମନୋବୃତ୍ତି ପୋଷଣ କରିବେ କାହିଁକି ?

 

କିନ୍ତୁ ଲକ୍ଷ୍ମୀନାରାୟଣ କିପରି କେଜାଣି ଟିକେ ପଢାପଢ଼ିରେ ପଡ଼ିଗଲେ । ଦୋକାନରେ ବସି ଜଳଖିଆ ତିଆରିବାଲାଙ୍କୁ ସାହାଯ୍ୟ କରୁ କରୁ ହଠାତ୍ ବାରବାଟୀ ଚାହାଳୀରେ ତାଙ୍କ ନାମ ଲେଖାଇ ଦିଆଗଲା । ସେତେବେଳର ଶିଶୁ ଶିକ୍ଷା ସହ ଆଜିର ଶିକ୍ଷା ତୁଳନାକରି ଲାଭ ନାହିଁ । ‘‘ମାଡ଼ ନଦେଲେ କି ପାଠ ହୁଏ ?’’ ବୋଲି ଅବଧାନଙ୍କ ଠାରୁ ବାପା, ମା' ଓ ଅନ୍ୟାନ୍ୟ ଅଭିଭାବକ ମାନକଙ୍କର ଦୃଢ଼ଧାରଣା । ଅବଧାନଙ୍କ ମାଡ଼ ଦେଖି ଲକ୍ଷ୍ମୀନାରାୟଣ ଡରିଗଲେ । ଚାହାଳୀକୁ ଯିବାକୁ ଆଗ୍ରହ ପ୍ରକାଶ କଲେ ନାହିଁ । କିନ୍ତୁ ତାଙ୍କ ମା' ତାଙ୍କୁ ଘୋଷାଡ଼ି ଘୋଷାଡ଼ି ଅବଧାନଙ୍କ ପାଖକୁ ନିଅନ୍ତି । ସେଠାରେ 'ଖ' ପରୀକ୍ଷାରେ ପାଶ୍ କରି 'କ' ପରୀକ୍ଷା ଦେବାକୁ ଥାଏ । ମାତ୍ର ଯିଏ ପରୀକ୍ଷା କରିବାକୁ ଆସିଥିଲେ ତାଙ୍କୁ ଦେଖି ଲକ୍ଷ୍ମୀନାରାୟଣ ଏପରି ଡରିଗଲେ ଯେ 'କ' ପରୀକ୍ଷାରେ ପାଶ୍ କରି ପାରିଲେ ନହିଁ ।

 

ଏଣିକି ସେ ଚାହଳୀ ଛାଡ଼ି ନିଜ ଲକ୍ଷ୍ମଣ ମାମୁଁଙ୍କ ପାଖରେ ପଢ଼ାପଢ଼ି ଆରମ୍ଭ କଲେ । ସହଜ କି ସେ ପିଲା ! ଦିନେ ସନ୍ଧ୍ୟାରେ ଢୁଳାଉ ଢୁଳାଉ ଯେତେ ପାଠ ପଚାରିଲେ ଆସିଲା ନାହିଁ । ଲକ୍ଷ୍ମଣ ମାମୁଁ ଆଉ ଗୋଟିଏ ପିଲାହାତରେ ତାଙ୍କ କାନରେ ଗୋଡ଼ି ପୁରାଇ ରଗଡ଼ି ମୋଡ଼ାଇଦେଲେ । ଲକ୍ଷ୍ମୀନାରାୟଣଙ୍କ ରାଗ ତାଳୁକୁ ଉଠିଲା । ଯେପରି ରାତିରେ ଛୁଟି ହୋଇଛି ବସ୍ତାନୀଟିକୁ ଘରେ ପକାଇ ବାହାରକୁ ଦଉଡ଼ି ଯାଇ ଯେଉଁ ପିଲା ତାଙ୍କ କାନ ମୋଡ଼ିଥିଲା ତାକୁ ଏପରି ଏକ ମୁଥ ମାରିଲେ ଯେ ତା'ର କାନ ପାଟି ଫାଟିଯାଇ ଝରଝର ରକ୍ତ ବହିଲା ।

 

ମାମୁଁଙ୍କ ପାଖରେ ଘରୋଇ ଭାବେ ପ୍ରାଥମିକ ଶିକ୍ଷା ଶେଷକରି ଭିକ୍ଟୋରିଆ ମାଇନର ସ୍କୁଲରେ ସେ ନାମ ଲେଖାଇଲେ । ଛୋଟ ପିଲା । ମା' ତାଙ୍କୁ ନେଇ ନାମ ଲେଖାଇ ଦେଇ ଆସିଲେ । ଚତୁର୍ଥଶ୍ରେଣୀ ପରିବର୍ତ୍ତେ ତାଙ୍କ ଜ୍ଞାନ ପରୀକ୍ଷା କରି ଶିକ୍ଷକ ମହାଶୟ ତାଙ୍କୁ ପଞ୍ଚମ ଶ୍ରେଣୀରେ ଭର୍ତ୍ତି କରିଦେଲେ । ମାତ୍ର ଦିନେ 'ମଣିଙ୍ଗ୍' ଶବ୍ଦଟିଏ ବାରମ୍ବାର 'ମନିଙ୍ଗ୍' କହି କହି ଏକମାସ ପାଇଁ ଚତୁର୍ଥ ଶ୍ରେଣୀକୁ ଖସି ଆସିଥିଲେ । ପରେ ପୁଣି ସେ ପଞ୍ଚମରେ ପଢ଼ିଲେ ।

 

ପାଠରେ ତାଙ୍କର ମନ ଲାଗିଲା । ଗଣିତରେ ସେ ଧୂରନ୍ଧର ହୋଇ ଉଠିଲେ । ଏପରିକି ହେଡ୍ ମାଷ୍ଟର ଯେଉଁ ଅଙ୍କ କଷି ପାରନ୍ତିନି ସେ କଷି ଦିଅନ୍ତି । ଏଥିରେ ତାଙ୍କର ସୁନାମ ବି ଛାତ୍ର ଶିକ୍ଷକ ଓ ଅଭିଭାବକ ମହଲରେ ଟିକେ ବ୍ୟାପିଗଲା । କିନ୍ତୁ ହେଲେ କଅଣ ହେବ ସାଙ୍ଗମାନଙ୍କ ମେଳରେ ଦୁଷ୍ଟାମୀ ମଧ୍ୟ କମ୍ ବଢ଼ିଲା ନାହିଁ । ଦିନେ ଫାଷ୍ଟକ୍ଲାସରେ ପଢ଼ୁଥିବାବେଳେ ଶ୍ରେଣୀରେ ଶିକ୍ଷକ ନଥିବାରୁ ଗୋଳମାଳ କରୁଥିଲେ । ପାଖରେ ପଢ଼ାଉଥିବା ଶିକ୍ଷକ ଗୋବିନ୍ଦବାବୁ ଆସି ଧମକାଇ ପିଲାଙ୍କୁ ବେଞ୍ଚରେ ଠିଆ କରାଇଦେଲେ । ମୋହିନୀ ବୋଲି ଦୁଷ୍ଟ ପିଲାଟିଏ ଥିଲା । ସେ ଲକ୍ଷ୍ମୀନାରାୟଣଙ୍କୁ ଫସୁଲାଫୁସୁଲି କରି ଗୋବିନ୍ଦବାବୁଙ୍କ ପାଖକୁ ଆର ଶ୍ରେଣୀକୁ ଅଙ୍କ ପଚାରିବାକୁ ପଠାଇ ଦେଲା । ଗୋବିନ୍ଦବାବୁ ଇଂରାଜୀ ପଢ଼ାଉଥାନ୍ତି । ସେ "ଅଙ୍କଟି ଆସୁନାହିଁ ବୁଝାଇ ଦିଅନ୍ତୁ" କହିବାରୁ ଗୋବିନ୍ଦବାବୁ ରାଗି ଉଠି କହିଲେ–One cannot do two things at the same time. (ଜଣେ ଏକାବେଳକେ ଦୁଇଟା କାମକରି ପାରିବ ନାହିଁ ।) ଏତିକିବେଳେ ଦୁଷ୍ଟ ମୋହିନୀ ତାଙ୍କ ପଛରେ ଥାଇ କହିଲା—Why one can dance and sing at the same time (ଅର୍ଥାତ୍ ଜଣେ ଏକାବେଳକେ ନାଚି ମଧ୍ୟ ଗାଇ ପାରିବ) । ଗୋବିନ୍ଦବାବୁ ଯେପରି ଧଡ଼୍ କରି ଚୌକିଛାଡ଼ି ଛିଡ଼ା ହୋଇଛନ୍ତି କିଏ କୁଆଡ଼େ ଗଲେ । ପରେ ହେଡ଼୍ ମାଷ୍ଟ୍ରେ ଆସିବାରୁ ଅବସ୍ଥା ଶାନ୍ତହେଲା ।

 

ପଣ୍ଡିତ ମହାଶୟ ପାଠ ନ ଆସିଲେ ପିଲାଙ୍କୁ ପାଖକୁ ଡାକି ମୁଣ୍ଡବାଳକୁ ଟାଣି ମୁଣ୍ଡରେ ଟାଏଁ ଟାଏଁ କରି ବଙ୍କା ଆଙ୍ଗୁଠିରେ ମାରନ୍ତି । ଲକ୍ଷ୍ମୀନାରାୟଣଙ୍କୁ ସେ ମାଡ଼ ଖୁବ୍ କାଟେ, ତାଙ୍କ ଆଖି ଛଳ ଛଳ ହୋଇଯାଏ । ଏଣେ ପଣ୍ଡିତ ମହାଶୟଙ୍କ ପ୍ରିୟ ପାଠ ‘ପ୍ରକୃତି ପ୍ରତ୍ୟୟ’ ଆସେନାହିଁ । ଦିନେ ଏହିପରି ମାଡ଼ଖାଇ ସେ ଖୁବ୍ ରାଗିଗଲେ । ସନ୍ଧ୍ୟା ସମୟ ପଣ୍ଡିତ ମହାଶୟ ସ୍କୁଲସାରି ଘରକୁ ଫେରୁଥାନ୍ତି । ଇଏ ବାଡ଼ିରେ ଛକିଥିଲେ । ପଣ୍ଡିତେ ଯେପରି ସେ ରସ୍ତାରେ ଯାଉଥାନ୍ତି ସେ ଖଣ୍ଡେ ବଡ଼ ପଥର ତାଙ୍କ ଗୋଡ଼ ଉପରେ ଛେଚିଦେଇ ଛୁ ମାରିଲେ । ଏଣେ ପଣ୍ଡିତେ ସେଠାରୁ ଡାକ୍ତରଖାନା ଯାଇ ପଟିବାନ୍ଧି ବଳଦ ଗାଡ଼ିରେ ଘରକୁ ଫେରିଲେ । ଏହାପରେ ପଣ୍ଡିତ ମହାଶୟ ୪-୫ଦିନ ସ୍କୁଲ ଯାଇ ପାରିଲେ ନାହିଁ କି ଲକ୍ଷ୍ମୀନାରାୟଣ ମଧ୍ୟ ୨୫-୨୬ ଦିନ ଡରରେ ସ୍କୁଲ ଗଲେ ନାହିଁ, ଚୋରୀ ନିଶା ।

 

ପାଠପଢ଼ା ସମୟରେ ଏପ୍ରକାର ଦୁଷ୍ଟାମୀ ସାଙ୍ଗକୁ ଘରୁ ଚୋରୀ ନିଶା ମଧ୍ୟ ଲକ୍ଷ୍ମୀନାରାୟଣଙ୍କୁ ଲାଗି ଯାଇଥିଲା । ମୋହିନୀ ଦୁଷ୍ଟ ହେଲେ ବି ଶ୍ରେଣୀରେ ପ୍ରଥମ ଓ ସେ ଦ୍ଵିତୀୟ ହେଉଥିଲେ । ପ୍ରତିଦିନ ଦୋକାନରୁ ପକେଟରେ ବୁଟଭଜା ଗଜା ଓ ମିଠା ଆଦି ଲୁଚେଇ ନେଇ ଉଭୟ ସାଙ୍ଗ ହୋଇ ଖାଆନ୍ତି । ମୋହିନୀ କଲିକତାରେ ଥିବା ମାମୁଙ୍କ ପାଖରୁ ଯାହା ଟଙ୍କା ପାଏ ସେଥିରେ ଉଭୟ ଦୋକାନକୁ ଯାଇଁ ମାଂସ ତରକାରୀ ଖାଆନ୍ତି । ମୋତିଗଞ୍ଜ ବଜାରରେ ସେତେବେଳେ କୈଳାସ ବୋଲି ଜଣେ ଲୋକ ମାଂସ ତରକାରୀ ରାନ୍ଧିବାରେ ନାଁ କରିଥାଏ । ଇଏ ଦିନେ ଭାବିଲେ ମୋହିନୀକୁ ନେଇ ମାଂସ ତରକାରୀ ଖୁଆଇବେ; କିନ୍ତୁ ଟଙ୍କା କାହିଁ ? ଦିନେ ତାଙ୍କ ବାପା ପେଟରାରେ ଲୁଗା ଭିତରେ ୫୦/୬୦ ଟଙ୍କା ଗଣି ରଖିଥିଲେ । ବାବା ଓ ମା ଉଭୟେ ଗାଧୋଇ ଯାଇଥିଲେ । ବିଲେଇ କପାଳକୁ ଶିକା ଛିଣ୍ଡିଲା ପରି । ଲକ୍ଷ୍ମୀନାରାୟଣ ସେଥିରୁ ଗୋଟିଏ ଟଙ୍କା ଆଣି ବହି ଭିତରେ ଲୁଚାଇ ଦେଇ ସ୍କୁଲକୁ ଚାଲିଗଲେ ।

 

ବାବା ଗାଧୋଇ ସାରି ମହାଜନ ଘରକୁ ଟଙ୍କା ଦେବା ପାଇଁ ଯିବାକୁ ବାହାରିଲା ବେଳେ ପୁଣିଥରେ ଗଣିବାରୁ ଗୋଟିଏ ଟଙ୍କା କମ୍ ଥିବା ଜଣା ପଡ଼ିଲା । ବାବା ମା’କୁ ପଚାରିଲେ, ମା ମନା କଲେ । ବାବା ଓ ମା’ଙ୍କ ମଧ୍ୟରେ କଳି । ସାନ ଭଉଣୀ କଦମକୁ ମଧ୍ୟ ପଚରା ଗଲା ସେ ମନା କଲା । ମା ଏଣେ ଲକ୍ଷ୍ମୀନାରାୟଣଙ୍କୁ ସନ୍ଦେହ କରି ତାଙ୍କ ବହିପତ୍ର ଘାଣ୍ଟଚକଟ କରି ଗୋଟିଏ ବହି ଭିତରୁ ଟଙ୍କାଟି ପାଇଲେ ।

 

ସ୍କୁଲରୁ ଲକ୍ଷ୍ମୀନାରାୟଣ ଦଶଟା, ଏଗାରଟା, ବେଳକୁ ଫେରିଲେ, ବାଟ ସାରା ଭାବୁଥିଲେ ଏତେଗୁଡ଼ିଏ ଟଙ୍କା ଥିଲା, ଗୋଟିଏ ଟଙ୍କା ନେଲେ କଣ ଜଣା ପଡ଼ିବ । ତଥାପି ମନଟା କାହିଁକି ତାଙ୍କର ଗୋଳେଇ ପୋଳେଇ ହେଉଥାଏ, ଘରେ ପହଞ୍ଚିଲା ବେଳକୁ ମା ତାଙ୍କର ମାରିଶ ଖଡ଼ାଚାଞ୍ଛୁଥାନ୍ତି । ତାଙ୍କୁ ଦେଖି ପାଖକୁ ଡାକିଲେ, ସେତେବେଳକୁ ସେ ଖୁବ୍ ଡରିଗଲେଣି | ମା ପଚାରିଲେ—ଟଙ୍କାଟିଏ ନେଇଛୁ । ଲକ୍ଷ୍ମୀନାରାୟଣ ମନାକଲେ, ମା ରାଗି ଗଲେଣି, କହିଲେ ତୁ ନେଇନାହୁଁ ଆଉ କିଏ ନେଇଛି, ତୋ ବହିଭିତରୁ ବାହାରିଲା କେମିତି ? ଏହା ପରେ ମା କହିଲେ ହାତ ଦେଖା, ସେହି ମାରିଶ ଖଡ଼ାରେ ମା ପାଞ୍ଚ, ଛଅ ଚାବୁକ ସଫା ସଫା କସିଦେଲେ ।

 

ସେଦିନ ଲକ୍ଷ୍ମୀନାରାୟଣଙ୍କର ଏତେ ମନକଷ୍ଟ ହେଲା ଯେ ଭାତ ଖାଇଲେ ନାହିଁ । ଖଟରେ ପଡ଼ି ଅନେକ କାନ୍ଦିଲେ । ବାବାଜୀ ହୋଇ ଯିବାକୁ ମଧ୍ୟ ବାହାରିଲେ । ଘରୁ ପଳାଇ ଯାଇ ମୋହିନୀ ଘରେ ରାତିଟା କଟାଇଲେ, ଏଣେ ଚହଳ ପଡ଼ିଗଲା । ମା କିଛି ଖାଇଲେ ନାହିଁ । ବାବା ବୁଲି ବୁଲି ଥକିଲେ, ଶେଷରେ ମୋହିନୀର ବୁଢ଼ି ମା ନିଜେ ଆଣି ତାଙ୍କୁ ଘରେ ପହଞ୍ଚାଇ ଦେଇଗଲେ ।

 

ଆଉଥରେ ସେ ତାଙ୍କ ମାଉସୀପୁଅ ଭାଇ ଫକ ସାଙ୍ଗରେ ପଡ଼ି ଏଗାରଶହ ଟଙ୍କା ଖର୍ଚ୍ଚ କରିଦେଲେ । ଫକ ଘରୁ ଏଗାର ଶହ ଟଙ୍କା ଚୋରୀ କରି ଆଣିଥିଲେ । ଦୁର୍ଗାପୂଜାରେ ଜଳଖିଆ ବିକି ବାକିରେ ଆଣିଥିବା ଚିନି, ମଇଦା, ଘିଅ ଇତ୍ୟାଦିର ପଇସା ସୁଜିବା ପାଇଁ ରଖାଯାଇଥିଲା । ଏଗାର ବର୍ଷର ଫକ ଟଙ୍କା ତୋଡ଼ା ଧରି ପଳାଇ ଆସିଥିଲା । ଲକ୍ଷ୍ମୀନାରାୟଣଙ୍କୁ ମାତ୍ର ୧୨ ବର୍ଷ । କିଏ କାହିଁକି ଭାବିବ ଏହି ଅଣ୍ଡା ଦି’ଟା ଦ୍ୱାରା ଏତେବଡ଼ ଚୋରି ହୋଇପାରେ । କିନ୍ତୁ ଯେତେବେଳେ ଏ କଥା ଧରା ପଡ଼ିଲା ଗୋବିନ୍ଦବାବୁ ଲୁହା ଚଟ ଗରମ କରି ଡରାଇଲେ । ଉଭୟଙ୍କୁ ନାକରେ ଘୁସୁଡ଼ିବାକୁ ପଡ଼ିଲା । ଛେପ ପକାଇ ପୁଣି ତାହା ଢୋକିବାକୁ ପଡ଼ିଲା, ଉଭୟେ ପ୍ରତିଜ୍ଞାକଲେ ଆଉ ଚୋରୀ କରିବେ ନାହିଁ । ସେହି ଦିନ ଠାରୁ ଲକ୍ଷ୍ମୀନାରାୟଣ ଏକ ପ୍ରକାର ଚୋରୀ ଛାଡ଼ି ଦେଲେ; କିନ୍ତୁ ଫକରେ ଅଭ୍ୟାସ ବଢ଼ିଗଲା ।

 

ଲକ୍ଷ୍ମୀନାରାୟଣ ମାଇନର ଫେଲ ହେଲେ । ପାଠ ପଢ଼ାରେ କିଛି ଦିନ ପାଇଁ ଡୋର ବନ୍ଧାଗଲା, ଦୋକାନରେ ବସି ଜଳଖିଆ ବିକିଲେ । ବିଧିର ବିଧାନ ବିଚିତ୍ର । ପୁଣି ସେ ଲକ୍ଷ୍ମୀନାରାୟଣ ପାଠପଢ଼ା ଚାଲିବ ଏକଥା କାହାରି ମନରେ ନ ଥାଏ । ହଠାତ ଦିନେ ବାଲେଶ୍ୱର ଜିଲ୍ଲା ସ୍କୁଲ ହେଡ଼ମାଷ୍ଟର ତ୍ରୈଲୋକ୍ୟନାଥ ଘୋଷ ଜଳଖିଆ କିଣିବାକୁ ଆସି ତାଙ୍କ ବ୍ୟବହାରରେ କାହିଁକି କେଜାଣି ଖୁସି ହୋଇଗଲେ । ତାଙ୍କ ବାପାଙ୍କୁ ପଚାରିଲେ, କ୍ଷେତ୍ରମୋହନ ଏ ପିଲା ତୁମର କିଏ ? ଏହାକୁ ପଢ଼ାଉ ନାହିଁ କାହିଁକି ? କ୍ଷେତ୍ରମୋହନ ନିଜର ଦାରିଦ୍ର୍ୟ ଜଣାଇଲେ । ତ୍ରୈଲୋକ୍ୟ ବାବୁ କହିଲେ, କାଲି ତାକୁ ସ୍କୁଲକୁ ପଠାଅ । ମୁଁ ତାର ଫ୍ରି କରି ଦେବି ।

 

ଏହିପରି ପୁଣି ଲକ୍ଷ୍ମୀନାରାୟଣ ବାଲେଶ୍ୱର ଜିଲ୍ଲା ସ୍କୁଲରେ ନମା ଲେଖାଇଲେ । ପାଠ ପଢ଼ାରେ ଲକ୍ଷ୍ମୀନାରାୟଣଙ୍କ ମନ ଲାଗିଲା । ଭଲ ପଢ଼ିଲେ ବୋଲି ଚାରିଆଡ଼େ ଲୋକେ ତାକୁ ଭଲ ପାଇଲେ । କିନ୍ତୁ ଏନ୍ ଟ୍ରାନସ୍ ପରୀକ୍ଷା ଫଳ ଯେଉଁ ଦିନ ଟେଲିଗ୍ରାମରେ ଆସିଲା ସେଥିରେ ଲକ୍ଷ୍ମୀନାରାୟଣ ନାଁ ନଥିଲା । ହେଡ଼ମାଷ୍ଟର ଖୁବ୍ ଗାଳି କଲେ । ମନ ଦୁଃଖରେ ଲକ୍ଷ୍ମୀନାରାୟଣ ଫାସି ଦେଇ ଆତ୍ମହତ୍ୟା କରିବାକୁ ଠିକ୍ କଲେ । କିନ୍ତୁ ତାଙ୍କର ଜଣେ ସାଙ୍ଗ ରାତିସାରା ତାଙ୍କ ପାଖରେ ଜଗି ରହି ଆଶ୍ଵାସନା ଦେଇ କହିଲା କାଲି ରେଜଲ୍ଟ ଦେଖିବା, ତାପରେ ଯାହା ହେବ ।

 

ତହିଁ ଆରଦିନ ଉଭୟେ କଚେରୀକୁ ରେଜଲ୍ଟ ଦେଖିବା ପାଇଁ ଯାଉଁ ଯାଉଁ ହଠାତ୍ ହେଡ୍ ମାଷ୍ଟର ଦେଖା ହେଲେ । ସେ ସେତେବେଳକୁ ରେଜଲ୍ଟ ଦେଖି ଫେରୁଥାନ୍ତି । କହିଲେ–‘‘ଲକ୍ଷ୍ମୀ, ତୋର ଫାଷ୍ଟ ଡିଭିଜନରେ ପାସ୍ ହୋଇଛି । ଟେଲିଗ୍ରାମଟା ଭୁଲ ଥିଲା ।’’ କେବଳ ଫାଷ୍ଟ ଡିଭିଜନ୍‍ରେ ପାସ୍ ନୁହେଁ; ଅଧିକ କୃତିତ୍ୱ ଯୋଗୁଁ ଲକ୍ଷ୍ମୀନାରାୟଣ ବୃତ୍ତି ମଧ୍ୟ ପାଇଥିଲେ । ଚଞ୍ଚଳ ଚିତ୍ତ ଯଦି ତାଙ୍କର ଟେଲିଗ୍ରାମର ଦୁଃସମ୍ବାଦରେ ଆତ୍ମହତ୍ୟା କରାଇ ଦେଇଥାନ୍ତା ହୁଏତ ଆଜି ଆମେ ଓଡ଼ିଶାର ବରପୁତ୍ରମାନଙ୍କ ମଧ୍ୟରେ ଏଭଳି ରତ୍ନଟିର ସନ୍ଧାନ ପାଇ ନଥାନ୍ତେ ।

Image

 

ଗୁଡ଼ି ଉଡ଼ାରେ ଆଲେକ୍‍ଜାଣ୍ଡର

 

ବାଲ୍ୟାବସ୍ଥାରେ ଗୁଡ଼ି ଉଡ଼ାହିଁ ଲକ୍ଷ୍ମୀନାରାୟଣଙ୍କ ବଡ଼ ନିଶା । ଏପରିକି ରାତି ୯/୧୦ ଟା ଯାଏଁ ପଢ଼ୁ ପଢ଼ୁ ଗୁଡ଼ି ଉଡ଼ାଉ ଥାନ୍ତି । ଅର୍ଥାତ୍ ଗୁଡ଼ି ଯଦି ଭଲ ଉଡ଼ିଲା ତେବେ ଗୁଡ଼ିକୁ ତଳକୁ ନଖସାଇ ସେହିପରି ରଖି ଥାଆନ୍ତି । ଏଣେ ପଢ଼ୁପଢ଼ୁ ମଝିରେ ଚରଖିଟାରେ ସୂତା ଟାଣି ଦେଖୁଥାନ୍ତି ଗୁଡ଼ି ଉଡ଼ୁଛି କି ନାଁ ଦିନେ ଦିନେ ଗୁଡ଼ି ଉଡ଼ାଇ ଷାଠିଏ ସତୁରିଯାଏ ଗୁଡ଼ି କାଟି ଦେଉଥିଲେ । ସହରର କୌଣସି ଗୁଡ଼ି ତାଙ୍କ କବଳରୁ ବାଦ ଯାଉ ନଥିଲା । ସେଦିନ ତାଙ୍କ ଆତ୍ମ ସନ୍ତୋଷ ଓ ଅଭିମାନର ସୀମା ରହେନା । ନିଜକୁ ଦିଗ୍‍ବିଜୟୀ ଆଲେକଜାଣ୍ଡର ବୋଲି ଭାବି ନିଅନ୍ତି । ଗୁଡ଼ି ଉଡ଼ା ସମୟରେ ସେ ଏତେ ତନ୍ମୟ ରହୁଥିଲେ ଯେ କହି ଗୁରୁଜନ ମଧ୍ୟ ସେବାଟେ ଗଲେ ସେ ଜାଣି ପାରୁ ନଥିଲେ । ଏଥିପାଇଁ ବହୁଥର ଘରେ ଓ ବିଦ୍ୟାଳୟରେ ଖୁବ୍ ମାଡ଼ ଖାଇ ଥିଲେ । ତଥାପି ସେ ଏ ନିଶା ଛାଡ଼ି ପାରି ନଥିଲେ ।

 

ଗୁଡ଼ିଉଡ଼ା ଭଳି ନଈ ପହଁରିବା ମଧ୍ୟ ତାଙ୍କର ଆଉ ଏକ ପ୍ରଧାନ ନିଶା ଥିଲା । ବୁଢ଼ାବଳଙ୍ଗ ନଦୀ କୂଳରେ ଘରହୋଇଥିବାରୁ ପିଲାଟି ଦିନୁ ନଈ ପହଁରା ଶିଖିବାର ସୁବିଧା ଥିଲା । ନଈ ଏପାଖରୁ ସେପାଖ ପ୍ରାୟ ଅଧପାଏ ବାଟ ହେବ । ପୁଣି ବୁଢ଼ା ବଳଙ୍ଗ ଜୁଆରିଆ ନଈ । ଜୁଆର ଆସିଲେ ନଈ ଭରପୁର ହୋଇଯାଏ । ଏତିକିବେଳେ ଚିତ୍ ହୋଇ ନଈ ପହଁରି ସେ ସବୁଠୁ ବେଶୀ ମଜା କରୁଥିଲେ । ତାଙ୍କ ନଈ ପହଁରା ଦେଖି ଘରେ ମା ଖୁବ୍ ଡରି ଯାଉଥିଲେ । ଅନେକ ବାର ତାଗିଦ କରୁଥିଲେ କିନ୍ତୁ ଫଳ ହୋଇ ନଥିଲା ।

 

କେହି ସାଙ୍ଗ ବାଜିମାରି ଡାକି ଦେଲେ ପହଁରିବାରେ ସେ କେବେ ପଛାଉ ନଥିଲେ । ଏପରିକି “ମରିଯିବି ପଛେ ଆଗକୁ ଆହୁରି ଆଗକୁ ଯେପରି ମୁଁ ହଟି ନ ଯାଏ, ଏହି ଆକାଂକ୍ଷା ମୋର ଥିଲା" ବୋଲି ସେ ନିଜେ ଆତ୍ମ ଜୀବନୀରେ ଲେଖିଛନ୍ତି । ଏହି ଅଭ୍ୟାସ ଯୋଗୁ ସେ ପୁରୀ ସମୁଦ୍ରରେ ଆଠ ମାଇଲ ଯାଏଁ ବୟସ ବେଳେ ପହଁରି ଯାଇଛନ୍ତି । ଯେଉଁଠି ଭରା ନଇ ଦେଖନ୍ତି ସନ୍ତରଣ ପିପାସା ତାଙ୍କର ଅସମ୍ଭାଳ ହୋଇଛି | ଶିବପୁର ଇଂଜିନିୟରିଂ କଲେଜରେ ପଢ଼ିବା ବେଳ ସେ ଶିବପୁରରୁ ଖିଦିରପୁର, ଖିଦିରପୁରରୁ ଶିବପୁର ପର୍ଯ୍ୟନ୍ତ ଏକାଥରେ ପହଁରି ଯାଇ ଫେରି ଆସିଛନ୍ତି । ହିନ୍ଦ୍ ସେବକ ସମାଜର ସଭ୍ୟ ହେବାପରେ ଏଲହାବାଦରେ ଗଙ୍ଗାଯମୂନାରେ ପହଁରି ବେଶ୍ ଆନନ୍ଦ ଲାଭ କରିଛନ୍ତି । ବାରବୁଲା ଜୀବନରେ ଓଡ଼ିଶା ଏବଂ ଭାରତ ବର୍ଷର ବିଭିନ୍ନ ସ୍ଥାନକୁ ଅତି ଜରୁରୀ କାର୍ଯ୍ୟରେ ଯାଇଁ ମଧ୍ୟ ପିଲାଙ୍କ ଭଳି ସକଳ ଅଭିମାନ ଭୁଲି ସେ ସବୁଠାରେ ଥିବା ନଈ ସମୁଦ୍ର ପହଁରିବାରେ ତିଳେ ହେଲେ କୁଣ୍ଠିତ ହୋଇ ନାହନ୍ତି । ପୃଥିବୀ ବିଖ୍ୟାତ ସନ୍ତରଣକାରୀ ରବୀନ୍ଦ୍ର ଚାଟର୍ଜୀ ତାଙ୍କର ଚେଲା ଥିଲେ । ରବିନ୍ଦ୍ର ଚାଟାର୍ଜୀ ହାତଗୋଡ଼ ବାନ୍ଧି ହୋଇ ଏକାଦିକ୍ରମେ ୨୪ ଘଣ୍ଟା ପହଁରିଛନ୍ତି । ସେହପରି ୮୦ ଘଣ୍ଟା ପହଁରିଛନ୍ତି । ବିଲାତକୁ ସେ ସନ୍ତରଣ ଶିକ୍ଷା ଦେବାକୁ ଯାଇଥିଲେ । ଲକ୍ଷ୍ମୀନାରାୟଣ ଜୀବନର ସାୟାହ୍ନରେ ମଧ୍ୟ ରବୀନ୍ଦ୍ରଙ୍କ ପ୍ରତି ଅନୁରାଗ ଭୁଲିନଥିଲେ ।

 

ଏହା ପଛକୁ ଅନ୍ୟ ନିଶା ଥିଲା ପାରାଭଡ଼ା । କେତୋଟି ପାରା ସେ ପୋଷିଥିଲେ । ଅତ୍ୟନ୍ତ ଆଦର କରୁଥିଲେ ସେଗୁଡ଼ିକୁ । ଗୋଟିଏ ମାଛିଆ ମାଦି ପାରା ପାଇଁ ସେ ତିନିଦିନ କାନ୍ଦିଥିଲେ । ପୁଅ ମରିଗଲେ ଯେଉଁ ଦୁଃଖ ପାରାଟି ମରିଯିବାରେ ସେ ତାଠାରୁ କମ୍ ଦୁଃଖ ଅନୁଭବ କରି ନଥିଲେ । ପ୍ରତିଦିନ ସକାଳେ ପୋଷା ପାରା ଗୁଡ଼ାଙ୍କୁ ଉଡ଼ାଇ ଦେଇ ସ୍କୁଲକୁ ଯାଉଥିଲେ । ମଝିରେ ବାରମ୍ବାର ପରିସ୍ରା କରିବା ବାହାନାରେ ଆସି ଦେଖି ଯାଉଥିଲେ ପାରାଗୁଡ଼ିକ ଉଡ଼ୁଛନ୍ତି କି ନାହିଁ ।

 

ପୂଜା ପାର୍ବଣରେ ସାଙ୍ଗ ସାଥିଙ୍କୁ ଧରି ଭୋଜୀ କରିବା ସଭା ସମିତି ଓ ବିଦ୍ୟାଳୟରେ ତର୍କ ପ୍ରତିଯୋଗିତା କରାଇବାରେ ମଧ୍ୟ ଲକ୍ଷ୍ମୀନାରାୟଣଙ୍କର କମ୍ ଝୁଙ୍କ ନଥିଲା । ଜଣା ଅଞ୍ଚଳ ଛାଡ଼ି ଅଜଣା ଅଞ୍ଚଳରେ ବୁଲିବା ମଧ୍ୟ ଅନ୍ୟ ଏକ ନିଶାଥିଲା । ବାରବାଟୀରୁ ଚାନ୍ଦବାଲି ୮ ମାଇଲ ଯାଏଁ ଧାଇଁ ଧାଇଁ ସେ ସମୁଦ୍ର, ଦେଖି ଆସୁଥିଲେ । ବେଳେ ବେଳେ ମିତ୍ରପୁର ଯାଏ ମଧ୍ୟ ୮ ମାଇଲ ଦଉଡ଼ି ଜଙ୍ଗଲରେ ବୁଲି ପାହାଡ଼ ଚଢ଼ୁଥିଲେ ।

Image

 

ହୁକା ଓ ସିଗାରେଟ୍ ଖିଆ ଛାଡ଼ିଲେ

 

ଲକ୍ଷ୍ମୀନାରାୟଙ୍କ ବାପା ହୁକା ଖାଉଥିଲେ । ହୁକାରେ ଗୁଡ଼ାଖୁ ସଜେଇ ନିଆଁ ଧରେଇ ଦେଉଥିଲେ ସେ । ଦିନେ ମନକରି ଯେମିତି ବାପା ହୁକା ଖାଇ ଯାଇଛନ୍ତି ସେ ହୁକାକୁ ସଡ଼କେ ଟାଣିଛନ୍ତି—ମା କୁଆଡ଼େ ଥିଲେ କେଜାଣି ଧାଇଁ ଆସି ଜୋର୍‍ରେ ଚଟ୍‍କଣିଟାଏ ଦେଲେ ଯେ ସେହିଦିନଠାରୁ ସେ ଆଉ ହୁକା ଛୁଇଁ ନ ଥିଲେ ।

 

କିନ୍ତୁ ମାଇନର ସ୍କୁଲରେ ପଢ଼ିଲାପରେ ସାଙ୍ଗ ସାଥୀମାନଙ୍କ ମେଳରେ ପଡ଼ି ସିଗାରେଟ୍ ଖିଆ ଅଭ୍ୟାସ କରି ନେଇଥିଲେ । ଏଥିପାଇଁ ଦୋକାନରୁ ପଇସା ଚୋରୀ ମଧ୍ୟ ଆଉ ଏକ କୂଅଭ୍ୟାସରେ ପରିଣତ ହୋଇ ଯାଇଥିଲା । ୧୯୦୨ ମସିହା, ବୟସ ୧୨ ବର୍ଷ, ଅଷ୍ଟମ ଶ୍ରେଣୀରେ ପଢ଼ୁଥାନ୍ତି । ସ୍କୁଲରେ ପୁରସ୍କାର ବିତରଣୀ ସଭାହେଲା ।

 

ଲକ୍ଷ୍ମୀନାରାୟଣ ଭଲ ଛାତ୍ର । ଏତେଗୁଡ଼ିଏ ବିଭିନ୍ନ ବିଷୟରେ ପୁରସ୍କାର ପାଇଲେ ସେ ସବୁଗୁଡ଼ିକୁ ଏକା ହାତରେ ଧରି ପାରୁ ନଥାନ୍ତି । ବାରମ୍ବାର ପୁରସ୍କାର ଆଣିବାକୁ ଯାଉଁ ଯାଉଁ ଆଗରୁ ପାଇଥିବା ପୁରସ୍କାରରୁ ଗୋଟିଏ ଅଧେ ଖସି ପଡ଼ୁଥାଏ । ସଭା ଦେଖି ଆସିଥିବା ଲୋକେ ତଳୁ ପରସ୍କାର ଗୋଟେଇ ତାଙ୍କ ହାତକୁ ବଢ଼ାଇ ଦେବା ସମୟରେ ଆଶୀର୍ବାଦ କରି କହୁଥାନ୍ତି–‘‘ଏହି ଭଳି ଭଲପଢ଼ିବ–ଭଲପିଲା ହେବ । ଭଲ କାମ କରି ଯଶ ଅର୍ଜିବ ।’’ ପୁରସ୍କାର ଭିତରେ ସେ ଉତ୍ତମ ଆଚରଣ (Good Conduct) ନିମନ୍ତେ ଖଣ୍ଡେ ଚେମ୍ବର୍ସ ଅଭିଧାନ ପାଇଥାନ୍ତି । ସେ ଖଣ୍ଡକ ଦେଖି ଦେଲା ପରେ ତାଙ୍କ ମନରେ ଖୁବ କଷ୍ଟ ହେଲା । ସେ କେବଳ ଭାବିବାକୁ ଲାଗିଲେ–ଲୁଚିଲୁଚି ଯେଉଁ ପିଲା ସିଗାରେଟ୍ ଖାଏ ସେ କ’ଣ ‘ଗୁଡ୍ କଣ୍ଡକ୍ଟ’ ପ୍ରାଇଜ୍‌ ପାଇବା ଉଚିତ ? ବାରମ୍ବାର ଏହି ପ୍ରଶ୍ନ ତାଙ୍କ ମନକୁ ଆଲୋଡ଼ିତ କଲା । ତିନିଦିନକାଳ ବିଛଣାରେ ପଡ଼ି ପଡ଼ି କାନ୍ଦିଲେ । ତାଙ୍କ ପେଟକୁ ଭାତ ଗଲା ନାହିଁ । ଏହାପରେ ସେ ପ୍ରତିଜ୍ଞାକରି ସିଗାରେଟ୍ ଚାଆ ଛାଡ଼ି ଦେଇଥିଲେ ।

Image

 

ବିଚିତ୍ର ଖିଆଲ

 

ଲକ୍ଷ୍ମୀନାରୟଣଙ୍କ କୈଶୋର ଅତି ବେଚିତ୍ର୍ୟମୟ । ପାଠଟିକେ ଭଲ ପଢ଼ୁଥିବା ଛଡ଼ା ବଡ଼ ହେବାର ସେ ଭଳି ସୁସ୍ପଷ୍ଟ ଲକ୍ଷଣ ବିଶେଷ କିଛି ତାଙ୍କଠାରେ ପ୍ରକାଶ ପାଇ ନ ଥିଲା । ବାଲେଶ୍ଵର ଜିଲ୍ଲା ସ୍କୁଲରେ ନଗେନ୍ ବାବୁ ନାମରେ ଜଣେ ଡ୍ରିଲ ଶିକ୍ଷକ ଥିଲେ । ଭାରିକଡ଼ା ଲୋକ, ଡ୍ରିଲ କଲା ବେଳେ ଟିକେ ଭୁଲକଲେ ଦୁମଦାମ୍ ମାଡ଼ । ସେତେବେଳକୁ ଲକ୍ଷ୍ମୀନାରାୟଣ ନବମ ଶ୍ରେଣୀର ଛାତ୍ର, ଆଉ ଜଣେ ସାଙ୍ଗ ଜଗତ୍ ଅଷ୍ଟମ ଶ୍ରେଣୀର ଛାତ୍ର । ଦିନେ ଡ୍ରିଲ କରୁ କରୁ ଜଗତ୍ ଟିକେ ଭୁଲ୍ କଲାରୁ ନଗେନ୍ ବାବୁ ଏପରି ଗୋଟିଏ ମାଡ଼ ଦେଲେ ଯେ ଜଗତ୍ ହଗି ପକାଇଲା । ଉଭୟ ରାଗିଯାଇଁ ପ୍ରତିଶୋଧ ନେବାକୁ ପ୍ରତିଜ୍ଞା କଲେ ।

 

ଲକ୍ଷ୍ମୀନାରାୟଣ ଅଦ୍ଭୁତ ଇନ୍ଦ୍ରଜାଲ ବିଦ୍ୟା ସଂପର୍କରେ ବହି ଖଣ୍ଡଏ ପଢ଼ିଥାନ୍ତି । ସେଥିରେ ଲେଖାଥାଏ ଯେ କେହି ବିବାହିତା ସ୍ତ୍ରୀ ସନ୍ତାନପ୍ରସବ କରିବା ପୂର୍ବରୁ ଯଦି ମରି ପୋତା ହୋଇଥାଏ ତେବେ ତାର କାଣି ଆଙ୍ଗୁଠି ଗୋଟିଏ କାଟି ଆଣି ସେଥିମଧ୍ୟରୁ ମାଂସ ବାହାରକରି ହାଡ଼ ଖଣ୍ଡି ଧରି ଲକ୍ଷେଥର ହ୍ଲିଂ, କ୍ଲିଂ ମନ୍ତ୍ର ଜପିଲେ ଯାହା ଇଚ୍ଛା କରିବ ତାହା ପୂରଣ ହେବ ।

 

ଅପୂର୍ବ ସୁଯୋଗ ମିଳିଗଲା, ଗୋପାଳଗାଁର ଝିଅଟିଏ ବାହା ହେବାର ଅଳ୍ପ କେତେ ମାସ ମଧ୍ୟରେ ବସନ୍ତରେ ମରିଯାଇଥିଲା । ତାକୁ ପୋତି ପକାଇଥିଲେ । ଏ ଘଟଣା ଲକ୍ଷ୍ମୀନାରାୟଣ ଶୁଣି ଜଗତକୁ ଧରି ବାଲିଘାଟରେ ପହଞ୍ଚିଲେ । କୋଡିରେ ଖୋଳି ସେ ଶବକୁ ବାହାରକରି ତା ହାତରୁ କାଣି ଆଙ୍ଗୁଠିଟିଏ ଗୁଆକାତିରେ କାଟି ସେଥିରୁ ମାଂସ ବାହାର କଲେ । ଗଣେଶ ପୂଜାପାଉଥିବା ଠାକୁରଘରେ ପଶି ଲକ୍ଷେଥର ହ୍ଲିଂ, କ୍ଲିଂ ମନ୍ତ୍ର ଜପି ‘‘ନଗିବାବୁ ହଗିହଗି ମରୁ’’ ବୋଲି କାମନା କରୁଥିଲେ । ଜଗତ୍ ପିଣ୍ଡାରେ ବସି ଜଗିଥାଏ, କାଳେ କେହି ଭିତରକୁ ଆସି ମନ୍ତ୍ର ଜପାରେ ବାଧା ଦେବକି ଏବଂ ମନେ ମନେ ଭାବୁଥାଏ ମନ୍ତ୍ର ପ୍ରଭାବରେ ନଗେନବାବୁଙ୍କର ହଗା ଆରମ୍ଭ ହେବଣି । ମାତ୍ର ତହିଁପର ଦିନ ସ୍କୁଲରେ ଦେଖିବାବେଳକୁ ବେତ ହସ୍ତେ ନଗେନ୍ ବାବୁ ଉପସ୍ଥିତ । ବେଶ୍ ସତେଜ, ତାଙ୍କର କିଛି ହୋଇ ନାହିଁ । ଉଭୟ ବ୍ୟର୍ଥ ମନୋରଥ ହୋଇ ରହିଲେ ।

Image

 

ଗୋପିଆ ହାଡ଼ିର ଗୋଡ଼ତଳେ

 

ବାଲେଶ୍ଵରରେ ଉତ୍କଳ ସମ୍ମିଳନୀ ମଣ୍ଡପର ଉତ୍କଳ ଗୌରବ ମଧୁବାବୁ ଭାଷଣ ଦେଇ କହିଥାନ୍ତି—ଏ ମାତୃ ମଣ୍ଡପ ସମସ୍ତେ ସମାନ । ଏଠାରେ ଜାତିଭେଦ, ଧର୍ମଭେଦ ନାହିଁ, । ଏହିକଥାଟି ତାଙ୍କୁ ଖବ୍ ସ୍ପର୍ଶ କରିଥାଏ । ସେତେବେଳକୁ ସେ ଗୋଟିଏ ବେଶ୍ ଧର୍ମ ପରାୟଣ ବାଳକ । ପ୍ରତିଦିନ ଠାକୁର ପୂଜା କରୁଥାନ୍ତି । ତଥାପି ଦୃଦୟରୁ ଧର୍ମ ଭେଦ ଓ ଜାତି ଭେଦ ଛଡ଼ାଇବା ଉଦ୍ଦେଶ୍ୟରେ ସେଦିନ ସେ ଅଜିଜୁଲା ହାତରୁ ପାଉଁରୁଟି ଖଣ୍ଡେ ଛଡ଼ାଇ ଖାଇଦେଲେ । ସତେ ଯେପରି ଦୃଦୟର ସମସ୍ତ ଆବିଳତା ପୋଡ଼ି ପାଉଁଶ ହୋଇଗଲା । ଅଜିଜୁଲାତ ତାଙ୍କ ଭାଇ, ତାକୁ ଘୃଣାକରିବେ କାହିଁକି ଏହି ବିଶ୍ୱାସ ଦୃଢ଼ ହେଉଥିଲା । ମା’ଙ୍କୁ ଏକଥା ଜଣାଇବାରୁ ମା’ କି ସହଜେ ବୁଝିବା ହୋଇ ଗଲାଣି ଗୋପିଆ ହାଡ଼ିକୁ ଡକାଇ ଝଡ଼ା ଫୁଙ୍କା କରାଇଲେ ।

 

ଲକ୍ଷ୍ମୀନାରାୟଣଙ୍କର ତ ବାଲ୍ୟବିବାହ ହୋଇଥାଏ । ଦିନେ ଦଶହରାରେ ମା’କହିଲେ–ଯା ଶାଶୁ ଶ୍ୱଶୁରଙ୍କୁ ପ୍ରଣାମ କରି ଆସିବୁ । ତାଙ୍କୁ ଲାଜ ଲାଜ ଲାଗିଲା । ମା ରାଗିଯାଇ କହିଲେ, ଯେଉଁ ପିଲା ପାଠପଢ଼ି ଗୁରୁଜନଙ୍କୁ ପ୍ରଣାମ କରିବାରେ ଲାଜ କରେ ତା ପାଠରେ ମୁତିବା ଭଲ । ଏତିକିରେ ସେ ଟିଂ, ଟିଂ ହୋଇ ଘରୁ ବାହାରି ଆସି ଦେଖିଲେ ଦାଣ୍ଡରେ ସେହି ଗୋପିଆ ହାଡ଼ି ଯାଉଛି ସିଧା ସେଇଠି ତାର ଗୋଡ଼ତଳେ ପଡ଼ିଗଲେ । ସେ ଆଶ୍ଟର୍ଯ୍ୟ ହେଲା, ମାତ୍ର କଲ୍ୟାଣ କରି କହିଲା—“କୋଟି ପରମାୟୁ ହେଉ” । ଏତିକି ବେଳେ ତାଙ୍କ ମା ବାବା ଘରୁ ପଦାକୁ ଆସି ଏ ଦୃଶ୍ୟ ଦେଖି ଆହୁରି ରାଗିକରି ଖପା । ହାଡ଼ି ଗୋଡ଼ତଳେ ପଡ଼ିବାରୁ ତାଙ୍କୁ ଯେପରି ମା ନିର୍ବୁଦ୍ଧିଆ ବୋଲି କହିଛନ୍ତି ସେ ଓଲଟା ଉତ୍ତର ଦେଲେ, “ହଁ ଭଲ କଲି, ହାଡ଼ି କ’ଣ ହାଡ଼ିଆଣୀ ଗୋଡ଼ତଳେ ମଧ୍ୟ ପଡ଼ିବି, ସେମାନେ ମୋର ଗୁରୁଜନ ।” ଏହା କହି ସିଧା ଧାଇଁଲେ ଗୋପିଆ ହାଡ଼ି ଘରକୁ । ଗୋପିଆ ହାଡ଼ିର ସ୍ତ୍ରୀ ତାଙ୍କୁ ଦେଖି ଲାଜରେ ରୋଷେଇ ଘରକୁ ପଳାଇଲା । ଇଏ ସିଧା ରୋଷେଇ ଘରେ ପଶି ସେଠାରେ ଜୁହାର ହୋଇ ଆସିଲେ । ବାଟରେ ଦେଖା ହଲା ମଲ୍ଲୀ ଗଉଡ଼ୁଣୀ । ତା ଗୋଡ଼ ତଳେ ମଧ୍ୟ ପଡ଼ିଗଲେ । ସେ ଦିନ ସକାଳୁ ରାତି ୧୦ଟା ଯାଏ ଯେତେ ଗୁରୁଜନ ଦେଖିଲେ ସମସ୍ତଙ୍କ ଗୋଡ଼ତଳେ ଜିଦ୍ କରି ପଢ଼ିଲେ । ଏହି ଖିଆଲ ଭବିଷ୍ୟତରେ ତାଙ୍କୁ ମହାନ ସମଦର୍ଶୀ ବ୍ୟକ୍ତି ରୂପେ ଗଢ଼ି ତୋଳିଥିଲା । ଆଚାଣ୍ଡଳ ବ୍ରାହ୍ମଣ ସେ ସମସ୍ତଙ୍କର ଅତି ପ୍ରିୟ, ଅତି ନିଜର ହୋଇ ଉଠିଥିଲେ । ତାଙ୍କ ଘର ପୁରୋହିତ ତାଙ୍କୁ ଭାରି ଭଲ ପାଉଥିଲେ । ଖିବ୍ ଗୋରା ହେବା ପାଇଁ ତାଙ୍କର ଇଚ୍ଛା କଥା ଦିନେ ସେ ପୁରୋହିତ ଆଗରେ ପ୍ରକାଶ କରିବାରୁ ସେ ଲଙ୍କାମରିଚ ଖାଇବାକୁ ପରାମର୍ଶ ଦେଇଥିଲେ । ସେଥିପାଇଁ ସେ ଲୁଚାଇ ଲୁଚାଇ ତତଲା ଭାତ ମଧ୍ୟରେ ବି କଞ୍ଚା ଲଙ୍କା ଖାଇ ଯାଉଥିଲେ ।

 

ବ୍ରାହ୍ମଣମାନଙ୍କ ଆଶୀର୍ବାଦ ପାଇବା ଆଶାରେ ମା’ଙ୍କ କଥା ମାନି ସେମାନେ ଖାଇଯିବା ପରେ ସେହି ଅଇଁଠା ଖାଉଥିଲେ । ବ୍ରାହ୍ମଣମାନଙ୍କ ଅଇଁଠା ମହାପ୍ରସାଦ ବୋଲି ମା’ ତାଙ୍କୁ ବୁଝାଇ ଦେଇଥିଲେ ।

Image

 

ବାଲ୍ୟବିବାହ

 

ବିଶଂ ଶତାଦ୍ଦୀର ଆରମ୍ଭ । ୧୯୦୨ମସିହା । ଉତ୍କଳୀୟ ସମାଜ କୁସଂସ୍କାରରେ ବୁଡ଼ି ରହିଥାଏ । ଅପେକ୍ଷାକୃତ ଭାବେ ହାଟୁଆ ଜାତିରେ ଏହି କୁସଂସ୍କାରର ମାତ୍ରା ଅଧିକ । ସେମାନଙ୍କ ମଧ୍ୟରେ ବାଲ୍ୟବିବାହ ଏକ ସାଧାରଣ କଥା । ଅମାନ୍ୟ କରିବାକୁ ଜୂ କାହାର ? ଲକ୍ଷ୍ମୀନାରାୟଣଙ୍କୁ ମାତ୍ର ବାରବର୍ଷ ବୟସ । ବାହାଘର ପ୍ରସଙ୍ଗ ପଡ଼ୁଥିଲେ ସେ ମା’ଙ୍କ ନିକଟରେ ଏଳି କରୁଥ୍ଲେ—ଗୋଟିଏ ମେମ୍ ସାହାବାକୁ ବାହା ହେବେ । ” ମା ମଧ୍ୟ ହଁ ଭରି ଭଣ୍ଡାଇ ଦେଉଥିଲେ । ଶେଷରେ ବାହାଘର ଦିନ ସେ ପାଲିଙ୍କି ଚଢ଼ି ଯ଼ାଉ ଯ଼ାଉ ପାଲିଙ୍କିଟି ମେମ୍ ସାହେବ ପଡ଼ା ଅତିକ୍ରମକରି ଆଗକୁ ଗଲାବେଳେ ମେମ୍ ପିଲାମାନେ ଚାହିଁ ରହିଥିଲା । ପାଲିଙ୍କି ସେଠାରେ ନ ଅଟକିବାରୁ ତାଙ୍କ ମନରେ ଖୁବ୍ କଷ୍ଟ ହୋଇଥିଲା । ଏପରିକି ସୁବାରାମପୁର ଗ୍ରାମରେ ବିବାହ ବେଳେ ଏତେ ଆନନ୍ଦ ଉତ୍ସବ ଶଙ୍ଖ ହୁଳହୁଳି ଧ୍ୱନି ମଧ୍ୟ ତାଙ୍କୁ ଚିକିଏ ହେଲେ ସୁଖୀ କରି ପାରି ନ ଥିଲା ।

Image

 

କଲେଜ ଜୀବନ

 

୧୯୦୮ ମସିହାରେ ଲକ୍ଷ୍ମୀନାରାୟଣ ବାପା ମାଁଙ୍କ ଚାକିରୀ କରିବା ଇଚ୍ଛା ଅପୂର୍ଣ୍ଣ ରଖି ପାଠ ପଢ଼ିବାକୁ କଟକ ଆସିଲେ । ସମ୍ବଳ ବୋଲି ଖଣ୍ଡେ ଭଙ୍ଗା ଟିଣ ଟ୍ରଙ୍କ, ଦିଇଖଣ୍ଡ ମଇଳା ଲୁଗା ପଟା ଓ ଭିଣୋଇ ଦେଇଥିବା ୨୦ ଟଙ୍କା ହଠାତ୍ ବାଲେଶ୍ୱର ଷ୍ଟେସନରେ ଓଡ଼ିଶାର ତତ୍କାଳୀନ ସ୍କୁଲ ଇନ୍ସପେକ୍ଟର ଭକ୍ତ କବି ମଧୁସୂଦନ ରାଓଙ୍କ ସହ ଦେଖା ହେଲା । ଉଚ୍ଚଶିକ୍ଷା ପାଇଁ କେବଳ ସେ ପ୍ରୋତ୍ସାହନ ଦେଲେ ନାହିଁ; କଟକରେ ଘର ପାଇବା ପର୍ଯ୍ୟନ୍ତ ୪।୫ ଦିନ ଯାଏଁ ତାଙ୍କ ଘରେ ରହିବା ପାଇଁ ନିଜଆଡ଼ୁ ବଳାଇ କରି କହିଲେ । ଲକ୍ଷ୍ମୀନାରାୟଣ ଏଥିରେ କୃତ କୃତ୍ୟ ହୋଇ ପଡ଼ିଥିଲେ । ମଧୁବାବୁ ସଙ୍ଗରେ ନିଜ ଗାଡ଼ିରେ କାଳିଗଳି ବସାକୁ ନେଇ ସେଠାରେ ତାଙ୍କୁ ବେଶ୍ ଆଦର ସତ୍କାର କରିଥିଲେ । କଟକ ଦେଖି ନଥିବା ଗୋଟିଏ ଗରୀବ ଛାତ୍ର ମନରେ ଏହା କମ୍ ରେଖାପାତ କରି ନଥିଲା; କିନ୍ତୁ ନିଜର ମିଳା ଲୁଗାପଟା ଯୋଗୁ ସେ ଲଜ୍ଜାରେ ବ୍ୟତୀବ୍ୟସ୍ତ ହୋଇ ଦିନକ ପରେ ଡଗରପଡ଼ାର ଗୋଟିଏ ମେସକୁ ପଳାଇ ଆସିଥିଲେ । ଏହାପରେ ତାଙ୍କ ମାଉସୀପୁଅ ଭାଇ ଆସିବାରୁ ଓଡ଼ିଆବଜାରରେ ବର୍ତ୍ତମାନ ଯେଉଁଠି ସୋସାଲିଷ୍ଟ ଦଳ ଅଫିସ ଅଛି ସେଠାରେ ନୂଆ ମେସ୍ ଆରମ୍ଭ କରିଥିଲେ ।

 

ସେତେବେଳେ ରେଭେନ୍‍ସା କଲେଜରେ ଅଧ୍ୟକ୍ଷ ଥାଆନ୍ତି ଶ’ସାହେବ । କିନ୍ତୁ ତାଙ୍କ ଉପରେ ସବୁଠାର ବେଶୀ ପ୍ରବାଭ ପଡ଼ିଥିଲା ଇଂରାଜୀ ଅଧ୍ୟାପକ ହେମଚନ୍ଦ୍ର ସରକାରଙ୍କର । ଜ୍ଞାନ ପିପାସା ତାଙ୍କର ଅତି ପ୍ରବଳ । ଦିନେ ଦିନେ ସଞ୍ଜବେଳୁ ସେ ପଢ଼ା ଆରମ୍ଭକଲେ ତହିଁଆରଦିନ ନଅଟା ଦଶଟା ହୋଇଯାଏ । କିନ୍ତୁ ପାଣ୍ଡିତ୍ୟ ଅପେକ୍ଷା ତାଙ୍କର ମହତ୍ତର ମାନବ ସେବା ଲକ୍ଷ୍ମୀନାରାୟଣଙ୍କୁ ଅଧିକ ଆକୃଷ୍ଟ କରିଥିଲା । ଫିନାଇଲ ବୋତଲ ଧରି ସେ ସକାଳୁ ଗରୀବଲୋକଙ୍କ ପାଇଖାନାରେ ପକାଇ ଆସନ୍ତି । ସଫା ଓ ଚିରାଜାମା ଲୁଗା ମାଗି ହଇଜା ସମୟରେ ଗରୀବ ଲୋକଙ୍କୁ ଦାନ କରନ୍ତି । ଏପରି ହେଲା ଯେ ଆଦର୍ଶବାଦୀ ଛାତ୍ରମାନେ ଶହ ଶହ ସଂଖ୍ୟାରେ ତାଙ୍କ ପାଖରେ ରୁଣ୍ଡ ହେଲେ । ରୋଗୀ ସେବା କରିବାକୁ ନିଜ ନିଜ ମଧ୍ୟରେ କଳିକଲେ । ଥରେ କଲେରା ଲାଗିଛି । ହେମବାବୁ କେତେକ ପିଲାଙ୍କୁ ନେଇ କାହାଘରେ କଲେରାରୋଗୀ ସେବା କରୁଥାନ୍ତି । ଖବର ପାଇଲେ ତାଙ୍କ ଝିଅ କଲ୍ୟାଣୀ ଓ ଶାନ୍ତିକୁ କଲେରା ଧରିଛି ସେ କିନ୍ତୁ ନିଜେ ଫେରି ନଯାଇ ପିଲାଙ୍କୁ ପଠାଇଲେ ଓ କହିଲେ—“ଆମି ଏଖାନେ ସେବା କର୍‍ଛି ତୁମ୍‍ରା ଓଖାନେ ସେବା କରୋ, ଭଗବାନ ସବ୍ ଜାଗାଏ ଆଛେନ୍” ଏଭଳି ଉଦାରତା କେତେଜଣଙ୍କଠାରେ ସମ୍ଭବ ? ହେମଚନ୍ଦ୍ର ସରକାରଙ୍କୁ ଲକ୍ଷ୍ମୀନାରାୟଣ ନିଜର ପ୍ରଥମ ଲିଖିତ ପୁସ୍ତକ ଉତ୍ସର୍ଗ କରିଥିଲେ । ପଦାର୍ଥ ବିଜ୍ଞାନ ପ୍ରଫେସର ରାମଚନ୍ଦ୍ରନାଥ ଘୋଷ ମଧ୍ୟ ତାଙ୍କ ଉପରେ କମ୍ ପ୍ରଭାବ ପକାଇ ନଥିଲେ । ସେ ଏତେ ବିଜୟୀ ଥିଲେ ଯେ ତାଙ୍କୁ କୌଣସି ପିଲା ଆଗରୁ ନମସ୍କାର କରି ପାରିବେ ନାହିଁ; ସେ ତା ଆଗରୁ ନମସ୍କାର କରି ସାରିଥିବେ । ୧୯୦୮ ଓ ୧୯୦୯ ମସିହା ଦୁଇବର୍ଷ କାଳ ସେ ଟିୁସନକରି ଆଇ.ଏସସି ପଢ଼ିଲେ । କିନ୍ତୁ ଠିକ୍ ପରୀକ୍ଷା ବେଳକୁ ଟାଇଫଏଡ଼୍ ରୋଗରେ ଆକ୍ରମଣ । ସେତେବେଳେ ଆଜି ଭଳି ଟାଇଫଏଡ୍ ଔଷଧ ବାହାରି ନଥାଏ । ସାଂଘାତିକ ଭାବରେ ଦୁର୍ବଳହୋଇ ପଡ଼ିଲେ । ପାଠ ପଢ଼ା ସମୟରେ ତ ସମାଜସେବା ଏବଂ ଧର୍ମ ଚର୍ଚ୍ଚା ଲାଗି ରହିଥିଲା । ଫିଜିକ୍ ସରେ ଟେଷ୍ଟ ପରୀକ୍ଷାରେ ସବୁପିଲାଙ୍କ ମଧ୍ୟରେ ସିଏ ପ୍ରଥମ ହୋଇଥିଲେ ମଧ୍ୟ ପରୀକ୍ଷାରେ ୨୦୦ ରୁ ୫୭ ରଖି ଫେଲ୍ ହେଲେ ଏବଂ ଆଉ ବର୍ଷେ ପଢ଼ିବାକୁ ପଡ଼ିଲା ।

 

ଆଇ.ଏସ୍ ସି. ପାଶ୍ ପରେ କଟକରେ ବି. ଏସ୍ ସି. ଶ୍ରେଣୀ ଖୋଲି ନଥିବାରୁ ଡକ୍ଟର ପ୍ରାଣକୃଷ୍ଣ ପରୀଜା ଫିଜିକ୍‍ସ ପ୍ରଫେସର ନାରାୟଣ ମୋହନ ମିଶ୍ର ପ୍ରମୁଖ କଲିକତା ଯାଇଥିଲେ ପଢ଼ିବାକୁ । ଲକ୍ଷ୍ମୀନାରାୟଣ ଏତେ ପଇସା ପାଆନ୍ତେ କୁଆଡ଼େ ? ବାଧ୍ୟହୋଇ ବି.ଏ. ପଢ଼ିବାକୁ ରହିଲେ । ମାତ୍ର ଉତ୍କଳ ସମ୍ମିଳନୀ ପକ୍ଷରୁ ତାଙ୍କୁ ମାସକୁ ୨୦ ଟଙ୍କା ଦେବା ବୃତ୍ତି ସ୍ଥିର ହେଲା । ସରକାରୀ ବୃତ୍ତି ମାସକୁ ୨୦ ଟଙ୍କା, ଏହି ଭରସାରେ ସେ ଶିବପୁର ଇଞ୍ଜିନିୟରିଂ କଲେଜକୁ ପଢ଼ିବାକୁ ଗଲେ । ମାତ୍ର ଉତ୍କଳ ସମ୍ମିଳନୀ ନିୟମିତ ବୃତ୍ତି ପଠାଇ ପାରିଲେ ନାହିଁ । ସେଠାରେ ସେ ଦାରିଦ୍ର୍ୟର କଷାଘାତରେ ଉତ୍ପୀଡ଼ିତ ହୋଇ ଦିନେ ଆତ୍ମହତ୍ୟା କରିବାକୁ ମଧ୍ୟ ସ୍ଥିର କରିଥିଲେ । ଶେଷରେ ମନକୁ ନାନାପ୍ରକାର ସାନ୍ତ୍ଵନାଦେଇ ପୋଥିରେ ଡୋରବାନ୍ଧି ବାଲେଶ୍ଵର ଫେରି ଆସିଲେ-। ସଂସାରର ଦୀନ ଦୁଃସ୍ଥଙ୍କ ପାଇଁ ଜୀବନ ଯାହାର ନିବେଦିତ ହେବା ଇଶ୍ୱରଙ୍କ ଅଭିପ୍ରାୟ ସେ କୁଆଡ଼ୁ ଇଞ୍ଜିନିୟର ହୋଇ ସୁଖରେ କାଳ କାଟିଥାନ୍ତେ । ‘‘ବିପଦଟି ପରା ପ୍ରଭୁଙ୍କ କଷଟି’’ ।

Image

 

ବୈବାହିକ ଜୀବନ

 

୧୯୦୮ ମସିହାରେ ଏଣ୍ଟ୍ରାନସ ପାସ କଲାବେଳକୁ ଲକ୍ଷ୍ମୀନାରାୟଣଙ୍କୁ ସତରବର୍ଷ ଏବଂ ତାଙ୍କ ପତ୍ନୀକୁ ୧୫ ବର୍ଷ । ଘରେ ପୁନର୍ବିବାହର ଆୟୋଜନ ହେଲା । ମାତ୍ର ଲକ୍ଷ୍ମୀନାରାୟଣ ପିଲାଦିନରୁ ବୁଦ୍ଧ, ଶଙ୍କରାଚାର୍ଯ୍ୟ, ଶ୍ରୀ ଚୈତନ୍ୟ ଓ ଯୀଶୁଖ୍ରୀଷ୍ଟଙ୍କ ଜୀବନୀ ଚରିତରେ ମହାପୁରୁଷ ହେବା ବାସନାରେ ଉଦ୍‍ବୁଦ୍ଧ ହୋଇ ବିବାହ ପ୍ରତି ମନ ଭିତରେ ଏକ ନିମ୍ନଭାବ ପୋଷଣ କରୁଥାନ୍ତି-। ‘‘ସଂସାରର ମାୟା ଅସାର, ଭାଇ ବନ୍ଧୁ, ମା ବାପ କେହି କିଛି ନୁହନ୍ତି–କେବଳ ଗୋବିନ୍ଦ ନାମହିଁ ମୁକ୍ତିରପଥ’’ ବୋଲି ଲେଖାଥିବା ଶଙ୍କରାଚାର୍ଯ୍ୟଙ୍କ ମୋହ ମୁଦ୍‍ଗର ତାଙ୍କର ଅତି ପ୍ରିୟ ପାଠ୍ୟ ହୋଇଥାଏ । ସେ ଖୁବ୍ ବଡ଼ପାଟିରେ ଏହି ଶ୍ଳୋକ ସବୁ ବୋଲିବା ବେଳେ ମା ଡରିଯାଇ ତାଙ୍କୁ ବାରଣ କରନ୍ତି । ମା ଭାବନ୍ତି ସେ ନିଶ୍ଚେ ବାବାଜୀ ହୋଇଯିବେ ।

 

ଏହି ଅବସ୍ଥାରେ ପୁନର୍ବିବାହ ନିମନ୍ତେ ଯେତେବେଳେ ମଙ୍ଗଳଘଟ ବସିଲା; ବେଦୀ ତିଆରି ହେଲା ଏବଂ ସେଠାରେ ଯାଇଁ ତାଙ୍କୁ ବସିବାକୁ କୁହାଗଲା ସେ ରାଗରେ ଫଣଫଣ ହୋଇ ଗୋଇଠା ମାରି ସବୁ ନଷ୍ଟ କରିଦେଲେ । ଯେତେବେଳେ ଯେଉଁଠାରୁ ମିଠେଇ ଓ କଦଳୀ ଆସିଲା ସବୁ ଅଇଁଠା କରି ଦେଲେ । ଏଥିରେ ସମସ୍ତେ ଖୁବ୍ ଦୁଃଖିତ ହୋଇଛି, ଛି,ଛାକର କଲେ । ପୁଣି ମଙ୍ଗଳଘଟ ସଜାଡ଼ି ତାଙ୍କୁ ବେଦୀରେ ବସାଗଲା ।

 

ପରିବାରବର୍ଗ ଜୋର ଜବରଦସ୍ତ ପୁନର୍ବିବାହ କରାଇ ଲକ୍ଷ୍ମୀନାରାୟଣଙ୍କୁ ସଂସାର ସମୁଦ୍ର ଭିତରକୁ ଭସାଇ ଦେବା ପାଇଁ ଯେତେ ଆୟୋଜନ କଲେ ମଧ୍ୟ ସଙ୍ଗେ ସଙ୍ଗେ ବିଶେଷ କିଛି ସଫଳତା ମିଳିଲା ନାହିଁ । ପୁନର୍ବିବାହର ଚାରିବର୍ଷପର ଯାଏଁ ସ୍ୱାମୀ ସ୍ତ୍ରୀଙ୍କ ଚାରିଚକ୍ଷୁ ଏକାଠି ହୋଇପାରିଲା ନାହିଁ ।

 

ଏଣ୍ଟ୍ରାନ୍‍ସ ପାଶ୍ କରି ଲକ୍ଷ୍ମୀନାରାୟଣ କଲେଜରେ ପଢ଼ିବାକୁ କଟକ ଆସିଲେ । କଲେଜରେ ଛୁଟି ହୁଏ । ସବୁ ପିଲା ଘରକୁ ଫେରନ୍ତି । ମାତ୍ର ସେ ଫକୀର ମୋହନଙ୍କ ବୌଦ୍ଧାବତାର କାବ୍ୟ ପଢ଼ି ତନ୍ମୟ ହୁଅନ୍ତି । ନିଜକୁ ବୁଦ୍ଧ ବୋଲି ଭାବିନେଇ ଆଉ ଘରକୁ ଆସନ୍ତି ନାହିଁ, କାରଣ ଘରେ ସ୍ତ୍ରୀ ଅଛି । ସ୍ତ୍ରୀ ମାୟାର ବନ୍ଧନ । ପଛକୁ ଟାଣି ଧରିବ-ଏହି ଆଶଙ୍କା ସବୁବେଳେ । ବାପମାଙ୍କ ମନରେ ବଡ଼ କଷ୍ଟ ହୁଏ ।

 

୧୯୧୨-୧୩ ମସିହାରେ ଲକ୍ଷ୍ମୀନାରାୟଣ କଟକ ମିଶନ ସ୍କୁଲରେ ଶିକ୍ଷକତା ଆରମ୍ଭ କଲେ । ସେତେବେଳେ ତାଙ୍କ ମା ତିନିଚାରିଥର ବୋହୁକୁ ଆଣି ପୁଅ ପାଖରେ ଛାଡ଼ି ଦେଇ ଯିବାର ଚେଷ୍ଟାରେ ବିଫଳ ହେଲେ । ମୂଳରୁ ଗୋଟାଏ ବୈବାହିକ ଜୀବନ ପ୍ରତି ବିତୃଷ୍ଣା ଆସି ଯାଇଥିଲା, ଶେଷରେ କିନ୍ତୁ ୧୯୧୫ ମସିହାରେ ଲାଲ ପ୍ରତାପ ନାରାୟଣଙ୍କ ମା ବହୁତ ବୁଝେଇ ସୁଝେଇ ତାଙ୍କ ପାଇ ନୂଆ ଜୀବନର ବାଟ ଫିଟାଇଲେ ।

 

ନୂତନ ଚିନ୍ତାର କରାଘାତରେ ପ୍ରାଚୀନ ଚିନ୍ତାର ରୁଦ୍ଧଦ୍ୱାର ସେତେବେଳେ ଖୋଲି ଖୋଲି ଯାଉଥାଏ । ଜଗତର ସଂସ୍ପର୍ଶ ଓ ସଂଘାତରେ ଲକ୍ଷ୍ମୀନାରାୟଣ ବଦଳି ବଦଳି ଯାଉଥାନ୍ତି । ଶିକ୍ଷକ ଜୀବନ, ଟିଉସନ୍, ବହିଲେଖା ଓ ହିମାଳୟରେ ଦୁର୍ଭିକ୍ଷ ସେବା, ନୈଷ୍ୟ ବିଦ୍ୟାଳୟ ପରିଚାଳନା-ହୋମ୍ ରୁଲ ଆନ୍ଦୋଳନ ଓ ସମବାୟ ଆନ୍ଦୋଳନରେ ସମୟ ତାଙ୍କର ଶତ୍ରୁ ହୋଇଯାଇଥାଏ । ଭୋଗର ଜୀବନ ଛାଡ଼ି ତ୍ୟାଗର ଜୀବନରେ ଆସ୍ଥା ପୋଷଣ କରିଥାନ୍ତି । ଏଣେ ଜୀବନ ଉପଭୋଗ ଆଶାରେ ସଙ୍ଗିନୀ ସାଜିଥିବା ତରୁଣୀ ବଧୁର ଦୁଃଖ ଲକ୍ଷ୍ମୀନାରାୟଣଙ୍କୁ ଅବଧାନଙ୍କ ବେତମାଡ଼ଠାରୁ ଅଧିକ ବଳି ପଡ଼ୁଥାଏ । ଲକ୍ଷ୍ମୀନାରାୟଣଙ୍କ ଆଦର୍ଶ ସହ ତାଳ ଦେଇ ଧାଇଁବା ହଠାତ୍ ତାଙ୍କ ପକ୍ଷରେ ସମ୍ଭବ ହେଉ ନ ଥିଲା । ପାଣଜାତି ପ୍ରତି ଅସମ୍ମାନ ପ୍ରଦର୍ଶିତ ହେଲେ ନିଜକୁ ପାଣ କହି ନିଜ ସ୍ତ୍ରୀକୁ ନେଇ ପାଣ ସାହିରେ ବୁଲାଇବା କଥା ଆଜି ଯେଡ଼େ ସହଜ ଜଣା ପଡ଼ୁଛି ଷାଠିଏ ବର୍ଷ ତଳେ ସେପରି ତ ନ ଥିଲା । ତଥାପି ତାଙ୍କ ସ୍ତ୍ରୀ ସେଥିରେ ବାଧା ଦେଇ ନାହାନ୍ତି । ହାଣ ମୁହଁକୁ ଛେଳିଗଲା ପରି ସହାଗାମିନୀ ହୋଇଛନ୍ତି । ଶାଶୁଶ୍ୱଶୁରଙ୍କ ସେବାକୁ ଜୀବନର ପ୍ରଧାନ ବ୍ରତ କରିଛନ୍ତି । ସେମାନଙ୍କ ପରେ ରୁଗ୍‍ଣ ଲକ୍ଷ୍ମୀନାରାୟଣଙ୍କ ସେବାର ବୋଝ ମୁଣ୍ଡେଇଛନ୍ତି । ନିଜେ ଅଯତ୍ନରୁ ପୀହା, ମେଲେରିଆ ଓ ପେଟମରାରେ ଶୀର୍ଣ୍ଣ ହୋଇ ଦୁଇ ପ୍ରାଣୀର ସଂସାରରୁ ମୁକ୍ତ ହୋଇ ଲକ୍ଷ୍ମୀନାରାୟଣ ଜନତା ସମୁଦ୍ର ମଧ୍ୟରେ ନିଜକୁ ହଜାଇ ଦେବା ବେଳେ ଏକା ଏକା ବିଚାରୀ ଅନେକ ଯନ୍ତ୍ରଣା ଭୋଗିଛନ୍ତି । ସତୀ ହିନ୍ଦୁ ନାରୀର ଆଦର୍ଶକୁ ସେ ପୁରାପୁରି ବରି ନେଇଥିଲେ—କେହି ସେ ପଥରୁ ତାଙ୍କୁ ଟଳାଇ ପାରି ନାହିଁ । ଏହା ହୃଦବୋଧ କଲାବେଳକୁ ଲକ୍ଷ୍ମୀନାରାୟଣ ଜୀବନ ସଂଧ୍ୟାରେ ପହଞ୍ଚି ଯାଇଥିଲେ । ସେତେବେଳେକୁ ତାଙ୍କର ଜୀବନପାତ୍ର ନିଃଶେଷ ହୋଇ ପଡ଼ିଥିଲା, ଆଉ କାହାକୁ ସେ ବିଶେଷ କିଛି ଦେବା ଅବସ୍ଥାରେ ନଥିଲେ । ତେଣୁ ନିଃସଙ୍ଗ ହୋଇପଡ଼ି ଆଶ୍ରା କରିଥିଲେ ପତ୍ନୀର ସେବା ।

Image

 

ଅମଢ଼ା ପଥ

 

'ଯିଏ ମଣିଷ ହେବ ସିଏ ଅମଡ଼ାରେ ଚାଲିବ । ଆଜିର ବ୍ୟତିକ୍ରମ ହେବ କାଲିର ବୀର ସାହୁଜୀ ଥିଲେ ଏଇ ଭାବ ଧାରାର ମୁର୍ତ୍ତିମନ୍ତ ପ୍ରତୀକ । ଦୀର୍ଘ ଶହେ ବର୍ଷର ପରାଧୀନତା ଏବଂ ଶାସକ ଇଂରେଜମାନଙ୍କ ବେପାର ବୁଦ୍ଧି ଯୋଗୁ ଭାରତୀୟ ସମାଜରେ ନୈତିକ ଅଧୋଗତି, ପୁଂଜିଭୂତ କୁସଂସ୍କାର, ଜାତି ବର୍ଣ୍ଣ ଓ ଧର୍ମର ଉତ୍କଟ ଭେଦଭାବ, ଟଙ୍କାର ଝଙ୍କାର, ଅଟ୍ଟାଳିକାର ଅହଂକାର ସାହୁଜୀଙ୍କୁ ପ୍ରଚଳିତ ସମାଜ ବ୍ୟବସ୍ଥା ଭାଙ୍ଗି ଚୁର୍‍ମାର କରିଦେବା ନିମନ୍ତେ ବିପ୍ଳବୀ ସଜାଉ ଥିଲା । କିନ୍ତୁ ଦୁର୍ଭାଗ୍ୟ କି ସୌଭାଗ୍ୟ ଭବିଷ୍ୟତ ଇତିହାସ କହିବ ମହାମନା ଗୋଖଲେଙ୍କ ପ୍ରତିଷ୍ଠିତ ହିନ୍ଦ୍ ସେବକ ସମାଜର ସଭ୍ୟ ହେବାପରେ ସେହି ବିପ୍ଳବୀ ‘ସଂସ୍କାରକ’ ହୋଇଗଲେ । ରାଜନୀତି ଅପେକ୍ଷା ସମାଜ ସଂସ୍କାରରେ ସେ ବୁଡ଼ି ରହିଲେ । ପଥୁରିଆ ମାଟିଭିତରୁ ବୀଜର ଅଙ୍କୁର ଭଳି ପ୍ରବଳ ବାଧା ବିରୋଧରେ ଲଢା ଭିଡ଼ାକରି ବାହାରକୁ ମୁଣ୍ଡ ଟେକିଥିବା ଗଛଟିକୁ ଆଉ ଏକ ବିରାଟ ଗଛର ଛାଇ ମାନ୍ଦା କରିଦେଲା ।

 

୧୯୧୨ ମସିହାରେ ସାହୁଜୀଙ୍କ କର୍ମମୟ ଜୀବନ ଆରମ୍ଭ କଟକ ମିଶନ ସ୍କୁଲରେ ଶିକ୍ଷକତା ମାଧ୍ୟମରେ । ଅବଶ୍ୟ କିଛିଦିନ ପାଇଁ ଏହା ପୂର୍ବରୁ ସେ ପୁରୀ ଭିକ୍ଟୋରିଆ କ୍ଳବରେ ମ୍ୟାନେଜର ଥିଲେ । କିନ୍ତୁ ୧୯୦୮ ମସିହାରୁ ତାଙ୍କଠାରେ ବ୍ୟତିକ୍ରମର ଲକ୍ଷଣମାନ ପ୍ରକାଶ ପାଇଥିଲା । ସେହିବର୍ଷ ସେ ଏଣ୍ଟ୍ରାନସ୍ ପାଶ୍ କରି ପରିବାର ବନ୍ଧନରୁ ମୁକ୍ତହୋଇ ମିଶିଲେ ବିରାଟ ସଂସାର ମହା ସିନ୍ଧୁରେ । ସେତେବେଳକୁ ଜୀବନରେ ତାଙ୍କର ଏକ ବିରାଟ ପରିବର୍ତ୍ତନ ଆସିଯାଇଥାଏ । ସେ ବୁଝି ଯାଇଥାନ୍ତି—ପୁରୁଣା ସମାଜରେ ଆଉ ମଣିଷ ସୁଖ ଶାନ୍ତିରେ ବଞ୍ଚି ପାରିବ ନାହିଁ । ପ୍ରତି ସମାଜରେ ଦୁଇଟା ଶକ୍ତି କାମ କରୁଛି । ଗୋଟିଏ ରକ୍ଷଣଶୀଳତା ଏବଂ ଅନ୍ୟଟି ଗତିଶୀଳତା । ପ୍ରଚଳିତ ରକ୍ଷଣଶୀଳ ସମାଜରେ ଗତିଶୀଳତା ପ୍ରବେଶ କରାଇବାକୁ ପଡ଼ିବ-। ସାମାଜିକ ଅନ୍ୟାୟ ବିରୁଦ୍ଧରେ ସାମାଜିକ ନ୍ୟାୟ ପ୍ରତିଷ୍ଠା ନିମନ୍ତେ ସକ୍ରିୟ ହେବାକୁ ପଡ଼ିବ-। ସମାଜରେ ପତିତ, ଲାଞ୍ଛିତ, ବଂଞ୍ଚିତଙ୍କ ପ୍ରତି ଅଧିକ ସମବେଦନା ସୃଷ୍ଟିର ପଥ ପରିଷ୍କାର କରିବାକୁ ହେବ । "ଆଗେ ମଣିଷ ତାପରେ ସମାଜ ।" ମାନବିକତାର ନିର୍ଦ୍ଦେଶ ଆଗରେ ସମାଜ ନିର୍ଦ୍ଦେଶ ବଡ଼ ନୁହେଁ । "ସବାଇ ଉପର ମାନୁଷ ସତ୍ୟ ।"

 

ପୂର୍ବରୁ ଲେଖିଛି ବିଂଶଶତାବ୍ଦୀର ପ୍ରାରମ୍ଭରେ ଉତ୍କଳୀୟ ସମାଜରେ ବ୍ରାହ୍ମଣ କରଣଙ୍କ ଛଡ଼ା ବୈଶ୍ୟ ଓ ଶୁଦ୍ରଙ୍କର ପାଠପଢ଼ା ଅଧିକାର ନ ଥିଲେ କହିଲେ ଚଳେ । ଯଦି କେହି ପଢ଼ୁଥିଲା ତେବେ ତାହାରି ଜାତିର ଲୋକେ ମଧ୍ୟ ପରିହାସ କରୁଥିଲେ । କ୍ଷେତ୍ରମୋହନ ଗୁଡ଼ିଆର ପୁଅ ପାଠପଢ଼ୁଛି ଦୋପଟି ହେବ । ଘରେ ବ୍ରାହ୍ମଣ ଖାଇଗଲେ ତା'ର ଅଇଁଠା ଖାଇବା ମହାପୂଣ୍ୟ । ଯେତେ ବିଦ୍ୱାନ ହୁଅପଛେ ଯଦି ଜାତିରେ ବୈଶ୍ୟ କି ଶୁଦ୍ର ତେବେ ଗଉଡ଼ମାନେ ତୁମକୁ ଯେଉଁ ପାଲିଙ୍କିରେ କାନ୍ଧେଇ ନେଉଥିବେ ତାକୁ ଅଧାବାଟରେ ଥୋଇ ପଳାଇବେ ।

 

ଦୁର୍ବଳ ସବୁବେଳେ ଭୟରେ ବାଧ୍ୟ । ମାତ୍ର ବଳିଷ୍ଠ ହିଁ ବିଦ୍ରୋହୀ । ଏଣ୍ଟ୍ରାନ୍‍ସ ପାଶ୍ ପର୍ଯ୍ୟନ୍ତ ଯେଉଁ ସାହୁଜୀଙ୍କର ଦୁଇଖଣ୍ଡ କାମିଜ୍ ନଥିଲା କି ପାଦରେ ହଳେ ଜୋତା ନଥିଲା, କିପରି ସେ କଲେଜ ଜୀବନରେ ମନଟାକୁ ଅନ୍ୟାୟ ବିରୁଦ୍ଧରେ ଇସ୍ପାତ ଏବଂ ସମାଜର ଲାଞ୍ଛିତ, ଅବହେଳିତଙ୍କ ପାଇଁ ଫୁଲପରି କୋମଳ କରିଦେଲେ ସହଜରେ ବୁଝି ହୁଏନା ।

 

ଲକ୍ଷ୍ମୀନାରାୟଣଙ୍କ ମନ ଉପରେ ବିଭିନ୍ନ ଧର୍ମ ଧାରଣାର ବେଶି ପ୍ରଭାବ ପଡ଼ିଲା । ପିଲାଦିନରୁ ସେ ରୁଟି ରଖି ଠାକୁର ପୂଜା କରି, ମୋହ ମୁଦ୍‍ଗର ଓ ଗୀତା ପଢ଼ି ବେଶ୍ ସଚ୍ଚା ହିନ୍ଦୁ ବୋଲାଇ ହେବାରେ ଆଗ୍ରହୀ ଥିଲେ, ମାତ୍ର ହାଇସ୍କୁଲ ଜୀବନରେ ବ୍ରାହ୍ମ ଧର୍ମର ପ୍ରଭାବ ତାଙ୍କୁ ପିତୁଳା ପୂଜାଠାରୁ ଦୂରେଇ ନେଇଥିଲା । ଯେଉଁଦିନ ପ୍ରଥମେ ସେ ବ୍ରାହ୍ମ ସମାଜରେ ବସି ଆଚାଣ୍ଡାଳ ବ୍ରାହ୍ମଣଙ୍କ ସହ ଭୋଜନ କଲେ ସେଦିନ ରାତିରେ ତାଙ୍କ ବାପା ତାଙ୍କୁ ଜୋତାରେ ପିଟିଲେ । ସେ କାନ୍ଦି କାନ୍ଦି ଘର ଛାଡ଼ି ରାତିରେ କେତେ ବୁଲିଲେ । ଅନ୍ୟ ଧର୍ମ ପ୍ରତି ଏ ପ୍ରକାର ଅସହିଷ୍ଣୁ ଭାବ ତାଙ୍କ ମନରେ ଘୋର ପ୍ରତିକ୍ରିୟା ସୃଷ୍ଟି କଲା । ଦିନେ ଅଜିଜୁଲା ମୁସଲମାନ ହାତରୁ ପାଉଁରୁଟି ଛଡ଼ାଇ ଖାଇଲେ । ସେଦିନ ମା ମୁଣ୍ଡକୋଡ଼ି କାନ୍ଦିଲେ । ଗୋପିଆ ହାଡ଼ିକୁ ଡକାଇ ଯେଉଁ ଝଡ଼ାଫୁଙ୍କା କଲେ ସେଥିରେ ପୁଅ ତାଙ୍କର ସୁନାପିଲା ହୋଇଗଲା ବୋଲି ଭାବିଥିଲେ । ପ୍ରକୃତରେ ସେହି ଝଡ଼ାଫୁଙ୍କା ତାଙ୍କୁ ଗୋଟିଏ ଧର୍ମର ଗଣ୍ଡି ଭିତରୁ ଜଗତର ମୁକ୍ତ ମାନବ ଧର୍ମ ଆଡ଼େ ମୁହାଁଇ ଦେଇଥିଲା । ୧୮ ବର୍ଷ ବୟସରେ ସେ କଟକ ଆସିଲେ । ରେଭେନ୍ସା କଲେଜରେ ଆଇ.ଏସ୍.ସି, ଦୁଇବର୍ଷ କାଳ ସେ ପାଠପଢ଼ା ଅପେକ୍ଷା ବରଂ ଧର୍ମଜୀବନ ଅନୁଧ୍ୟାନ କରିବାରେ ଅଧିକ ବ୍ୟସ୍ତ ଥିଲେ । ସେ କୋରାନ ପଢ଼ିଲେ । ମୁସଲମାନ ପିଲାଙ୍କୁ ନେଇ କୋରାନ କ୍ଳବ୍ ଗଠନ କଲେ । ମୁସଲମାନଙ୍କ ଘରେ ରହି ପୁରୀ ମିଠାଇ ଖାଉ ଖାଉ ଭାତ ବି ଖାଇଲେ । ବ୍ରାହ୍ମ ସମାଜରେ ଅଧିକ ମିଶିଲେ । ବ୍ରାହ୍ମ ସମାଜ ମଧୁସୂଦନଙ୍କ ପ୍ରାର୍ଥନା ବୋଲା ହେଲାବେଳେ ତାଙ୍କ ଆଖିରୁ ଝର ଝର ଅଶ୍ରୁ ଧାରା ଗଡ଼ିଲା ।

 

ମୁସଲମାନଙ୍କ ସହ ନମ୍ର ହୋଇ ମସଜିଦ୍‍ରେ ଠିଆ ହୋଇ ସେମାନଙ୍କ ମର୍ମସ୍ପର୍ଶୀ 'ଆଲ୍ଲା ହୋ ଆକବର' ଡାକ ଶୁଣିଲେ । କିଏ ମୁସଲମାନ ? ଯାହା ହାତରୁ ଏବଂ କଥାରୁ ଲୋକେ ଆଶ୍ଵାସନା ପାଆନ୍ତି ଏବଂ ନିଜକୁ ନିରାପଦ ମଣନ୍ତି ।' ସେହି ଘର ଧନ୍ୟ, ଯେଉଁଠାରେ ଅନାଥ ପୂଜାପାଏ ମହାପୁରୁଷ ମହମ୍ମଦଙ୍କର ଏହି ବାଣୀ ତାଙ୍କୁ ଉଦ୍‍ବୁଦ୍ଧ କରିଥିଲା ।

 

୧୯୧୧ ରେ ଆଇ.ଏସ୍ ସି. ପାଶ୍ କରି ବି.ଏ.ରେ ଭର୍ତ୍ତି ହେବା ପରେ ପ୍ରଥମେ ପ୍ରଥମେ ଗୀର୍ଜାକୁ ଯାଇ ସେଠାରେ ଆଣ୍ଠୁ ମାଡ଼ି ପ୍ରାର୍ଥନା କଲାବେଳେ ବହୁବାର ଲୋତକ ଝରାଇଥିଲେ । ୧୯୧୩ ମସିହାରେ ମିଶନ ସ୍କୁଲରେ ଶିକ୍ଷକତା କରିବାରୁ ତାଙ୍କର ଖ୍ରୀଷ୍ଟ ଧର୍ମ ଓ ଖ୍ରୀଷ୍ଟିଆନ ସମାଜ ସହ ସମ୍ପର୍କ ବଢ଼ି ଉଠିଥିଲା । କ୍ରମେ କ୍ରମେ ହିନ୍ଦୁ, ବ୍ରାହ୍ମ, ଖ୍ରୀଷ୍ଟିଆନ୍ ଓ ମୁସଲମାନ ଏ ଚାରି ଧର୍ମର ଲୋକେ ତାଙ୍କର ଅତି ଆପଣାର ହୋଇ ଉଠିଲେ । ସେ ସମସ୍ତଙ୍କୁ ନିଜ ହୃଦୟର ନିକଟତମ ବୋଲି ଭାବିଲେ । ଏହାଛଡ଼ା ବୌଦ୍ଧଧର୍ମ ପ୍ରତି ମଧ୍ୟ ସେ କମ୍ ଆକୃଷ୍ଟ ନ ଥିଲେ । ୧୯୧୫ରେ ବ୍ୟାସକବି ଫକୀର ମୋହନଙ୍କ ବୌଦ୍ଧାବତାର କାବ୍ୟ ତାଙ୍କ ଉପରେ ଗଭୀର ପ୍ରଭାବ ପକାଇଥିଲା । ଏହାକୁ ସେ ନାଟକ କରି ଦେଇଥିଲେ ।

 

ଏସବୁ ଧର୍ମ ଅପେକ୍ଷା ସେ ବୁଦ୍ଧ, ଯୀଶୁ ଶଙ୍କର, ମହମ୍ମଦ ଓ ଗୁରୁ ନାନକଙ୍କ ଭଳି ମନୀଷୀମାନଙ୍କର କ୍ରମେ ନିକଟତର ହେବାକୁ ଲାଗିଲେ ।" ଏହିମାନଙ୍କର ପୁଣ୍ୟ କଥା ଯେଉଁଠାରେ ଆଲୋଚିତ ହେଉଥିବ ସେଠାରେ ଅବାଧ ମନରେ ବିଚରଣ କରିବି । ସମାଜ ଏଥିରେ ବାଧା ଦେଲେ ଦେଉ କିନ୍ତୁ ମୁଁ ମୋର ମନକୁ ଏଥିରୁ ନିବୃତ୍ତ କରାଇବି ନାହିଁ ।” ଏହାହିଁ ଥିଲା ତାଙ୍କର ନୂତନ ଧର୍ମ ବା ଧର୍ମାନ୍ତର ଗ୍ରହଣ ।

 

 

ଅନ୍ୟ ଭାବରେ ଦେଖିବାକୁ ଗଲେ ୧୯୦୫ ଖ୍ରୀଷ୍ଟାବ୍ଦରେ ସ୍ଵଦେଶୀ ଆନ୍ଦୋଳନରେ ଭାଗ ନେବାପରେ ସେ ଦେଶ କଣ ଚିହ୍ନିବାକୁ ଆରମ୍ଭ କଲେ । କ୍ଷୁଦ୍ର ସଂସାର ମଧ୍ୟରେ ମନ ତାଙ୍କର ଆବଦ୍ଧ ରହି ପାରିଲା ନାହିଁ । ବିଶାଳ ବିଶ୍ୱରେ ତାହା ଅମୃତର ସନ୍ଧାନରେ ଘୂରି ବୁଲିଲା । ନିଜକୁ ସେ 'ବିନ୍ଦୁ' ବୋଲି ଜାଣିଥିଲେ । ମାତ୍ର ସେ ଚେଷ୍ଟା କରିଥିଲେ; ମହା ସମୁଦ୍ରରେ ବିନ୍ଦୁ ହେବାକୁ, ସମସ୍ତଙ୍କୁ ଭାଇ କରିବାକୁ, ବନ୍ଧୁ କରିବାକୁ । ଅନ୍ୟର ମନ ଭିତରେ ପ୍ରବେଶ କରିବା ଗୋଟାଏ ଇନ୍ଦ୍ରଜାଲ, ଗୋଟାଏ ଅସାଧାରଣ ପ୍ରତିଭା । ଏହାହିଁ ପ୍ରେମର ପୁରୁଷାର୍ଥ । ଏଇ ପୁରୁଷାର୍ଥ ପ୍ରକାଶ କରି ଉଜୁଡ଼ି ଯାଉଥିବା ଭାରତୀୟ ସମାଜକୁ ସଜାଡ଼ିବାରେ ସାହୁଜୀ ହେଲେ ଏକ ନବଯୁଗର ବାର୍ତ୍ତାବହ ।

 

ଏହି ସାଧନାର ଆରମ୍ଭ ହେଲା କଟକ ମିଶନ ସ୍କୁଲରେ । ଶିବପୁର ଇଞ୍ଜିନିୟରିଂ କଲେଜରୁ ଫେରି ଲକ୍ଷ୍ମୀନାରାୟଣ ବାଲେଶ୍ଵର ବାରବାଟୀର ବନ୍ଧନରୁ ନିଜକୁ ମୁକୁଳାଇ ନିଖିଳ ବିଶ୍ୱ ଅଙ୍ଗନକୁ ନିଜ ଚରାପ୍ରାଙ୍ଗଣ କରିବାକୁ ବ୍ୟଗ୍ରଥିଲେ । ହଠାତ୍ ଦିନେ ମା ଗାଧୋଇ ଯାଉ ଯାଉ ଖାଇବାକୁ ମାଗି ବ୍ୟସ୍ତ କଲାରୁ ମା’ କହିଲେ “ରୋଜଗାର କରି ଆଣି ଥୋଇଛୁ ?” ଏଇ ପଦକ କଥା—ନୂଆ ଜୀବନ ପାଇଁ ବାଟ ଫିଟାଇ ଦେଲା । ମା ଗାଧୋଇ ଗଲେ । ପୁଅ ଆସିଲେ କଟକ । ପୁଣି ପାଦରେ ଚାଲି ଚାଲି ଖରାବେଳେ ।

 

ବାଟରେ ଦେଖାହେଲା ମଲ୍ଲୀକାଶପୁରରେ ବ୍ୟାସକବି ଫକୀରମୋହନଙ୍କ ସହ । ତାଙ୍କ ନାତି ଓ ଲକ୍ଷ୍ମୀନାରାୟଣ ଖୁବ୍ ସାଙ୍ଗ । ତେଣୁ ଫକୀର ମୋହନଙ୍କୁ ଅଜା ହିସାବ କରନ୍ତି । ଏଡ଼େ ଖରାରେ ଚାଲି ଚାଲି ଯିବା ଚେଷ୍ଟାରୁ ନିବୃତ୍ତ କରିବାକୁ ଫକୀରମୋହନ ଉଦ୍ୟମ କରି ବିଫଳ ହେଲେ ।

 

କ୍ଷୁଧାର୍ତ୍ତଯୁବକ ଲକ୍ଷ୍ମୀନାରାୟଣ ଖରାବେଳେ ଚାଲିଛନ୍ତି ବାଲେଶ୍ୱରରୁ କଟକ । ସତେକି ଏ ଯୁଗର ଶଙ୍କରାଚାର୍ଯ୍ୟ । ପ୍ରଥମଦିନ ସେ ୪୨ ମାଇଲ ଚାଲି ଭଦ୍ରକରେ ପହଞ୍ଚିଲେ । ଦ୍ଵିତୀୟ ଦିନ ମଧୁପୁରରେ । ତୃତୀୟ ଦିନ ଉପରଓଳି ମହାନଦୀ କୂଳରେ ବାରବାଟୀ ନିକଟରେ ପହଞ୍ଚି ସେଦିନ ରାତଟି ସେହି ମହାନଦୀ କୂଳରେ ଶୋଇ କଟାଇଦେଲେ । ତିନିଦିନ କେବଳ ମହାନଦୀ କୂଳ ହେଲା ତାଙ୍କର ଆଶ୍ରୟ ସ୍ଥଳ ଏବଂ ମହାନଦୀ ଜଳହେଲା ଖାଦ୍ୟ ଓ ପାନୀୟ ସବୁକିଛି ।

 

ଏହି ସମୟରେ କ୍ଷୀରୋଦଚନ୍ଦ୍ର ରାୟ ଚୌଧୁରୀ ‘Star of Utkal’ ପତ୍ରିକା ବାହାର କରୁଥିଲେ । ତାଙ୍କର ୪ଟି ପିଲାଙ୍କର ମାସକୁ ୮ ଟଙ୍କାରେ ଗୃହ ଶିକ୍ଷକ ହେବାର ଦୁଇତିନିଦିନ ମଧ୍ୟରେ ମିଶନ ସ୍କୁଲରେ ମାସକୁ ୨୫ଟଙ୍କାରେ ଶିକ୍ଷକ ଚାକିରୀ ମିଳିଗଲା । ୧୯୧୨ରୁ ୧୯୧୬ ପର୍ଯ୍ୟନ୍ତ ଏହି ମିଶନସ୍କୁଲ ହେଲା ତାଙ୍କର କର୍ମକ୍ଷେତ୍ର, ସ୍କୁଲରେ ଶିକ୍ଷକତା, ପ୍ରବଳ ଟିଉସନ୍ (ମାସକୁ ସେଥିରୁ ଦେଢ଼ଶ ଟଙ୍କାଯାଏଁ ସେ ସମୟରେ), ତେଣେ ପିଲାମାନଙ୍କ ସହ ଫୁଟବଲ୍ ଖେଳ, ପୁଣି ତାରି ଭିତରେ ବିଦ୍ୟାରତ୍ନ, ତତ୍ତ୍ଵନିଧି, ବି.ଏ ଏବଂ କାବ୍ୟ ଦ୍ଵିତୀୟ ଇତ୍ୟାଦି ପାଶ୍ କରିବା ତାଙ୍କ କର୍ମ ନିଷ୍ଠାର ସୁପରିଚୟ ନିଶ୍ଚୟ ।

Image

 

ମୋ କାନମୋଡ଼

 

ମିଶନ ସ୍କୁଲରେ ପଢ଼ାଇବାବେଳେ ଇଂରେଜମାନଙ୍କ ସମ୍ପର୍କରେ ଅପ୍ରିୟ ସତ୍ୟକହି ଇଂରେଜୀସ୍କୁଲ ପରିଦର୍ଶକ W.V. Duko ଙ୍କର ସେ କ୍ରୋଧର ପାତ୍ର ହୋଇଥିଲେ ।

 

ଭଲ ପିଲା ପାଇଲେ ତାଙ୍କ ଆନନ୍ଦର ସୀମା ରହୁ ନଥିଲା । ଥରେ କରୁଣାକର କର (ମିଶନ ସ୍କୁଲରଛାତ୍ର)ଙ୍କୁ ଶ୍ରେଣୀକୁ ସଂସ୍କୃତ ପଢ଼ାଇବାକୁ ଯାଇଁ ନିଜ ଅପେକ୍ଷା କରୁଣାକରର ଅଧିକ ଜ୍ଞାନଦେଖି ସେ କହିଲେ, ‘‘କରୁଣାକର, ତମେ ମୋ କାନମୋଡ଼’’ । କରୁଣାକର ବା କିପରି ତାଙ୍କ କାନ ମୋଡ଼ନ୍ତେ ? ଶେଷରେ ସେ ନିଜେ କରୁଣାକର (ଛାତ୍ର)ର ହାତନେଇ ନିଜର କାନ ଜବରଦସ୍ତ ମୋଡ଼ାଇଲେ ଏବଂ କରୁଣାକର ପାଖରେ ସଂସ୍କୃତ ପଢ଼ିବାକୁ ଆରମ୍ଭକଲେ । କରୁଣାକରଙ୍କ ମେସ୍ ଦୂରରେ ଥିବାକୁ ସେ ଆସି ଶେଖ୍ ବଜାରରେ କରୁଣାକରଙ୍କ ମେସ୍ ରେ ରହିଲେ । ଏହି ସମୟରେ ହୃଦାନନ୍ଦ ଶତପଥୀ (ଯିଏ ମଧୁପୁର ହାଇସ୍କୁଲରେ ଦୀର୍ଘଦିନ ପ୍ରଧାନ ଶିକ୍ଷକଥିଲେ) ତାଙ୍କର ପ୍ରିୟ ଛାତ୍ର ହୋଇ ଉଠିଥିଲେ । ଏହି କରୁଣାକର କର ଭବିଷ୍ୟତରେ ରେଭେନ୍ସା କଲେଜରେ ସଂସ୍କୃତ ପ୍ରଫେସର ହୋଇଥିଲେ ।

 

ଶିକ୍ଷକ ଲକ୍ଷ୍ମୀନାରାୟଣ ନିଜେତ ମୂଳରୁ ଆଦର୍ଶବାଦୀ ଥିଲେ । ଛାତ୍ରମାନଙ୍କୁ ମଧ୍ୟ ଆଦର୍ଶର ପଥରେ ପଥିକ କରାଇବାରେ କମ୍ ଉଦ୍ୟମ କରିନଥିଲେ । ସେ ସବୁବେଳେ କହୁଥିଲେ–‘‘ସ୍କୁଲର ଚାରିକାନ୍ଥ ଛାଡ଼ି ଚାଲିଆସ । ବାହାର ଦୁନିଆଁରେ ମିଶ, ଶୁଣ, ଶିଖ, ଉପଭୋଗକର । ଏ ବିଶ୍ୱ ହିଁ ପ୍ରଧାନ ବିଦ୍ୟାଳୟ । ହୃଦୟ ଉନ୍ମୁକ୍ତ କରିଦିଅ । ସବୁତମକୁ ସ୍ପର୍ଶ କରିବ ।’’

ସେ ଯେପରି ସରଳ ହୃଦୟ ନେଇ ଛାତ୍ରମାନଙ୍କ ସହ ମିଶି ପାରୁଥିଲେ ଏବଂ ସେମାନଙ୍କ ଅନ୍ତରର କଥା ଜାଣି ପାରୁଥିଲେ ତାହା ଅନ୍ୟତ୍ର ବିରଳ । ତାଙ୍କର ସ୍ନେହ ମମତା ପୂର୍ଣ୍ଣ ବ୍ୟବହାର ଦ୍ଵାରା ବହୁଛାତ୍ରଙ୍କ ଜୀବନପରିମାର୍ଜିତ ହୋଇଛି । ପାଠପଢ଼ା ଛଡ଼ା ପିଲାମାନଙ୍କୁ ସେ ତିଳକ, ଗୋଖଲେ, ଗାନ୍ଧୀ ଓ ଅରବିନ୍ଦ ପ୍ରଭୃତି, ଦେଶ, ବିଦେଶର ବିଖ୍ୟାତ ଲୋକ ଓ ସ୍ମରଣୀୟ ଘଟଣାବଳୀ ସଂପର୍କରେ କହିଥିବାରୁ ନିଜ ଶ୍ରେଣୀଛଡ଼ା ଅନ୍ୟ ଶ୍ରେଣୀର ପିଲାମାନେ ମଧ୍ୟ ଆସି ତାଙ୍କ କଥା ଶୁଣୁଥିଲେ । ତାଙ୍କ ପ୍ରତି ଆକୃଷ୍ଟ ହେଉଥିଲେ । ଅନ୍ୟ ଶିକ୍ଷକମାନେ ପିଲାମାନଙ୍କ ସହ ଯୌନଚର୍ଚ୍ଚା କରିବାକୁ ରାଜି ହୁଅନ୍ତି ନାହିଁ । ମାତ୍ର ସେ ପିଲାମାନଙ୍କ ସହ ଏଭଳି ପ୍ରାଣ ଖୋଲି ମିଶନ୍ତି ଏବଂ ବିବେକୀ ବନ୍ଧୁ ଭଳି ପରାମର୍ଶ ଦିଅନ୍ତି ଯେ ଅନେକ ପିଲା ତାଙ୍କ ଆଗରେ ନିଜର ଦୁଃଖ କହିପକାଉ ଥିଲେ ।

ମିଶନ ସ୍କୁଲରେ ତାଙ୍କ ପାଖେ ପଢ଼ୁଥିବା ଛାତ୍ର ଶ୍ରୀ ଗୋବିନ୍ଦ ମିଶ୍ର ପରେ ସ୍ଵାଧୀନତା ସଂଗ୍ରାମରେ ଜଣେ ବୀର ସୈନିକ ହୋଇଥିଲେ । ‘ଜାତୀୟ ଜୀବନର ଆତ୍ମବିକାଶ’ ପୁସ୍ତକରେ ସେ ଲେଖିଥିଲେ—‘‘ଲକ୍ଷ୍ମୀନାରାୟଣ ସାହୁ ମିଶନ ସ୍କୁଲର ଶିକ୍ଷକ ଥାନ୍ତି । ସେ ସବୁ ବିଷୟରେ ଛାତ୍ରମାନଙ୍କୁ ଉତ୍ସାହ ଓ ଉତ୍ତେଜନା ଦେବା ବ୍ୟକ୍ତି । ସେ ଯାହା ଭାବିଥିବେ ତାହା କରିଯିବେ । ଏଥିପାଇଁ ଦୁନିଆଁ କଣ କହୁଛି ସେଥିରୁ ତାଙ୍କର ଭ୍ରୁକ୍ଷେପ ନ ଥାଏ । ଏହି ସମୟରେ ସେ ଖଣ୍ଡିଏ ବହି ଲେଖି ‘ଲେଖକ ଜାତିରେ ପ୍ରାଣ’ ବୋଲି ପ୍ରକାଶ କରିଥିଲେ,”

ପିଲାମାନଙ୍କୁ କଠୋର ଜୀବନ ନିମନ୍ତେ ସେ ପ୍ରବର୍ତ୍ତାଉ ଥିଲେ । ଛୁଟିଦିନରେ ଥରେ ଥରେ ଅନୁରକ୍ତ ପିଲାଙ୍କୁ ନେଇ ସେ ଦିନ ବାରଟା ଗୋଟାଏ ଯାଏ ଖରାରେ ପାଦରେ ଚଲାଇ ଚଲାଇ ବୁଲାଉଥିଲେ ।

କିନ୍ତୁ ସେ ଏହି ସମୟରେ ସବୁ ଧର୍ମର ଲୋକଙ୍କ ସହ ମିଶୁଥିବାରୁ ମିଶନ ସ୍କୁଲର ରକ୍ଷଣଶୀଳ ପଣ୍ଡିତ ଦୀନବନ୍ଧୁ ଦାଶ ଓ ଓଡ଼ିଆ ଶିକ୍ଷକ ତଥା ଛାତ୍ରାବାସ ପରିଚାଳକ ଦୈତ୍ୟାରୀ ମିଶ୍ର ତାହାଙ୍କ ପ୍ରତି କଠୋର ସାମାଜିକ ନିୟମ ପ୍ରୟୋଗ କରିଥିଲେ । ସେ ଗୋରୁମାଂସ ଖାଇଛନ୍ତି ବୋଲି ଚାରିଆଡ଼େ ଅପପ୍ରଚାର ହେଲା । ଥରେ ତାଙ୍କର ପ୍ରିୟ ଛାତ୍ର ହୃଦାନନ୍ଦ ଘରକୁ ସେ ମଧୁପୁର ଯାଇଥାନ୍ତି—ଆଗରୁ ସେ ଘର ଭିତରେ ପଶି ପଖାଳ ଖାଉଥିଲେ । ଏଥର ତାଙ୍କ ବାପା ଗୋରୁମାଂସ ଖିଆ କଥା ଶୁଣି ଲକ୍ଷ୍ମୀନାରାୟଣଙ୍କୁ ଘରେ ପ୍ରବେଶ ନିଷିଦ୍ଧ କରି ଦେଇଥିଲେ । ପିଣ୍ଡାରେ ଭାତ ବାଢ଼ିଲା ବେଳେ ହୃଦୟାନନ୍ଦ ଆଖିରୁ ଯେତେବେଳେ ଧାରଧାର ହୋଇ ଲୁହ ବହିଗଲା, ସେ ହୃଦାନନ୍ଦଙ୍କୁ କୁଣ୍ଡାଇ ପକାଇ ବହୁତ ବୁଝାଇ ଶୁଖାଇ ଫେରିଥିଲେ ।

 

ଆଉ ଥରକର ଘଟଣା, ମିଶନ ସ୍କୁଲର କେତେଜଣ ଶିକ୍ଷକ ଓ ଛାତ୍ର ବଣ ଭୋଜୀ ପାଇଁ ଚିଲିକା ଯାଇଥିଲେ । ପ୍ରାଣବହ୍ଲବି ଦେଇ ପୁର ଷ୍ଟେସନରେ ଓହ୍ଲାଇ ରୋଷେଇ ବାସ କଲେ । ପିଲାଏ ପ୍ରଥମେ ଜଳଖିଆ ଖାଇସାରି ଅଇଁଠା ପତ୍ର ଗୋଟିଏ ସ୍ଥାନରେ ଫିଙ୍ଗି ଦେଲେ । ପାଖରେ ଥାଏ ଏକ ବ୍ରାହ୍ମଣ ଶାସନ । ବ୍ରାହ୍ମଣ, ପୁଣି ପୁରୀ ଶାସନ ବ୍ରାହ୍ମଣ—ଚରମ ରକ୍ଷଣ ଶୀଳ । ଏଣେ ମିଶନ୍ ସ୍କୁଲର ଛାତ୍ରମାନେ ଖ୍ରୀଷ୍ଟିୟାନ୍ ହୋଇଥିବେ ଏକଥା ସେମାନେ ଅନୁମାନ କରି ନେଇଥାନ୍ତି । ହଠାତ୍ ପବନରେ ଅଇଁଠା ପତ୍ର ଗୁଡ଼ାକ ଉଡ଼ିଯାଇ ଗାଁ ଭିତରେ ଖେଳେଇ ହୋଇପଡ଼ିଲା । ଖ୍ରୀଷ୍ଟିୟାନ୍ ପିଲା ଏବଂ ଜଣେ ମୁସଲମାନ୍ ମାଷ୍ଟରଙ୍କ ଅଇଁଠା ପତ୍ର ନିଜ ଦାଣ୍ଡ ଓ ବାଡ଼ିରେ ପଡ଼ିବାରୁ ଶାସନୀ ବ୍ରାହ୍ମଣଙ୍କ ତଳିପା ରାଗ ତାଳୁକୁ ଉଠି ଯାଇଥାଏ । ସମସ୍ତେ ମିଳିମିଶି ପିଲାମାନେ ରୋଷେଇ କରୁଥିବା ଜାଗାକୁ ଆସି ଗଣ୍ଡଗୋଳ କଲେ । ଲକ୍ଷ୍ମୀନାରାୟଣ ସେତେବେଳେ ସେଠି ନ ଥିଲେ । ବାହାରୁ ଆସି ଏ ସବୁ ଶୁଣି ଝଡ଼ ବେଗରେ ଚାରିଆଡୁ ଆଇଁଠାପତ୍ର ଗୋଟେଇ ବାରେ ଲାଗିଲେ । ପିଲାଙ୍କ ପତ୍ର, ଶିକ୍ଷକଙ୍କ ପତ୍ର, ସେ ଗାଁର ଯେତେ ଯାହା ବାଡ଼ିରେ ଆବର୍ଜନା ଓ କେଉଁ କାଳର ଅଇଁଠାପତ୍ର ପଡ଼ିଥିଲା ସବୁ ଗୋଟେଇ ପୋଟେଇ ଟୋକେଇ ଟୋକେଇ ମୁଣ୍ଡରେ ଧରି ଗାଁ ଠାରୁ ବହୁତ ଦୂରରେ ଫିଙ୍ଗି ଦେଇ ଆସିଲେ । ଖାଲି ପଚାରୁଥାନ୍ତି–"ଆଉ କାହିଁ ? ଆଉକାହିଁ ? ଆଉ କେଉଁଠି ଅଇଁଠା ପତ୍ର ପଡ଼ିଛି କୁହନ୍ତୁ । " ସମସ୍ତେ ତାଜୁବ୍ । କ୍ରୋଧ ପାଣି ଫାଟିଗଲା । ଗାଁ ବାଲା ଘରକୁ ଫେରିଲେ ।

 

ଯେଉଁ ମୁସଲମାନ୍ ମାଷ୍ଟରର ଅଇଁଠା ପତ୍ର ଗାଁ ବାଲାଙ୍କ ବାଡ଼ିରେ ପଡ଼ିଥିଲା ବୋଲି କୁହାଯାଉଥିଲା ସେ ଅନ୍ୟ କେହି ନୁହନ୍ତି । କାରଣ ଲକ୍ଷ୍ମୀନାରାୟଣ ଗୋରୁ ମାଂସ ଖାଇଛନ୍ତି ବୋଲି ଅପପ୍ରଚାର ହୋଇ ଯାଇଥିଲା । ଇତି ମଧ୍ୟରେ ଜଣେ ହିନ୍ଦୁ ଗୋରୁ ମାଂସ ଖାଉଥିଲେ କି ପ୍ରାୟଶ୍ଚିତ କରିବାକୁ ପଡ଼ିବ ସେ ସମ୍ପର୍କରେ ପୁରୀ ମୁକ୍ତି ମଣ୍ଡପ ପଣ୍ଡିତସଭାର ପରାମର୍ଶ ମଗା ଯାଇଥିଲା । ଉତ୍ତର ଆସିଥିଲା ଯଦି ଜଣେ ଅଜାଣତରେ ଗୋରୁ ମାଂସ ଖାଇ ଦେଇଥାଏ ତେବେ ପାଞ୍ଚ ଦିନ ଖାଡା ଖାଡ଼ି ଉପବାସ ରହିଲେ ପ୍ରାୟଶ୍ଚିତ ହେବ । ଅଇଁଠା ପତ୍ର ଫୋପାଡ଼ି ଦେବା ପରଠାରୁ ଲକ୍ଷ୍ମୀନାରାୟଣ ଖିଆପିଆ ବନ୍ଦ କରି ଦେଲେ । ପିଲାମାନେ ଚିଲିକାରୁ ଫେରି ପୁରୀ, ପୁରୀରୁ ସାକ୍ଷୀଗୋପାଳ ସାକ୍ଷୀଗୋପାଳରୁ ଭୁବନେଶ୍ୱର ଏବଂ ତା ପରେ କଟକ ଆସିଲେ । ଏହି ପାଞ୍ଚଦିନ କାଳ ସେ ଖାଡ଼ା ଖାଡ଼୍ ଉପବାସ ଥିଲେ । କଟକ ଫେରି ମୁଣ୍ଡ ଲଣ୍ଡାକରି ବ୍ରାହ୍ମଣମାନଙ୍କୁ ଭୁରୀ ଭୋଜନ ଦେଇ ପ୍ରାୟଶ୍ଚିତ କରି ସେ ସାଧୁ ପୁରୁଷ ପାଲଟିଥିଲେ । ଜାତି ଜାତି ଘେନି, ହିନ୍ଦୁ ମୁସଲମାନ ଧର୍ମ ଘେନି ଏହି ଯେଉଁସବୁ ଭେଦଭାବ ତା ବିରୋଧରେ ସେ ବିଦ୍ରୋହୀ ହୋଇ ପଡ଼ିଥିଲେ । ଥରେ ଚୌଉଦ୍ଵାରରେ ଗ୍ରାମ ସଂଙ୍ଗଠନ କାର୍ଯ୍ୟ କରୁଥିବାବେଳେ ହରିଜନଙ୍କ ସାଙ୍ଗରେ ମିଶିଥିବାରୁ ଖୁବ୍ ଗୋଳମାଳ ହେଲା । ତାଙ୍କୁ ସମାଜରୁ ବାସନ୍ଦ କରାଗଲା । ଧୋବା ଲୁଗା କାଚିଲା ନାହିଁ କି ବାରିକ କ୍ଷିଅର କଲା ନାହିଁ । ସେ ଲୁଗା ନିଜେ କାଚିଲେ ଏବଂ ହାତରେ କ୍ଷିଅର ବି ହେଲେ-। ଏହିପରି ବହୁ ଘଟଣାରେ ଜାତିଧର୍ମ ବର୍ଣ୍ଣ ଭେଦଭାବ ବିରୁଦ୍ଧରେ ସମାଜର ରକ୍ଷଣଶୀଳ କଟକଣା ପ୍ରତି ଭ୍ରୁକ୍ଷେପ ନ କରି ଗଭୀର ମାନବ ପ୍ରେମ ପାଇଁ ତାଙ୍କୁ ଦୁଃଖ ଭୋଗ କରିବାକୁ ପଡ଼ିଥିଲା ।

Image

 

ଭାରତ ସେବକ ସମିତି

 

ସାଧାରଣ ଲୋକେ ସାଧାରଣ ଜୀବନ ଯାପନ କରନ୍ତି । ଏମାନଙ୍କ ଭିତରେ ଅସାଧାରଣ ଲୋକ ମିଳିବେ କେଉଁଠୁ ? କିନ୍ତୁ ଲକ୍ଷ ଲକ୍ଷ ସାଧାରଣ ଲୋକଙ୍କ ଭିତରେ ଶହେ ଦୁଇଶହ ପାଗଳ ଦେଖାଯାନ୍ତି । ସେମାନଙ୍କ ଭିତରୁ ଅସାଧାରଣ ଲୋକ ବାହାରନ୍ତି ଜଣେ କିମ୍ବା ଦୁଇଜଣ । ସଂସାରର ଧରାବନ୍ଧା ନିୟମ ମାନି ଛେଳି ଭଳି ଚାଲିବାକୁ ଏହି ଜଣେ ଦୁଇଜଣ ପ୍ରସ୍ତୁତ ନୁହନ୍ତି । ସେମାନେ ବ୍ୟତିକ୍ରମ, ସେମାନେ ବିଦ୍ରୋହୀ, ସେମାନେ ବୀର, ସମାଜର ସମୂହ କଲ୍ୟାଣ ପାଇଁ ପ୍ରାଣର ସହଜ କରୁଣା ଧର୍ମରେ ସାଧାରଣ ଲୋକଙ୍କ ଚଲାବାଟ ଛାଡ଼ି ସେମାନେ ଅମଡ଼ାରେ ବାଟ ଫିଟାଇବାକୁ ଚାହାଁନ୍ତି । ଏହି ଅମାନିଆମାନଙ୍କୁ ସମାଜର ବଡ଼ପଣ୍ଡା ବୋଲାଉଥିବା ଲୋକେ ସହି ପାରନ୍ତି ନାହିଁ । ଗାନ୍ଧିଜୀଙ୍କୁ ଏହିଭଳି‌‌ ଅସହିଷ୍ଣୁତାରୁ ଗୁଳି କରାଗଲା । ତାଙ୍କ ହତ୍ୟାରେ ବର୍ଣ୍ଣାଡସ୍ ମନ୍ତବ୍ୟ ଦେଇଥିଲେ—ଏତେ ଭଲ ଲୋକ କିପରି ବଞ୍ଚିବେ ? ଏପରି ଅସାଧାରଣକୁ ସାଧାରଣ ସହିବେ କେତେ ଦିନ ? ଏସବୁ କଥା ଯୀଶୁଙ୍କ କ୍ଷେତ୍ରରେ ଘଟିଥିଲା । ତଥାପି ଏସବୁ ଜାଣିଶୁଣି ଶହ ଶହ ପାଗଳଙ୍କ ଭିତରୁ ଅସାଧାରଣ ପଥର ପଥିକ ହେବା ନିମନ୍ତେ ଜଣେ ଦୁଇଜଣ ବଦ୍ଧ ପାଗଳ ବାହାରନ୍ତି । ଲକ୍ଷ୍ମୀନାରାୟଣ ଥିଲେ ସେହିଭଳି ଜଣେ ବଦ୍ଧ ପାଗଳ । ମିସନ ସ୍କୁଲର ସଂକୀର୍ଣ୍ଣ ପରିବେଶ ଭିତରେ ସେ ଅତି ଅଶ୍ୱସ୍ତିକର ବୋଧ କରୁଥିଲେ ।

 

୧୯୧୫ ମସିହାରେ ଭାରତ ସେବକ ସମିତିର ପ୍ରତିଷ୍ଠାତା ଲୋକମାନ୍ୟ ଗୋପାଳକୃଷ୍ଣ ଗୋଖେଲ ମରିଗଲେ ।

 

ଏହି ସମୟରେ ଦିନେ ଲକ୍ଷ୍ମୀନାରାୟଣ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଶ୍ଵନାଥ ଦାସଙ୍କ ବସାରେ ଗୋଖଲେଙ୍କ ମୃତ୍ୟୁ ଏବଂ ତାଙ୍କ ପ୍ରତି ତତ୍କାଳୀନ ବଡ଼ଲାଟ୍ ଲର୍ଡ କର୍ଜନଙ୍କ ଉଚ୍ଚ ପ୍ରଶଂସା ଖବର କାଗଜରୁ ପଢ଼ି ଭାରତ ସେବକ ସମିତି ସମ୍ପର୍କରେ ଆଗ୍ରହ ପ୍ରକାଶ କଲେ । ବିଶ୍ଵନାଥ ବାବୁ ମଧ୍ୟ ତାଙ୍କୁ ପ୍ରବର୍ତ୍ତାଇଲେ—‘ଆପଣଙ୍କର ମନ ଯେପରି ଆପଣ ଏଥିରେ ଗଲେ ଭଲ ହେବ ।’ ଲକ୍ଷ୍ମୀନାରାୟଣ ଦରଖାସ୍ତ କଲେ ।

 

ଉତ୍ତର ଆସିଲା—‘କେବଳ ଗ୍ରାଜୁଏଟମାନେ ଏଥିରେ ସଭ୍ୟ ହୋଇ ପାରିବେ । ଜିଦ୍ ରେ ଲକ୍ଷ୍ମୀନାରାୟଣ ସେହିବର୍ଷ ବି.ଏ ପରୀକ୍ଷା ଦେଇ ପାଶ୍ କଲେ ।

 

ମିଶନ ସ୍କୁଲରେ ଶିକ୍ଷକ ଥିଲାବେଳେ ଟିଉସନ୍, ମାଷ୍ଟରୀ ସବୁ ମିଶାଇ ମାସକୁ ୨୦୦ ଟଙ୍କାରୁ ଅଧିକ ରୋଜଗାର କରୁଥିବା ଲକ୍ଷ୍ମୀନାରାୟଣ ୧୯୧୬ ଡିସେମ୍ବରରେ ମିଶନ ସ୍କୁଲ ଛାଡ଼ିଦେଲେ ଏବଂ ମାସକୁ ମାତ୍ର ୩୦ ଟଙ୍କା ଭତ୍ତାରେ ୧୯୧୭ ମସିହା ଜୁନ୍ ମାସରେ ଭାରତ ସେବକ ସମିତିରେ ଯୋଗଦେଲେ । ଲକ୍ଷ୍ମୀନାରାୟଣଙ୍କର ଯେ ମୁଣ୍ଡ ଖରାପ ହୋଇ ଯାଇଛି ତାଙ୍କ ମା ବାପାଙ୍କ ମନରେ ଆଉ ସନ୍ଦେହ ରହିଲା ନାହିଁ ।

 

ବାଲ୍ୟ ବୟସରୁ ତାଙ୍କ ଭିତରେ ଲୁଚି ରହିଥିବା ଭବିଷ୍ୟତର କର୍ମପ୍ରାଣତା ତାଙ୍କୁ ଅତି ଚଞ୍ଚଳ ଓ ମୁଖର କରିଥିଲା । ନିଜର ପରିବାର କୂଳ ଏବଂ ସମାଜର ବହୁ ଆଚାର ବିଚାର ଓ ଅନଗ୍ରସର ଚଳଣୀ ବିରୁଦ୍ଧରେ ତାଙ୍କ ଭିତରେ ଲୁଚି ରହିଥିବା ପାଉଁଶ ତଳର ନିଆଁ କ୍ରମେ ଜଳିବାକୁ ଆରମ୍ଭ କଲା । ମିଶନ ସ୍କୁଲରେ ଛାତ୍ର ରୂପେ ଶହ ଶହ ଭବିଷ୍ୟତ ବଂଶଧରଙ୍କୁ ହାତ ପାଖରେ ପାଇ ସେହିମାନଙ୍କ ଭିତରେ ନିଜର ଚିନ୍ତା ପ୍ରତିଫଳିତ କରାଇବାକୁ ସେ ଚେଷ୍ଟା କରିଥିଲେ । କିନ୍ତୁ ରକ୍ଷଣଶୀଳ ଶିକ୍ଷକ ସମାଜ, ଶିକ୍ଷା ବିଭାଗ କର୍ତ୍ତୃପକ୍ଷ ଓ ଅଭିଭାବକମାନଙ୍କ ଅଶ୍ୱସ୍ତି ସେ ଅନୁଭବ କରିଥିଲେ । ଶେଷରେ ଭାରତ ସେବକ ସମିତିର ସଭ୍ୟ ପଦ ପାଇବା ପରେ ତାଙ୍କର କର୍ମପ୍ରାଣ ଜୀବନକୁ ଗୋଟିଏ ପ୍ରଶସ୍ତ କ୍ଷେତ୍ର ମିଳିଗଲା ।

 

୧୯୧୭ ମସିହାରେ ଭାରତ ସେବକ ସମିତିର ସଭ୍ୟ ହୋଇ ସେ ବହୁ ବଡ଼ ବଡ଼ ଦେଶଭକ୍ତଙ୍କ ସହ ମିଶିବାର ସୁଯୋଗ ପାଇଲେ । ପଣ୍ଡିତ ମଦନମୋହନ ମାଲବ୍ୟ, ସି.ୱାଇ ଚିନ୍ତାମନ୍, ଏନ୍. ଏମ୍. ଯୋକ୍ଷୀ, ଜି. କେ. ଦେବଧର, ଠକ୍‍କର ବାପା, ପଣ୍ଡିତ କୁଂଜୁରୁ । ଏମାନେ ସବୁ ମହା ପଣ୍ଡିତ ଲୋକ—ଅପୂର୍ବ କର୍ମପରାୟଣ, କାମ କରୁଥିବେ, କଥା କହୁଥିବେ, ଥକ୍କା ହୋଇପଡ଼ିଲେ ଯେଉଁ ସ୍ଥାନରେ ଥିବେ ସେଇଠି ଶୋଇ ପଡ଼ୁଥିବେ । ଏପରି ମହାକର୍ମୀ କେବେହେଲେ ଶରୀର, ସ୍ୱାସ୍ଥ୍ୟ, ସମୟ, ସୁବିଧା ପ୍ରତି ନଜର ଦେଇ ନାହାନ୍ତି । କେତେକ ରାଗୀ କିନ୍ତୁ ସ୍ନେହଶୀଳ, କେତେକ ଅତୀବ ନିରଭିମାନ ।

 

ଏହିଭଳି ବହୁ ବଡ଼ ଲୋକଙ୍କ ସାନିଧ୍ୟ ପାଇ ସେ ପୁନାରୁ ସିମ୍‍ଲା, ସେଠାରୁ ଦିଲ୍ଲୀ, ଆହ୍ଲାବାଦ, ଝାନ୍‍ସି, ଲକ୍ଷ୍ନୌ, କାନପୁର ଆଦି ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନ ବୁଲିବାର ସୁଯୋଗ ପାଇଲେ । ଆହ୍ଲାବାଦ, ବଦ୍ରିନାଥ ଓ କେଦାରନାଥ ଆଦି ହିମାଳୟ ଅଞ୍ଚଳରେ ଦୁର୍ଭିକ୍ଷ । ସେଠାରେ ପ୍ରାୟ ପୁରା ବର୍ଷେ ଦୁଃସ୍ଥମାନଙ୍କ ସେବାରେ ନିଜକୁ ହଜାଇ ଦେଲେ । ଗଡ଼ବାଲପୌଡ଼ିଥିଲା ତାଙ୍କର ସେବା କେନ୍ଦ୍ର ।

 

୧୯୧୮ ମସିହା ଲକ୍ଷ୍ମୀନାରାୟଣ ଆହ୍ଲାବାଦରେ କଟାଇଲେ । ତାଙ୍କ ମାଆ ବିରକ୍ତ ହେବାରୁ ସେ ନିଜ ସ୍ତ୍ରୀ ଏବଂ କନ୍ୟାକୁ ସାଙ୍ଗରେ ନେଇ ଯାଇଥିଲେ । କିନ୍ତୁ ପଣ୍ଡିତ କୁଞ୍ଜୁରୁ ଏହାକୁ ନାପସନ୍ଦ କଲେ । ତେଣୁ ସେ ସ୍ତ୍ରୀ ଓ କନ୍ୟାକୁ ନେଇ କ୍ରସ୍ତ ରାଇଟ୍ ଗାର୍ଲସ ସ୍କୁଲ ଛାତ୍ରାବାସରେ ରଖାଇଦେଲେ । ମାସକୁ ପାଆନ୍ତି ୩୦ ଟଙ୍କା ଭତ୍ତା । ସେଥିରୁ ୧୨ ଟଙ୍କା ଦେଲେ ସ୍ତ୍ରୀ ଓ ଝିଅ ନିମନ୍ତେ । ସେମାନଙ୍କ ଜଞ୍ଜାଳରୁ ମୁକ୍ତି ପାଇଲେ ଓ ହିମାଳୟରେ ଦୁର୍ଭିକ୍ଷ ସେବାକାମରେ ଲାଗିଲେ-

 

ଏହି ସମୟରେ ତାଙ୍କର ପ୍ରିୟ ଛାତ୍ର ଗୋବିନ୍ଦ ମିଶ୍ର ଭାରତର ସ୍ଵାଧୀନତା ଲାଭ ନିମନ୍ତେ ନାନାପ୍ରକାର ହିଂସାତ୍ମକ ଆନ୍ଦୋଳନରେ ଭାଗନେଇ ଶେଷରେ ପୋଲିସ ସି. ଆଇ. ଡି. ଙ୍କ କୋପ ଦୃଷ୍ଟିରେ ପଡ଼ି ଓଡ଼ିଶାରୁ ଖସି ପଳାଇ ଆହ୍ଲାବାଦରେ ହାଜର । କେହି ତାଙ୍କୁ ଆଶ୍ରୟ ଦେଉ ନଥିଲେ-। ଆଶ୍ରୟ ଦେବା ଅର୍ଥ ନିଜପାଇଁ ବିପଦ ବରଣ । ତଥାପି ଲକ୍ଷ୍ମୀନାରାୟଣ ନିର୍ଭୟରେ ଆଶ୍ରୟ ଦେଲେ ଏବଂ ୧୮ ଟଙ୍କାରେ ଉଭୟ ଚଳିଲେ । ଅନେକ ଦିନ କେବଳ ଲାଉ ପିଜୁଳି ଆଦି ସିଝାଇ କୌଣସି ପ୍ରକାରେ ପେଟ ଭର୍ତ୍ତିକଲେ । ପ୍ରଥମେ ପ୍ରଥମେ ଟିକିଏ ଲୁଣ, ତେଲ ଓ ଘିଅ ଖାଉଥିଲେ । କ୍ରମେ ସେତକ ମଧ୍ୟ ଛାଡ଼ିଦେଲେ । ଶେଷରେ ଜୁନମାସରେ ଉଭୟ ପୁନା ଗଲେ । ଲକ୍ଷ୍ମୀନାରାୟଣ ଗୋବିନ୍ଦ ମିଶ୍ରଙ୍କୁ ଗାନ୍ଧିଜୀଙ୍କ ସାବରମତୀ ଆଶ୍ରମକୁ ପଠାଇଦେଲେ ଏବଂ ନିଜେ ଆସିଲେ ଜାମସେଦପୁର ଶ୍ରମିକ ସଂଗଠନ ଓ ଶିକ୍ଷା ପ୍ରସାର କାର୍ଯ୍ୟରେ । ସେ ପ୍ରାଥମିକ ସ୍କୁଲ ଖୋଲିବାରେ ଲାଗିଗଲେ । ଭିନ୍ନ ଭିନ୍ନ ସ୍ଥାନରେ ୨୬ ଟି ପ୍ରାଥମିକ ସ୍କୁଲ ଖୋଲିଦେଲେ ।

 

ଏହାଛଡ଼ା ଓଡ଼ିଆ ସମବାୟସମିତି ଦାୟିତ୍ୟରେ ରହି ସମବାୟ ଆନ୍ଦୋଳନର ପ୍ରସାର ଘଟାଇଲେ । ମୁଖ୍ୟତଃ ଜାମସେଦ ପୁରକୁ ଭାରତ ସେବକ ସମିତିର ସଭ୍ୟମାନେ ଯାଇଥିଲେ ଶ୍ରମିକ ମଙ୍ଗଳ କର୍ଯ୍ୟମାନ କରିବାକୁ । ପ୍ରତି ଶ୍ରମିକ ପିଛା ଦିନକୁ ୨ ପଇସାକରି ଅଧିକ ମଜୁରୀ ବାବଦ ୩ ବର୍ଷର ୧୨ଲକ୍ଷ ଟଙ୍କା ଟାଟାକମ୍ପାନୀ କର୍ତ୍ତୃପକ୍ଷ ଭାରତ ସେବକ ସମିତି ହାତରେ ଦେଲେ । ଏହି ଟଙ୍କାରେ ପ୍ରାଥମିକସ୍କୁଲ ଶ୍ରମିକମାନଙ୍କୁ ଋଣ ଦେବାପାଇଁ ସମବାୟ ସମିତି ଏବଂ ସମିତି ଜରିଆରେ ପଡ଼ିକାର୍ଡ ଦ୍ଵାରା ଶସ୍ତାରେ ଚାଉଳ ଯୋଗାଣ ଆଦି କାର୍ଯ୍ୟକ୍ରମ ହାତକୁ ନିଆଗଲା-। ଓଡ଼ିଶାର ବାଲେଶ୍ଵର ଓ ସମ୍ବଲପୁରରୁ ଚାଉଳ ନେଇ ଶସ୍ତାରେ ଯୋଗାଗଲା । ଏହାଛଡ଼ା ମିଲ୍‍ରୁ ଶସ୍ତାରେ ଲୁଗାଆଣି ଶ୍ରମିକମାନଙ୍କୁ ବିକାଗଲା । ସେମାନଙ୍କପାଇଁ ପାଠାଗାର ଖେଳପଡ଼ିଆ ଆଦି କରାଗଲା । ସେତିକିବେଳେ ସେ ଠକ୍‍କର ବାପାଙ୍କ ଖୁବ୍ ନିକଟତର ହୋଇଥିଲେ ।

 

ଏସବୁ ସତ୍ତ୍ୱେ ସେ ଅନୁଭବ କଲେ ଯେ ଭାରତ ସେବକ ସମିତିରେ ସଦସ୍ୟ ହୋଇ ବି ତାଙ୍କର କାମନା ପୂର୍ଣ୍ଣ ହେଉନି । ଆହୁରି ପ୍ରଚଣ୍ଡ ବେଗରେ କାମହେବା ଉଚିତ । ସାମାଜିକ କୁସଂସ୍କାର ଅଭାବ, ଅନାଟନ ଏସବୁ ବିରୁଦ୍ଧରେ ପ୍ରବଳ ଅଗ୍ନି ଜାଳିବା ଆବଶ୍ୟକ । ସେ ଅନୁଭବକଲେ ଭାରତ ସେବକ ସମିତିରେ ଯେଉଁମାନେ ବଡ଼ ସେମାନେ ନିଜେ ନିଜେ ବଡ଼ । ମାତ୍ର ଯେଉଁମାନେ ତଳେ ପଡ଼ିଯାଇଛନ୍ତି ସେମାନଙ୍କୁ ବାଟ ଦେଖାଇବାପାଇଁ କେହିନାହାନ୍ତି । ଭାରତ ସେବକ ସମିତିରେ ସେହି ଯୋଗ୍ୟ ହେବ ଯିଏ କାହାରି ନିର୍ଦ୍ଦେଶକୁ ଅପେକ୍ଷା ନ କରି ଆବଶ୍ୟକତା ଅନୁସାରେ ନିଜ ବୁଦ୍ଧିରେ ପଥ ବାଛି ନେବ, କାମ କରିଯିବ ।

 

ଏହି ସମୟରେ ୧୯୧୯ ମସିହାରେ ଓଡ଼ିଶାର ପୁରୀ ଜିଲ୍ଲାରେ ଦୁର୍ଭିକ୍ଷ ପଡ଼ିଲା । ବଡ଼ ବଡ଼ ଲୋକେ ସାହାଯ୍ୟ କାର୍ଯ୍ୟ ନିମନ୍ତେ ଭାରତ ସେବକ ସମିତିକୁ ଅନୁରୋଧ ଜଣାଇଲେ । ଗୋପବନ୍ଧୁ ଦାସ ଓ ଜଗବନ୍ଧୁ ସିଂହଙ୍କ ସହ ଦୁର୍ଭିକ୍ଷ ଅଞ୍ଚଳବୁଲି ଅବସ୍ଥା କିପରି ଅଛି ରିପୋର୍ଟ ଦେବାକୁ ଠକ୍‍କର ବାପା ଲକ୍ଷ୍ମୀନାରାୟଣଙ୍କୁ ଓଡ଼ିଶା ପଠାଇଲେ । ସେ ଓଡ଼ିଶା ଆସି ପୁରୀର ବିଭିନ୍ନ ସ୍ଥାନ ଦେଖି ଜାଣିଲେ ଅତି ଭୟଙ୍କର ଦୁର୍ଭିକ୍ଷ । ଗୋପବନ୍ଧୁ ବାବୁ ଅନ୍ୟତ୍ର ଥାନ୍ତି । ଜଗବନ୍ଧୁ ବାବୁ ପୁରୀ ଛାଡ଼ିଯାଇପାରିଲେ ନାହିଁ । ନିଜେ ଏକାକୀ ଦୁର୍ଭିକ୍ଷ ଅଞ୍ଚଳର କରୁଣ ଅବସ୍ଥା ଦେଖି ଚାରିଆଡ଼କୁ ରିପୋର୍ଟ ପଠାଇ ଦେଲେ । ଅନାହାରରେ ବହୁଲୋକ ମରିଥିଲେ । ତତ୍କାଳୀନ କମିଶନର ସ୍ତ୍ରୀ ଲୋକଙ୍କ ହାତର ପିତଳ ଖଡ଼ୁକୁ ସୁନାବୋଲି ଭୁଲରେ କହି ଦେଇଥିଲେ । ଲୋକଙ୍କ ଦୁଃଖ ଘୁଞ୍ଚାଇବା ପାଇଁ ସରକାର ସଚେଷ୍ଟ ହେଲେ ନାହିଁ । ଘର ଭିତରେ ଯୁବତୀମାନେ ଅସ୍ଥିକଙ୍କାଳ ସାର, ଛିଣ୍ଡାଅଖା ଘୋଡ଼େଇ ହୋଇ ବସିଥିବେ । ଚୁଲି ଉପରେ ପାଣି ହାଣ୍ଡିଟିଏ ମାତ୍ର ବସିଥିବ । କେତେବେଳେ ମୁଠିଶାଗ କି ଖୁଦକୁଣ୍ଡା ମୁଠିଏ ମିଳିଲେ ଶିଝାଇ ଖାଇବେ ।

 

ଡଭାର ଗ୍ରାମର କରୁଣ ଦୃଶ୍ୟରେ ବ୍ୟଥିତ ହୋଇ କମିଶନ ଚୁନିଂ ସାହେବଙ୍କ ନିକଟକୁ ଲକ୍ଷ୍ମୀନାରାୟଣ କଡ଼ା ଚିଠି ଲେଖିଲେ–ଲୋକଙ୍କ ଅବସ୍ଥା ଯେତେବେଳେ ଏପରି ଶୋଚନୀୟ ସେତେବେଳେ କଟକ ଲାଲ୍ ବାଗରେ ବସି ଆପଣଙ୍କର ହାୱା ଖାଇବାର ଅଧିକାର ନାହିଁ । ସେଥିରେ ସେ ରାଗିଯାଇ ପୁରୀ ପୋଲିସକୁ ଲେଖିଥିଲେ—“ଏ ପାଗଳ କିଏ ?” ଏହାପରେ ସବୁବେଳେ ସି. ଆଇ. ଡି. ତାଙ୍କ ପଛେ ପଛେ ଲାଗିଲେ । ପୁରୀ ଦୁର୍ଭିକ୍ଷବେଳେ ଲୋକ ସେବା କାର୍ଯ୍ୟରେ ସେ ଗୋପବନ୍ଧୁ ଠକ୍‍କର ବାପା, ଗୋବିନ୍ଦଚନ୍ଦ୍ର ମିଶ୍ର ସତ୍ୟବାଦୀର ଶିକ୍ଷକ ଓ ଛାତ୍ର ଏବଂ ତାଙ୍କର କେତେଜଣ ଅନୁରକ୍ତ ଛାତ୍ରଙ୍କ ଅକ୍ଳାନ୍ତ ସେବାର ଭୂୟସୀ ପ୍ରଶଂସା କରିଯାଇଛନ୍ତି ।

 

ପୁରୀ ଦୁର୍ଭିକ୍ଷ ସାହାଯ୍ୟ ସମୟରେ ଯିଏ ତାଙ୍କର ସେବା ମନୋଭାବର ପରିଚୟ ପାଇଛନ୍ତି କଦାପି ଭୁଲି ପାରିବେ ନାହିଁ । ମରଣ ମୁହଁରୁ ଲୋକମାନଙ୍କୁ ରକ୍ଷା କରିବା ପାଇଁ ସେ ଏକ ପ୍ରକାର ପାଗଳ ହୋଇ ଉଠିଥିଲେ । ନିଜର ବେଶଭୂଷା ଖାଦ୍ୟପାନ ପ୍ରତି ତିଳେ ହେଲେ ଭ୍ରୁକ୍ଷେପ ନ ଥିଲା । ଯାହା ମିଳିଲା ଖାଇ ଦିନ ରାତି ଖରା ବର୍ଷାରେ ବୁଲି କାମ କରିବା ଯେପରି ତାଙ୍କର ନିଶା । ରାତିରେ ନ ଖାଇ ନ ପିଇ ସେ ଯେ କୌଣସି ଜାଗାରେ ଶୋଇ ପଡ଼ିବେ । ନିଜର ସୁବିଧା ଅସୁବିଧା କେବେ ସେ କାହାକୁ କହିବେ ନାହିଁ । ଚିହ୍ନା ଅଚିହ୍ନା ନ ବାରି ଯେ କେହି ଲୋକର ଘରକୁ ଯାଇ ଦିଟା ମାଗି ଖାଇଦେବେ ।

 

ପୁରୀରେ ଦୁର୍ଭିକ୍ଷ ସାହାଯ୍ୟ କାମ ସାରି ସେ ଟାଟାକୁ ଫେରିଲେ । ଦେଖନ୍ତି ଟାଟାରେ ଶ୍ରମିକ ଧର୍ମଘଟ ଆରମ୍ଭ ହୋଇ ଏକ ପ୍ରକାର ଖଣ୍ଡ ଯୁଦ୍ଧ ଲାଗିଗଲାଣି । ତାଙ୍କ ପ୍ରତି ଶ୍ରମିକମାନଙ୍କର ଅନୁରକ୍ତ ମନୋଭାବ ଜାଣି ଟାଟାକମ୍ପାନୀ ଧର୍ମଘଟର ଅବସାନ ନିମନ୍ତେ ତାଙ୍କୁ ମାସକୁ ମାଗଣାରେ ଘର ଓ ୫ ଶହ ଟଙ୍କା ଦରମା ଯାଚିଲେ । ମାତ୍ର ଠକ୍‍କର ବାପା ତାଙ୍କୁ ସାବଧାନ କରାଇ ସେଥିରୁ ନିବୃତ୍ତ କରାଇଦେଲେ । ଏତେ ଅସୁବିଧାର ଅନ୍ଧାର ରାତିରେ ସୌଭାଗ୍ୟ ଚନ୍ଦ୍ରର ଉଦୟ ପୂର୍ବରୁ ଅସ୍ତ ହେଲା । ସ୍ତ୍ରୀ ଓ କନ୍ୟା ଶାନ୍ତିକୁ ଧରି ସେ ବାଲେଶ୍ଵର ଫେରି ଆସିଲେ ।

 

୧୯୧୮ ମସିହାରେ ଜାମସେଦ ପୁରରେ ଥିବାବେଳେ ସେ ସମବାୟ ଆନ୍ଦୋଳନର ଉପାଦେୟତା ଅନୁଭବ କରିଥିଲେ । କଟକ ଆସି ଉତ୍କଳର କେତେ ଜଣ ଉଦୀୟମାନ ଯୁବକଙ୍କୁ ନେଇ ସେ ଗୋଟିଏ ସେବା ସମିତି ସ୍ଥାପନ କଲେ । ଡକ୍ଟର ହରେକୃଷ୍ଣ ମହତାବଙ୍କୁ ସେତେବେଳେ ସେ ତାର ସେକ୍ରେଟେରୀ କରିଥିଲେ । ଜେଲ ଓ ହସ୍‍ପିଟାଲ ସେବା ବିଭାଗ ଖୋଲି ସେଥିରେ ପରବର୍ତ୍ତୀ ମନ୍ତ୍ରୀ ରାଜକୃଷ୍ଣ ବୋଷଙ୍କୁ, ଲାଇବ୍ରେରୀ ବିଭାଗରେ ପରବର୍ତ୍ତୀ କେନ୍ଦ୍ର ମନ୍ତ୍ରୀ ତଥା ରାଜ୍ୟପାଳ ଶ୍ରୀ ନିତ୍ୟାନନ୍ଦ କାନୁନ୍ ଗୋ ଓ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କୁ ଦାୟିତ୍ଵ ଦେଇଥିଲେ । ଏମାନଙ୍କ ଛଡ଼ା ତାଳଚେର ରାଜା ହୃଦୟଚନ୍ଦ୍ର ଦେବ ବିଶିଷ୍ଟ ବ୍ୟକ୍ତିମାନଙ୍କ ସମାଗମ ବେଳେ ଅଭ୍ୟର୍ଥନା କରୁଥିଲେ, ଯଦୁମଣି ମଙ୍ଗରାଜ, ହୃଦାନନ୍ଦ ଶତପଥୀଙ୍କ ଓ ବିଚିତ୍ରାନନ୍ଦ ପଟ୍ଟନାୟକ, ପ୍ରହ୍ଲାଦ ସାହୁ ପ୍ରମୁଖଙ୍କୁ ଅନ୍ୟାନ୍ୟ ଦାୟିତ୍ୱରେ ରଖାଇ ଥିଲେ । ଏହି ଅନୁଷ୍ଠାନ ଚାଲିଥିବାବେଳେ ଖୁବ୍ ଉତ୍ସବ ଓ ଆନନ୍ଦ ଥିଲା ବୋଲି ମହତାବବାବୁ ତାଙ୍କ ଆତ୍ମ ଜୀବନରେ ଲେଖିଛନ୍ତି । ବହୁ ସତ୍‍ସାହସୀ ଯୁବକ ଏହି ଅନୁଷ୍ଠାନ ତାଳିମ ନେଇ ଓଡ଼ିଶାର ନିର୍ମାତା ହୋଇଛନ୍ତି-। ଏହି ଅନୁଷ୍ଠାନର ଗଠନ ଓ ସୁପରିଚାଳନାରୁ ସହଜରେ ଜଣାପଡ଼େ ଅକ୍ଳାନ୍ତ କର୍ମୀ ଲକ୍ଷ୍ମୀନାରାୟଣ କେତେ ବୁଦ୍ଧିମାନ ତଥା ଉଦୀୟମାନ ଯୁବକଙ୍କୁ ଦେଶ ସେବା ପାଇଁ ସାଧାରଣଙ୍କ ଚଲାବାଟରୁ ଟାଣି ନେଇଥିଲେ ।

 

କିନ୍ତୁ ମଧୁବାବୁ ବିହାର ଓଡ଼ିଶା ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ହେବା ପ୍ରସ୍ତାବକୁ ଲକ୍ଷ୍ମୀନାରାୟଣ ସମର୍ଥନ ଜଣାଇଲେ, ତାଙ୍କପ୍ରତି ଅନୁରକ୍ତ ଯୁବକମାନେ ସେତେବେଳକୁ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇ ଏହାର ଘୋର ବିରୋଧ କଲେ । କ୍ରମେ ଏହି ସେବା ସମିତି ମଧ୍ୟ ଭାଙ୍ଗିଗଲା, କିନ୍ତୁ ସେ ସେତେବେଳକୁ ଭବିଷ୍ୟତରେ ନବ ଓଡ଼ିଶାର ନିର୍ମାତା ଭାବେ ସୁଖ୍ୟାତ ବହୁ ବ୍ୟକ୍ତିଙ୍କ ହୃଦୟରେ ସାଧାରଣ ଜୀବନ (ପବ୍ଲିକ ଲାଇଫର ବୀଜ ବପନ କରି ସାରିଥିଲେ ।

Image

 

ସହର ଛାଡ଼-ଗାଁକୁ ଚାଲ

 

୧୯୨୬ ମସିହାରେ ସେ ଠକ୍‍କର ବାପାଙ୍କ ସହ ଗୁଜୁରାଟ ଯାଇ ସେଠାର ଗାଁ ଗହଳରେ ଭାରତ ସେବକ ସମିତିର ସେବାକାର୍ଯ୍ୟ ଦେଖି ସହର ଛାଡ଼ି ଗାଁକୁ ଯିବାକୁ ମନ ବଳାଇଲେ । ସେଠାରୁ କଟକ ଫେରିଆସି ଇତିହାସ ପ୍ରସିଦ୍ଧ ମହାନଦୀ ଗର୍ଭସ୍ଥ ଚୌଦ୍ଵାର ପଠାଟିକୁ ବାଛି ନେଲେ କର୍ମକ୍ଷେତ୍ର ରୂପେ । ପ୍ରଥମେ ସେ କଟକରୁ ପ୍ରତି ଶନିବାର ସକାଳୁ ଖେଚୁଡ଼ି ଖାଇ ଗୋଟିଏ ହୋମିଓପାଥି ବାକସରେ କିଛି ଔଷଧପତ୍ର ଧରି ଚୌଦ୍ଵାର ମଣ୍ଡାପଡ଼ା, ହରିନାଥପୁର ଆଦି ଗ୍ରାମକୁ ଗଲେ । ସେତେବେଳର ଚୌଦ୍ଵାର ଅବସ୍ଥା ଆଜି ଶିଳ୍ପନଗରୀ ଚୌଦ୍ଵାରକୁ ଦେଖି ଅନୁମାନ କରି ହେବ ନାହିଁ । ଲୋକଙ୍କ ଦୁଃଖ କହିଲେ ସରୁ ନ ଥିଲା । କଟକ ସହ ଯୋଗାଯୋଗ ମଧ୍ୟ ସେହିପରି ନ ଥିଲା । କୁଷ୍ଠ ରୋଗ ସତେ ଯେପରି ସେଠି ବସା ବାନ୍ଧିଥିଲା । ଦୁନିଆଁର ସ୍ଥାନେ ସ୍ଥାନେ ପୁଞ୍ଜିଭୂତ ଅନ୍ୟାୟ ଅତ୍ୟାଚାର ଓ ଦୁଃଖ ଦୁର୍ଦ୍ଦଶା ହିଁ ଯୁଗେ ଯୁଗେ ମହାପୁରୁଷ ସୃଷ୍ଟିର କାରଣ ହୋଇ ଆସିଛି । ଅବହେଳିତ ବ୍ୟକ୍ତିର ଚକ୍ଷୁର ଲୁହ ସେମାନଙ୍କୁ ଅମଡ଼ାପଥର ପଥିକ ସଜାଇଛି । ସେମାନଙ୍କୁ କରିଛି ପ୍ରେମ-ବିପ୍ଳବୀ । ଏହି ପ୍ରେମ ଦୈହିକ ସୁଖ ଲାଭ ନୁହେଁ—ଅପରର ଦୁଃଖ ଦେଖି ନିଜ ହୃଦୟରେ କ୍ରୁଶବିଦ୍ଧ ଯନ୍ତ୍ରଣାର ଅନୁଭବ–ମମତା ରଞ୍ଜିତ ହସ୍ତେ ଅନ୍ୟ ଚକ୍ଷୁରୁ ଲୋତକ ପୋଛି ଆନନ୍ଦିତ ହେବାର ସୌଭାଗ୍ୟ ।

 

ଚୌଦ୍ଵାର ଗ୍ରାମରେ ସେତେବେଳକୁ ୬ ହଜାର ଲୋକଙ୍କ ବସତି । ଲକ୍ଷ୍ମୀନାରାୟଣ ଗାଁ ଗାଁ ବୁଲି ଶେଷରେ ତାଙ୍କର ପୂର୍ବତନ ଛାତ୍ର ଲୋକନାଥ କରଙ୍କ ସଂସ୍କୃତ ଟୋଲରେ ବସି ଔଷଧ ବାଣ୍ଟନ୍ତି । ଦିନେ ଦିନେ ଔଷଧ ଦେଉଁ ଦେଉଁ ରାତି ୯ ଟା ବାଜିଯାଏ । ରାତିରେ ଲୋକନାଥ ପାଖରେ ଯାହା ମିଳେ ଦିଟା ଆନନ୍ଦରେ ଖାଇ ଦେଇ ସେଇଠି ଶୋଇ ପଡ଼ନ୍ତି । କ୍ରମେ ତାଙ୍କର ସେବା କାର୍ଯ୍ୟ ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ କଲା । ଜମିଦାର ଜେ. ଏନ୍. ବୋଷ ମଶାଣିପଦା ପାଖରେ ଗ୍ରାମ ସଙ୍ଗଠନ ପାଇଁ ମାଣେ ଜମି ତାଙ୍କୁ ବିନା ଖଜଣାରେ ଦାନ କଲେ । ସେଇଠି ଗ୍ରାମ ସଙ୍ଗଠନ କେନ୍ଦ୍ର ଗଢ଼ି ଉଠିଲା ।

 

ଏଥି ସହିତ ବିଶିଷ୍ଟ କୁଷ୍ଠ ରୋଗ ଚିକିତ୍ସକ ଶ୍ରୀଯୁକ୍ତ ଆଇଜାକ୍ ସାନ୍ତାଙ୍କ ମା'ଙ୍କୁ ଧରି ସେ କୁଷ୍ଠ ଚିକିତ୍ସା ଆରମ୍ଭ କରିଦେଲେ । ବର୍ତ୍ତମାନ ପର୍ଯ୍ୟନ୍ତ ସେହି କୁଷ୍ଠ ଚିକିତ୍ସା କେନ୍ଦ୍ର ଚାଲୁଅଛି । ଏହି ଗ୍ରାମ ସଙ୍ଗଠନ ପକ୍ଷରୁ ସମୟକ୍ରମେ ରାତ୍ରି ବିଦ୍ୟାଳୟ, ହାଇସ୍କୁଲ ମଧ୍ୟ ସେ ଖୋଲି ଦେଇଥିଲେ ।

 

ଚୌଦ୍ଵାରକୁ ନିଜର କର୍ମକ୍ଷେତ୍ର କରିବା ପରେ ଲକ୍ଷ୍ମୀନାରାୟଣ ସେ ସ୍ଥାନର ମହତ୍ତ୍ଵ ଖୁବ୍ ବଢ଼ାଇଥିଲେ । ଉତ୍କଳମଣିଙ୍କ ସତ୍ୟବାଦୀର ବକୁଳବନ ଭଳି ଚୌଦ୍ଵାର ମଧ୍ୟ ୧୯୪୫ ମସିହା ବେଳକୁ ଓଡ଼ିଶାବାସୀଙ୍କର ଯଥେଷ୍ଟ ଦୃଷ୍ଟି ଆକର୍ଷଣ କରିଥିଲା । ୧୯୪୫ ଅଗଷ୍ଟମାସ ପହିଲାରୁ ୧୨ ତାରିଖ ମଧ୍ୟରେ ସେ ସେଠାରେ ବାରଟି ସମ୍ମିଳନୀ ଯଥା—ଭିକ୍ଷା ନିବାରିଣୀ ସମ୍ମିଳନୀ, ଶିକ୍ଷକ ସମ୍ମିଳନୀ, କୃଷକ ସମ୍ମିଳନୀ, ରାଜନୈତିକ ସମ୍ମିଳନୀ, ହରିଜନ ସମ୍ମିଳନୀ, ଛାତ୍ର ସମ୍ମିଳନୀ, ଧର୍ମ ସମ୍ମିଳନୀ, ସ୍ୱାସ୍ଥ୍ୟ ସମ୍ମିଳନୀ, ନଦୀ ସମସ୍ୟା ସମ୍ମିଳନୀ, ସଙ୍ଗୀତ ସମ୍ମିଳନୀ ଓ ସମବାୟ ସମ୍ମିଳନୀ କରାଇଥିଲେ । ଓଡ଼ିଶା ଓ ଓଡ଼ିଶା ବାହାରର ଏହିସବୁ କ୍ଷେତ୍ରରେ ବିଶେଷଜ୍ଞଭାବେ ସୁଖ୍ୟାତ ବହୁ ନେତା, ଶିକ୍ଷାବିତ୍ ରାଜନୀତିଜ୍ଞ ଓ ସାହିତ୍ୟିକ ଏଥିରେ ଯୋଗ ଦେଇଥିଲେ । ଏହିସବୁ ସମ୍ମିଳନୀ ଲକ୍ଷ୍ମୀନାରାୟଣ ଏକାଦିକ୍ରମେ ଯେପରି କରାଇଥିଲେ ସେଥିରୁ ତାଙ୍କର ସଙ୍ଗଠନ ଶକ୍ତି କି ଅପୂର୍ବ ଏବଂ କେତେ ଦିଗରେ ସେ ନିଜ ପ୍ରତିଭାର ବିନିଯୋଗ କରାଇଥିଲେ ତାହାର ସୁସ୍ପଷ୍ଟ ପ୍ରମାଣ ମିଳେ । କେବଳ ଓଡ଼ିଶା କାହିଁକି ସମଗ୍ର ଭାରତରେ ମଧ୍ୟ ଏହିଭଳି ଭିନ୍ନ ଭିନ୍ନ ୧୨ ଟି ଜାତୀୟ ସମସ୍ୟା ଉପରେ ଲାଗ ଲାଗ ୧୨ ଦିନିଆଁ ସମ୍ମିଳନୀ ଅନ୍ୟ କୁତ୍ରାପି ଅନୁଷ୍ଠିତ ହୋଇଥିବାର ଉଦାହରଣ ବିରଳ ।

Image

 

ସାଧନାର ପଥେ

 

ଛାତ୍ରାବସ୍ଥାରେ ଲକ୍ଷ୍ମୀନାରାୟଣ ଦରିଦ୍ର ପରିବାରର ପିଲା । ପାଟକ ଜାତିର ପିଲା ହୋଇଥିବାରୁ ପିତା, ମାତା ଓ ବନ୍ଧୁ ବାନ୍ଧବଙ୍କଠାରୁ ପାଠପଢ଼ା ନିମନ୍ତେ ପ୍ରୋତ୍ସାହନ ପାଇବା ପରିବର୍ତ୍ତେ ସେ ଉପହାସ ଶୁଣୁଥିଲେ । ତେଣୁ ନିଜ ଉଦ୍ୟମରେ ଆଇ. ଏସସି, ପରେ ତାଙ୍କ ପୋଥିରେ ଡୋର ବନ୍ଧା ଯିବାର କଥା । ମାତ୍ର ଉତ୍କଳ ସମ୍ମିଳନୀ ସଭାପତି ତାଙ୍କ ପ୍ରତିଭାର ପରିଚୟ ପାଇ ମାସକୁ ୨୦ ଟଙ୍କା ବୃତ୍ତି ଦେବାକୁ ସ୍ଥିର କଲେ ଓ ଲକ୍ଷ୍ମୀନାରାୟଣ ଇଞ୍ଜିନିୟରିଂ ପଢ଼ିବା ପାଇଁ ଗଲେ ଶିବାପୁର ଇଞ୍ଜିନିୟରିଂ କଲେଜ; କିନ୍ତୁ ଉତ୍କଳ ସମ୍ମିଳନୀ ନିଜର ପ୍ରତିଶ୍ରୁତି ଅନୁସାରେ ଟଙ୍କା ପଠାଇଲେ ନାହିଁ । ଘୋର ଦାରିଦ୍ର୍ୟର କଷାଘାତରେ ଦିନେ ସେ ଜଣେ ସାଙ୍ଗର ଜଳଖିଆ ଚୋରି କରି ଖାଇଲେ । ସାଙ୍ଗଟି ଗାଳି ଦେବାରୁ ଆତ୍ମହତ୍ୟା କରିବାକୁ ମଧ୍ୟ ମନ କରିଥିଲେ । କୌଣସିମତେ ସେଠାରେ ରୀତିମତ ଛାତ୍ର ଜୀବନରେ ପୂର୍ଣ୍ଣଛେଦ ପକାଇ କର୍ମଜୀବନ ବରଣ କଲେ ।

 

ଭାରତ ସେବକ ସମାଜର ସଭ୍ୟ ହେବାପାଇଁ ମିଶନ ସ୍କୁଲର ଶିକ୍ଷକ ଥିବାବେଳେ ବି.ଏ. ପାସ୍ କରିଥିଲେ । ଭାରତ ସେବକ ସମିତିର ଗୋଟିଏ ସଭାରେ ଗୋଟିଏ ପ୍ରସ୍ତାବ ଲେଖା ଚାଲିଥାଏ, ପଣ୍ଡିତ ହୃଦୟନାଥ କୁଞ୍ଜୁରୁ, ପଣ୍ଡିତ ମଦନ ମୋହନ ମାଲବ୍ୟ, ପଣ୍ଡିତ ମୋତିଲାଲ ନେହେରୁ, ଶ୍ରୀଯୁକ୍ତ ସି. ୱାଇ, ଚିନ୍ତାମନ ପ୍ରମୁଖ ନିଜ ନିଜ ଭାଷା ପ୍ରୟୋଗ କଲେ ମଧ୍ୟ ପ୍ରସ୍ତାବଟି ଠିକ୍ ଭବେ ଲେଖା ହୋଇ ପାରୁ ନ ଥାଏ । ଶେଷକୁ ଶ୍ରୀଯୁକ୍ତ ବେଙ୍କଟେଣ ନାରାୟଣ ତିୱାରି କ’ଣ ଟିକେ କହି ଦେଲେ; ପ୍ରସ୍ତାବଟି ସଜାଡ଼ି ହୋଇଗଲା ଏବଂ ସମସ୍ତଙ୍କ ମନକୁ ପାଇଲା । ଏହାପରେ ସମସ୍ତେ ଚାଲିଗଲେ, କେବଳ ଶ୍ରୀ ତିୱାରୀ ଓ ଲକ୍ଷ୍ମୀନାରାୟଣ ସାହୁ ପଛକୁ ରହିଲେ । ଶ୍ରୀ ତିୱାରୀ, ସାହୁଙ୍କୁ ଆଗରେ ଟିକେ ଛାତି ଫୁଲାଇ କହିଲେ—ଦେଖିଲ ମିଷ୍ଟର ସାହୁ, ଯେତେହେଲେ ‘ଏମ୍. ଏ,–ଏମ୍, ଏ’ ସେଠାରେ କେବଳ ଶ୍ରୀ ତିୱାରୀଙ୍କ ବ୍ୟତୀତ ଆଉ କେହି ଏମ୍. ଏ. ନଥିଲେ । ସେହିଦିନ ଠାରୁ ଲକ୍ଷ୍ମୀନାରାୟଣଙ୍କ ମନରେ ଏମ୍. ଏ, ହେବାର ବାସନା ଜାଗ୍ରତ ହେଲା । ଦିନେ ତାଙ୍କର ପୂର୍ବତନ ଛାତ୍ର ସୁଶୀଳ ଗୁପ୍ତ ତାଙ୍କ ତିନିକୋଣିଆ ବଗିଚା ଅଫିସ ବାଟ ଦେଇ ଯାଉଥିଲେ । ଆଳାପ ଆଲୋଚନା ପରେ ଲକ୍ଷ୍ମୀନାରାୟଣ ଜାଣିଲେ, ନଭେମ୍ବର ୪ ତାରିଖରେ ଏମ୍. ଏ. । ପରୀକ୍ଷା କଲିକତା ବିଶ୍ଵବିଦ୍ୟାଳୟ ପକ୍ଷରୁ ଅନୁମତି ମିଳିଯାଇ ପାରେ । ସଙ୍ଗେ ସଙ୍ଗେ ସେ ଡାକଘରୁ ପାଶ୍ ବହିରୁ ଶହେ ଟଙ୍କା ବାହାର କରି କଲିକତା ବିଶ୍ଵବିଦ୍ୟାଳୟର ରେଜିଷ୍ଟାରଙ୍କ ନାମରେ ମନିଅର୍ଡର କରିଦେଲେ ।

 

କଲିକତା ଗଲେ ପରୀକ୍ଷା ଦେବାପାଇଁ; କିନ୍ତୁ କେଉଁଥିରେ ପରୀକ୍ଷା ଦେବେ କିଛି ଜାଣି ନ ଥିଲେ । ଅନ୍ୟମାନଙ୍କୁ ପଚରା ପଚରି କରି ବୁଝିଲେ, ଭାରତୀୟ ଭାଷା (ସଂସ୍କୃତ, ହିନ୍ଦୀ, ବଙ୍ଗଳା) ଉପରେ ଗୋଟିଏ ଏମ୍.ଏ, ପରୀକ୍ଷା ହୁଏ । ସେହିଥିରେ ପରୀକ୍ଷା ଦେଲେ ଏବଂ ପ୍ରଥମ ଶ୍ରେଣୀକୁ ମାତ୍ର ଷୋଳ ନମ୍ବର କମ୍ ରଖି ପାସ୍ କଲେ ।

 

ଆଉ ଥରେ କେତେକ ବନ୍ଧୁଙ୍କ ସାଙ୍ଗରେ କଥାବାର୍ତ୍ତା ହେଉ ହେଉ ଜଣେ କହିଲେ ଭାରତୀୟ ଭାଷାରେ ଏମ୍.ଏ, ବଡ଼ କଥା ନୁହେଁ; ଇକୋନୋମିକସ୍ (ଅର୍ଥନୀତି)ରେ ଏମ୍.ଏ, ହୋଇଥିଲେ ଗୋଟିଏ କଥା ହୋଇଥାନ୍ତା । ଲକ୍ଷ୍ମୀନାରାୟଣଙ୍କର ଏମ୍.ଏ, ହେବା ଅଭିମାନରେ ଟିକିଏ ଆଞ୍ଚ ଆସିଲା । ଅର୍ଥନୀତିରେ ଏମ୍.ଏ, ହେବ ପାଇଁ ପୁଣି ସେ ମନ ବଳାଇଲେ । ଦିନେ ପାଟନାରୁ ଆସୁ ଆସୁ ଶୁଣିଲେ ନିକଟରେ ଏମ୍.ଏ, ପରୀକ୍ଷା ହେବ, ଆଉ ଛଅ ସାତ ଦିନ ମାତ୍ର ବାକି ଅଛି । ବନ୍ଧୁ ପ୍ରିୟରଞ୍ଜନ ସେନ୍‍ଙ୍କୁ ଧରି ପରୀକ୍ଷା ଫିସ୍ ଦେଲେ ଏବଂ ଛଅ ସାତଦିନ ପରେ ଇକୋନୋମିକସରେ ଏମ୍.ଏ. ପରୀକ୍ଷା ଦେଇ ତୃତୀୟ ଶ୍ରେଣୀରେ ପାସ୍ କରିଗଲେ ।

 

‘‘ଷ୍ଟାର ଅଫ୍ ଉତ୍କଳ’’ ପତ୍ରିକା ନିମନ୍ତେ ଲେଖା ଲେଖି କରୁଥାନ୍ତି; ତାଙ୍କର ଜଣେ ବନ୍ଧୁ ନିମାଇଁ ଚରଣ ଆସି କହିଲେ, ‘‘ହରିହର ମହାପାତ୍ର, ଆଡଭୋକେଟ, ଇଂରାଜୀରେ ଏମ୍.ଏ । ସେ ଚମତ୍କାର ଇଂରାଜୀ ଲେଖନ୍ତି ।’’ ଏଥିରେ ଲକ୍ଷ୍ମୀନାରାୟଣଙ୍କର ଅଭିମାନରେ ପୁଣି ଆଞ୍ଚ ଆସିଲା । ୧୯୩୩ ସାଲ୍‍ରେ ପାଟନାରୁ କଲିକତା ଫେରୁ ଫେରୁ ହଠାତ୍ ପ୍ରିୟରଞ୍ଜନ ବାବୁଙ୍କ ସହ ସାକ୍ଷାତ୍ ହେଲା । ସଙ୍ଗେ ସଙ୍ଗେ ତାଙ୍କର ଇଂରାଜୀ ଏମ୍.ଏ ହେବାର ବାସନା ଅସମ୍ଭାଳ ହୋଇ ଉଠିଲା । ସେଦିନ ଶନିବାର—ପରୀକ୍ଷା ହେବ ସୋମବାର ଦିନ । ସିନେଟ୍ ବୈଠକରେ ଅନୁମତି କରାଇ ଦିଆଗଲା । ଲକ୍ଷ୍ମୀନାରାୟଣ ପରୀକ୍ଷା ଦେଲେ ଏବଂ ପାସ୍ ମଧ୍ୟ କଲେ ।

 

ଏହା ପରେ ସାତ ବର୍ଷ ଚାଲିଗଲା, ପାରିବାରିକ ଅଶାନ୍ତିରୁ ମୁକ୍ତି ପାଇବା ପାଇଁ ଲକ୍ଷ୍ମୀନାରାୟଣ ପୁଣି ଗୋଟିଏ ଏମ୍.ଏ, ପରୀକ୍ଷା କଥା ମନେ ପକାଇଲେ । ଜୁଲାଇ ମାସ ପ୍ରଥମ ସପ୍ତାହରେ ପ୍ରିୟରଞ୍ଜନ ବାବୁଙ୍କୁ ଚିଠି ଲେଖି ଜଣାଇଲେ । ସେହି ମାସ ଅଠର ତାରିଖରେ ଏମ୍.ଏ. ପରୀକ୍ଷା । ଏଥର ସେ ଫିଲୋସଫି (ଦର୍ଶନ)ରେ ଏମ୍.ଏ, ପରୀକ୍ଷା ଦେଲେ । କଲେଜରେ ପଢ଼ୁଥିବାବେଳେ ଅଧ୍ୟାପକ ହେମଚନ୍ଦ୍ର ସରକାର କହୁଥିଲେ—‘‘ଲକ୍ଷ୍ମୀ, ତୁମେ ଫିଲୋସଫର ହେବ-।’’ ଫିଲୋସୋଫି ଏମ୍.ଏ, ପରୀକ୍ଷା ପାଇଁ ଅନ୍ୟାନ୍ୟ ପରୀକ୍ଷା ଅପେକ୍ଷା ଅଧିକ ପଢ଼ାପଢ଼ି ହୋଇଥିଲା, ପରୀକ୍ଷାରେ ଭଲ ଲେଖିଛନ୍ତି ବୋଲି ମଧ୍ୟ ତାଙ୍କର ବିଶ୍ୱାସ ଜନ୍ମିଥିଲା, କିନ୍ତୁ ଏଥର ସେ ଫେଲ୍ ହେଲେ ।

 

ଅବଶ୍ୟ କେତେକ ପେପରରେ ଶତକଡ଼ା ଅଶୀ, ନବେ ଯାଏ ସେ ନମ୍ବର ରଖିଥିଲେ । କେବଳ ଗୋଟିଏ ପେପରରେ ବାଇଶି ନମ୍ବର ରହି ତାଙ୍କୁ ବିଫଳ କରାଇଲା । ଏହା ୧୯୪୦ ମସିହାର କଥା ।

 

ପୁଣି ଚଉଦ ବର୍ଷପରେ ଚଉଷଠି ବର୍ଷ ବୟସରେ ଲକ୍ଷ୍ମୀନାରାୟଣ ତାଙ୍କ ସାଙ୍ଗସାଥିଙ୍କ ନାତିନାତୁଣୀମାନଙ୍କ ସହିତ ଇତିହାସରେ ଏମ୍.ଏ, ପରୀକ୍ଷା ଦେଇଥିଲେ । ସେତେବେଳକୁ ସେ ଅତିମାତ୍ରାରେ ଜରାଜୀର୍ଣ୍ଣ, ହାତ ଥରିଲାଣି, ଘନ ଘନ ଧଇଁ କାଶ, ଆରାମ ଚେୟାରରେ ଶୋଇ ଶୋଇ ସେ ପରୀକ୍ଷା ଦେଲେ ଏବଂ ପାଶ୍ କରି ଉତ୍କଳ ବିଶ୍ୱବିଦ୍ୟାଳୟର ଏକାଦଶ ସମାବର୍ତ୍ତନ ଉତ୍ସବରେ ଚାନସେଲର ଯଶୋବନ୍ତ ନାରାୟଣ ସୁକଣ୍ଠ କରଙ୍କରଠାରୁ ଏମ୍.ଏ, ଡିଗ୍ରୀ ଗ୍ରହଣ କରିଥିଲେ । ଏହା ଛଡ଼ା ସେ ଭାରତ ସରକାରଙ୍କଠାରୁ ପଦ୍ମଶ୍ରୀ, ଉତ୍କଳ ବିଶ୍ୱବିଦ୍ୟାଳୟର ଏଲ. ଏଲ୍. ଡି. ଆନ୍ଧ୍ର ଇତିହାସ ପ୍ରତ୍ନତତ୍ତ୍ଵ ସମିତିରୁ ଭାରତୀତୀର୍ଥ, ବିଶ୍ଵଜୈନ ମିଶନରୁ ଇତିହାସ ରତ୍ନ, ଗୀତାରେ ତତ୍ତ୍ଵନିଧି ଏବଂ ବଙ୍ଗଳା ସାହିତ୍ୟରେ ଅସାଧାରଣ ବ୍ୟୁତ୍ପତ୍ତି ନିମନ୍ତେ ‘ବିଦ୍ୟାରତ୍ନ’ ଉପାଧି ଲାଭ କରିଥିଲେ ।

 

୧୯୩୭ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀ ବିଶ୍ଵନାଥ ଦାଶ ବରୋଦା ରାଜ୍ୟରେ ବଧ୍ୟାତାମୂଳକ ପ୍ରାଥମିକ ଶିକ୍ଷା ଓ ପାଠାଗାର ଆନ୍ଦୋଳନ କିପରି ଚାଲିଛି ବୁଝିବ ପାଇଁ ଲକ୍ଷ୍ମୀନାରାୟଣଙ୍କୁ ସରକାରଙ୍କ ପକ୍ଷରୁ ପଠାଇଥିଲେ । ବରୋଦାରେ କେନ୍ଦ୍ର ଲାଇବ୍ରେରୀ ମାଧ୍ୟମରେ ସାହାଯ୍ୟ ଦେଇ ଲେଖକମାନଙ୍କ ଉତ୍କୃଷ୍ଟ ଲେଖା ଛପାଇ ଦିଆଯାଏ ଏବଂ ସେସବୁକୁ ଭିନ୍ନ ଭିନ୍ନ ଶାଖା ଲାଇବ୍ରେରୀକୁ ପଠାଯାଏ । ଗ୍ରାମବାସୀ ପକ୍କା ଲାଇବ୍ରେରୀ ଘର କରିବାକୁ ଚାହିଁଲେ ଯେତିକି ଟଙ୍କା ଖର୍ଚ୍ଚ ହୁଏ ଅଧା କେନ୍ଦ୍ର ଲାଇବ୍ରେରୀ ବହନ କରେ । ଏହାଛଡ଼ା ସେଠାରେ ଭ୍ରାମ୍ୟମାଣ ପାଠାଗାର ମଧ୍ୟ ରହିଛି ।

 

ବାଧ୍ୟତାମୂଳକ ପ୍ରାଥମିକ ଶିକ୍ଷା ପ୍ରବର୍ତ୍ତନ ଆଇନ ଯୋଗୁ ସେଠାରେ ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଅଧିକ ସାକ୍ଷର । ମାତ୍ର ଅଭିଭାବକମାନଙ୍କ ପାଠପ୍ରତି ଅନାଗ୍ରହ ଯୋଗୁଁ ସେଠାରେ ବାଧ୍ୟତାମୂଳକ ଶିକ୍ଷା ସଫଳ ହୋଇ ପାରି ନାହିଁ । ସେ ବରୋଦାରେ ଏସବୁ ଦେଖି ଓଡ଼ିଶା ସରକାରଙ୍କୁ ଯେଉଁ ରିପୋର୍ଟ ଦେଇଥିଲେ ଅନ୍ୟାନ୍ୟ ରିପୋର୍ଟଗୁଡ଼ିକ ଭଳି ତାହା ମଧ୍ୟ ଫାଇଲବିଡ଼ାରେ ଉଇମାନଙ୍କ ଆହାର ହୋଇଛି । ସେଥିପାଇଁ ଶେଷ ସମୟରେ ସେ କମ୍ ମନ ଦୁଃଖ କରି ନାହାନ୍ତି ।

 

ଲକ୍ଷ୍ମୀନାରାୟଣ ମୃତ୍ୟୁ ପର୍ଯ୍ୟନ୍ତ ତୀବ୍ର ଜ୍ଞାନ ପିପାସୁ ଥିଲେ । ତାଙ୍କର ଅଶାନ୍ତିମୟ ପାରିବାରିକ ଜୀବନରେ ଲେଖା ଲେଖି ଓ ପଢ଼ାପଢ଼ି ତାଙ୍କୁ ହିଁ କେବଳ ଟିକେ ସନ୍ତୋଷ ଦେଉଥିଲା-। ବାଟରେ ଘାଟରେ ଗଲା ବେଳେ ସେ ସକ୍ରେଟିସ୍‍ଙ୍କ ଭଳି ନୀତିଶିକ୍ଷା ଦେଉଥିଲେ । ତାଙ୍କ ଅଗାଧ ବ୍ୟାବହାରିକ ଜ୍ଞାନଥିଲା । ବହୁତୋମୁଖୀ ଜ୍ଞାନପିପାସା ଏବଂ ଜ୍ଞାନଚର୍ଚ୍ଚା ଯୋଗୁଁ ତାଙ୍କୁ ଏକ ‘ଚଳନ୍ତା ବିଶ୍ଵବିଦ୍ୟାଳୟ’ ବୋଲି ମଧ୍ୟ ଅନେକ କହୁଥିଲେ । କିନ୍ତୁ ସେ ଜୀବନକୁ ଏକ ମହାବିଦ୍ୟାଳୟ ରୂପେ ଭାବି ନେଇ ନିଜର ସମସ୍ତ ପୁସ୍ତକପାଠଗତ ଶିକ୍ଷାକୁ ବାସ୍ତବ ଅନୁଭୁତିରେ ପରିମାର୍ଜିତ କରାଇଥିଲେ-

 

ସାମ୍ବାଦିକତା–ଓଡ଼ିଶାର ସମାଜ ଜୀବନରେ ଯେଉଁଠି ଅଭାବ, ଅସୁବିଧା ଓ ଅନଗ୍ରସରତା ଦେଖୁଥିଲେ ସତେ ଯେପରି ସେଠି ସେ ତୀବ୍ର ବିଷଜ୍ୱାଳାରେ ଅସ୍ଥିର ହେଉଥିଲେ । ଦିନରାତି ଭୋକ ଶୋଷ ଭୁଲି, ସେ ସବୁର ନିରାକରଣ ପାଇଁ ଯେତେଦୂର ସମ୍ଭବ ଚେଷ୍ଟା କରୁଥିଲେ । ଅନ୍ୟ ପାଞ୍ଚଜଣଙ୍କ ଭଳି ଭାବି ଚିନ୍ତି ବା କର୍ମ ରଚନାକରି ଓ ଭବିଷ୍ୟତର ଭଲମନ୍ଦ ବିଚାରକୁ ନେଇ କୌଣସି କାର୍ଯ୍ୟରେ ଆଗେଇବା ପାଇଁ ସେ ଥୟଧରି ରହିପାରୁ ନ ଥିଲେ । ୧୯୨୧ ମସିହାରେ ଯେତେବେଳେ ପୁରୀର ଦୁର୍ଭିକ୍ଷ ଅଞ୍ଚଳରେ ସେବାକାର୍ଯ୍ୟ ସାରି କଟକକୁ ଫେରିଲେ, ଅଧ୍ୟାପକ ଗୋପାଳଚନ୍ଦ୍ର ଗାଙ୍ଗୁଲି ତାଙ୍କୁ କହିଥିଲେ—‘‘ଲକ୍ଷ୍ମୀନାରାୟଣ, ଏତେ ବଡ଼ ଓଡ଼ିଶାରେ ଗୋଟିଏ ଇଂରାଜୀ କାଗଜ ନାହିଁ ?’’

 

ସଙ୍ଗେ ସଙ୍ଗେ ଲକ୍ଷ୍ମୀନାରାୟଣ ଲାଗିଗଲେ । ଶୁକ୍ରବାର ଦିନ ଅଧ୍ୟାପକଙ୍କ ସହ ଆଲୋଚନା ହେଲା । ଶନିବାର ଦିନ ମାଜିଷ୍ଟ୍ରେଟ୍‍ଙ୍କ ପାଖକୁ ଯାଇ ପୂର୍ବରୁ ମଧୁବାବୁଙ୍କ ଦ୍ୱାରା ପ୍ରତିଷ୍ଠିତ ‘ଷ୍ଟାର ଅଫ୍ ଉତ୍କଳ’ର ଡିକ୍ଲାରେସନ୍ ଆଣିଲେ ଏବଂ ବୁଧବାର ଦିନ ସାପ୍ତାହିକ ‘ଷ୍ଟାର ଅଫ୍ ଉତ୍କଳ’ ଆତ୍ମପ୍ରକାଶ କଲା । ୧୯୧୮ ମସିହାରୁ ପୁରୀରୁ ତାଙ୍କ ସମ୍ପାଦନାରେ ‘ସହକାର’ ବାହାରୁଥିଲା, ଏବେ ସେ ଦୁଇଟିଯାକ ପତ୍ରିକା କଟକରୁ ବାହାର କରିବାକୁ ଲାଗିଲେ । ଏହି ଦୁଇଟି ପତ୍ରିକାରେ ଅନ୍ୟାୟ ଅନୀତି, ବିରୁଦ୍ଧରେ ତୀବ୍ର ସମାଲୋଚନା ପ୍ରକାଶ ପାଇବାରୁ, ଭାରତ ସେବକ ସମିତିରେ ତାଙ୍କ ବିରୁଦ୍ଧରେ ବହୁ କଥା ଉଠିଲା । ଶେଷରେ ଏହି ପତ୍ରିକା ଦୁଇଟିରୁ ‘ସହକାର’କୁ ବାଳକୃଷ୍ଣକରଙ୍କୁ ଏବଂ ଇଂରାଜୀ ପତ୍ରିକା ‘ଷ୍ଟାର ଅଫ୍ ଉତ୍କଳ’କୁ ରାଜକୃଷ୍ଣ ବୋଷଙ୍କୁ ସମର୍ପି ଦେବାକୁ ସେ ବାଧ୍ୟ ହୋଇଥିଲେ ।

Image

 

ଲେଖକ ସୃଷ୍ଟି ଅଭିଯାନ

 

‘ବୈତରଣୀ’ ନାମକ ଏକ ଇଂରାଜୀ ମାସିକ ପତ୍ରିକା ମଧ୍ୟ କିଛିଦିନ ପାଇଁ ସେ ବାହାର କରିଥିଲେ । ଏହି ପତ୍ର ପତ୍ରିକା ମାଧ୍ୟମରେ ସେ ଓଡ଼ିଶାରେ ଅଗଣନ ଲେଖକ ସୃଷ୍ଟି କରିଯାଇଛନ୍ତି । ସମସ୍ତଙ୍କୁ ସେ କହୁଥିଲେ—‘ଯେତେବେଳେ ଯେଉଁ ଭଲ ଭାବନା ଆସିବ, ତାକୁ ସଙ୍ଗେ ସଙ୍ଗେ ଲେଖିପକାଇବ । ଛାପା ହେଉ ବା ନ ହେଉ ସେ ଭବନାଗୁଡ଼ିକ କେବେ ନଷ୍ଟ ହେବ ନହିଁ । ତାର ନିଶ୍ଚୟ ପ୍ରତିଫଳିନ ହେବ । ‘‘ବହୁ ଉଦୀୟମାନ ପିଲାଙ୍କ ପାଖରେ ସେ ନିଜେ ଯାଇଁ ପହଞ୍ଚନ୍ତି । କହନ୍ତି—କିଛି ଲେଖା ଦିଅ, ତୁମେ ଯାହା ଦେବ ତାହାକୁ ମୁଁ ଛାପି ଦେବି ଓ ତୁମ୍ଭ ଲେଖାର ଛାପାରୂପ ଦେଖିଲେ ତୁମ ମନ ଖୁସି ହେବ ଏବଂ ଆହୁରି ଲେଖିବାକୁ ପ୍ରେରଣା ପାଇବ ।’’

 

ସହକାର ଓ ଷ୍ଟାର ଅଫ୍ ଉତ୍କଳ ତଥା ବୈତରଣୀରେ ତାଙ୍କ ଲିଖିତ ସଂପାଦକୀୟ ଗୁଡ଼ିକରୁ ଜଣାଯାଏ କିପରି ସେ ଦୂରଦ୍ରଷ୍ଟା ଥିଲେ । ପ୍ରାଚୀନ ଜୀର୍ଣ୍ଣ ସମାଜ ବିରୁଦ୍ଧରେ ବିଦ୍ରୋହ ଘୋଷଣା କରିଥିଲେ । ଯୁବକମାନଙ୍କୁ ଜାତିଗଠନ କାର୍ଯ୍ୟରେ ପ୍ରେରଣା ଦେବାରେ ସେ ଥିଲେ ଉତ୍ସାହର ଉତ୍ସ, ନାରୀଜାତିର ଜାଗରଣ ସୃଷ୍ଟିରେ ଅଗ୍ରଦୂତ ।

Image

 

ଦେଶପ୍ରୀତି

 

ପିଲାଦିନୁ ଲକ୍ଷ୍ମୀନାରାୟଣଙ୍କ ସ୍ୱଭାବରେ ଟିକିଏ ଟିକିଏ ବ୍ୟତିକ୍ରମର ଭାବ ଦେଖାଯାଉଥିଲା । ସେ ଯଦି ନିଜକୁ ସମାଜ ସଂସ୍କାର ଦିଗରେ ବ୍ରତୀ କରାଇ ନ ଥାନ୍ତେ ହୁଏତ ଆଜି ଲୋକମାନ୍ୟ ଗୋପାଳକୃଷ୍ଣ ଗୋଖଲେଙ୍କ ଭଳି ସେ ଓଡ଼ିଶାରେ ଜଣେ ‘ବଡ଼ ନେତା’ ହୋଇପାରିଥାନ୍ତେ । ମାତ୍ର ଗୋଖଲେଙ୍କ ଭାରତ ସେବକ ସମିତିରେ ଯୋଗ ଦେଇ ସେ ଜଣେ ‘ପର ଦୁଃଖ କାତର ସ୍ନେହଶୀଳ ଜନ ସେବକ’ ହୋଇ ରହିଗଲେ ।

Unknown

 

୧୯୦୫ ମସିହାରେ ବନ୍ଦେ ମାତରଂ ଆନ୍ଦୋଳନ ଚାଲିଲା ଏବଂ ସେହି ସ୍ରୋତରେ ଅନେକ–ଝାସ ଦେଲେ । ଲକ୍ଷ୍ମୀନାରାୟଣଙ୍କୁ ବୟସ ସେତେବେଳେ ୧୫ ବର୍ଷ ମାତ୍ର । ଘରର କଠୋର କଟକଣା ଓ ଦାରିଦ୍ର୍ୟର କଷାଘାତ ଯୋଗୁ ସେ ସେହି ସ୍ରୋତରେ ଡାକି ବଜାଇ ଝାସ ଦେଇ ନ ପାରିଲେ ମଧ୍ୟ ସେହି ଦିନଠାରୁ ମନଟା ତାଙ୍କର ଦେଶ ମାତାର ସେବା ମୁହାଁ ହୋଇ ଯାଇଥିଲା ।

 

ତାଙ୍କ ଗାଁ ବାରବାଟୀ ଓ ପାଖ ସୋଏଲପୁର ଗ୍ରାମରେ ୧୯୦୫ ରେ ଦୁଇଟି କୁସ୍ତିବଳ ଚଢ଼ାଗଲା । ତୁହାକୁ ତୁହା କଲିକତାରୁ ବିପ୍ଳବୀ ବକ୍ତାମାନେ ଆସି ଭାଷଣ ଦେଇ ତରୁଣପ୍ରାଣକୁ ଚହଲାଇଲେ । ଚାରିଆଡ଼େ ସେମାନଙ୍କ ପ୍ରୋତ୍ସାହନ କ୍ରମେ ସଭାସମିତି ହେଲା । ପିଲାଏ ବିଲାତରୁ ଆସୁଥିବା ଲୁଗା, ଚିନି ଓ ସଫା ଲୁଣ ବର୍ଜନ କଲେ । ଲକ୍ଷ୍ମୀନାରାୟଣ ଏମାନଙ୍କ ମଧ୍ୟରେ ଆଗୁଆ ହୋଇ ଉଠିଲେ । ଥରେ କଲିକତାରୁ ଚିନ୍ତାହରଣ ବାବୁ ଆସି ଗୋଟାଏ ସଭାରେ ଭାଷଣ ଦେଇସାରି ପଚାରିଲେ—ଦେଶପାଇଁ କିଏ ପ୍ରାଣ ଦେବ ? ଲକ୍ଷ୍ମୀନାରାୟଣ ଠିଆ ହୋଇ ପଡ଼ିଲେ । ଚିନ୍ତହରଣବାବୁ କିନ୍ତୁ ବହୁତ ବୁଝାଇଲେ—ଦେଶସେବା ବଡ଼ କଠିଣ କାମ, ଜେଲ୍ ଯିବାକୁ ପଡ଼ିବ, ଲାଠି ମାଡ଼ ଖାଇବାକୁ ହେବ । ଜେଲ୍ ରେ ଛାତ ଉପରେ ପଥର ଚପାଇ ଦେବେ । ବଢ଼ା ଭାତରେ ଧୂଳି ପକାଇ ଦେବେ । ଆଙ୍ଗୁଠି ଛେଚି ଦେବେ । ତଥାପି ସେ ଡରି ନ ଥିଲେ ।

 

ଏହାପରେ ସନ୍ତ୍ରାସବାଦୀ ଆନ୍ଦୋଳନର ନେତା ବିପ୍ଳବୀ ଅରବିନ୍ଦ ଘୋଷ ଧରା ପଡ଼ିଲେ-। ତାଙ୍କ ବିରୁଦ୍ଧରେ ମୋକଦ୍ଦମା ହେଲା । ଖଲାସ କରିବାକୁ ଲଢ଼ିଲେ ବାରିଷ୍ଟର ଚିତ୍ତରଞ୍ଜନ ଦାସ । ପ୍ରତିଦିନ ଏହି ମୋକଦ୍ଦମା ବିବରଣୀ ଜାଣିବାକୁ ଲକ୍ଷ୍ମୀନାରାୟଣ ଖବର କାଗଜ ପଢ଼ିଲେ । ଧୀରେ ଧୀରେ ସେ ଜାତୀୟବାଦୀ ହୋଇ ଉଠିଲେ । ଘର ଓ ପରିବାରର ଚାରିକାନ୍ଥ ଭିତରେ ନିଜର ସଂକୀର୍ଣ୍ଣ ସ୍ୱାର୍ଥ ଚିନ୍ତାକରି ଜୀବନ କାଟିବାକୁ ତାଙ୍କ ମନରେ ପ୍ରବଳ ବିତୃଷ୍ଣା ସୃଷ୍ଟି ହେଲା ।

 

ସାହେବମାନଙ୍କ ଅତ୍ୟାଚାର ବର୍ଗୀ ଅତ୍ୟାଚାରକୁ ବଳି ଯାଇଥିଲା । ଲୋକଙ୍କର ଚେତନା ଓ ସ୍ୱାଧୀନ ହେବାର ପିପାସା ଜାଗ୍ରତ ହେବାରେ ସେମାନେ ସାହେବମାନଙ୍କୁ ଘୃଣା କରିବା ଆରମ୍ଭ କରି ଦେଲେ । ଲକ୍ଷ୍ମୀନାରାୟଣଙ୍କ ମା ଗୀତ ବୋଲୁଥିଲେ—

 

"ସାଇବ ସାଇବ ପାକଲା ପାନ ଖାଇବ

ଘୁଅ ବାଡ଼ିକି ଧାଇଁବ ।"

 

ସାହେବମାନେ ଯେ ଦେଶର ଶତ୍ରୁ ସେମାନଙ୍କୁ ତଡ଼ାଯିବା ଆବଶ୍ୟକ । ମାଆଙ୍କ ଗୀତରୁ ଲକ୍ଷ୍ମୀନାରାୟଣ ବୁଝି ଯାଇଥିଲେ । ତରୁଣ ବୟସରେ ଇଂରେଜମାନଙ୍କ ଅନ୍ୟାୟ ଅନୀତି ବିରୁଦ୍ଧରେ ସେ ସ୍ୱର ଉତ୍ତୋଳନ କରିବାକୁ ଦୃଢ଼ ସାହାସ ବାନ୍ଧିଲେ । ସେତେବେଳେ କିନ୍ତୁ ସାହେବମାନଙ୍କତୋଷାମଦି କରିବା ଶିକ୍ଷିତମାନଙ୍କର ଭାଗ୍ୟୋଦୟର ପଥବୋଲି ବିଚାର କରାଯାଉଥିଲା ।

 

ମିଶନ ସ୍କୁଲରେ ଶିକ୍ଷକ ଥିବାବେଳେ ବୟସରେ ତାଙ୍କଠାରୁ ସାମାନ୍ୟ ବଡ଼ ଅଥଚ ତାଙ୍କ ଛାତ୍ର ଗୋବିନ୍ଦ ମିଶ୍ର କେତେଜଣ ସହପାଠୀଙ୍କୁ ଧରି ଦେଶମାତାକୁ ସ୍ୱାଧୀନ କରିବା ପାଇଁ ଗୋଟିଏ ସଂଘ ଗଠନ କରିଥିଲେ । ଏମାନଙ୍କର ଗୁପ୍ତ ବୈଠକ ବସୁଥିଲା । ସେମାନେ ନିଜକୁ ସ୍ଵାଧୀନତା ସଂଗ୍ରାମୀ କରି ଗଢ଼ିବାପାଇଁ ପାନ, ବିଡି, ଗୁଡ଼ାଖୁ ଇତ୍ୟାଦିର ବ୍ୟବହାର ଛାଡ଼ିଥିଲେ । ତେଲ ଲଗାଉ ନଥିଲେ । ନିରାମିଶା ମୋଟାସୋଟା ଭୋଜନ ଅଭ୍ୟାସ କରୁଥିଲେ । ଲକ୍ଷ୍ମୀନାରାୟଣ ଶିକ୍ଷକ ଥାଇ ମଧ୍ୟ ସେହି ସଂଘ ବୈଠକରେ ଯୋଗ ଦେଇ ପିଲାମାନଙ୍କ ସହ କଷ୍ଟ ସାଧନା କରୁଥିଲେ । ଖରା ବର୍ଷାରେ ଏହି ଉଦୀୟମାନ ତରୁଣମାନଙ୍କୁ କଷ୍ଟସହି ଶିଖାଇ ଭବିଷ୍ୟତର ବିପ୍ଳବୀ ଗଠନ କାର୍ଯ୍ୟରେ ନିଜକୁ ସେ ନିୟୋଜିତ କରିଥିଲେ ।

 

ଏହାପରେ ହଠାତ୍ ତାଙ୍କ ଜୀବନର ଗତିଧାରା ବଦଳିଗଲା । ଦେଶକୁ ସ୍ୱାଧୀନ କରିବା ଅପେକ୍ଷା ସ୍ଵାଧୀନତା ମିଳିଲେ ସମ୍ଭାଳିପାରିବା ନିମନ୍ତେ ଦେଶକୁ ତିଆରି କରିବାରେ ଲାଗିଗଲେ । ଶତ ଶତ ବୁଭୂକ୍ଷୁ, ରୋଗୀ, ମୂର୍ଖ ଓ ଅସ୍ପୃଶ୍ୟଙ୍କ ଚିନ୍ତା ଓ ସେବାରେ ସତେ ଯେପରି ସେ ପାଗଳ ହୋଇ ଯାଇଥିଲେ ।

 

ପ୍ରକୃତରେ ମୂଳରୁ ସେ ଜଣେ ବିପ୍ଳବୀ ବା ଅରାଜକତାବାଦୀ ଥିଲେ କିନ୍ତୁ ସେ କର୍ମ ଜୀବନ ଆରମ୍ଭ କଲା ବେଳକୁ ଓଡ଼ିଶାରେ ନିଜ ମନମୁତାବକ ସଙ୍ଗୀ ପାଇଲେ ନାହିଁ । କଂଗ୍ରେସ ସକ୍ରୀୟ ହୋଇନାହିଁ । ଏବେ ପ୍ରାଣ ଚଞ୍ଚଳ ହେଉଛି । ବୃହତ୍ତର କ୍ଷେତ୍ରରେ ପ୍ରବେଶ ପାଇଁ ହଠାତ୍ ସେ ଭାରତ ସେବକ ସମିତିରେ ଯୋଗ ଦେଇଦେଲେ । କିନ୍ତୁ ଏହା ଥିଲା ଏକ ନରମପନ୍ଥୀ ସଂଗଠନ । ତଥାପି ତା ଭିତରେ ବହୁ ମହାନ ଆତ୍ମାର ସନ୍ଧାନ ପାଇଁ ସେ ଉତ୍ସାହିତ ହେଲେ । ଭାବିଥିଲେ ଏହି ଅନୁଷ୍ଠାନ ସମୟ ସହ ତାଳ ଦେଇ ନିଜର ନୀତି ନିୟମକୁ ଦେଶମାତାର ଅଭାବ ଅସୁବିଧା ଦୃଷ୍ଟିରୁ ବଦଳାଇ ଦେବ । କିନ୍ତୁ ହେଲା ନାହିଁ ବରଂ ଏହା ଧୀରେ ଧୀରେ ରାଜନୀତିଠାରୁ ପୁରାପୂରି ଦୂରେଇ ହୋଇଗଲା ।

 

ଏକଦା ଏହାର ସଭାପତି ଶ୍ରୀ ଶ୍ରୀନିବାସ ଶାସ୍ତ୍ରୀ ଭାରତରେ ଗାନ୍ଧିଜୀଙ୍କ ପ୍ରବର୍ତ୍ତିତ ହୋମରୁଲ ଆନ୍ଦୋଳନର ଉପସଭାପତି ଥିଲେ । ତାଙ୍କ ଉପରେ ମଧ୍ୟ କଟକଣା ଜାରି କରାଗଲା । ତେଣୁ ଲକ୍ଷ୍ମୀନାରାୟଣ କଟକରେ ଏକ ହୋମରୁଲ ଶାଖା ଗଠନ କରି ଦେଶର ଯୁବକମାନଙ୍କ ସହ ସକ୍ରୀୟ ରାଜନୀତିରେ ପଶିବାର ଯେଉଁ ଇଚ୍ଛା ପୋଷଣ କରିଥିଲେ ତାହା ସମ୍ଭବ ହେଲା ନାହିଁ ।

 

ସେହିପରି ସେ କଂଗ୍ରେସରେ ମଧ୍ୟ ପଶୁ ପଶୁ ମୁଣ୍ଡରେ ଚାଳ ବାଜିଲା । ସମିତି ବାଧା ଦେଲା । ଗାନ୍ଧିଜୀଙ୍କ କଂଗ୍ରେସ ମାଧ୍ୟମରେ ସ୍ଵରାଜ୍ୟ ଆନ୍ଦୋଳନରେ ଯୋଗ ଦେବାକୁ ସେ ଖୁବ୍ ମନ କରିଥିଲେ । ମାତ୍ର ଭାରତ ସେବକ ସମିତି ପକ୍ଷରୁ ପ୍ରତିବନ୍ଧକ ସୃଷ୍ଟି ତାଙ୍କ ପ୍ରାଣରେ ଖୁବ୍ ଆଘାତ ଦେଇଥିଲା । ସେ ପରିଣତ ବୟସରେ ଅତି ଦୁଃଖରେ କହୁଥିଲେ, ‘‘ଆଜି ଭାରତ ସେବକ ସମିତିରେ ୪୦ ବର୍ଷ ରହିବାପରେ ଦୁଃଖର ସହ କହିବାକୁ ପଡ଼ୁଛି ଯେ ଏହି ସମିତି ମରିଯିବାକୁ ବସିଲାଣି ଏହି ପଚାଶ ବର୍ଷ ଭିତରେ । କାରଣ ଆମର ସମିତି କଂଗ୍ରେସରୁ ବିଚ୍ଛିନ୍ନ ହୋଇ ରହିଲା ପରେ ଆଉ କାହାରି ସାଙ୍ଗରେ ମିଶିଲା ନାହିଁ । ଏକା ଏକା କାମ କରିବାକୁ ବସିଲା । ସୁତରାଂ ତାର ଶକ୍ତି ହଟିଗଲା । ‘‘ମରିୟା ଯାଇବେ ହଇଲେ ଏକା ଏକଟି ଜଳକଣା’’ ସେହି ଅବସ୍ଥା ଆମ ଭାରତ ସେବକ ସମିତିକୁ ଘୋଟିଛି । ଯୁଗର ପରିବର୍ତ୍ତନ ସହ ଯେ ତାଳ ଦେଇ ଚାଲି ନ ପାରିବା ଯୁଗ ତାକୁ ନିଜ ସ୍ମୃତି ପଥରୁ ଦୂର କରିଦେବ’’ ।

 

‘‘ମୁଁ ଆଖି ବୁଜିବାକୁ ବସିଲିଣି । ଏହି ସମୟରେ ଏହା କହିବି ଯେ, କୌଣସି ସଂଗଠନକୁ ବଳଶାଳୀ କରିବାକୁ ହେଲେ, ସଜୀବ କରିବାକୁ ହେଲେ ତାର ସଭ୍ୟମାନେ ପରିପାର୍ଶ୍ୱକ ଅବସ୍ଥାକୁ ଭୁଲି ଏଥିରେ ଅନ୍ଧ ପୁଟୁଳି ଦେଇ ବସିଲେ ଚଳିବ ନାହିଁ । ସମସ୍ତ ପରିପାର୍ଶକୁ ପଙ୍କକୁଣ୍ଡ, ନର୍ଦ୍ଦମା, ନରକ ଭାବି ସମସ୍ତଙ୍କଠାରୁ ବିଚ୍ଛିନ୍ନ ରହିଯିବାର ଅର୍ଥ ପଙ୍କଜଟି ପଙ୍କରୁ ଏକାବେଳକେ ବାହାରି ଆସି ଶୁଖିଯିବ । ସମସ୍ତଙ୍କୁ କଦାପି ବର୍ଜନ କରିହେବ ନାହିଁ ।

 

ଭାରତ ସେବକ ସମିତି ଭାରତର ବଡ଼ ବଡ଼ ଆନ୍ଦୋଳନଠାରୁ ନିଜକୁ ପୃଥକ ରଖି ଶୁଖି ଯାଇଛି ଓ ଆହୁରି ଶୁଖି ଯାଉଛି । ତ୍ୟାଗ ଉପରେ ପ୍ରତିଷ୍ଠିତ ଜୀବନ କର୍ମରେ ଚଞ୍ଚଳ ନ ହେଲେ ବାବାଜୀ ହୋଇଯିବ । ନିଷ୍କର୍ମା ହେବ । ଆଲୋକ ବା ପ୍ରଗାଢ଼ ଆଦର୍ଶର ସ୍ପର୍ଶରେ ଆନ୍ଦୋଳିତ ନ ହେବା ମୃତ୍ୟୁର ଲକ୍ଷଣ—ଏହା ଆତ୍ମହତ୍ୟା, ମହାପାପ ।

 

ପ୍ରତ୍ୟକ୍ଷ ରାଜନୀତିରେ ଅଂଶ ଗ୍ରହଣ ନ କଲେ ମଧ୍ୟ କଂଗ୍ରେସ ରାଜନୀତିକୁ ସକ୍ରୀୟ କରିବାରେ ତାଙ୍କର ଅବଦାନ କମ୍ ନୁହେଁ । ଭବିଷ୍ୟତରେ କଟକ ଜିଲ୍ଲା କଂଗ୍ରେସର ସଭାପତି ହୋଇଥିବା ଜାତୀୟ କବି ବୀରକିଶୋର ଦାସଙ୍କୁ ସେ ପ୍ରଥମେ ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ କରାଇ କଂଗ୍ରେସରେ ପୂରାଇଥିଲେ । ଡକ୍ଟର ହରେକୃଷ୍ଣ ମହତାବ ତ ତାଙ୍କୁ ଛାତ୍ରାବସ୍ଥାରୁ ଉତ୍କଳ ସେବା ସମିତି ମାଧ୍ୟମରେ ସାଧାରଣ ଜୀବନକୁ ଟାଣି ନେବାରେ ଲକ୍ଷ୍ମୀନାରାୟଣଙ୍କ ଅବଦାନ, ମୁକ୍ତକଣ୍ଠରେ ସ୍ଵୀକାର କରି ଯାଇଛନ୍ତି । ମହତାବବାବୁ ଲେଖିଛନ୍ତି—କର୍ମମୟ ଜୀବନ ସେ ଦାନକରି ଯାଇଛନ୍ତି ଦେଶକୁ—ଓଡ଼ିଶାରେ କର୍ମମୟ ଜୀବନର ଆଦର୍ଶ ଅକ୍ଷୁର୍ଣ୍ଣ ରଖିବା ପାଇଁ ଲକ୍ଷ୍ମୀନାରାୟଣଙ୍କ ସ୍ମୃତି ରକ୍ଷା ଏକାନ୍ତ ଆବଶ୍ୟକ ।

 

ପୁଣି ଯେତେବେଳେ ୧୯୩୦ ମସିହାରେ ବାଲେଶ୍ଵର ଇଞ୍ଚୁଡ଼ିଠାରେ ଆଚାର୍ଯ୍ୟ ହରିହରଙ୍କ ନେତୃତ୍ୱରେ ଲବଣ ସତ୍ୟାଗ୍ରହ ଚାଲିଲା ସେତେବେଳେ ପ୍ରଥମଥର ପାଇଁ ଓଡ଼ିଆ ଘରର ବୋହୂ ଏବଂ ବହୁ ସଂଖ୍ୟକ ଅଳ୍ପ ବୟସ୍କ ପିଲା ସେହି ଆନ୍ଦୋଳନରେ ଯୋଗ ଦେଇଥିଲେ । ଇଂରେଜମାନଙ୍କ ଅକଥନୀୟ ଅତ୍ୟାଚାର ଫଳରେ ଇଞ୍ଚୁଡ଼ି ଅଞ୍ଚଳରେ ହାହାକାର ପଡ଼ିଯାଇଥିଲା । ଓଡ଼ିଶାରେ ସେତେବେଳେ ଖବରକାଗଜ ନାହିଁ କହିଲେ ଚଳେ । ଏଣେ ଇଂରେଜମାନେ ଅନୁଭବ କଲେ ଲବଣ ସତ୍ୟାଗ୍ରହୀମାନଙ୍କୁ କୌଣସି ପ୍ରକାରେ ଦବାଇ ନ ଦେଲେ ଦେଶରେ ଶାସନ କରିହେବ ନାହିଁ । ପୋଲିସ ଆଖିବୁଜି ଅତ୍ୟାଚାର, ଲୁଟ୍ ପାଟ ଆରମ୍ଭ କରିଦେଲା । ଇଞ୍ଚୁଡ଼ି ଅଞ୍ଚଳରେ କୋକୁଆଭୟ ଖେଳିଗଲା । ଦିନରେ ମଧ୍ୟ ଲୋକେ ପୋଲିସ୍ ଭୟରେ କବାଟ ଫିଟାଉ ନ ଥାନ୍ତି । ଲୁଚିକରି ଘରେ ରହି ଥାଆନ୍ତି ।

 

ସେଠି କଅଣ ହୋଇଛି ଜାଣିବା ଓ ଦେଶବାସୀଙ୍କୁ ଜଣାଇବା ପ୍ରଧାନ କାର୍ଯ୍ୟ ମନେ ହେଲା । କଟକର ଟାଉନ୍ ହଲ୍‍ରେ ସଭାକରି କର୍ମୀ ସଂଗ୍ରହ ଉଦ୍ୟମ ହେଲା । ମାତ୍ର ସଭାରେ କେହି ସଭାପତିତ୍ୱ କରିବାକୁ ସାହାସ କଲେ ନାହିଁ । ତେଣେ ରମାଦେବୀ ପ୍ରମୁଖ କେତେକ ନାରୀ କର୍ମୀ ଯାଇଥାନ୍ତି । ନବକୃଷ୍ଣ ଚୌଧୁରୀଙ୍କ ପତ୍ନୀ ମାଳତୀ ଚୌଧୁରୀ ଖୁବ୍ ବ୍ୟସ୍ତ ହେଲେ । ପୁଣି ଯେ କୌଣସି ଲୋକ ଗଲେ ମଧ୍ୟ ସେମାନଙ୍କ କଥା ବାହାରେ ବିଶ୍ୱାସଯୋଗ୍ୟ ହେବନାହିଁ । ତେଣୁ ଅଣରାଜନୈତିକ ସତ୍ୟବାଦୀ ଲୋକ ନ ହେଲେ ସେମାନଙ୍କୁ ପୋଲିସ ହୁଏତ ସେଠାକୁ ଛାଡ଼ି ନ ପାରେ । ଯଦିବି ସେମାନେ ସେଠା ଅବସ୍ଥା ଦେଖନ୍ତି ଓ ଲୋକେ ଦୁଃଖରେ ଥିବା ପଦାରେ ଜାଣନ୍ତି, ସମସ୍ତେ ମଧ୍ୟ ସେମାନଙ୍କ କଥାକୁ ବିଶ୍ୱାସ କରି ନ ପାରନ୍ତି ।

 

ଶେଷକୁ ଲକ୍ଷ୍ମୀନାରାୟଣ ପଣ୍ଡିତ ଲିଙ୍ଗରାଜ ମିଶ୍ର ଓ ସୁଧୀର ଘୋଷଙ୍କୁ ସାଙ୍ଗରେ ଧରି ଇଞ୍ଚୁଡ଼ି ବାହାରିଲେ । ବାଲେଶ୍ୱରରେ ଓହ୍ଲାଇ ସହଯାତ୍ରୀ ଖୋଜିଲେ । ମାତ୍ର ନିଶ୍ଚିତ ବିପଦ ମୁହଁକୁ ସହଯାତ୍ରୀ ବା ମିଳନ୍ତେ କେଉଁଠୁ ? ଶେଷରେ ମିଳିଲେ ଓକିଲ ଗିରି । ମାତ୍ର ବାଟରେ ତାଙ୍କର ମଟର ଖରାପ ହେଲା, ସେ ମଧ୍ୟ ରହିଲେ ।

 

ବଡ଼ କଷ୍ଟରେ ଇଞ୍ଚୁଡ଼ିରେ ପହଞ୍ଚି ଦେଖିଲେ ଚାରିଆଡ଼ ଶୁନଶାନ୍ । ପଦାରେ କେହି ଲୋକ ଦିଶୁନାହାନ୍ତି । ମଧ୍ୟାହ୍ନରେ ଅନ୍ଧକାର । କେହି ଯଦି ଟିକେ ପଦାକୁ ବାହାରିଛି ଡାକିଦେଲେ କବାଟ କିଳି ଲୁଚି ଯାଉଛି—ଇୟେ ପୋଲିସ୍ ହୋଇଥିବେ । ନ ହେଲେ ସି. ଆଇ. ଡି. ହୋଇଥିବେ ବୋଲି ମନରେ ଧାରଣା ।

 

‘‘କ୍ରମେ କ୍ରମେ ଜଣାପଡ଼ିଗଲା—ଏମାନେ ପୋଲିସ ନୁହନ୍ତି; ସାହାଯ୍ୟ କରିବାକୁ ଆସିଛନ୍ତି । ଗାଁଗଣ୍ଡା, ଘର ଦ୍ୱାର ବୁଲି ଦେଖିଲେ । ପ୍ରତି ଘରେ ଲୁଟ୍ ପାଟ ହୋଇଛି । ଲୋକଙ୍କ ଉପରେ ଅତ୍ୟାଚାର ହୋଇଛି । ଜିନିଷପତ୍ର ଭାଙ୍ଗି ତୁଟି ଦିଆଯାଇଛି । ସେତେବେଳକୁ ରାତି ପ୍ରାୟ ଆଠଟା ହେଲାଣି । ଲକ୍ଷ୍ମୀନାରାୟଣ କହିଲେ—ଆମେ ବଡ଼ ଥକ୍କା । ଭୋକ ବି ଖୁବ୍ ହେଲାଣି । ଆଜି ରାତିରେ ଏଇଠି ରହିଯିବୁ । କାଲି ସକାଳେ ଫେରିବୁ । ଦି’ଟା ଭାତ ଫୁଟାଇ ଦେଲେ ଖାଇବୁ-।’’

 

ମାତ୍ର କାହାଘରେ ଚାଉଳ ଅଛି ? ବାହାରକୁ ବା କିଏ ଯାଉଛି ? ସେ ଗାଁ ରେ ଚାଉଳ ସ୍ୱପ୍ନ । ଶେଷରେ ମୁଠେ ମୁଠେ ମୁଢ଼ି ଖାଇ ବଡ଼କଷ୍ଟରେ ବାଲେଶ୍ଵର ଆସିଲେ । ମୁକ୍ତ୍ୟାର ମୁକୁନ୍ଦ ପ୍ରସାଦ ବାବୁଙ୍କ ଘରକୁ ଯାଇ ଇଞ୍ଚୁଡ଼ିର ଦୂରବସ୍ଥା ସମ୍ପର୍କରେ ରିପୋର୍ଟ ଟାଇପ୍ କରି କଲିକତା କାଗଜମାନଙ୍କୁ ପଠାଇଦେଲେ । ଏ ଘଟଣା ପ୍ରକାଶ ପାଇବ ପରେ ପୋଲିସ୍ ଅତ୍ୟାଚାର ଟିକେ କମିଯାଇଥିଲା । ସହଜେ ତ ଗାନ୍ଧୀ—ଇର୍ ଉଇନ୍ ଚୁକ୍ତି ଲବଣ ସତ୍ୟାଗ୍ରହରେ ପୂର୍ଣ୍ଣଚ୍ଛେଦ ଟାଣିଥିଲା ।

Image

 

ସମବାୟର ଅଗ୍ରଦୂତ

 

ଲକ୍ଷ୍ମୀନାରାୟଣ ହେଉଛନ୍ତି ଓଡ଼ିଶାରେ ସମବାୟ ଆନ୍ଦୋଳନର ଅଗ୍ରଦୁତ । ୧୯୧୭ରେ ଭାରତ ସେବକ ସମିତିରେ ଯୋଗଦେବା ପରେ ଗୋପାଳକୃଷ୍ଣ ଦେବଧରଙ୍କଠାରୁ ସହଯୋଗ ଆନ୍ଦୋଳନ ନିମନ୍ତେ ସେ ପ୍ରେରଣା ପାଇଲେ । ଓଡ଼ିଶାବାସୀଙ୍କ ମନରେ ସମବାୟ ବା ସହଯୋଗର ଭାବନା ଉଦ୍ରେକ ନିମନ୍ତେ ସେ ୧୯୧୮ ମସିହାରେ ସର୍ବପ୍ରଥମେ ‘ସହକାର’ ପତ୍ରିକା ପ୍ରକାଶ କଲେ । ସହକାରର ଅର୍ଥ ମଧ୍ୟ ସହଯୋଗ । କିନ୍ତୁ ପରେ ସମବାୟ ବିଭାଗ ପକ୍ଷରୁ ‘ସହଯୋଗ’ ନାମକ ପତ୍ରିକାଟିଏ ପ୍ରକାଶ ପାଇବାରୁ ସେ ‘ସହକାର’କୁ ସାହିତ୍ୟ ପତ୍ରିକାରେ ରୂପାନ୍ତରିତ କଲେ ଏବଂ ବିଭାଗୀୟ ପତ୍ରିକାରେ ମଧ୍ୟ ସମ୍ପାଦକ ରହିଥିଲେ ।

 

ସାହୁଜୀଙ୍କ ବନ୍ଧୁ ରାଜେନ୍ଦ୍ରମୋହନ ଚାଟ୍ଟାର୍ଜି ପ୍ରଥମେ ତାଙ୍କୁ ସମବାୟ ଆନ୍ଦୋଳନରେ ସକ୍ରୀୟ ଅଂଶଗ୍ରହଣ କରିବାକୁ ପ୍ରବର୍ତ୍ତାଇଲେ । ସେ କଟକ ସେଣ୍ଟ୍ରାଲ୍ କୋ-ଅପରେଟିଭ୍ ବ୍ୟାଙ୍କ୍‍ର ଅଂଶ କିଣି ଦିନାକେତେ ସହଯୋଗ ସମିତିର ଅବୈତନିକ ସଙ୍ଗଠନ କର୍ତ୍ତାରୂପେ କାର୍ଯ୍ୟ ଚଳାଇଲେ-। ଏହାପରେ ଯେଉଁ ବାର୍ଷିକ ସଭା ବସିଲା ସେଥିରେ ସେ ଡାଇରେକ୍ଟର ନିର୍ବାଚିତ ହୋଇଗଲେ-

 

ସହରାଞ୍ଚଳ ଲୋକଙ୍କ ଅପେକ୍ଷା ମଫସଲବାସୀ ଅଧିକ ଦୁଃଖରେ ଅଛନ୍ତି । ସେମାନଙ୍କ ଦୁଃଖ ଲାଘବପାଇଁ ମଫସଲ ଅଞ୍ଚଳର ଡିରେକ୍ଟର ହେବା ଆବଶ୍ୟକ ମନେକରି ସେ ଚୌଦ୍ୱାରରେ ଥିବା ସହଯୋଗ ସମିତିର ସଭ୍ୟ ହେଲେ । ପୁଣି ସମିତିମାନଙ୍କ ପ୍ରତିନିଧିଙ୍କ ଭୋଟରେ କଟକ ବ୍ୟାଙ୍କର ଡିରେକ୍ଟର ହେଲେ ।

 

ପୁନାଠାରେ ଭାରତ ସେବକ ସମିତିର ଅନ୍ୟତମ ତୁଙ୍ଗ କର୍ମକର୍ତ୍ତା ଗୋପାଳକୃଷ୍ଣ ଦେବଧରଙ୍କ ସହ ରହି ମଫସଲମାନଙ୍କରେ ଗ୍ରାମ ସଙ୍ଗଠନ ଓ ସହଯୋଗ ସମିତି ଗଠନ କାର୍ଯ୍ୟରେ ବେଶ୍ ଅଭିଜ୍ଞତା ଅର୍ଜନ କରିଥିଲେ । ଓଡ଼ିଶାରେ ସହଯୋଗ ଆନ୍ଦୋଳନର ପ୍ରସାର କ୍ଷେତ୍ରରେ ତାଙ୍କର ସେହି ଅଭିଜ୍ଞତା ପ୍ରସୂତ ପରାମର୍ଶ ବିଶେଷ ସାହାଯ୍ୟ କରିଥିଲା ।

 

ବିହାର-ଓଡ଼ିଶା ସହଯୋଗ ସଂଘର ବାର୍ଷିକ ସଭା ଭିନ୍ନ ଭିନ୍ନ ସ୍ଥାନରେ ହୁଏ । ଅଧିକାଂଶରେ ସେସବୁ ସ୍ଥାନକୁ ଯାଇଁ ସାହୁଜୀ ସହଯୋଗର ବିକାଶକ୍ଷେତ୍ରରେ ବାସ୍ତବ ଅସୁବିଧା ଦର୍ଶାଇ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ ।

 

ମଝିରେ ବାରବର୍ଷ ପାଇଁ ସହଯୋଗ ବିଭାଗ ଦାୟିତ୍ଵ ରାଜ୍ୟ ସରକାର ହାତକୁ ନେଇଥିଲେ । ପରେ ପୁଣି ସୀମିତ ଭାବରେ ଏହା ବେସରକାରୀ ସଂସ୍ଥାରେ ପରିଣତ ହେଲା । ଓଡ଼ିଶାରେ ଥିବା ପ୍ରାଦେଶିକ ସମବାୟ ସମିତିର ସେ ଜଣେ କର୍ମକର୍ତ୍ତା ହୋଇଥିଲେ ଏବଂ ଏହି ସମିତିପକ୍ଷରୁ ଇଂରାଜୀ ଓ ଓଡ଼ିଆରେ ପ୍ରକାଶ ପାଉଥିବା ଦୁଇଟି ପତ୍ରିକାର ସମ୍ପାଦନାମଣ୍ଡଳୀରେ ଅନ୍ୟତମ ସମ୍ପାଦକ ଥିଲେ ।

 

ସହଯୋଗ ଆନ୍ଦୋଳନରେ ସେ କର୍ମରତ ଥିବାବେଳେ ଡକ୍ଟର ହରେକୃଷ୍ଣ ମହତାବ, ନବକୃଷ୍ଣ ଚୌଧୁରୀ, ନିତ୍ୟାନନ୍ଦ କାନୁନଗୋ ପ୍ରମୁଖଙ୍କୁ ନେଇ ଉତ୍କଳ ସେବା ସମିତି ନାମକ ଓଡ଼ିଶାର ପ୍ରଥମ ସମବାୟ ଭଣ୍ଡାର ସ୍ଥାପନ କରାଇଥିଲେ । ମହତାବବାବୁ ଥିଲେ ତା’ର ସଂପାଦକ, ତରୁଣମାନଙ୍କୁ ଉତ୍ସାହିତ କରିବା ପାଇଁ ଏହି ଛୋଟ ସମବାୟ ସମିତିକୁ ଦିନେ ସେ ବିହାର-ଓଡ଼ିଶା ସମବାୟ ବିଭାଗ ଡେପୁଟି ରେଜିଷ୍ଟ୍ରାରଙ୍କୁ ଡାକି ଆଣିଥିଲେ । ସେ ମଧ୍ୟ ଏହି ସମିତି ଓ ଏହାର ପରିଚାଳନାରେ ଅତ୍ୟନ୍ତ ସନ୍ତୋଷ ପ୍ରକାଶ କରିଥିଲେ ।

Image

 

ପରୋପକାର

 

ଲକ୍ଷ୍ମୀନାରାୟଣ ଅତ୍ୟନ୍ତ ଛାତ୍ରବତ୍ସଳ ଥିଲେ । ବହୁ ଦରିଦ୍ର ମେଧାବୀ ଛାତ୍ର ଘୋର ଦୁର୍ଦ୍ଦଶାରେ ଭାଙ୍ଗି ପଡ଼ୁ ପଡ଼ୁ ତାଙ୍କ ସାହାଯ୍ୟ ଲାଭ କରି ସଂସାରରେ ପ୍ରତିଷ୍ଠିତ ହୋଇଛନ୍ତି । ଦିନେ ଲକ୍ଷ୍ମୀନାରାୟଣର ଏକ ଶ୍ରାଦ୍ଧସଭାରେ କଟକ ଶ୍ରୀରାମଚନ୍ଦ୍ର ଭବନରେ ଓଡ଼ିଶାର ବିଶିଷ୍ଠ କବି ସ୍ୱଗତଃ ଡକ୍ଟର ମାୟାଧର ମାନସିଂହ କହୁଥିଲେ—ଖୋର୍ଦ୍ଧା ହାଇସ୍କୁଲରୁ ମାଟ୍ରିକ୍ ପାଶ୍ ପରେ କଲେଜରେ ପଢ଼ିବାକୁ ଯେତେବେଳେ ଗାଁ ଛାଡ଼ି କଟକ ଆସିଲେ ସେତେବେଳେ ନାମ ଲେଖାଇବାକୁ ତାଙ୍କ ପାଖରେ ପଇସା ହେଉ ନ ଥାଏ । କଟକ ସହର ନୂଆ ଜାଗା । କାହାକୁ ମାଗିବେ ? କଣ କରିବେ ? କିଛି ଠିକ୍ କରି ପାରୁ ନ ଥାନ୍ତି । ଶେଷରେ କଲେଜ ପଢ଼ା ଆଶା ଛାଡ଼ି ଘରକୁ ଫେରି ଯିବାର ସ୍ଥିର କଲେ । କିନ୍ତୁ ଫେରିବା ଆଗରୁ ଟିକେ ଲକ୍ଷ୍ମୀନାରାୟଣବାବୁଙ୍କୁ ଦେଖା କରି ଯିବାକୁ ମନେକଲେ । ମାତ୍ର ସେ ଏଡ଼େ ଲାଜକୁଳା ଥାଆନ୍ତି ଯେ, ସାକ୍ଷାତ୍ ଆଲୋଚନା ଭିତରେ ଅସଲ ଟଙ୍କା କଥାଟି କହିପାରିଲେ ନାହିଁ । ତାଙ୍କ ଘରୁ ଆସିଲେ । ମାୟାଧରଙ୍କ ଲେଖାଲେଖି ଦେଖି ପିଲାଦିନୁ ଲକ୍ଷ୍ମୀନାରାୟଣ ତାଙ୍କୁ ଉତ୍ସାହ ଦେଉଥିଲେ । ଯେଡ଼େ ସାନପିଲାଟିଏ ତାଙ୍କ ଘରକୁ ଯାଉନା କାହିଁକି କିଛିବାଟ ବଳେଇ ଦେଇ ଯିବା ତାଙ୍କର ଅଭ୍ୟାସ । ମାୟାଧରଙ୍କୁ ବଳେଇ ଦେବାକୁ ଆସୁ ଆସୁ ସେ ଖୋଳି ତାଡ଼ି ଅଭାବ କଥା ଜାଣିଲେ । ଘରୁ ୨୫ ଟଙ୍କା ଦେଲେ ଏବଂ ସେହି ଟଙ୍କା ନେଇ ମାୟାଧର ମାନସିଂହ କଲେଜରେ ନାମ ଲେଖାଇଥିଲେ । ପରେ ଅବଶ୍ୟ ସେ ବୃତ୍ତି ପାଇ ଏହି ଟଙ୍କା ଫେରାଇ ଦେଇଥିଲେ ଏବଂ ଲକ୍ଷ୍ମୀନାରାୟଣ ପୁଣି ସେ ଟଙ୍କାକୁ ଅନ୍ୟ ଗରିବ ପିଲାଙ୍କୁ ଦେଇଥିଲେ । କିନ୍ତୁ ସେଦିନ ୨୫ଟି ଟଙ୍କା ପାଇ ନ ଥିଲେ ମାୟାଧର ମାନସିଂହ ହୁଏତ ଜନ୍ମଗତ ପ୍ରତିଭା ବଳରେ ଜଣେ କବି ହୋଇଥାନ୍ତେ; ମାତ୍ର ଶିକ୍ଷାବିତ୍ ଡକ୍ଟର ମାୟାଧର ମାନସିଂହ ହୋଇପାରି ଥାନ୍ତେ କି ନାହିଁ ସନ୍ଦେହ ।

 

ଅନ୍ୟତମ କୃତୀ ସାହିତ୍ୟିକ ହରିଶ୍ଚନ୍ଦ୍ର ବଡ଼ାଲ୍ ମଧ୍ୟ ଦରିଦ୍ର ପରିବାରରେ ପିତୃହୀନ ହୋଇ ଓଳିଏ ଉପବାସ ରହୁଥିଲେ । ଲକ୍ଷ୍ମୀନାରାୟଣ ତାଙ୍କୁ ପାଖରେ ରଖି, ତାଙ୍କ ନିରାଶ ମନରେ ଆଶାର ସଞ୍ଚାର କରାଇ, କଲେଜରେ ନାମ ଲେଖାଇ ଦେଇଥିଲେ । ସ୍ୱର୍ଗତ କୃପାସିନ୍ଧୁ ମିଶ୍ର ହରିଶଙ୍କୁ ବି. ଏସ୍. ସି. ପଢ଼ିଲା ବେଳେ ସାହାଯ୍ୟ କରିଥିଲେ । ହରିଶ୍ ମଧ୍ୟ ନିଜର ବିବାହ ବିଳମ୍ବ କରାଇ କୃପାସିନ୍ଧୁ ବାବୁ ଆଇ. ସି. ଏସ୍. ପାଇଁ ପ୍ରସ୍ତୁତ ହେଉଥିବାବେଳେ ସାହାଯ୍ୟ କରିଥିଲେ । ପରସ୍ପର ଭିତରେ ସାହାଯ୍ୟ ଆଦାନ-ପ୍ରଦାନ ମାଧ୍ୟମରେ ପ୍ରତ୍ୟେକ ବଡ଼ ହେବା ପାଇଁ ଲକ୍ଷ୍ମୀନାରାୟଣ ବାଟ ଫିଟାଇଥିଲେ ।

 

ଗୋବିନ୍ଦ ତ୍ରିପାଠୀ, ଚଣ୍ଡେଶ୍ୱର ମିଶ୍ର ଏହିପରି କେତେ ଛାତ୍ର ଯେ ଅସଲ ସମୟରେ ସାହୁଜୀଙ୍କ ସାହାଯ୍ୟ ପାଇ ଉନ୍ନତି ପଥରେ ଜୀବନକୁ ମୁହାଁଇ ଦେଇଛନ୍ତି, ତାର ହିସାବ ନାହିଁ । ଶେଷ ଜୀବନରେ ଏହିପରି ଗୋଟିଏ ଗୋଟିଏ ଆନନ୍ଦଦାୟକ ମୁହୂର୍ତ୍ତର ସ୍ମୃତି ଲକ୍ଷ୍ମୀନାରାୟଣଙ୍କୁ କମ୍ ସତେଜ ରଖି ନ ଥିଲା ।

 

ତାଙ୍କ ପରୋପକାର ମନୋଭାବର ସୂଚନା ଦେଇ ଶ୍ରୀ ଚିନ୍ତାମଣି ମିଶ୍ର ଲେଖିଛନ୍ତି—୧୯୨୭ ମସିହାରେ ସେ ଗୋଟିଏ ଦରିଦ୍ର ଛାତ୍ର ପାଇଁ କିଛି ସାହାଯ୍ୟ କରାଇ ଦେବାକୁ କଟକ ସହରର କେତେଜଣ ବିଶିଷ୍ଠ ଧନୀ ଏବଂ ମାନୀ ଲୋକଙ୍କର ଦ୍ୱାରସ୍ଥ ହୋଇ ଫେରିଥାନ୍ତି । ଏମାନଙ୍କର କାର୍ପଣ୍ୟରେ ତାଙ୍କର ନୈରାଶ୍ୟ ଆସି ଯାଇଥାଏ । ଏହି ସମୟରେ ଲକ୍ଷ୍ମୀନାରାୟଣଙ୍କ ସହ ତାଙ୍କର ଦେଖାହେଲା । ସେ ମିଶ୍ରଙ୍କୁ ଆଶ୍ଵାସନା ଦେଇ କହିଲେ ଜଣେ ଦୁଇଜଣ ନାହିଁ କରିଦେଲେ ବୋଲି ଏତେ ରାଗ କାହିଁକି ? ସେ ଉକ୍ତ ପିଲାଟିକୁ ଚିନ୍ତାମଣି ଆଚାର୍ଯ୍ୟ ଓ ଡକ୍ଟର ପ୍ରାଣକୃଷ୍ଣ ପରିଜାଙ୍କ ପାଖକୁ ଯିବାକୁ ପରାମର୍ଶ ଦେଇ ନିଜଆଡ଼ୁ ପ୍ରତି ମାସରେ ୩ ଟଙ୍କା ଲେଖାଏଁ ସାହାଯ୍ୟ ଦେଲେ ଏବଂ ପିଲାଟି ପଢ଼ି ପାରିଲା ।

 

୧୯୩୯ ମସିହାରେ ହଠାତ୍ ଗୋଟିଏ ଗାଁ ପୋଡ଼ିଗଲା । ଖବର କାଗଜରୁ ଏ ସମ୍ବାଦ ଦେଖି ଲକ୍ଷ୍ମୀନାରାୟଣ ଯାଇ ସେଠି ହାଜର ହେଲେ । ସେତେବେଳକୁ ସବୁଠାରୁ ବେଶି କ୍ଷତିଗ୍ରସ୍ତ ହୋଇଥିବା ୫୦ଟି ପରିବାରକୁ ଟ୫ ଙ୍କା ଲେଖାଏଁ ସାହାଯ୍ୟ ଦେବାକୁ ଅପେକ୍ଷାକୃତ ସ୍ୱଚ୍ଛଳ ଲୋକେ ଯୋଜନା କରୁଥାନ୍ତି । ଲକ୍ଷ୍ମୀନାରାୟଣ ଅବୁଡ଼ାପଡ଼ି କହିଲେ—‘‘ପ୍ରଥମ ଦଶଗୋଟି ପରିବାର ମୋର ।’’ ସେଇଦିନ ସେ ନିଜ ହାତରୁ ଟଙ୍କା ଦେଇ ଘରପୋଡ଼ି ବିପନ୍ନ ଲୋକଙ୍କ ପାଇଁ ବାଉଁଶ କିଣି ଆଣିଲେ । ୩୦ ଜଣ ତନ୍ତୀଙ୍କର ତନ୍ତସଜ ପୋଡ଼ି ଯାଇଥିବାରୁ ଚୌଦ୍ୱାରରେ ଅଚଳ ହୋଇ ପଡ଼ିଥିବା ତାଙ୍କ ତନ୍ତଶାଳ ସବୁ ବିପନ୍ନ ଲୋକଙ୍କୁ ଯୋଗାଇ ଦେବା ଉଦ୍ୟମ କରିଥିଲେ ।

 

ଲକ୍ଷ୍ମୀନାରାୟଣଙ୍କ ସମସ୍ତ ସାହାଯ୍ୟ ସତ୍ ପାତ୍ରରେ ଯାଇଛି କହିଲେ ଠିକ୍ ହେବ ନାହିଁ । ତାଙ୍କ ଉଦାର ମନୋଭାବର ଓ ସରଳତାର ସୁଯୋଗ ନେଇ ଅନେକ ମଧ୍ୟ ତାଙ୍କୁ ଠକି ଦେଇଛନ୍ତି । ଅନେକ କିନ୍ତୁ ଜୀବନରେ ପ୍ରତିଷ୍ଠିତ ହେବାପରେ ଲକ୍ଷ୍ମୀନାରାୟଣଙ୍କ ଅଭାବ ଓ ଉଦାରତା କଥା ସ୍ମରଣ କରି କିଛି କିଛି ସାହାଯ୍ୟ ପଠାଇ ତାଙ୍କର ସାହାଯ୍ୟ ଦାନ କାର୍ଯ୍ୟକୁ ଚାଲୁରଖିଥିଲେ । ପୁଣି ସେ ନିଜେ ସମସ୍ତଙ୍କୁ ସାହାଯ୍ୟ କରିବା ଅବସ୍ଥାରେ ତ ନଥିଲେ । ପଇସା କୁଆଡ଼ୁ ପାଆନ୍ତେ ? ଯାହା ତ ପେଟରୁ କାଟିଦେବେ । ନିଜ ପାଖରେ ଅଭାବ ଥିବାବେଳେ ଘରୁ ଲୁଚାଇ ଜିନିଷପତ୍ର ବିକି ସାହାଯ୍ୟ କରୁଥିଲେ । ଧାର ଆଣି ଦେଉଥିଲେ । ଏସବୁ ବାଟ ଯେତେବେଳେ ବନ୍ଦ ଦେଖୁଥିଲେ, ପିଲାଙ୍କୁନେଇ ପରିଚିତ ବିଶିଷ୍ଟ ଓ ସ୍ୱଚ୍ଛଳଲୋକଙ୍କ ଘରକୁ ଯାଉଥିଲେ । ସାହାଯ୍ୟ ପାଇଁ ସେମାନଙ୍କୁ ଅନୁରୋଧ କରୁଥିଲେ । ସାହାଯ୍ୟ ଦରକାର କରୁଥିବା ପିଲାଟି ତାଙ୍କୁ ଯେତିକି ଅନୁରୋଧ କରି ନଥିବ, ସେ ତା’ଠାରୁ ଅଧିକ ଅନୁରୋଧ କରୁଥିଲେ । ଅନେକ ସ୍ଥାନରେ ସେ ଖୁବ୍ ବଡ଼ ବଡ଼ ଲୋକଙ୍କଠାରୁ ଅପମାନିତ ମଧ୍ୟ ହୋଇଛନ୍ତି । ତଥାପି ସେ ନିଜର ଏହି ପରଦୁଃଖକାତର ସ୍ଵଭାବ ଛାଡ଼ି ପାରିନଥିଲେ ।

 

ଅବଶ୍ୟ ଏବେ କେହି କାହାଠାରୁ ସାହଯ୍ୟ ପାଇ ମଣିଷ ହୋଇଥିଲେ ଖଣ୍ଡେ ଦୂରରୁ ଯଦି ଅକସ୍ମାତ୍ ଦେଖା ପଡ଼ିଯାଉଛି—ତେବେ ବାଟ ଭାଙ୍ଗି ଦେଇ ଚାଲିଯିବା ଦେଖାଯାଉଛି । ଅନେକ ଛାତ୍ର ସାହାଯ୍ୟ ପାଇନଥିଲେ ହୁଏତ ସେମାନେ ଆଜିର ସ୍ୱଚ୍ଛଳ ଅବସ୍ଥାରେ ନଥାନ୍ତେ । ଅଥଚ ସେମାନେ ଅତୀତର ସ୍ମୃତି ସାମାନ୍ୟ ଭାବେ ସ୍ମରଣ କରି, ଯେଉଁ ଲୋକଟି କେବଳ ସାଇକେଲ, ମୁଦି ଘଡ଼ି ବନ୍ଧାପକାଇ ଧାର, କରଜ କରି, ନିଜପାଇଁ ଖଣ୍ଡେ ଭଲ ପୋଷାକ ନକରି ସେମାନଙ୍କୁ ସାହାଯ୍ୟ କରି କରି ନିଜ ଜୀବନର ଉନ୍ନତି କଥା ଭୁଲିଗଲା, ସେହି ଲୋକର ସାହାଯ୍ୟ କାର୍ଯ୍ୟ ଅବ୍ୟାହତ ରଖି ତାଙ୍କୁ ଟିକେ ଆତ୍ମ-ସନ୍ତୋଷ ଯୋଗାଇବା କଥା ଭାବୁନାହାନ୍ତି । କ୍ରମେ-କ୍ରମେ ଏହି ତିକ୍ତ ଅନୁଭୂତି ଅନେକଙ୍କ ପ୍ରାଣର କରୁଣା ଭାବ ହ୍ରାସ କରିବାରେ ଲାଗିଛି ।

Image

 

ସମାଜସେବା

 

ଲକ୍ଷ୍ମୀନାରାୟଣ ଭାରତର ସ୍ଵାଧୀନତା ସଂଗ୍ରାମରେ ଭାରତ ସେବକ ସମିତିର ସଦସ୍ୟ ହୋଇ ଜେଲ୍ ଯାଇପାରି ନ ଥିଲେ ବୋଲି ଯେ, ତାଙ୍କର ଅବଦାନ କମ୍ ଏକଥା କେହି ଭାବିବା ଉଚିତ ନୁହେଁ । ୧୯୪୨ ମସିହାରେ ଭାରତଛାଡ଼ ଆନ୍ଦୋଳନରେ ଅଧିକାଂଶ ସ୍ଵାଧୀନତା ସଂଗ୍ରାମୀ ଜେଲ୍ ଗଲେ । ସମସ୍ତେ ତ ସ୍ୱଚ୍ଛଳ ପରିବାରର ଲୋକ ନୁହନ୍ତି । ପିଲାଛୁଆଙ୍କ ଦୁଃଖ ବୁଝିବ କିଏ ? ସଙ୍ଗେ ସଙ୍ଗେ ଆଗେଇ ଆସିଥିଲେ ଲକ୍ଷ୍ମୀନାରାୟଣ । ଠକ୍କର ବାପାଙ୍କର ବମ୍ବେରେ ଖୁବ୍ ପ୍ରଭାବ । ସେ ତାଙ୍କୁ ଧରାଧରି କରି ଓଡ଼ିଶାର ରାଜନୈତିକ ବନ୍ଦୀମାନଙ୍କ ଦୁଃଖୀ ପରିବାର ବର୍ଗଙ୍କ ସାହାଯ୍ୟ ନିମନ୍ତେ ଗୋଟିଏ ପାଣ୍ଠି ସୃଷ୍ଟି କଲେ । ସେ ଓଡ଼ିଶା ରିଲିଫ୍ କମିଟିର ସେକ୍ରେଟେରୀ ଏବଂ ଓଡ଼ିଶା ବଣିକ ରିଲିଫ୍ କମିଟିର ସହକାରୀ ସେକ୍ରେଟେରୀ ଥିଲେ । ଏହିସବୁ ସଂସ୍ଥାକୁ ସେ ପ୍ରକୃତ ଅଭାବୀ ଓ ଦୁଃଖୀ ଲୋକଙ୍କ ସାହାଯ୍ୟ କାମରେ ଖୁବ୍ ସକ୍ରିୟ କରି ପାରିଥିଲେ । ହୁଏତ ସେ ନଥିଲେ ପିଲାକବିଲାଙ୍କ କଷ୍ଟ ଦେଖି ଅନେକ ସ୍ଵାଧୀନତା ସଂଗ୍ରାମୀ ଆଉ ସଂଗ୍ରାମ ଭୂମିକୁ ଫେରିବା ପାଇଁ ମନକରି ନ ଥାନ୍ତେ ।

 

ସମାଜ-ସେବା କାର୍ଯ୍ୟରେ ସେ ଥିଲେ ଅତି ଧୁରନ୍ଧର । କା’ର ଘର ଭାଙ୍ଗିଗଲା, ନଈବଢ଼ିରେ କେଉଁ ଗାଁ ଭାସିଗଲା, କେଉଁ ପିଲା ମଫସଲରୁ କୋଡ଼ିଏ ମାଇଲ ଚଳିକରି ଆସିଛି-ଟିଉସନ୍ କରି ପାଠ ପଢ଼ିବାପାଇଁ, କିଏ ନିରାଶ୍ରିତା—ସମସ୍ତଙ୍କୁ ଆଶ୍ଵାସନା ଦେବା ସାହୁଜୀଙ୍କର ଧର୍ମଥିଲା । ସେ ସବୁବେଳେ କହୁଥିଲେ—‘‘ଆମ ଜୀବନ ପରପାଇଁ ।’’ ତାଙ୍କ ଆତ୍ମଜୀବନୀରେ ସେ ଲେଖିଛନ୍ତି—ବାସ୍ତବିକ୍ ମଣିଷକୁ ସମାଜପାଇଁ ବଞ୍ଚିବାକୁ ହୁଏ । ଅତଏବ ପ୍ରତ୍ୟେକର ଜୀବନ ଦେଶବାସୀଙ୍କ ପାଇଁ । ନିମୋନିଆଁରେ ପଡ଼ିଲେ ଡାକ୍ତର ବନବିହାରୀବାବୁଙ୍କର ଚିକିତ୍ସାରେ ଭଲ ହେଲେ । ସାଇକେଲ ନ ଚଢ଼ିବାକୁ ଓ ବିଶ୍ରାମ ନେବାକୁ ତାଙ୍କୁ କୁହାଗଲା; କିନ୍ତୁ ଅନ୍ୟମାନଙ୍କ ଦୁଃଖ ଦୁର୍ଦ୍ଦଶା ଦେଖି ସେ ଆଖିବୁଜି ବସିପାରିଲେ ନାହିଁ । ବିଶ୍ରାମ ପାଇଁ ଡାକ୍ତରଙ୍କ ପରାମର୍ଶ ଭୁଲିଗଲେ, ପୁଣି ସେବାକାର୍ଯ୍ୟରେ ଲାଗିଲେ, ଅସୁସ୍ଥ ହେଲେ । ତଥାପି ଧନର ଅଭାବ କିମ୍ବା ଉତ୍କଟ ବ୍ୟାଧିର ଯନ୍ତ୍ରଣା ତାଙ୍କ ସେବା କାର୍ଯ୍ୟରେ ପ୍ରାଚୀର ପରି ପ୍ରତିବନ୍ଧକ ସୃଷ୍ଟି କରି ପାରି ନ ଥିଲା । ଧନର ମୋହ ଏଡ଼ି ସେ ନିଃସ୍ଵ ଜୀବନ ବରଣ କରି ନେଇଥିବାରୁ, ଜୀବନ ତମାମ ଅଭାବ-ଅନାଟନ ଭିତର ଦେଇ ଗତି କରୁଥିଲେ । ନିଜର ସମସ୍ତ ଅଭାବ ଅସୁବିଧା ସତ୍ତ୍ୱେ ଅନ୍ୟର ଦୁଃଖ ଦୂର କରିବାକୁ ସେ ଯେଭଳି ଉତ୍ସାହ ଏବଂ ଆଗ୍ରହରେ ବାହାରି ପଡ଼ିଥିଲେ ତାହାଙ୍କଠାରୁ ବହୁଗୁଣରେ ସମର୍ଥ ଓ ସଚ୍ଚୋଟ ବ୍ୟକ୍ତିମାନଙ୍କଠାରେ ମଧ୍ୟ ସେପରି ଦେଖାଯାଏ ନାହିଁ ।

Image

 

ଉତ୍ସାହର ଉତ୍ସ

 

ଅନ୍ୟକୁ ଉତ୍ସାହିତ କରିବା, ଯାହାଠାରେ ଯାହା ଶକ୍ତି ଅଛି, ତାର ବିକାଶ ପାଇଁ ଚିନ୍ତା କରିବା, ବାଟ ବତେଇ ଦେବା, ଲକ୍ଷ୍ମୀନାରାୟଣଙ୍କ ଜୀବନର ପରମ ବ୍ରତ ଥିଲା । ଛୋଟ ପିଲାଟିଏ କବିତା ଲେଖିନେଇ ପହଞ୍ଚିଲେ, କବିତାଟିକୁ ସଂଶୋଧନ କରିବା, ସଜାଡ଼ି ଦେବା, କିପରି ଭଲଭାବରେ କବିତା ଲେଖାଯାଇ ପାରିବ ସୂଚାଇ ଦେବା, ତାଙ୍କର ଗୋଟିଏ ଖିଆଲ ଥିଲା । ସେଥିପାଇଁ ଅନେକ ବିଦ୍ୟାଳୟର ହାତଲେଖା ପତ୍ରିକାମାନଙ୍କରେ ତାଙ୍କ ଲେଖା ସ୍ଥାନ ପାଉଥିଲା । ଏହାର ଏକମାତ୍ର ଉଦ୍ଦେଶ୍ୟଥିଲା, ପିଲାମାନଙ୍କୁ ଲେଖି ପଢ଼ି ଶିଖାଇବା । ଏପରିକି ବକ୍ତୃତା କିପରି ଦେବାକୁ ହେବ, ତାହା ମଧ୍ୟ ସେ ପିଲାମାନଙ୍କୁ ଡାକି ନିଜଘରେ, ଟାଉନ୍ ହଲ୍ ରେ ଶିଖାଉଥିଲେ । ଲୋକେ ଆସନ୍ତୁ, ଭଲ ଭାଷଣ ଦେବାକୁ ଶିଖନ୍ତୁ, ବେଶି ଲୋକ ନହେଲେ କିମ୍ବା ପଣ୍ଡିତ ଲୋକ ନ ଆସିଲେ ମଧ୍ୟ ଆମେ ପାଞ୍ଚଜଣ ଏକାଠି ହୋଇ ଆମ ଭାବର ଆଦାନ ପ୍ରଦାନ କରୁ, ମନ ମିଳନ ଘଟାଉ—ଏକଥା ଉପରେ ସେ ଅଧିକ ଗୁରୁତ୍ଵ ଦେଉଥିଲେ । ତାଙ୍କରି ଉତ୍ସାହରେ ଓଡ଼ିଶାର କେତେ କବି, ସାହିତ୍ୟିକ, କଳାକାର, ସଙ୍ଗୀତଜ୍ଞ ଜୀବନରେ ପ୍ରତିଷ୍ଠାଲାଭ କରିଛନ୍ତି ।

 

ପ୍ରତିଦିନ ନୂଆ–ନୂଆ ବନ୍ଧୁ ସୃଷ୍ଟି କରିବାରେ ତାଙ୍କର ବଡ଼ ଆନନ୍ଦ ଥିଲା । ତାଙ୍କ ଜୀବନ ଦର୍ଶନରେ ଅଭିମାନ କିମ୍ବା ଅହଂକାର ନ ଥିଲା । ତେଣୁ ଅତି ଦୀନ-ଦୁଃଖୀ ଛାତ୍ରଠାରୁ ଜୟପୁରର ମହାରାଜା ବିକ୍ରମଦେବ ବର୍ମା ପର୍ଯ୍ୟନ୍ତ ବିଶାଳ ଧନୀ–ବ୍ୟକ୍ତି ମଧ୍ୟ ତାଙ୍କର ବନ୍ଧୁ ଥିଲେ । ସାହିତ୍ୟିକ ଡକ୍ଟର ଗୋପାଳଚନ୍ଦ୍ର ମିଶ୍ର ଏକ ଅନୁଭୂତି ବର୍ଣ୍ଣନା କରି ଲେଖିଛନ୍ତି—୧୯୩୬ ମସିହାରେ ତେଲଙ୍ଗାବାଜରରେ ଥିବା ବାଉରୀବନ୍ଧୁ ପଣ୍ଡାଙ୍କ ହୋଟେଲକୁ ଆସି ଲକ୍ଷ୍ମୀନାରାୟଣ ଗୋଟିଏ ମେଧାବୀ ଛାତ୍ରକୁ ଡକାଇ ପଠାଇଲେ । ଛାତ୍ରଟି ଆସି ସାହୁଙ୍କୁ ନମସ୍କାର ଜଣାଇ ଠିଆ ହେଲା । ଲକ୍ଷ୍ମୀନାରାୟଣ ପଚାରିଲେ–କି ବାବୁ ! ତୁମର ଘର କେଉଁଠି ? ତୁମେ କଟକରେ କେଉଁଠି ରହି ପଢ଼ୁଛ ? ସାହୁଜୀଙ୍କର ପ୍ରଶ୍ନବାଣରେ ଛାତ୍ରଟି ସଙ୍କୁଚିତ ହେଲାଣି । ଖୋଲାଖୋଲି ଭାବେ ନାନା ଆଳାପ ଆଲୋଚନା ପରେ, ସାହୁଜୀ ଯେତେବେଳେ କହିଲେ-ସୁବିଧା ଅସୁବିଧାରେ ମୋତେ ଆସି ବରାବର ଦେଖା କରିବ, ସେତେବେଳେ ଛାତ୍ରଟିମନରେ ଦମ୍ଭ ପଶିଲା । ପୁଣି ୧୯୫୩ ମସିହାରେ ଇତିହାସ ଏମ୍. ଏ. ପରୀକ୍ଷା ଅଳ୍ପଦିନ ଅଛି, ସାହୁଜୀ ଆସି ସେହି ଛାତ୍ରଙ୍କ ଘରେ ପହଞ୍ଚିଥିଲେ, କହିଲେ—ଶ୍ରୀରାମ, ତୁମେ ମୋତେ ଇତିହାସ ପଢ଼ାଅ । ମୁଁ ଇତିହାସରେ ଏମ୍. ଏ. ପରୀକ୍ଷା ଦେବି । ଶିଶୁସାହିତ୍ୟିକ ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀ ଲେଖିଛନ୍ତି—ସେ ଜଣେ ଏପରି ପ୍ରତିଭା ପୂଜାରୀ ଥିଲେ, ବାଟରେ ଘାଟରେ ଯେଉଁଠି ତାଙ୍କୁ ଦେଖୁଥିଲେ ନିଜର ଗୀତ ଖାତାଟି ବଢ଼େଇ ଦେଉଥିଲେ କିଛି ନା କିଛି ଗୋଟିଏ କବିତା ଲେଖି ଦେବାକୁ । ଏଥିରେ ସେ ଅପାର ଆନନ୍ଦ ପାଉଥିଲେ । ଏହିଭଳି ସାନଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କ ସହ ପ୍ରାଣ ଖୋଲି ମିଶିବାର ବହୁ ସ୍ମୃତି ବହୁ ଲୋକଙ୍କ ମୁଖରୁ ଶୁଣାଯାଏ ।

Image

 

ବହୁମୁଖୀ ବ୍ୟକ୍ତିତ୍ଵ

 

ଲକ୍ଷ୍ମୀନାରାୟଣଙ୍କ କର୍ମକ୍ଷେତ୍ର ଥିଲା ଅତ୍ୟନ୍ତ ବ୍ୟାପକ । ଉତ୍କଳ ସମ୍ମିଳନୀ, ଉତ୍କଳ ସାହିତ୍ୟ ସମାଜ, ଓଡ଼ିଶା ସାହିତ୍ୟ ଏକାଡେମୀ, ଓଡ଼ିଶା ବିଧାନସଭା, ଆନ୍ତର୍ଜାତିକ P.E.N (କବି, ନାଟ୍ୟକାର, ସଂପାଦକ ଓ ଔପନ୍ୟାସିକ) ସଂସ୍ଥା, ଭାରତ ସେବକ ସମିତି, ଦୁଭକ୍ଷ ସାହାଯ୍ୟ ସମିତି, ବ୍ରହ୍ମବିଦ୍ୟା ସମିତି, ରାଷ୍ଟ୍ରସଭା ପ୍ରଚାର ସମିତି, ସମବାୟ ସମିତି, ଆନ୍ତର୍ଜାତିକ ରେଡ଼କ୍ରସ୍, ବନ୍ୟାକମିଟି, ପଲ୍ଲୀ ଉନ୍ନୟନ କମିଟି, ବୈଶ୍ୟ ସମାଜ, ବଣିକ ସମାଜ, ଆଦିବାସୀ ମଣ୍ଡଳ, ହରିଜନ ସେବକ ସଙ୍ଘ, ସଂଗୀତ ସମାଜ, କୁଷ୍ଠନିବାରିଣୀ ସମିତି ବହୁ ମଧ୍ୟ ଏବଂ ଉଚ୍ଚ ଇଂରାଜୀ ବିଦ୍ୟାଳୟ ଏପରି ସାଧାରଣ ସରକାରୀ ବେସରକାରୀ ଅନୁଷ୍ଠାନ ସମିତି, ସଂସଦ ଏବଂ ବିଭିନ୍ନ କମିଟି କେତେ ଯେ କାହିଁରେ ସେ ସଭ୍ୟଥିଲେ ବା ସଭାପତି ହୋଇଥିଲେ, ଭାବିଲେ ଆଶ୍ଚର୍ଯ୍ୟ ନ ହୋଇ ରହି ହୁଏନା । ତାଙ୍କର ଶିରା ପ୍ରଶିରାରେ ବହୁମୁଖୀ ବ୍ୟକ୍ତିତ୍ୱର ଉତ୍ତରଳ ବନ୍ୟା ବହୁଥିଲା କିନ୍ତୁ ଯେଉଁଠି ଥାଆନ୍ତୁ ମଣିଷର ଦୁଃଖ ଦୈନ୍ୟ ଓ ଯନ୍ତ୍ରଣା ତାଙ୍କୁ ପ୍ରଥମେ ବିଚଳିତ କରୁଥିଲା ।

 

ଭାରତ ସେବକ ସମିତି ବର୍ତ୍ତମାନ ହିନ୍ଦ୍ ସେବକ ସଂଘ ନାମରେ ନାମିତ । ଏହି ଅନୁଷ୍ଠାନର ଓଡ଼ିଶା ଶାଖାକୁ ସ୍ଥାୟୀ ରୂପ ଦେବାରେ ତାଙ୍କର ସାଧନା ନିଶ୍ଚୟ ଦେଶ ଓ ଜାତି ପକ୍ଷରେ ଗୌରବର କାହାଣୀ ।

 

ଭଦ୍ରକରୁ ସାପ୍ତାହିକ ପ୍ରଜାତନ୍ତ୍ର ପ୍ରକାଶନ ଆରମ୍ଭ ମୂଳରେ ମଧ୍ୟ ତାଙ୍କର ପ୍ରୋତ୍ସାହନ ନିହିତ ଥିବା ଶୁଣାଯାଏ ।

 

ମଞ୍ଜୁଷାରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀରେ ସେ ସଭାପତି ହୋଇଥିଲେ । ଚିକିଟି ରାଜାଙ୍କୁ ମତାଇ ବ୍ରହ୍ମପୁରରେ କବି ସମ୍ମିଳନୀ କରାଇଥିଲେ । ଇଚ୍ଛାପୁରରେ ମଧ୍ୟ କବି ସମ୍ମିଳନୀ କରାଇ କବିମାନଙ୍କ ଭିତରେ କିପରି କବିତାରେ କଥାବାର୍ତ୍ତା ଚାଲିବ ତା’ର ଉଦ୍ୟମ କରିଥିଲେ ।

 

ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ସାହିତ୍ୟ ଓ ସଂସ୍କୃତିର ବିକାଶ ଓ ପ୍ରସାର ଲାଗି ୧୯୩୫ ମସିହାରେ ଜାମସେଦ୍ ପୁରଠାରେ ସିଂହଭୂମି ସାହିତ୍ୟ ସମ୍ମିଳନୀ କରାଇ ସେଥିରେ ସଭାପତି ହୋଇଥିଲେ ।

 

ଟାଙ୍ଗୀ ବିଦ୍ୟାପୀଠରେ ଶିକ୍ଷା ସପ୍ତାହ ପାଳନ, ବାଳଚର ସଂଗଠନ, ଛାତ୍ର ସମ୍ମିଳନୀ, ସଙ୍ଗୀତ ସମ୍ମିଳନୀ, ବ୍ରହ୍ମବିଦ୍ୟା ସମିତି ଓ ପାଠଚକ୍ର, ଗୀତା ଓ ତୁଳସୀ ରାମାୟଣ ଆଲୋଚନା, ଭଞ୍ଜଜୟନ୍ତୀ ଆଦି ସାହିତ୍ୟିକ ସଭାସମିତି, ଶ୍ରାଦ୍ଧସଭା, ସମବାୟ ସହଯୋଗ ସମିତି ପ୍ରଭୃତି କରାଇ ଛାତ୍ରମାନଙ୍କୁ ଉଦ୍‍ବୁଦ୍ଧ କରାଉ ଥିଲେ ଏବଂ ଓଡ଼ିଶାର ବିଶିଷ୍ଟ ଲୋକମାନଙ୍କୁ ଏଠାକୁ ଅଣାଇ ଛାତ୍ରମାନଙ୍କୁ ସେମାନଙ୍କ ସହିତ ପରିଚିତ କରାଉଥିଲେ ।

 

ସେ ଥିଲେ ଆଜନ୍ମ ବିପ୍ଳବୀ । ଅତି ଅଳ୍ପବୟସରୁ ପରମ୍ପରା ଏବଂ କୁସଂସ୍କାର ବିରୁଦ୍ଧରେ ସେ ବିଦ୍ରୋହ କରିବାକୁ ଶିଖିଥିଲେ । ଏହି ଧୂଳି-ମାଟିର ଧରା ତେଲ ଲୁଣର ସଂସାରରେ ସଂଗ୍ରାମୀ ମନୁଷ୍ୟର ସେବକ ହେବା ପାଇଁ ଯେପରିକି ସେ ଜନ୍ମଗ୍ରହଣ କରିଥିଲେ ।

 

ଓଡ଼ିଶା ରାଜ୍ୟ ଏକ ଶାସନରେ ରହି ଓଡ଼ିଆ ଭାଷା, ଓଡ଼ିଆ ସାହିତ୍ୟ ଓ ଓଡ଼ିଆଙ୍କର ଜାତୀୟଜୀବନ କିପରି ବିକାଶ ଲାଭ କରିବା ଏଥିନିମନ୍ତେ ସେ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଆନ୍ଦୋଳନରେ ପରୋକ୍ଷ ଭାବରେ ନିଜର କର୍ମ ଓ ଭାବଧାରାକୁ ମିଶେଇ ଦେଉଥିଲେ । ସେ ଥିଲେ ନିଜେ ନିଜର ଆଦର୍ଶ ଓ ସାରଥୀ ।

Image

 

ସାହିତ୍ୟ ସେବା

 

ଲକ୍ଷ୍ମୀନାରାୟଣ ସାହିତ୍ୟ ପ୍ରାଣ ଥିଲେ । ତାଙ୍କର ସ୍ଵତଃସ୍ଫୁର୍ତ୍ତ ଅନ୍ତରଭାବକୁ ଛନ୍ଦମୟ ବା ଛନ୍ଦହୀନଭାଷାରେ ପ୍ରକାଶକରି କବିତା ରଚୁଥିଲେ । ଉତ୍କଳ ସାହିତ୍ୟ ସମାଜର ସଂପାଦକ ଭାବରେ ସେ ବହୁ ବର୍ଷ କାର୍ଯ୍ୟକରି ଏହାକୁ ଏକ ସଚଳ ଓ ସକ୍ରିୟ ଅନୁଷ୍ଠାନରେ ପରିଣତ କରିଥିଲେ । ଶ୍ରୀରାମଚନ୍ଦ୍ର ଭବନରେ ପ୍ରତି ସପ୍ତାହରେ ସାହିତ୍ୟ ଆଲୋଚନା ଆରମ୍ଭ ହେଲା । ସେ ନିଜେ ବରାବର କବିତା ଓ ପ୍ରବନ୍ଧ ଲେଖି ସମସ୍ତଙ୍କୁ ଉତ୍ସାହିତ କରୁଥିଲେ । ଅନେକ ଦିନ ନୂତନ ଲେଖକମାନଙ୍କୁ ସାହିତ୍ୟ ସୃଷ୍ଟି ନିମନ୍ତେ ପ୍ରେରଣା ଦେଉଁ–ଦେଉଁ ରାତି ଅଧିକ ହୋଇ ଯାଏ । ସେ ସେହିଠାରେ ରହି ଯାଆନ୍ତି । ସାହିତ୍ୟରେ ବୌଦ୍ଧିକତା ଅପେକ୍ଷା ହାର୍ଦ୍ଦିକତା ଉପରେ ସେ ଅଧିକ ଗୁରୁତ୍ୱ ଦେଉଥିଲେ । ଓଡ଼ିଆ ଭାଷା ଓ ସାହିତ୍ୟ ତଥା କଳାର ଅବନତି ଦେଖି ସେ ନିରବ ରହୁ ନ ଥିଲେ । ଓଡ଼ିଆ ଭାଷାକୁ ବଡ଼କରିବା ଓ ବଞ୍ଚେଇ ରଖିବାପାଇଁ ତାଙ୍କର ଚେଷ୍ଟା ବରାବର ରହିଥିଲା । ଓଡ଼ିଆ, ଇଂରାଜୀ ଓ ବଙ୍ଗଳାରେ ଛୋଟବଡ଼ ସେ ଶତାଧିକ ପୁସ୍ତକ ରଚନା କରିଛନ୍ତି । କ୍ଷୁଦ୍ର କବିତାଠାରୁ ଜୈନଧର୍ମ ଓ ଦଣ୍ଡନାଟ ସମ୍ପର୍କରେ ଗବେଷଣାତ୍ମକ ପ୍ରବନ୍ଧ ମଧ୍ୟ ଲେଖିଥିଲେ । ସ୍କୁଲ କଲେଜରେ ପହଞ୍ଚିଲା ମାତ୍ରେ ସେ ସାହିତ୍ୟ ସଭା, ସଂଗୀତ ସମ୍ମିଳନୀ ଓ ବକ୍ତୃତା ପ୍ରତିଯୋଗିତା ନ କରାଇ ଛାଡ଼ୁ ନ ଥିଲେ । ସେ ଯେତେବେଳେ ସାହିତ୍ୟ ଏକାଡ଼େମୀର ସଭାପତି ଥାଆନ୍ତି, ଅଶୋକ ନଗରରେ ତାଙ୍କର ବସାଘର ଥାଏ । ସେଇଠିବି ତାଙ୍କର ଅଫିସ ହୁଏ । ଯିଏ ସେଠାକୁ ଯାଇଛନ୍ତି ସେ ଦେଖିଛନ୍ତି ସାହୁଜୀ କିଛି ଲେଖୁଥିବେ କିମ୍ବା କାହାକୁ ଡାକୁଥିବେ । ତାଙ୍କର ଲେଖା ଅବିରାମ ଚାଲେ । ଗଲେଭାରି ଆଗ୍ରହରେ ନିଜର ଲେଖାଗୁଡ଼ିକୁ ସେ ପଢ଼ାଇ ଶୁଣାଇ ଦିଅନ୍ତି । ସେ ବହୁଦର୍ଶୀ ଥିଲେ । ଜୀବନର ସରଳ ଅନୁଭୂତି ଗୁଡ଼ିକ ଅତି ପ୍ରାଂଜଳ ଭାବରେ ନିଜର ସାହିତ୍ୟ ମାଧ୍ୟମରେ ପ୍ରକାଶ କରିଥିଲେ । ସ୍ୱାଧୀନଚିନ୍ତା ପ୍ରକାଶ କ୍ଷେତ୍ରରେ ତାଙ୍କର ତୁଳନା ନାହିଁ । ସେ ସବୁବେଳେ କହୁଥିଲେ—‘‘ଓଡ଼ିଶାରେ ଏତେ ବିଦ୍ୱେଷ କାହିଁକି ? ଓଡ଼ିଆ ଲେଖକମାନଙ୍କ ମଧ୍ୟରେ ଓଡ଼ିଶାରେ ସୌହାର୍ଦ୍ଦ ନାହିଁ କାହିଁକି ?

 

କୌଣସି ସାହିତ୍ୟସଭା ବା ସାଂସ୍କୃତିକ ସଭାରେ ସଭାପତିତ୍ୱ କଲାପରେ ଯଦି କେହି ଧନ୍ୟବାଦ ଦେବାକୁ ଯାଇ, ‘‘ଆପଣଙ୍କର ବହୁମୂଲ୍ୟ ସମୟ ନଷ୍ଟ ହେଲା’’ ବୋଲି କହିଲେ ସେ ସଙ୍ଗେ-ସଙ୍ଗେ ପ୍ରତିବାଦ କରୁଥିଲେ । ସେ କହୁଥିଲେ ‘‘ଏହି ସଭାରୁ ଅନେକ କଥା ଶିଖିବାକୁ ମୁଁ ଆସିଥିଲି, ମୁଁ ଏଡ଼େ ବୋକା ନୁହେଁ ଯେ ସମୟ ନଷ୍ଟ କରିବାପାଇଁ ଏଠିକି ଆସନ୍ତି ।’’

 

ସେ ନିଜ ସାହିତ୍ୟ ଜୀବନ ସମ୍ପର୍କରେ ଲେଖିଛନ୍ତି ‘‘ଇଂରେଜୀ କବି ବାଇରନଙ୍କ Child Harold’’, ବଙ୍ଗୀୟ କବି ନବୀନସେନ୍‍ଙ୍କର ‘‘ପଲାସୀର ଯୁଦ୍ଧ’’ ମୋର ପ୍ରାଣକୁ ଓଲଟ ପାଲଟ କରିଦେଲା । ମୋର କବିତା ଲେଖାରେ ପଦବିନ୍ୟାସର ଚିନ୍ତା ନ ଥାଏ, ଥାଏ କେବଳ ଭାବ ବିହ୍ଵଳତା ।’’ ୪୦ ବର୍ଷ ବୟସରେ ସେ କବିତା ଲେଖା ଝଙ୍କରେ ଏଭଳି ପାଗଳ ହୋଇ ଉଠିଥିଲେ ଯେ, ରାତିରେ ହଠାତ୍ ନିଦରୁ ଉଠିପଡ଼ି ଅନ୍ଧକାରରେ ନିଜ ମନକୁ ଆସୁଥିବା ଭବନା ରାଜିକୁ କବିତା ମାଧ୍ୟମରେ ବାନ୍ଧି ପକାଉଥିଲେ । ଅନ୍ଧାରରେ ଲେଖିବା ଫଳରେ ଗୋଟିଏ ଧାଡ଼ି ଅନ୍ୟ ଧାଡ଼ି ଉପରେ ଚଢ଼ି ଯାଉଥିଲେ ଏବଂ ସକାଳୁ ଉଠି ଖାତା ଦେଖିଲାବେଳକୁ କିଛି ପଢ଼ି ହେଇ ନ ଥିଲା । ଏଥିରେ ବିବ୍ରତ ହୋଇ ବା’ ହାତର ବୁଢ଼ା ଓ ବିଶି ଆଙ୍ଗୁଳି ଦୁଇଟି ତଳକୁ ତଳକୁ ଦେଲେ ଏବଂ ଆଉ ଧାଡ଼ି ଉପରେ ଧାଡ଼ି ଚଢ଼ି ଗଲାନାହିଁ । ଅନ୍ଧକାରରେ କବିତା ଲେଖିବାକୁ ତାଙ୍କୁ ଯେତେ ଭଲଲାଗୁଥିଲା ଆଲୁଅରେ ସେତେ ଆନନ୍ଦ ଲାଗୁନଥିଲା ।

 

ଯାଉଁ ଯାଉଁ କୌଣସି ଲୋକକୁ ଦେଖି ଯଦି ତାଙ୍କ ଅନ୍ତରରେ ଭାବ ସୃଷ୍ଟି ହୁଏ, ସେ ସାଇକେଲରେ ଓହ୍ଲାଇ ସଙ୍ଗେ ସଙ୍ଗେ ତାହା ଲେଖି ନିଅନ୍ତି । ଏହିପରି ଅନେକ କବିତା ତାଙ୍କର ‘‘ପରଶ’’ ନାମକ କବିତା ବହିରେ ପ୍ରକାଶ ପାଇଛି । ଏହିସବୁ କବିତାରେ ଖୁବ୍ ବେଶୀ ଦରଦ ଅଛି, ଭାଷାରେ ସାବଲୀଳତା ଅଛି; କିନ୍ତୁ ଧାଡ଼ିରେ ଅକ୍ଷର ଗଣତି ଠିକ୍ ନାହିଁ । ଏହି ଅନ୍ତରର ବେଦନା, ଆନନ୍ଦ, ଉତ୍କଣ୍ଠା ଇତ୍ୟାଦି ଘେନି ଯେପରି ବାହାରିଛି ସେହିପରି ଭାବରେ ରଖାଯାଇଛି । ଥରେ ଡକ୍ଟର ମାୟାଧର ମାନସିଂହ ଏହିସବୁ କବିତା ଦେଖି କହିଥିଲେ—‘‘ଆପଣଙ୍କ କବିତାରେ ଭାବ ତ ବେଶଅଛି, କିନ୍ତୁ ଧାଡ଼ି ପଦ ଇତ୍ୟାଦି ଠିକ୍ କରି ବସାଉ ନାହାନ୍ତି କାହିଁକି ? ଠିକ୍ କରିବା ପାଇଁ ଚେଷ୍ଟା କରୁ ନାହାନ୍ତି କାହିଁକି ? ଲକ୍ଷ୍ମୀନାରାୟଣ ଉତ୍ତର ଦେଇଥିଲେ-ମୋର ବିଛନ୍ଦ ଜୀବନରେ ଯେଉଁ ଜାଗାରେ ଛନ୍ଦ ପଡ଼ିଛି ଓ ଆଉ ଯେଉଁ ଜାଗାରେ ଛନ୍ଦ ଭାଙ୍ଗି ଯାଇଛି ସେ ଉଭୟ ମୋର ଅନ୍ତର୍ଜୀବନର ପ୍ରକୃତ ପରିଚାୟକ । ତାକୁ କାହିଁକି କ୍ଷୁଣ୍ଣ କରିବି ? ଲକ୍ଷ୍ମୀନାରାୟଣଙ୍କ କବିତାର ଶୈଳୀକୁ କେତେକ ବିଶିଷ୍ଟ ଲେଖକ ସମାଲୋଚନା କରି ଏହା ଲକ୍ଷ୍ମୀନାରାୟଣୀ—

 

"କବି ହେଲେ ଅନ୍ୟ ଯେଉଁମାନେ ପଢ଼ିବେ ତାକୁ

ସେ ଯେବେ ଯିବେ ଭଳି,

ତେବେ କହିବ କବି ସେ ନୋହିଲେ ନାହିଁ ।

ପଦ ପଡ଼ୁଥିବ, ପଢ଼ିଯାଉଥିବ

ଅନ୍ତର ଭଜିବ ନାହିଁ ସେ କି କବି ?

ଶବ୍ଦଗୁନ୍ଥା କବି କେତେ ଅଛନ୍ତି ଏହିପରି

ଭାବଗୁନ୍ଥା କବି ହେଲେ ସିନା ତା'କୁ କବି ବୋଲି ।"

 

ଶତାଧିକ ପୁସ୍ତକର ପ୍ରଣେତା ଲକ୍ଷ୍ମୀନାରାୟଣଙ୍କ ସାରସ୍ଵତ ସାଧନାର ପରିଚୟ ସଂକ୍ଷେପରେ ଦେବା ମଧ୍ୟ କଷ୍ଟ । ପରିଣତ ବୟସରେ ଜୈନଧର୍ମ ସମ୍ପର୍କରେ ଇତିହାସ ପରମ୍ପରା ଓ ସାମାଜିକ ବିଶ୍ୱାସ ପ୍ରଭୃତିରୁ ତଥ୍ୟ ସଂଗ୍ରହ କରି ସେ ଯେପରି 'ଓଡ଼ିଶାର ଜୈନଧର୍ମ' ନାମକ ଏକ ଗବେଷଣାତ୍ମକ ଗ୍ରନ୍ଥ ଲେଖିଥିଲେ ପଣ୍ଡିତ ନୀଳକଣ୍ଠ ଦାସ, ଡକ୍ଟର ଆର୍ତ୍ତବଲ୍ଲଭ ମହାନ୍ତି ତାହାର ଭୂୟସୀ ପ୍ରଶଂସା କରି ଯାଇ ଅଛନ୍ତି । ତାଙ୍କର ଇଂରାଜୀରେ କୋଣାର୍କ ଓ The Spring of the Soul, The fountain ଓ Songs of the Hills ବହୁ ଇଂରାଜୀ ପଣ୍ଡିତଙ୍କ ଦ୍ଵାରା ସମାଦୃତ ହୋଇଛି । ଡକ୍ଟର ସୁନୀତିକୁମାର ଚାଟାର୍ଜୀ ଏବଂ ଅନ୍ନଦା ଶଙ୍କର ରାୟ ତାଙ୍କର "ହୃଦୟ ପୁଷ୍ପ" ନାମକ ବଙ୍ଗଳା ଭାଷାରେ ରଚିତ କବିତା ପୁସ୍ତକ ପାଠ କରି ପରମ ସନ୍ତୋଷ ପ୍ରକାଶ କରିଥିଲେ । "ମୁଁ ଓଡ଼ିଆ" କ୍ଷୁଦ୍ର ଗ୍ରନ୍ଥରେ ଲକ୍ଷ୍ମୀନାରାୟଣ ଯେପରି ଓଡ଼ିଆ ଜାତିର ବିରାଟତ୍ୱର ଚିତ୍ର ବର୍ଣ୍ଣନା କରି ଯାଇଛନ୍ତି ତାହାର ତୁଳନା ନାହିଁ । "ବୀଣା", 'ବହୁରୂପୀ' ଓ 'ପରଶ' ଆଦି ବହୁ ପରିମାଣରେ ତାଙ୍କ ଜୀବନର ବାର୍ତ୍ତା ବହନ କରିଛି । ଭାରତର ବିଭିନ୍ନ ସମସ୍ୟା ତଥା ମାନବ ଜାତିର ବିଭିନ୍ନ ସମସ୍ୟା ଉପରେ ବିଶ୍ୱକବି ରବୀନ୍ଦ୍ରନାଥଙ୍କ ପ୍ରାଣବନ୍ତ ଆଲୋଚନା ଓ ରଚନା ଲକ୍ଷ୍ମୀନାରାୟଣଙ୍କୁ ପ୍ରଭାବିତ କରିଥିଲା ।

 

ସାନ ବଡ଼ ନିର୍ବିଶେଷରେ ସମସ୍ତଙ୍କ ପାଖକୁ ପତ୍ର ଲେଖିବାରେ ସେ ଅଭ୍ୟସ୍ତ ଥିଲେ । ତାଙ୍କ ପତ୍ରାବଳୀରେ ଏକ ସର୍ଜ୍ଜନ ଅମାୟିକ ବ୍ୟକ୍ତିସତ୍ତାର ସ୍ୱାକ୍ଷର ଭରି ରହିଥାଏ । ଅନେକ ଛାତ୍ରଙ୍କୁ ସେ ଜୀବନରେ ଭଲ ପାଇଛନ୍ତି, ସାହାଯ୍ୟ କରିଛନ୍ତି ଏବଂ ଚିଠି ଲେଖିଛନ୍ତି । ସାନ ପିଲାଙ୍କୁ ମର୍ଯ୍ୟାଦା ଦେବାକୁ ସେ କର୍ତ୍ତବ୍ୟ ବୋଲି ଭାବୁଥିଲେ । କେବେ କାହାକୁ ତୁଚ୍ଛ-ତାଚ୍ଛଲ୍ୟ କରିବା ତାଙ୍କୁ ଭଲ ଲାଗୁ ନ ଥିଲା । ଛାତ୍ର ଅବସ୍ଥାରେ ତାଙ୍କ ଭଳି ଜଣେ ବଡ଼ ଲୋକଙ୍କଠାରୁ ପ୍ରେରଣାପୂର୍ଣ୍ଣ ଚିଠି ଖଣ୍ଡେ ପାଇଲେ ପ୍ରାଣ କିପରି ଉଦ୍‍ବେଳିତ ହୋଇ ନ ଉଠୁଥିବ ?

 

ଏଠାରେ ତାଙ୍କର ଦୁଇଖଣ୍ଡ ଚିଠିର ନମୁନା ଦେବା ଅପ୍ରାସଙ୍ଗିକ ହେବ ନାହିଁ ।

 

ପ୍ରଥମ ଚିଠିଟି ତାଙ୍କରି ଭଳି ବଦ୍ଧ ପାଗଳ ହୋଇ ନିଜର ସ୍ୱାସ୍ଥ୍ୟ, ସ୍ୱାର୍ଥ ଓ ସୁଖ-ସ୍ୱାଚ୍ଛନ୍ଦ୍ୟକୁ ଭୃକ୍ଷେପ ନ କରି ଲକ୍ଷ୍ମୀନାରାୟଣ ସାହୁଙ୍କ ସ୍ମୃତିରକ୍ଷା କାର୍ଯ୍ୟରେ ଲାଗିଥିବା ଅଧ୍ୟାପକ ଶ୍ରୀ ନରସିଂହ ସାହୁଙ୍କୁ ଲେଖିଥିଲେ । ସେଥିରେ ସେ ଲେଖିଥିଲେ—

 

"ମମ ସ୍ନେହମୟ ଘାସ ଫୁଲ !

 

ତୁମର ସ୍ନେହବୋଳା ମନଭୁଲା ଲେଖାଟି ପଢ଼ି ମୁଁ ତ ଏକାବେଳକେ କବିର ରାଜ୍ୟରେ ଉପନୀତ ହେଲି । ତୁମର ତିକ୍ତତାଟି ପାଇଁ ମୁଁ ଦୁଃଖିତ, ତୁମର ତିକ୍ତତାଟି ହୁଏତ ତୁମକୁ ଶୁନ୍ୟର ପଥରେ ନ ନେଇ ପୂର୍ଣ୍ଣର ପଥରେ ନେଇଯିବ । ଦୁଃଖ କରିବ ନାହିଁ । ଜୀବନ ଏହିପରି ଚେତନା ପାଏ । ବେଦନାର ପଥ ଦେଇ ଗଲେ, ସେ ମୁକ୍ତିଲାଭ କରେ, ହର୍ଷ ଲାଭ କରେ । କ୍ଷଣିକର ପଥଛାଡ଼ି ମାନବ ଚିରର ସନ୍ଧାନ ପାଏ.....କିମଧିକଂ ?

 

ମମ ମାନସ କୁଞ୍ଜେ ଥାଅ ତୁମ୍ଭେ

ଏକୋଇ ପ୍ରିୟ ଜନ ହେ

ଘାସଫୁଲ ମୁଁହି ଦେଖି ନଥିଲି ଜୀବନେ

ଅନ୍ଧ ଆଜି ପାଇଲା ଲୋଚନ ଯେ

ତୁମ୍ଭେ ସତେ ମୋର ଘାସଫୁଲ ହେ ।

 

ତମର

ଲକ୍ଷ୍ମୀନାରାୟଣ ସାହୁ

ଦ୍ଵିତୀୟ ଚିଠିଟି ହେଲା–

 

"ସ୍ନେହର ଜଗବନ୍ଧୁ,

 

ତୁମର ପତ୍ର ପାଇଲି । ବଡ଼ ସୁଖୀ ହେଲି । ପ୍ରତି ଜୀବନରେ ଏତେ କଥା ଅପରିସୀମ କଥା ଲୁକ୍କାୟିତ ଅଛି ଯେ ତାହାର ସନ୍ଧାନ ବଡ଼ ଆନନ୍ଦଜନକ, ବଡ଼ ବିସ୍ମୟଜନକ । ତୁମକୁ ଏତେ ପିଲାଙ୍କ ଭିତରୁ ବାଛିଲି—ଏହା ବିସ୍ମୟଜନକ । ତୁମ ଭିତରେ ନିଶ୍ଚୟ ମୋ ପାଇଁ କିଛି ପ୍ରେରଣା ପୂର୍ଣ୍ଣକଥା, ମସଲା ଅଛି—ତାହା ସାଧାରଣ ନୁହେଁ—ତାହା ଅସାଧାରଣ । ତାହାର ସନ୍ଧାନ ତୁମେ ହୁଏତ ପାଇନାହଁ । ମୁଁ ହୁଏତ ପାଇ ନାହିଁ । ଆଭାସମାତ୍ର ପାଇଛି—ତୁମେ ଅବା କିଛି କିଛି ପାଉଛ-। ଆମ ଜୀବନ—ବଡ଼ ରହସ୍ୟମୟ, ବଡ଼ ସୁନ୍ଦର । ପୁଣି ବଡ଼ ଜଟିଳ ତୁମର ଚିଠି ପଢ଼ି ମୁଁ ଖୁସି ହେଲି । ଭଲ ହେଡମାଷ୍ଟର ପାଇଛ—ବେଶ ଭଲ କଥା । ପାଠ ପଢ଼, ଜ୍ଞାନ ଅର୍ଜନ କର । କିନ୍ତୁ ସବୁବେଳେ ଆପଣାକୁ ଏହି ସବୁ ଜ୍ଞାନଦ୍ଵାରା ଅଧିକରୁ ଅଧିକ ବିକଶିତ କରି ଧର୍ମର ପଥରେ ନ୍ୟାୟର ପଥରେ ସୌନ୍ଦର୍ଯ୍ୟର ପଥରେ, ମୁକ୍ତିର ପଥରେ ଆଗେଇ ଯାଅ । ମାୟା, ମୋହ ବନ୍ଧନ ମଧୁର ଲାଗେ କିଛିକ୍ଷଣ, କିନ୍ତୁ ମୁକ୍ତିଠାରୁ ଆଉ ଅଧିକ ସୁନ୍ଦର କଥା କିଛି ଅଛି କି ? ଅତଏବ ଏ ସବୁ ପ୍ରଲୋଭନରୁ ସବୁ ବନ୍ଧନରୁ ଆପଣାକୁ ମୁକ୍ତ ରଖିବାକୁ ଚେଷ୍ଟା କରିବ । ଜ୍ଞାନର ମାର୍ଗରେ ଉନ୍ନତି କର । ଧର୍ମ, ମଙ୍ଗଳକୁ ଆଶ୍ରୟ କର । ଏହାହିଁ ମୋର ଏକମାତ୍ର ପ୍ରାର୍ଥନା ତୁମ ପାଇଁ । ଅଧିକ କଣ ଲେଖିବି ? ଭଲରେ ରୁହ ଏକାକୀ ରୁହନାହିଁ । ଈଶ୍ୱରଙ୍କ ସହିତରେ ରୁହ । ଜଗନ୍ନାଥ ଦାସଙ୍କ ଭାଗବତ ପଢ଼ିବ । ମୁଁ ଆଜି ପ୍ରଥମ ସ୍କନ୍ଧ ପଢ଼ୁଥିଲି । ବଡ଼ ଭଲ ।

 

ତା ୨୯ । ୯ । ୧୯୪୪

Image

 

ସଙ୍ଗୀତ ପ୍ରତି ଆକର୍ଷଣ

 

ପିଲା ଦିନରେ ଥରେ ଗୁଣୁ ଗଣୁ କରି ଗୀତ ଗାଇଲା ବେଳେ ମା’ଙ୍କ ଠାରୁ ଗୋଟିଏ ମୁଥ ଖାଇ ଲକ୍ଷ୍ମୀନାରାୟଣ ୪୦ ବର୍ଷ ବୟସ ପର୍ଯ୍ୟନ୍ତ ଯାତ୍ରା କିମ୍ବା ଥିଏଟର କିଛି ଦେଖି ନ ଥିଲେ । ସେ ଯେତେବେଳେ ଉତ୍କଳ ସାହିତ୍ୟ ସମାଜର ସଂପାଦକ ହେଲେ ଲକ୍ଷ୍ମୀକାନ୍ତ ଚୌଧୁରୀଙ୍କୁ ଶ୍ରୀ ରାମଚନ୍ଦ୍ର ଭବନର ଦୋତାଲାରେ ସଂଗୀତ କ୍ଲାସ ଖୋଲିବା ପାଇଁ ଅନୁମତି ଦେଇ ଥିଲେ । ଏହି ସମୟରେ ନାଟ୍ୟକାର ଶ୍ରୀଯୁକ୍ତ ଅଶ୍ଵିନୀକୁମାର ଘୋଷ ରାତିକୁ ଦଶଟଙ୍କା ଭଡ଼ା ଦେଇ ଟିକେଟ କରି ଥିଏଟର ଚଳାଇଲେ । ଅନେକ ସମୟରେ ଲକ୍ଷ୍ମୀନାରାୟଣ କୋଠା ଉପରେ ଶୋଇଥାନ୍ତି । ଅଶ୍ଵିନୀବାବୁ ଆସି ତାଙ୍କୁ ଅଭିନୟ ଦେଖିବାକୁ ନେଇ ଯାଆନ୍ତି । ଥରେ ଉତ୍କଳ ସାହିତ୍ୟ ସମାଜ ସଙ୍ଗୀତ ଶ୍ରେଣୀର ବାର୍ଷିକ ଉତ୍ସବରେ ବଳରାମ ବୋଲି ଗୋଟିଏ ପିଲାର ଗୀତ ଓ ନାଚ ତାଙ୍କୁ ଏଭଳି ମୁଗ୍ଧ କଲା ଯେ ସେ ସେହି ଦିନରୁ ସଙ୍ଗୀତ ଶୁଣିବା ଓ ଦେଖିବାର ଇଚ୍ଛା ତାଙ୍କର ବଳବତ୍ତର ହୋଇ ଉଠିଥିଲା । ଏହାପରେ ଲକ୍ଷ୍ମୀକାନ୍ତ ଉତ୍କଳ ସଙ୍ଗୀତ ସମାଜ ସ୍ଥାପନ କଲେ । ଏଥିରେ ଲକ୍ଷ୍ମୀନାରାୟଣ ସଭାପତି ହେଲେ । ତିନି ଚାରି ବର୍ଷ ସଭାପତି ରହିବ ଭିତରେ ସେ ସମଗ୍ର ରାଜ୍ୟରେ ଏତେ ସଂଖ୍ୟାରେ ସଙ୍ଗୀତ ସମ୍ମିଳନୀ କରାଇଲେ ଯେ ସଙ୍ଗୀତ ଚର୍ଚ୍ଚାର ପ୍ରସାର ପାଇଁ ବାଟ ଫିଟଗଲା । ସେ ନିଜେ ଗାଇ–ବଜାଇ ଜାଣି ନ ଥିଲେ; କିନ୍ତୁ ସଙ୍ଗୀତର ତଥ୍ୟ ଏପରି ଅଧ୍ୟୟନ କରିଥିଲେ ଯାହାକି ବଡ଼ ବଡ଼ ସଙ୍ଗୀତ ଓସ୍ତାଦ୍‍ମାନଙ୍କୁ ମଧ୍ୟ ଜଣା ନ ଥିଲା । ଲୋକର ସାମାନ୍ୟ ଗୁଣକୁ ଆଦର କରି ତାର ଖ୍ୟାତିରେ ସୁଖୀ ହେବାରେ ସେ ଅଦ୍ୱିତୀୟ ଥିଲେ । କବିଚନ୍ଦ୍ର କାଳିଚରଣ ପଟ୍ଟନାୟକଙ୍କର ଓଡ଼ିଶୀ ଗୀତ ଉପରେ ଦଖଲ କଥା ଜାଣି ବିଭିନ୍ନ ସ୍ଥାନରେ ହେଉଥିବା ସଙ୍ଗୀତ ସମ୍ମିଳନକୁ କାଳିବାବୁଙ୍କୁ ଡକାଇନେଇ ସେ ସଭାପତି କରୁଥିଲେ । ସବୁଠି ସେ ଓଡ଼ିଶୀ ଗୀତ, ଓଡ଼ିଶାର ଲୋକ ଗୀତ ଏବଂ ଛାନ୍ଦ ଚଉପଦୀ ଉପରେ ଛାତ୍ରମାନଙ୍କ ଆଗ୍ରହ ସୃଷ୍ଟି ଲାଗି ପ୍ରତିଯୋଗିତା କରାଉଥିଲେ ଏବଂ ବଡ଼ ବଡ଼ ସଙ୍ଗୀତଜ୍ଞ ଦେଖିଲେ ଦୁଃଖ ପ୍ରକାଶ କରି କହୁଥିଲେ–ଆମ ସଙ୍ଗୀତର କେହି ପୁନରୁଦ୍ଧାର କଲାବାଲା ବାହାରୁ ନାହାଁନ୍ତି କାହିଁକି ?

Image

 

ଅସ୍ପୃଶ୍ୟତା ନିବାରଣ

 

ସମାଜ ସଂସ୍କାର କ୍ଷେତ୍ରରେ ସେ ଜଣେ ଅଗ୍ରଣୀ ବିପ୍ଳବୀ ଥିଲେ । କେବଳ ଚିନ୍ତା ଓ କଥାରେ ନୁହେଁ, କାର୍ଯ୍ୟରେ ଅସ୍ପୃଶ୍ୟତା ନିବାରଣ ପାଇଁ ଉଦ୍ୟମ କରିଥିଲେ । ବିଂଶ ଶତାବ୍ଦୀର ଆରମ୍ଭରେ ଗଉଡ଼ମାନେ ବ୍ରାହ୍ମଣ ଓ କରଣଙ୍କ ବ୍ୟତୀତ ବୈଶ୍ୟ କିମ୍ବା ଶୁଦ୍ର ଜାତିର କାହାକୁ ପାଲିଙ୍କିରେ କାନ୍ଧେଇ ନେଉଛନ୍ତି ବୋଲି ଜାଣି ପାରିଲେ, ଅଧା ବାଟରେ ପାଲିଙ୍କି ଛାଡ଼ି ପଳାଉ ଥିଲେ । ଏହିଭଳି ଏକ ପ୍ରତ୍ୟକ୍ଷ ଘଟଣାରୁ ଛାତ୍ରାବସ୍ଥାରୁ ମଧ୍ୟ ଜାତିଆଣ ପ୍ରଥା ବିରୁଦ୍ଧରେ ସେ ବିଦ୍ରୋହୀ ହୋଇ ଉଠିଥିଲେ । ଶିକ୍ଷକ ଥିଲାବେଳେ ସମାଜ ସଂସ୍କାର ବିଷୟରେ ସେ ଖଣ୍ଡିଏ ପୁସ୍ତକ ଲେଖି ‘‘ଶ୍ରୀ ଲକ୍ଷ୍ମୀନାରାୟଣ ସାହୁ ଜାତିରେ ପାଣ’’ ବୋଲି ପୁସ୍ତକଟିର ନାମ କରଣ କରିଥିଲେ ।

୧୯୨୦-୨୧ ମସିହାରେ ‘ସହକାର’ ପତ୍ରିକା ସଂପାଦନା କଲାବେଳେ ସେ କିପରି ଅସ୍ପୃଶ୍ୟତା ନାମକରଣ ପାଇଁ ବ୍ୟାକୁଳ ଥିଲେ, ସେତେବେଳେ ତାଙ୍କ ଦ୍ଵାରା ଲିଖିତ ସଂପାଦକୀୟରୁ ସ୍ପଷ୍ଟ ଜଣାପଡ଼େ । ସେହି ସମ୍ପାଦକୀୟରେ ସେ ଲେଖିଥିଲେ—ଯେଉଁମାନେ ମହାତ୍ମାଗାନ୍ଧୀଙ୍କ ସହିତ ଏକମତ ଯେ ଅସ୍ପୃଶ୍ୟତା ହିନ୍ଦୁ ଜାତିର ମହା କଳଙ୍କ ଏବଂ ଯେଉଁମାନେ ଏହି ଅସ୍ପୃଶ୍ୟତା ନ ମାନି ଚାଲିବାକୁ ଦୃଢ଼ ସଂକଳ୍ପ ସେମାନେ ମହାତ୍ମାଗାନ୍ଧୀଙ୍କୁ ତାଙ୍କର ଏହି କାର୍ଯ୍ୟରେ ସାହାଯ୍ୟ କରନ୍ତୁ-। ଆମ୍ଭେମାନେ ‘ସହକାର’ରେ ସେମାନଙ୍କ ନାମ ପ୍ରକାଶ କରିବାକୁ ପ୍ରସ୍ତୁତ ଅଛୁ । ଯେଉଁମାନେ ସମାଜରୁ ଏହି ଅସ୍ପୃଶ୍ୟତା ଦୋଷ ଦୂର କରିବା ପାଇଁ ପ୍ରସ୍ତୁତ, ଯେଉଁମାନେ ଏହି ଦିଗରେ କାର୍ଯ୍ୟ କରିବେ ସେମାନେ ଜାତିଚ୍ୟୁତ ହୋଇ ପାରନ୍ତି; କିନ୍ତୁ ଏହି କଷ୍ଟ ସହନ ବ୍ୟତୀତ ସମାଜରୁ ଅସ୍ପୃଶ୍ୟତା ଦୂର କରିବାର ଆଉ ସହଜ ଉପାୟ ବର୍ତ୍ତମାନ ନାହିଁ । ଆମ୍ଭେମାନେ ଆଶାକରୁ ଖାଣ୍ଟି ସତ୍ ପ୍ରକୃତିର ଯୁବକମାନେ ଆମ୍ଭମାନଙ୍କୁ ଏହି ଦିଗରେ ପ୍ରଚୁର ସାହାଯ୍ୟ ପ୍ରଦାନ କରିବେ ।’’ ଯେଉଁ ଗଉଡ଼ମାନେ ଦିନେ ଲକ୍ଷ୍ମୀନାରାୟଣ ଗୁଡ଼ିଆ ଜାଣି ଅଧା ବାଟରେ ପାଲିଙ୍କି ରଖି ପଳାଇ ଥିଲେ, ସେମାନଙ୍କର ପଇତାପକା ଆନ୍ଦୋଳନରେ ସେ ନିଜେ ପୁରୋହିତ ସାଜିଥିଲେ । ନିଜର ପଇତା ନଥିଲେ ସୁଦ୍ଧା, ପୁରୋହିତ ସାଜି କଲିକତାରେ ଦୁଇ ତିନି ହଜାର ଗଉଡ଼ଙ୍କୁ ପଇତା ପିନ୍ଧାଇଥିଲେ ।

ଆଉ ଥରେ ଯାଜପୁର ଅଞ୍ଚଳର ଗଉଡ଼ ଓ ଖଣ୍ଡାୟତଙ୍କ ମଧ୍ୟରେ କଜିଆ ଲାଗିଲା । ମିଳାମିଶାପାଇଁ ସଭାର ଆୟୋଜନ ହେଲା ଏବଂ ସେଠାରେ ଲକ୍ଷ୍ମୀନାରାୟଣ ପହଞ୍ଚିଲେ । ସେଠାରେ ଲୋକଙ୍କୁ ବୁଝାଇବାକୁ ଯାଇ ସେ କହିଲେ—ପଇତାର ଉଦ୍ଦେଶ୍ୟ ହେଲା ଯଜନ-ଯାଜନ, ଅଧ୍ୟୟନ-ଅଧ୍ୟାପନା, ଦାନ-ପ୍ରତିଗ୍ରାହ । ପଇତାର ଛଅଟି ଖିଅ ଏଇ ଛଅଟି ଗୁଣର ପ୍ରତୀକ-। ହାଡ଼ି ଯଦି ଏହି ଛଅଟି କାମ କରେ ତେବେ ସେ ମଧ୍ୟ ପଇତା ପକାଇବାରେ ଆପତ୍ତି ନାହିଁ । ଏହି କଥାରୁ ମହା ଆନ୍ଦୋଳନର ସୃଷ୍ଟି ହେଲା । ସେଠାରେ ଅନେକ ହାଡ଼ି ଥିଲେ । ସେମାନେ ଲକ୍ଷ୍ମୀନାରାୟଣଙ୍କୁ ଦେବତା ଭଳି ମାନିଲେ । ଯୁଗପୁରୁଷଙ୍କ ଉଦ୍ୟମରେ ଗତିଶୀଳତା ନିକଟରେ ରକ୍ଷଣଶୀଳତା ହାର ମାନିଯାଏ । ଜାତିପ୍ରଥା ବିରୁଦ୍ଧରେ ଲକ୍ଷ୍ମୀନାରାୟଣଙ୍କ ଆନ୍ଦୋଳନ ଫଳରେ ଏବେ ଚଣ୍ଡାଳ ଓ ବ୍ରାହ୍ମଣ ମଧ୍ୟରେ ବୈବାହିକ ସମ୍ବନ୍ଧ ମଧ୍ୟ ସ୍ଥାପିତ ହେଲାଣି । ଯେଉଁ ବ୍ରାହ୍ମଣମାନେ କୁକୁଡ଼ାର ଛାଇ ପଡ଼ିଲେ ଗାଧୋଉଥିଲେ, ସେମାନେ ଘରେ କୁକୁଡ଼ା ପୋଷିଲେଣି । ଯୋତା ଘରେ ପଶୁ ନ ଥିଲା, ଚାଳରେ ଖୋସା ହେଉଥିଲା । ବାଲ୍ୟ ବିବାହ ଚାଲିଥିଲା । ଏବେ ସେ ସବୁ ବଦଳି ଗଲାଣି ।

ଅସ୍ପୃଶ୍ୟତା ବିରୁଦ୍ଧରେ ଲକ୍ଷ୍ମୀନାରାୟଣ କିପରି ନିଜ ପରିବାରରୁ ସଂଗ୍ରାମ ଆରମ୍ଭ କରିଥିଲେ ‘ବୀଣା’ ଉପନ୍ୟାସରେ ଅତି ଚମତ୍କାର ଭାବରେ ବର୍ଣ୍ଣିତ ହୋଇଛି । ସେ ନିଜ ସ୍ତ୍ରୀ ବୀଣା ଦେବୀଙ୍କୁ ହରିଜନମାନଙ୍କୁ ଆପଣାର କରିବାପାଇଁ ପରାମର୍ଶ ଦେଇ କହିଛନ୍ତି—ସେମାନଙ୍କୁ ଅଛୁଆଁ ଭାବ ନାହିଁ, ତାଙ୍କ ଘରକୁ ଯିବାକୁ ଭୟ କର ନାହିଁ; ତାଙ୍କ ସ୍ତ୍ରୀ ଲୋକଙ୍କ ସାଙ୍ଗରେ ବସି କଥାବାର୍ତ୍ତା କରିବାକୁ ଡର ନାହିଁ ।

ସେ କ୍ଷୋଭ ପ୍ରକାଶ କରି କହିଛନ୍ତି—ସେମାନେ ସମାଜରେ ନୀଚ, ସେମାନେ ହରିଜନ–ଏ ଭାବ ଜନ୍ମାଇ ରଖିବାଦ୍ଵାରା ତୁମେ-ଆମେ ଘୋର ପାପ କରୁନାହୁଁ କି ? ଅସ୍ପୃଶ୍ୟତା ମହାପାପ । ବର୍ତ୍ତମାନ ସମୟ ଆସିଛି, ସେମାନେ ଆଉ ହରିଜନ ବୋଲାଇବେ ନାହିଁ । ସେମାନେ ଚଷା କି ଖଣ୍ଡାୟତ ହୋଇ ଯାଆନ୍ତୁ—ସେମାନେ ହିଁ ତ ଜମି ଚାଷ କରନ୍ତି । ସେମାନେ କେଉଟ ହୁଅନ୍ତୁ—ସେମାନେ ତ ମାଛ ଧରନ୍ତି । ତା’ ହେଲେ ହରିଜନରୁ ରକ୍ଷା ପାଇବେ । ସେମାନେ ବ୍ରାହ୍ମଣ ହୁଅନ୍ତୁ–ଆର୍ଯ୍ୟ ସମାଜ ଗ୍ରହଣ କରିଯିବ ।

କିନ୍ତୁ ଏ ସବୁ ପ୍ରତି ଦୃଷ୍ଟି ନ ଦେଲେ, ହରିଜନମାନେ ନିଜକୁ ହରିଜନ କହି, ବିନା ପଇସାରେ ଖାଇବୁ, ପଢ଼ିବୁ, ସହଜରେ ଚାକିରୀ ପାଇବୁ ଆଦି ଅଧିକ ଦାବୀରେ ଯିଦ୍ କରି ଚିରକାଳ ପାଇଁ ହରିଜନ ହୋଇ ରହିଯିବେ ।

୧୯୩୪ ମସିହାରେ ବୋଇରାଣୀଠାରେ ସେ ଗଞ୍ଜାମ ଜିଲ୍ଲା ହରିଜନ ସମ୍ମିଳନୀରେ ସଭାପତିତ୍ୱ କରି ଅସ୍ପୃଶ୍ୟତା ବିରୁଦ୍ଧରେ ସଂଘବଦ୍ଧ ଉଦ୍ୟମଲାଗି ହରିଜନ ଓ ସୁବର୍ଣ୍ଣ ଉଭୟଙ୍କୁ ନିବେଦନ କରିଥିଲେ । ତାଙ୍କର ପ୍ରିୟ ଛାତ୍ର ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ଗୋବିନ୍ଦ ମିଶ୍ରଙ୍କ ଦ୍ଵାରା ଚମ୍ପାପୁରଠାରେ ପ୍ରତିଷ୍ଠିତ ଗାନ୍ଧି ସେବାଶ୍ରମକୁ ସେ ଅନେକ ସମୟରେ ଯାଉଥିଲେ ଏବଂ ଛାତ୍ର ଓ ଶିକ୍ଷକମାନଙ୍କୁ ଅସ୍ପୃଶ୍ୟତା ନିବାରଣ ଆଦି କାର୍ଯ୍ୟରେ ବିଶେଷ ସାହାଯ୍ୟ କରୁଥିଲେ ।

Image

 

ଆଦିବାସୀଙ୍କ ସେବା

 

ଲକ୍ଷ୍ମୀନାରାୟଣଙ୍କ ପୂର୍ବରୁ ଆଦିବାସୀ ଜୀବନ ଓ ସଂସ୍କୃତି ସମ୍ପର୍କରେ ବିଶେଷ କେହି ଜାଣି ନ ଥିଲେ । କେତେଖଣ୍ଡ ଉପନ୍ୟାସ ଓ ଯତ୍ ସାମାନ୍ୟ ବିବରଣୀ ମଧ୍ୟରେ ଆଦିବାସୀଙ୍କ ସମ୍ପର୍କରେ ଲୋକଙ୍କର ଜ୍ଞାନ ସୀମାବଦ୍ଧ ଥିଲା । କୋରାପୁଟର ଆଦିବାସୀଙ୍କ ସମ୍ପର୍କରେ ଲକ୍ଷ୍ମୀନାରାୟଣ ପ୍ରଥମେ ଗବେଷଣା ଆରମ୍ଭ କରିଥିଲେ । ନୃତାତ୍ତ୍ୱିକ ଦୃଷ୍ଟିକୋଣରୁ ଓଡ଼ିଶା ତଥା ଭାରତ କାହିଁକି ଭାରତ ବାହାରେ ମଧ୍ୟ ଲକ୍ଷ୍ମୀନାରାୟଣ କୋରାପୁଟ ଆଦିବାସୀଙ୍କୁ ଅଧିକ ପରିଚିତ କରାଇ ଥିଲେ । ୧୯୪୨ରେ ଜୟପୁରର ମହାରାଜା ସାହିତ୍ୟ ସମ୍ରାଟ ବିକ୍ରମଦେବ ବର୍ମା ସାହାଯ୍ୟରେ ଜୟପୁରର ଆଦିବାସୀ ସଂପ୍ରଦାୟ ବା ‘‘The Hill-Tribes of Jeypore’’ ରଚନା କରିଥିଲେ । ଏଥିପାଇଁ ଦୀର୍ଘ ତିନିବର୍ଷ କାଳ ଜୟପୁରକୁ କେନ୍ଦ୍ରକରି ବିଭିନ୍ନ ଆଦିବାସୀ ଗାଆଁରେ ଲକ୍ଷ୍ମୀନାରାୟଣ ଦିନ-ଦିନ ଧରି କଟାଇଥିଲେ । ସେମାନଙ୍କ ପରିବାରରେ ନିଜକୁ ସଂପୂର୍ଣ୍ଣ ରୂପେ ମିଶାଇ ଦେଉଥିଲେ । ସାହିତ୍ୟ ଗବେଷଣା କରିବାକୁ ଯାଇ ଦୁଃସ୍ଥ ଆଦିବାସୀଙ୍କ ସେବାରେ ନିଜକୁ ହଜାଇ ଦେଇ, ସେମାନଙ୍କର ଅତି ଆପଣାର ହୋଇ ଉଠିଥିଲେ । ସେମାନଙ୍କର ଉତ୍କଟ ଦାରିଦ୍ର୍ୟ, ରୋଗ, ବ୍ୟାଧି, କୁସଂସ୍କାର, ଅନ୍ଧବିଶ୍ୱାସ, ମେଳା-ମହୋତ୍ସବ, ମଦ୍ୟପାନ, ନୃତ୍ୟ ମେରିଆବଳୀ କଥିତ ଗପ ଓ ଲୋକ ସଙ୍ଗୀତର ଅତି ସୁନ୍ଦର ବର୍ଣ୍ଣନା ସେ ଏହି ପୁସ୍ତକରେ ଦେଇ ଯାଇଛନ୍ତି । ସେମାନଙ୍କର କେତେକ ଲୋକଗୀତ ଇଂରାଜୀରେ ଅନୁବାଦ କରି, ତାହାରି ମାଧ୍ୟମରେ ବହୁ ବୈଦେଶିକ ଗବେଷକଙ୍କୁ କୋରାପୁଟର ଲୋକ ସଂସ୍କୃତି, ଭାଷା ଓ ସାହିତ୍ୟର ଗବେଷଣା ପାଇଁ ସେ ଟାଣି ଆଣି ପାରିଥିଲେ । ଠକ୍‍କର ବାପାଙ୍କ ସାହାଯ୍ୟରେ ସେ ୧୯୩୯ରେ ରାୟଗଡ଼ା ଠାରେ ମଧ୍ୟ ଏକ ସେବାଶ୍ରମ ପ୍ରତିଷ୍ଠା କରି ଆଦିବାସୀମାନଙ୍କ ମଧ୍ୟରେ ସଂସ୍କାର ଆଣିବା ଉଦ୍ୟମ କରିଥିଲେ । ସ୍ୱାଧୀନତା ପ୍ରାପ୍ତିର ଛବିଶ–ସତେଇଶ ବର୍ଷ ପରେ ଗତବର୍ଷ ୧୯୭୪ ମସିହାରେ ଲକ୍ଷ୍ମୀନାରାୟଣଙ୍କ ଶ୍ରାଦ୍ଧୋତ୍ସବରେ ଯୋଗଦେବାକୁ ଯାଇ ସେହି ଠକ୍‍କର ବାପା ସେବାଶ୍ରମରେ ଥିବା ଆଦିବାସୀ ପିଲାଙ୍କ ଅବସ୍ଥାରୁ ଯାହା ଅନୁଭବ ହେଲା, ସେଥିରେ ତିରିଶ ଚାଳିଶ ବର୍ଷ ତଳେ ଲକ୍ଷ୍ମୀନାରାୟଣ ସେମାନଙ୍କ ସେବା କାର୍ଯ୍ୟରେ ଯେତେବେଳେ ବ୍ରତୀ ଥିଲେ—ସେମାନଙ୍କ ଅବସ୍ଥା କ’ଣ ଥିଲା କଳ୍ପନା କରି ହୁଏନା । ଚଣ୍ଡୀଖୋଲ୍ ଠାରେ ମଧ୍ୟ ସେ ଏକ ଠକ୍‍କର ବାପା ବିଦ୍ୟାଶ୍ରମ ଖୋଲିଥିଲେ ।

 

ଆଦିବାସୀଙ୍କ ପାଇଁ ସେ କିପରି ଲଢ଼ୁଥିଲେ ତାହା ସ୍ମରଣ କରି ଶ୍ରୀବାମଦେବ ମିଶ୍ର କହୁଥିଲେ, ସେ ଯେତେବେଳେ ଗଡ଼ଜାତର ଦେବାନ ଓ ପରେ ସ୍ଵତନ୍ତ୍ର ଆଦିବାସୀ ଅଫିସର ହୋଇ ଓଡ଼ିଶାକୁ ଆସିଲେ ଲକ୍ଷ୍ମୀନାରାୟଣ ସହ ବାରମ୍ବାର ଦେଖା ହେଉଥିଲା । ସେ କୋରାପୁଟ ଜିଲ୍ଲାର ଗଦବା ପରଜା, କୁଟିଆ, କନ୍ଧ, ଲାଞ୍ଜିଆ ଓ ଶଉରାଙ୍କ ବିଷୟରେ ଅନେକ କଥା କହିଥିଲେ ଏବଂ ସେମାନଙ୍କର ଯେପରି ସର୍ବବିଧ ଉନ୍ନତି ହୁଏ ସେଥିପ୍ରତି ସବୁବେଳେ ତାଙ୍କୁ ପ୍ରେରଣା ଦେଉଥିଲେ ।

 

ଆଦିବାସୀମାନଙ୍କ ପାଇଁ ସେ କିପରି ଲଢ଼ୁଥିଲେ ତାହା ତାଙ୍କ ବୀଣା ଉପନ୍ୟାସରେ ଅତି ପ୍ରାଞ୍ଜଳଭାବରେ ବର୍ଣ୍ଣିତ ହୋଇଛି । ସେ ସ୍ପଷ୍ଟ ଭାବରେ ଲେଖିଛନ୍ତି—ଆଜି ଯେଉଁମାନେ ଜଙ୍ଗଲୀ ଆଦିବାସୀ ହୋଇ ରହିଛନ୍ତି ସେମାନଙ୍କର ଅପରାଧ କ’ଣ ? ସେମାନଙ୍କ ଉପରେ ଏତେ ଜୁଲମ କାହିଁକି ? ସେମାନେ କାହିଁକି ଏତେ ଦୁଃଖରେ ରହିବେ ? ସେମାନେ କ’ଣ ମଣିଷ ନୁହଁନ୍ତି ? ସେମାନଙ୍କର କଣ ରକ୍ତ ମାଂସ ନାହିଁ ? ସେମାନଙ୍କୁ କ’ଣ ଭୋକ–ଶୋଷ ହୁଏ ନାହିଁ ? ନାନା କୌଶଳ କରି ଆମେ ସେମାନଙ୍କଠାରୁ ଖାଦ୍ୟ ଛଡ଼େଇ ଆଣୁଛୁ କାହିଁକି ? ତାଙ୍କୁ ମଦୁଆ କରିବାରେ ଏତେ ଚେଷ୍ଟା କାହିଁକି ? ପୁଣି ସେମାନେ ଟିକିଏ ଆମ କଥା ନ ଶୁଣିଲେ ଆମେ ସେମାନଙ୍କୁ ଏପରି ଗୁଳି କରି ମାରି ପକାଉ କାହିଁକି ?

 

ହାୟ ! ହାୟରେ, ଏ ସବୁ କଳଙ୍କ କଥା, ବିଷାଦମୟ କାହାଣୀ । ସେମାନଙ୍କ ଉପରେ ଏତେ ଅତ୍ୟାଚାର ହୋଇଛି ଯେ ଯେଉଁ କନ୍ଧ ବୀର, ସାହସିକ ଥିଲେ, ଆଜି ସେମାନେ ଏକବାରକେ ଡରୁଆ ହୋଇଯାଇଛନ୍ତି । କାହାରି ନିକଟରେ ଆପତ୍ତି କରିବାକୁ ସାହାସ ମଧ୍ୟ କରୁନାହାନ୍ତି । କି ଖରା, କି ବର୍ଷା ତାଙ୍କୁ ଘରୁ ଓଟାରି ଆଣି ସରକାରୀ କର୍ମଚାରୀ ସାମାନ୍ୟ ପୋଲିସ ମଧ୍ୟ ସେମାନଙ୍କ ଉପରେ ବୋଝ ଲଦି ଦେଇ ଚଲାଉଛନ୍ତି । ତାଙ୍କ ସ୍ତ୍ରୀଙ୍କୁ ଅସମ୍ମାନ କରୁଛନ୍ତି ଏହା କ’ଣ ଆମ ସଭ୍ୟତାର ଲକ୍ଷଣ ?

 

ଇତିହାସରେ ଏପରି ଅନ୍ୟାୟ ନାହିଁ, ଯାହାକି ଆଦିବାସୀଙ୍କ ଉପରେ କରା ଯାଇ ନାହିଁ-। ସାନ୍ତ୍ଵନା ଦେଇ ସେ ଲେଖିଛନ୍ତି—ଆଜି ଭାରତ ତା’ର ଆଦିବାସୀଙ୍କୁ ଶିକ୍ଷିତ କରିବାକୁ ଚାହେଁ, ନିର୍ମୂଳ କରିବାକୁ ଚାହେଁ ନାହିଁ । ସେମାନଙ୍କର ମନୋଭାବ ବୁଝି, ସେମାନଙ୍କର ସେବା କରିବାକୁ ଚାହେଁ ।

 

ପରାମର୍ଶ ଦେଇ, ପୁଣି ସେ ଲେଖିଛନ୍ତି—ସେମାନଙ୍କୁ ହଠାତ୍ ଜୋର–ଜବରଦସ୍ତି ପାଶ୍ଚାତ୍ୟ ଆଦର୍ଶରେ ଟାଣିବା ଉଚିତ୍ ନୁହେଁ । ସେମାନଙ୍କୁ ଧୀରେ ସୁସ୍ଥେ, ବୁଝାଇ ଶୁଝାଇ ଆପଣାର କରିବାକୁ ହେବ । ନୂତନ ପଥର ପଥିକ କରାଇବାକୁ ହେବ । ନୂତନ ଆଲୋକ ଦେଖାଇବାକୁ ହେବ । ନୂତନ ପଥର ପଥିକ କରାଇବାକୁ ହେବ । ଆଜି ଆଦିବାସୀର ଯେତିକି ତେଜ ଅଛି, ଯେତିକି ନିର୍ଭୀକତା ଅଛି, ଯେତିକି ଶକ୍ତି ଅଛି ତାକୁ ଯେମିତି ଆମେ ଆମର ଚତୁର ପଣିଆ ଦ୍ଵାରା ଅପଭଷ୍ଟ ନ କରୁଁ ।

 

ସେ ଆଶା ପ୍ରକାଶ କରିଛନ୍ତି—ଏଣିକି ସଂସାର ମିଶାମିଶି ହୋଇ ଚାଲିବ । ସେଥିରେ ଆଦିବାସୀ, ଖ୍ରୀଷ୍ଟାନ୍, ହିନ୍ଦୁ, ମୁସଲମାନ ସମସ୍ତେ ମିଳିବେ—ବିବାହ କରିବେ ପରସ୍ପର ମଧ୍ୟରେ । ଏଥିରେ ଅଧର୍ମ ହେବ ନାହିଁ । ଅଧର୍ମ ହେବ ଓ ହେଉଛି ଅନ୍ୟାୟ ବ୍ୟବହାରରେ, ଅସଦ ଆଚରଣରେ । ବରଂ ଏହି କାର୍ଯ୍ୟ ଫଳରେ ହାଣକାଟ୍ ଘୃଣା କମିବ; ପରସ୍ପର ମଧ୍ୟରେ ପ୍ରେମ ଓ ଶ୍ରଦ୍ଧା ବଢ଼ିବ । ସମଗ୍ର ସଂସାର ଗୋଟିଏ ବିଶାଳ ପରିବାରଭୁକ୍ତ ହୋଇଯିବ ।

Image

 

ଦୁଃଖ ଯେଉଁଠି ସେ ସେଇଠି

 

ଜଣେ କେହି ଇଂରେଜୀ କବି କହିଥିଲେ—"Where pain, there I am. If a drop of tear is shed my heart is crusified".–ଅର୍ଥାତ୍ ଦୁଃଖ ଯେଉଁଠି ମୁଁ ସେଇଠି, ଯଦି କାହାର ଆଖିରୁ ବିନ୍ଦୁଏ ଲୋତକ ଝରେ, ଦୁଃଖରେ ମୋର ଛାତି ଫାଟିଯାଏ । ଲକ୍ଷ୍ମୀନାରାୟଣ ଥିଲେ ଠିକ୍ ଏହି କାଟର ଲୋକ । ତାଙ୍କର ସ୍ମୃତି ସ୍ମରଣ କରି ଡାକ୍ତର ବନବିହାରୀ ପଟ୍ଟନାୟକ ଲେଖିଥିଲେ—“ଭାରତ ସେବକ ସମିତିରେ ଯୋଗ ଦେବା ପରେ ଦେଶର ଚାରିଆଡ଼େ କୁଷ୍ଠରୋଗୀ ଓ ସେମାନଙ୍କ ପ୍ରତି ସମାଜର ଘୃଣାଭାବ ଦେଖି ତାଙ୍କ ହୃଦୟ ବିଦୀର୍ଣ୍ଣ ହୋଇ ଯାଉଥିଲା ।” ସେ ଜାମସେଦପୁରରେ ଶ୍ରମିକ ମଙ୍ଗଳ କାର୍ଯ୍ୟ କରୁଥିବା ସମୟରେ କଲିକତା ମେଡ଼ିକାଲ କଲେଜର ଛାତ୍ର ବନବିହାରୀ ବାବୁ ତାଙ୍କ ବସାକୁ ଯାଇଥାନ୍ତି । ସେତେବେଳକୁ ତାଙ୍କର ଜଣେ ବାଲ୍ୟ ବନ୍ଧୁ କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇ ଅତି ନିରାଶ୍ରୟ ଅବସ୍ଥାରେ ସେଠାକୁ ସାହାଯ୍ୟ ପାଇଁ ଯାଇଥାନ୍ତି । ଲକ୍ଷ୍ମୀ ନାରାୟଣ ତାଙ୍କୁ ନିଜ ବାରଣ୍ଡା ଘରେ ଆଶ୍ରୟ ଦେଇ ଥା’ନ୍ତି । ସେତେବେଳେ କୁଷ୍ଠରୋଗ ନାଁ ଶୁଣିଲେ ଲୋକେ ଚମକି ପଡ଼ୁଥିଲେ । କିନ୍ତୁ ଲକ୍ଷ୍ମୀନାରାୟଣ ତାଙ୍କର ୩/୪ ବର୍ଷର ଶିଶୁକନ୍ୟା ଶାନ୍ତିକୁ ମଧ୍ୟ ବାଲ୍ୟବନ୍ଧୁଙ୍କ ସହ ମିଶିବାରେ ବାରଣ କରି ନ ଥିଲେ । ଡାକ୍ତରୀ ଛାତ୍ର ବନବିହାରୀ ବାବୁ ଏକଥା ପ୍ରତି ତାଙ୍କର ଦୃଷ୍ଟି ଆକର୍ଷଣ କରିବାରୁ ସେ ଅତି ଦୁଃଖରେ କହିଲେ—‘‘ଆପଣ ଏ ରୋଗ ପାଇଁ କିଛି କରନ୍ତୁ । ବହୁ ଲୋକ ଏ ରୋଗରେ ନଷ୍ଟ ହୋଇ ଯାଉଛନ୍ତି ।” ତାଙ୍କର ଏହି ଅନୁରୋଧ ବନବିହାରୀ ବାବୁଙ୍କୁ କୁଷ୍ଠରୋଗୀଙ୍କ ସେବା ଓ ଚକିତ୍ସା ନିମନ୍ତେ ଉଦ୍‍ବୁଦ୍ଧ କରିଥିଲା । ସ୍କୁଲ ବିଭାଗର ଡାକ୍ତର ହୋଇ ସେ ବହୁ ସ୍କୁଲ ବୁଲି କୁଷ୍ଠ ରୋଗର ନିରାକରଣ ସମ୍ପର୍କରେ ପରାମର୍ଶ ଦେଉଥିଲେ । କଲିକତାର ବିଶିଷ୍ଠ କୁଷ୍ଠ ଚିକିତ୍ସକ ଡାକ୍ତର ମୁର୍ ଓ ଅନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ କୁଷ୍ଠସେବକ ଡାକ୍ତର ଆଇଜାକ୍ ସାନ୍ତ୍ରାଙ୍କ ସହିତ ସେ ଘନିଷ୍ଠ ସମ୍ପର୍କ ସ୍ଥାପନ କରି ଓଡ଼ିଶାର ରୋଗୀମାନଙ୍କର ସୁବିଧା କରାଉଥିଲେ ।

 

ଦିନେ ହଠାତ୍ ଦେଖାଗଲା ଯେ ପରିଣତ ବୟସରେ ଲକ୍ଷ୍ମୀନାରାୟଣ ବାବୁଙ୍କ ଓଠରେ କୁଷ୍ଠ ଆକ୍ରମଣର ଚିହ୍ନ ସୁସ୍ପଷ୍ଟ ହୋଇ ଉଠିଛି । ତାଙ୍କୁ ନେଇ ବନବିହାରୀ ବାବୁ ମୁର ସାହେବଙ୍କ ନିକଟକୁ କଲିକତା ଗଲେ । ମୁର ସାହେବ ପରୀକ୍ଷା କରି ଚକିତ୍ସା ପ୍ରଣାଳୀ ଲେଖିଦେଲେ । ଲକ୍ଷ୍ମୀନାରାୟଣ ବାବୁଙ୍କର କଳାକନାର ଗୋଟିଏ ଝୁଲାମୁଣି ସାଇକେଲରେ ସବୁବେଳେ ଝୁଲୁଥାଏ-। ସେଥିରେ ସମସ୍ତ ଔଷଧପତ୍ର, ଇଞ୍ଜେକ୍‌ସନ ସିରିଞ୍ଜ ଆଉ ଟିକିଏ ସ୍ପିରିଟ୍ ରହିଥାଏ । ଔଷଧ ପ୍ରୟୋଗର ସମୟ ହୋଇଗଲେ ଆଖପାଖରେ ଯେଉଁ ଡାକ୍ତରଙ୍କୁ ଦେଖନ୍ତି ତାଙ୍କୁ ଅନୁରୋଧ କରନ୍ତି–ମୋତେ ଟିକିଏ ଇଞ୍ଜେକସନ୍ ଦେଇ ଦିଅ |

 

ଥରେ ଆଇଜାକ୍ ବାବୁ ବ୍ରହ୍ମପୁର ଆସିଥାନ୍ତି । ଲକ୍ଷ୍ମୀନାରାୟଣବାବୁ ବନବିହାରୀ ବାବୁଙ୍କୁ ସାଙ୍ଗରେ ନେଇ ଗଲେ ସେଠାକୁ—ତାଙ୍କୁ ଦେଖା କରିବାକୁ ଓଡ଼ିଶାର କୁଷ୍ଠ ନିବାରଣ ବିଷୟରେ ଅନେକ କଥାବାର୍ତ୍ତା ହେଲା । ଏକେ ତ ଆଇଜାକ୍ ବାବୁ କୁଷ୍ଠ ନାଁରେ ପାଗଳ; ତାଙ୍କ ସାଙ୍ଗରେ ମିଶିଲେ ଆଉଜଣେ ପାଗଳ—ଲକ୍ଷ୍ମୀନାରାୟଣ ବାବୁ । ଓଡ଼ିଶାରୁ କିପରି କୁଷ୍ଠରୋଗ ଦୂର ହେବ, ଏହି ହେଲା ତାଙ୍କର ଏକମାତ୍ର ଧ୍ୟାନ । ଆଉ କାହିଁରେ ତାଙ୍କର ମନ ରହିଲା ନାହଁ । ଖାଇବା ପିଇବାର ନାମ ଧରିଲେ ନାହିଁ । ଦିନ ନାହିଁ, ରାତି ନାହିଁ, ଲାଗି ରହିଲେ କୁଷ୍ଠ ନିରୋଧ କାର୍ଯ୍ୟରେ । ସେ ଯେଉଁ ପରିଶ୍ରମ, ତାହା କେବଳ ଲକ୍ଷ୍ମୀନାରାୟଣ ବାବୁ କରି ପାରନ୍ତି । ଗାଁକୁ ଗାଁ ଖରା ନାହିଁ ବର୍ଷା ନାହିଁ, ପାଣି କାଦୁଅ କିଛି ନ ମାନି, ଚାଲି ଚାଲି ବୁଲି କେଉଁ ଗାଁରେ କେତେଜଣ କୁଷ୍ଠରୋଗୀ ଅଛନ୍ତି, ଆଉ ସେମାନଙ୍କର କିପରି ଚିକିତ୍ସା ହେବ, ଏହିଥିରେ ଲାଗି ପଡ଼ିଲେ । ତାଙ୍କର ଏହି ଉଦ୍ୟମ ଫଳରେ ଓଡ଼ିଶାର ଅନେକ ସ୍ଥାନରେ କୁଷ୍ଠରୋଗ ଚିକିତ୍ସାର କେନ୍ଦ୍ର ସବୁ ସ୍ଥାପିତ ହେଲା । ସେ ନିଜେ ମଧ୍ୟ ଚୌଦ୍ଵାରରେ ଗୋଟିଏ କେନ୍ଦ୍ର ସ୍ଥାପନ କରିଥିଲେ ଓ ନିଜେ ରୋଗୀମାନଙ୍କୁ ଇଞ୍ଜେକସନ୍ ଦେଉଥିଲେ ରୋଗୀ ନିଜେ ନିଜେ କିପରି ଇଞ୍ଜେକ୍‌ସନ୍ ନେଇ ପାରିବ ତାହା ମଧ୍ୟ ବତେଇ ଦେଇଥିଲେ ।

 

ଲକ୍ଷ୍ମୀନାରାଣଙ୍କୁ କୁଷ୍ଠରୋଗ ହେବା ପରେ ତାଙ୍କର ବହୁ ବନ୍ଧୁ ଦୂରେଇ ଯାଇଥିଲେ । ସମାଜରେ ତାଙ୍କପ୍ରତି କମ୍ ଦୂର୍ ଦୂର୍ ଖୁର୍‍ ଖୁର୍ ଭାବ ପ୍ରକାଶ ପାଇନି । ଖାଇବା ଥାଳୀରୁ ମଧ୍ୟ ତାଙ୍କୁ ଉଠେଇ ଦିଆଯାଇଛି; କିନ୍ତୁ ଶେଷରେ ଡକ୍ଟର ଆଇଜାକ୍ ସାନ୍ତ୍ରାଙ୍କ ଚିକିତ୍ସାରେ ସେ ରୋଗମୁକ୍ତ ହୋଇଥିଲେ ।

 

ଭେଲୋର୍‍ରେ ଥିବାବେଳେ ଡକ୍ଟର ସାନ୍ତ୍ରା ସାହୁଜୀଙ୍କୁ ଏତେ ଭଲ ପାଉଥିଲେ ଯେ, ଏକା ଘରେ ଖଟକୁ ଖଟ ଲଗାଇ ଶୁଆ, ବସା, ତଥା ତାଙ୍କର ଚକିତ୍ସା କରୁଥିଲେ । ଓଡ଼ିଶାରୁ କୁଷ୍ଠ ନିବାରଣ ଏବଂ ଆଦିବାସୀଙ୍କ ମଧ୍ୟରୁ ୟଜ୍ ରୋଗର ନିବାରଣ ଲାଗି ତାଙ୍କର ଉଦ୍ୟମ ଦେଖି କେତେକ ବିଶିଷ୍ଟ ଲୋକ କହୁଥିଲେ—ସତେ ଯେପରି ଭଗବାନ ଓଡ଼ିଶାର ମଙ୍ଗଳ ପାଇଁ ଲକ୍ଷ୍ମୀନାରାୟଣବାବୁଙ୍କୁ କୁଷ୍ଠରୋଗ ଦେଇଥିଲେ । ସେ ୧୯୫୭ ମସିହାରେ କୁଷ୍ଠ ରୋଗ ସମ୍ପର୍କରେ ଲୋକମାନଙ୍କୁ ସତର୍କ କରିବା ପାଇଁ, ରୋଗ ହେଲେ ଚକିତ୍ସା କରିବା ପାଇଁ ଏବଂ ରୋଗୀ ପ୍ରତି ଘୃଣାଭାବ ପ୍ରକାଶ ନ କରିବା ପାଇଁ ‘ଲେପ୍ରୋସି” ବୋଲି ଖଣ୍ଡେ ବହି ମଧ୍ୟ ଲେଖିଥିଲେ । ସମ୍ବଲପୁରରେ ଡକ୍ଟର ଆଇଜାକ୍ ସାନ୍ତ୍ରାଙ୍କ କୁଷ୍ଠ ଚକିତ୍ସା ମୂଳରେ ଲକ୍ଷ୍ମୀନାରାୟଣଙ୍କ ବାରମ୍ବାର ଅନୁରୋଧ ପ୍ରଚ୍ଛନ୍ନ ଭବେ କାର୍ଯ୍ୟ କରିଥିଲା ।

 

କୁଷ୍ଠରୋଗୀଙ୍କ ପାଇଁ ସେ ଅତି ବିକଳ ହେଉଥିଲେ । ଆତ୍ମଗୀତି ମୂଳକ ଉପନ୍ୟାସ "ବୀଣା"ରେ ସେ ଲେଖିଛନ୍ତି—କୁଷ୍ଠରୋଗୀମାନେ ସଂସାରରେ କିପରି ଏକାକୀ ? ସେମାନଙ୍କ ସହିତ ସୁଖ-ଦୁଃଖ ହେବାପାଇଁ, ପ୍ରାଣ ମିଳାଇ ପଦେ କଥା କହିବା ପାଇଁ, କେତେଜଣ ଅଛନ୍ତି ? ନିଜର କୁଷ୍ଠରୋଗ ସମୟରେ ସେ ଯେପରି ଗୃହତ୍ୟାଗୀ, ପରିବାରତ୍ୟାଗୀ, ଦେଶତ୍ୟାଗୀ ହୋଇଥିଲେ, ସେ କଥା ସ୍ମରଣ କରି କୁଷ୍ଠ ରୋଗୀମାନଙ୍କ ପ୍ରତି ଗଭୀର ସମବେଦନା ପ୍ରକାଶ କରିଛନ୍ତି, ଲୋକେ କୁହନ୍ତି–ସେମାନେ କୁଆଡ଼େ ପାପ କରିଥିଲେ, ବ୍ୟଭିଚାର କରିଥିଲେ । ପୂର୍ବ ଜନ୍ମର ପାପ ଯୋଗୁଁ ଏ ଦୁଃଖ ଭୋଗ କରୁଛନ୍ତି । କିନ୍ତୁ ଲକ୍ଷ୍ମୀନାରାୟଣ ଏହାର ପୂରାପୂରି ବିରୋଧ କରିଛନ୍ତି । ସେ କହିଛନ୍ତି—ଅଜ୍ଞାନତା ଗୋଟିଏ ପାପ, ସେପରି ପାପ କିଏ ନ କରେ ବା ନ କରିଛି-? ଅତଏବ କୁଷ୍ଠରୋଗୀ ସେହପରି ପାପୀ : ମହାପାପୀ ନୁହନ୍ତି । ସେମାନଙ୍କୁ ମହାପାପୀ ଦୃଷ୍ଟିରୁ ଦେଖିବା ଘୋର ଅନ୍ୟାୟ, ମହାପାପ ।

 

ପଣ୍ଡିତ ଗୋବିନ୍ଦଚନ୍ଦ୍ର ମିଶ୍ରଙ୍କର କଳକଳାରେ ୨୨ ଏକର ଜମି ଓ ଚାଷ ଘର ଥିଲା । ବ୍ରିଟିଶ ସାମ୍ରାଜ୍ୟ-କୁଷ୍ଠ ସହାୟ ସମିତରୁ ଦୁଇ ହଜାର ଟଙ୍କା ସାହାଯ୍ୟ ଆଣି ଲକ୍ଷ୍ମୀନାରାୟଣ ବାବୁ ଏହି ଜମି ଓ ଚାଷଘର କିଣି କଳକଳା ସ୍ୱାସ୍ଥ୍ୟ-ନିବାସ କେନ୍ଦ୍ର ପ୍ରତିଷ୍ଠା କରିଥିଲେ । ଏହା ପରେ “ଲକ୍ଷ୍ମୀନାରାୟଣ କୁଷ୍ଠଧାମ”ରେ ପରିଣତ ହୋଇଛି ଏବଂ “ହିନ୍ଦ୍ କୁଷ୍ଠନିବାରିଣୀ ସଂଘ’କୁ ସେ ଏହା ଦାନ କରି ଯାଇଛନ୍ତି ।

Image

 

ସାହୁଜୀଙ୍କର ବିଦେଶଯାତ୍ରା

 

ପିଲାଦିନେ ଲକ୍ଷ୍ମୀନାରାୟଣଙ୍କର ଜାତକ ଦେଖି କୌଣସି ଜ୍ୟୋତିଷ କହିଥିଲେ ଯେ ତାଙ୍କର ସମୁଦ୍ରଯାତ୍ରା ଯୋଗ ଅଛି । କେବଳ ସେହି ଜ୍ୟୋତିଷ ନୁହନ୍ତି, ସେତେବେଳେ ଯେଉଁ ଗଣକ ତାଙ୍କର ହାତ ଦେଖିଥିଲେ ଠିକ୍ ସେହି କଥା କହିଥିଲେ । ସେଥିପାଇଁ ଲକ୍ଷ୍ମୀନାରାୟଣଙ୍କ ମନରେ ଗଭୀର ଉତ୍କଣ୍ଠା ଥିଲା । ଦୀର୍ଘ ଦିନ ବିତିଗଲେ ବି ତାଙ୍କ ଭାଗ୍ୟରେ ସେ ସୁଯୋଗ ଜୁଟିଲା ନାହିଁ । ଦିନେ ଆକସ୍ମିକ ଭାବରେ ତାଙ୍କର ବାଲ୍ୟ ବନ୍ଧୁ ଦାମୋଦର ମିଶ୍ରଙ୍କ ସହିତ କଟକର ରାଣୀହାଟ ପାଖରେ ଭେଟ ହେଲା । ଅନେକ ଦିନ ପରେ ଦେଖାଚାହାଁ । ଆଳାପ ଟିକିଏ ଜମିଗଲା-। କଥାବାର୍ତ୍ତା ପ୍ରସଙ୍ଗରେ ସାହୁଜୀ ଜାଣିଲେ ଯେ ଦାମୋଦର ମିଶ୍ର ଗତ କେତେବର୍ଷ ଧରି ବର୍ମାରେ ରହୁଛନ୍ତି ଓ ସେ ଆଗାମୀ କାଲି ବର୍ମା ଫେରଯିବେ । ସାହୁଜୀଙ୍କର ଆକାଙ୍‍କ୍ଷା ବଳବତୀ ହେଲା । ସେ ତତ୍‍କ୍ଷଣାତ୍ ପଚାରିଲେ—ମୋତେ ସାଙ୍ଗରେ ନେବ ? ଦାମୋଦର ବାବୁ ସମ୍ମତି ପ୍ରକାଶ କଲେ । ଯାତ୍ରାପାଇଁ କେତେ ଟଙ୍କା ଦରକାର ହେବ ବୋଲି ପଚାରିବାରୁ, ଦାମୋଦର ବାବୁ କହିଥିଲେ—ଯାହା ପାଇବେ ଆଣନ୍ତୁ । ଲକ୍ଷ୍ମୀନାରାୟଣଙ୍କ ହାତରେ ସେତେବେଳେ ଗୋଟିଏ ହେଲେ ପଇସା ନ ଥାଏ । କିନ୍ତୁ ଅର୍ଥାଭାବ ସବୁବେଳେ ଲକ୍ଷ୍ୟ ହାସଲରେ ଅନ୍ତରାୟ ହୋଇ ପାରେ ନାହିଁ । ତାଙ୍କର ପାଶ୍ ବହିରେ ମୋଟେ ଛବିଶଟି ଟଙ୍କା ଥିଲା । ସେଥିରୁ ସେ ପଚିଶଟି ଟଙ୍କା ବାହାର କଲେ । ଉଭୟଙ୍କର ଷ୍ଟେସନରେ ଦେଖା ହେବ ବୋଲି କଥା ହୋଇଥିଲା ।

Image

 

ବର୍ମା ଗଲେ

 

ଲକ୍ଷ୍ମୀନାରାୟଣ ତହିଁ ଆରଦିନ ଆଗରୁ ଆସି ଷ୍ଟେସନରେ ପହଞ୍ଚି କଲିକତାକୁ ଖଣ୍ଡିଏ ତୃତୀୟଶ୍ରେଣୀ ଟିକେଟ କାଟି ସାରିଥିଲେ । ଦାମବାବୁ ଆସି ଏ କଥା ଜାଣିବା ପରେ ତାଙ୍କଠାରୁ ଟିକେଟ ମାଗିନେଇ, ତାକୁ ବଦଳାଇ ଦୁହିଙ୍କ ପାଇଁ ଦ୍ୱିତୀୟ ଶ୍ରେଣୀର ଟିକେଟ କଲେ । କଲିକତାରେ ପହଞ୍ଚିଲା ବେଳକୁ ଲକ୍ଷ୍ମୀନାରାୟଣଙ୍କ ହାତରେ ଆଉ ମାତ୍ର ଷୋଳଟି ଟଙ୍କା ଥାଏ, କିନ୍ତୁ ମନରେ ଉଦ୍‌ବେଗ ଅମାପ । ଦୁହେଁ ଡେକ୍ ପାସେଞ୍ଜର ହୋଇ ରେଙ୍ଗୁନ୍‍ରେ ପହଞ୍ଚିଲେ । ଜାହାଜରେ ଗଲାବେଳେ ଜାହାଜର ଦୋହଲ ଗତି ଯୋଗୁଁ, ଦୀର୍ଘ ସମୁଦ୍ର ଯାତ୍ରା ସହି ନ ପାରି ଲକ୍ଷ୍ମୀନାରାୟଣଙ୍କର ବାନ୍ତି ହେଲା । ଚାରିଦିନ ପରେ ସେମାନେ ରେଙ୍ଗୁନ୍‍ରେ ପହଞ୍ଚିଲେ । ଏହି ୧୯୨୭ ସାଲର ଘଟଣା । ରେଙ୍ଗୁନ୍‌ରେ ଥିବା ଓଡ଼ିଆଙ୍କ ମଧ୍ୟରେ କାର୍ତ୍ତିକ ବେହେରା ଖୁବ୍ ନାଆଁ ଅର୍ଜି ଥିଲେ । ସେ ରେଙ୍ଗୁନ୍‍ର ୨୨ ନମ୍ବର ଗଳିରେ ରହୁଥିଲେ । ତାଙ୍କର ଘରେ ଲକ୍ଷ୍ମୀନାରାୟଣ ରହିଲେ । ସେତେବେଳକୁ ପ୍ରାୟ ୨୫ ହଜାର ଓଡ଼ିଆ ରେଙ୍ଗୁନରେ ରହୁଥିଲେ । ବିଶ୍ୱନାଥ ମହାପାତ୍ରଙ୍କ ସଂପାଦନରେ ରେଙ୍ଗୁନ୍‍ରୁ "ଓଡ଼ିଆ ପତ୍ରିକା" ନାମରେ ଗୋଟିଏ ପତ୍ରିକା ପ୍ରକାଶ ପାଉଥିଲା । ସେ ଗୋଟିଏ ଖଦଡ଼ ଦୋକନରେ ଚାକିରି କରୁଥିଲେ । ରେଙ୍ଗୁନ୍‍ରେ ରହଣୀକାଳ ମଧ୍ୟରେ ଲକ୍ଷ୍ମୀନାରାୟଣ ମଝିରେ ମଝିରେ ତାଙ୍କ ନିକଟକୁ ଯାଆନ୍ତି । ଦିନେ କାଶୀର ଜଣେ ଧନୀ ଜମିଦାର ସେହି ଦେକାନରୁ ଲୁଗା କିଣୁ କିଣୁ ବିଶ୍ଵନାଥଙ୍କୁ ଓଡ଼ିଆ ବୋଲି ଜାଣି ପାରି ଲକ୍ଷ୍ମୀନାରାୟଣଙ୍କ ନାଆଁ ପଚାରିଲେ । ସେତେବେଳକୁ ସାହୁଜୀ ଭାରତ ସେବକ ସମିତିର ସଭ୍ୟ ଥା’ନ୍ତି । ବିଶ୍ଵନାଥଙ୍କ ଠାରୁ ଲକ୍ଷ୍ମୀନାରାୟଣ ରେଙ୍ଗୁନ୍‍ରେ ଅବସ୍ଥାନ କରୁଥିବା ଜାଣିପାରି ଜମିଦାର ଜଣକ ତାଙ୍କୁ ସାକ୍ଷାତ କରିବା ପାଇଁ ବ୍ୟାକୁଳ ହୋଇ ଉଠିଲେ । ସେ ହେଉଛନ୍ତି ପଣ୍ଡିତ–ମଦନମୋହନ ମାଲବ୍ୟଙ୍କର ଜଣେ ବଡ଼ ଚେଲା—ଶିବପ୍ରସାଦ ଗୁପ୍ତ । ଲକ୍ଷ୍ମୀନାରୟଣଙ୍କର ଏହ୍ଲାବାଦଠାରେ ଗୁପ୍ତଙ୍କ ସହିତ ପ୍ରଥମ ପରିଚୟ ହୋଇଥିଲା । ସେ ପ୍ରତିଦନ ଭାରତ ସେବକ ସମିତିକୁ ଆସୁଥିଲେ । ଶିବପ୍ରସାଦ ଥିଲେ ଧନୀ ଲୋକ । ବର୍ମାରେ ସାହୁଜୀଙ୍କର ଦୁଇମାସ ରହଣୀକାଳ ଭିତରେ ସେ ତାଙ୍କ ପାଇଁ ପ୍ରାୟ ଦୁଇ ହଜାର ଟଙ୍କା ଖର୍ଚ୍ଚ କରିଥିଲେ ।

Image

 

ସିଂହଳ ଯିବା ନୋହିଲା

 

ଏହି ସମୟରେ ଲକ୍ଷ୍ମୀନାରାୟଣଙ୍କୁ ସିଂହଳ ଯିବାର ସୁବିଧା ମିଳିଥିଲା । କଟକରେ ତାଙ୍କର ଜଣେ ଅତି ପରିଚିତ ହାଜୀଙ୍କର ଆତ୍ମୀୟ ରେଙ୍ଗୁନ୍‍ରେ ବ୍ୟବସାୟ କରୁଥିଲେ । ତାଙ୍କର ଜରିଆରେ ଲକ୍ଷ୍ମୀନାରାୟଣ ସିଂହଳ ଯାଇଥାନ୍ତେ; କିନ୍ତୁ ଶିବପ୍ରସାଦ ଗୁପ୍ତଙ୍କର ସଶ୍ରଦ୍ଧ ଅନୁରୋଧ ଏଡ଼ି ନ ପାରି ସେ ତାଙ୍କ ଘର ବୁଲି ଦେଖି ଆସିବା ପାଇଁ କାଶୀ ଗଲେ ।

 

୧୯୩୧ ମସିହାରେ ଲକ୍ଷ୍ମୀନାରାୟଣ ଦକ୍ଷିଣ ଭାରତକୁ ବୁଲି ଯାଇଥିଲେ । ସେଠାରୁ ସିଂହଳ ଯିବା ଉଦ୍ଦେଶ୍ୟରେ ମଦୁରାଠାରୁ ମଣ୍ଡପମ୍ ପର୍ଯ୍ୟନ୍ତ ତୃତୀୟଶ୍ରେଣୀ ଟିକେଟ୍ ଖଣ୍ଡେ କାଟି ସାରିବା ପରେ ବୁକିଂ କ୍ଳର୍କଠାରୁ ଶୁଣିବାକୁ ପାଇଲେ ଯେ ତୃତୀୟଶ୍ରେଣୀରେ ଗଲେ ମଣ୍ଡପମ୍‌ଠାରେ ଅଟକ (Quarantine) ନିୟମ ବଳରେ ୫ ଦିନ ପଡ଼ି ରହିବାକୁ ପଡ଼ିବ । ତେଣୁ ସେ ଟିକେଟଟି ଫେରାଇ ଦେଇ ଫେରି ଆସିଲେ । ଏଥର ମଧ୍ୟ ଯିବା ବନ୍ଦ ହେଲା ।

 

ସେତେବେଳେ ଖ୍ରୀଷ୍ଟ କଲେଜରେ ସିଂହଳର କେତେଜଣ ଛାତ୍ର ପଢ଼ୁଥା'ନ୍ତି । ଲକ୍ଷ୍ମୀନାରାୟଣ ସେମାନଙ୍କ ସାଙ୍ଗରେ ସିଂହଳ ଯିବାପାଇଁ ଠିକ୍ ଠାକ୍ କଲେ, କିନ୍ତୁ ଏକ ଜରୁରୀ କାର୍ଯ୍ୟରେ ହଠାତ୍ ତାଙ୍କୁ ସେହି ସମୟରେ ଦିଲ୍ଲୀ ଯିବାକୁ ପଡ଼ିଲା । ଏହାପରେ ଆଉ ଥରେ ବିଶ୍ଵନାଥ କରଙ୍କ ସାଙ୍ଗରେ ସିଂହଳ ଯିବାର ଠିକ୍ ହୋଇଥିଲା । କଟକ କଚେରୀ ଓ ଲାଲବାଗ ଥାନାରେ ସେ ସମ୍ପର୍କୀୟ ସରକାରୀ କାଗଜପତ୍ର ଠିକ୍ ହେଉ ହେଉ ଦିନ ଗଡ଼ିଗଲା । ଲକ୍ଷ୍ମୀନାରାୟଣ ସିଂହଳ ଯିବାର ଅଦମ୍ୟ ଆଗ୍ରହକୁ ଏଡ଼ି ନପାରି ଉତ୍କଳ ବିଶ୍ଵବିଦ୍ୟାଳୟ ପାଠାଗାରରୁ C. Hiwaitarneଙ୍କର ସିଂହଳ ଉପରେ ଲିଖିତ କେତେଖଣ୍ଡ ବହି ତନ୍ନ ତନ୍ନ କରି ପଢ଼ି ଜାଣିଥିଲେ ଯେ ସିଂହଳବାସୀଙ୍କ ପୂର୍ବପୁରୁଷମାନେ ଓଡ଼ିଶାରୁ ଯାଇଥିଲେ । କାରଣ ସେଥିରେ ଏଇ ଭଳି ଗୋଟିଏ ଧାଡ଼ି ଲେଖାଥିଲା—Our forefathers came from the bank of the Mohanadi. କଳିଙ୍ଗର କନ୍ୟାମାନଙ୍କର ସିଂହଳ ରାଜ ପରିବାରରେ ବିବାହ କଥା ସେ ପୁରାଣରୁ ଜାଣିଥିଲେ । ସହଜେ ତ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଲାବଣ୍ୟବତୀଙ୍କ ସହ ସିଂହଳ ରାଜକୁମାର ଚନ୍ଦ୍ରଭାନୁଙ୍କୁ ବିବାହ ବର୍ଣ୍ଣନା ରହିଛି ।

Image

 

ଆସାମ ଯାତ୍ରା

 

୧୯୩୮ ମସିହାରେ ବରୋଦାରେ ଲାଇବ୍ରେରୀ ଆନ୍ଦୋଳନ ଓ ପ୍ରାଥମିକ ଶିକ୍ଷା ଅନୁଧ୍ୟାନ କରୁଥିବା ସମୟରେ ଲକ୍ଷ୍ମୀନାରାୟଣ ଠକ୍‍କର ବାପାଙ୍କ ଆଦେଶ କ୍ରମେ ବ୍ରହ୍ମପୁତ୍ର-ବନ୍ୟା-ଦୁର୍ଗତ ଆସାମବାସୀଙ୍କୁ ସାହାଯ୍ୟ କରିବାକୁ ଯାଇଥିଲେ । ଆସାମର ଉତ୍ତର ଉପତ୍ୟକାରେ ବଢ଼ିରେ କ୍ଷତିଗ୍ରସ୍ତ ଅଞ୍ଚଳ—ଲକ୍ଷ୍ମୀପୁର, ଦିବ୍ରୁଗଡ଼, ଜୋରହାଟ, ଶିବ୍ ସାଗର ଇତ୍ୟାଦି ସ୍ଥାନରେ ପାଦରେ ଚାଲି ଚାଲି ଦୁର୍ଗତମାନଙ୍କର ସେବା କରୁଥିଲେ । ବିଶେଷ‌ତଃ ଲକ୍ଷ୍ମୀପୁରର ମିରି ଜାତିର ଲୋକମାନଙ୍କୁ ଶସ୍ତାରେ ଚାଉଳ ଯୋଗାଇଦେଇ, ମାଗଣାରେ ଔଷଧ ବିତରଣ ଓ ଇଞ୍ଜେକସନ୍ ଦେଇ, ଲୁଗା ବିତରଣ ଆଦି ସେବା କାର୍ଯ୍ୟ କରିଥିଲେ । ଆସାମରେ ସେବା କାର୍ଯ୍ୟ ଶେଷ ହେବା ପରେ ଲକ୍ଷ୍ମୀନାରାୟଣ ଚାଲି ଚାଲି ଆସାମର ଯେତେ ସ୍କୁଲ, କଲେଜ ଅଛି ସବୁ ପରିଦର୍ଶନ କରିଥିଲେ । ଅଧିକାଂଶ ସ୍କୁଲରେ ତାଙ୍କୁ ବକ୍ତୃତା ଦେବାକୁ ପଡ଼ିଥିଲା । ସେତେବେଳେ ଆସାମରେ ନାରୀଶିକ୍ଷା ଖୁବ୍ ଦ୍ରୁତଗତିରେ ପ୍ରସାର କରୁଥିବା ସେ ଲକ୍ଷ୍ୟ କରିଥିଲେ ।

 

ଥରେ ଆସାମରୁ ମହାପୁରୁଷ ଶଙ୍କର ଦେବ ଓଡ଼ିଶାକୁ ଆସି ପୁରୀରେ ଦୀର୍ଘ ଦିନ ଧରି ରହିଥିଲେ । ସେ ନିଜ ରାଜ୍ୟକୁ ଫେରିଗଲାବେଳେ ପୁରୀରୁ ଜଗନ୍ନାଥ ମୂର୍ତ୍ତି ସାଙ୍ଗରେ ନେଇଥିଲେ-। ଲକ୍ଷ୍ମୀନାରାୟଣ ଆସାମର "ରାମା ମୁଦୁଲି" ନାମକ ସ୍ଥାନରେ ସେହି ମୂର୍ତ୍ତିପୂଜିତ ହେଉଥିବାର ଦେଖିବାକୁ ପାଇଥିଲେ । ଶଙ୍କର ଦେବ ମଧ୍ୟ ଓଡ଼ିଶାର ଭାଗବତ ଘର ଢାଞ୍ଚାରେ ଆସାମର ଗାଁ ଗହଳିରେ 'ନାମ-ଘର' ମାନ ବସାଇଥିଲେ । ଆସାମର ଗୋଟିଏ ସ୍ଥାନରେ ଲକ୍ଷ୍ମୀନାରାୟଣ ନଦୀ ପାର ହୋଇ ଡଙ୍ଗାରୁ ଓହ୍ଲାଇଲା ବେଳେ ନାଉରିଆ ତାଙ୍କୁ ଜଗନ୍ନାଥ ଧାମର ଲୋକ ବୋଲି ଜାଣି ପାରିବାରୁ ଲମ୍ବହୋଇ ଗୋଡ଼ତଳେ ପଡ଼ି ମୁଣ୍ଡିଆ ମାରି ପଇସା ଫେରାଇ ଦେଲା । ଆସାମୀଙ୍କର ଆରାଧ୍ୟ ଦେବତା ଜଗନ୍ନାଥ । ସେଠାରେ ସାଧାରଣ ଲୋକଙ୍କର ମଧ୍ୟ ଜଗନ୍ନାଥ ଦେଶବାସୀଙ୍କ ପ୍ରତି ଏହିପରି ଭକ୍ତି ଅଛି ।

 

ଚୈତନ୍ୟ ଦେବଙ୍କ ପୂର୍ବପୁରୁଷ ମଧ୍ୟ ଓଡ଼ିଶାରୁ ଯାଇ ଆସାମରେ ରହିଥିବା କଥା ସେ ଅନୁସନ୍ଧାନରୁ ଜାଣି ପାରିଥିଲେ ଏବଂ ଓଡ଼ିଆ ଲିପି ସହିତ ଆସାମର ସିଲହଟୀ ଲିପିର ସାମଞ୍ଜସ୍ୟ ବର୍ଣ୍ଣନା କରି ଆସାମ ଓଡ଼ିଶା ମଧ୍ୟରେ ପ୍ରାଚୀନ ସ୍ନେହ ଓ ସୌହାର୍ଦ୍ଦ୍ୟ କିପରି ଫେରି ଆସିବ ସେଥିପାଇଁ ସମସ୍ତେ ଚିନ୍ତା କରନ୍ତୁ ବୋଲି ନିବେଦନ କରିଥିଲେ ।

 

ଆସାମ ଓ ଓଡ଼ିଶା ଉଭୟ ପ୍ରାଚୀନ ତନ୍ତ୍ରପୀଠ । ସେଠାକାର "କାମାକ୍ଷା" ଓଡ଼ିଶାର "ବିରଜା" । ଗୁଣି-ଗାରେଡ଼ି କରି କାଉଁରୀ କାମାକ୍ଷାରେ ଭେଣ୍ଡାକୁ ମେଣ୍ଢା କରିବା ମିଛ କଥା ବୋଲି ସାହୁଜୀ ଲେଖିଛନ୍ତି । ଓଡ଼ିଶା ଆସାମଠାରୁ ବହୁତ ଦୂର ହୋଇଥିବାରୁ ଥରେ ଲୋକ ଆସାମ ଗଲେ ସହଜରେ ଆସିପାରୁନଥିଲେ । ପୁଣି ଚା' ବଗିଚାର ସାହୁକାରମାନେ କୁଲିଙ୍କଠାରୁ ଏକାବେଳକେ ୧୦-୨୦ ବର୍ଷ ରହିବେ ବୋଲି ଲେଖାଇ ନେଉଥିଲେ । କିନ୍ତୁ ବର୍ତ୍ତମାନର ସେ ଅବସ୍ଥାର ପରିବର୍ତ୍ତନ ହୋଇଛି । ଆସାମ ଆଉ କାଉଁରୀ କାମାକ୍ଷା ରାଜ୍ୟ ହୋଇ ନାହିଁ । ଲୋକେ ଆଜି ଆସାମ ଯାଇ ଆଜି ମଧ୍ୟ ଫେରି ଆସି ପାରୁଛନ୍ତି ।

Image

 

ନାରୀ ପ୍ରଗତି

 

ଲକ୍ଷ୍ମୀନାରାୟଣଙ୍କ ସମାଜ ସେବାରୁ ନାରୀ ଜାଗରଣର ଚିନ୍ତା ବାଦ ଯାଇ ନ ଥିଲା । ବାଲ୍ୟ ବିବାହ, ବିଧବା ବିବାହ ନିଷେଧ, ବିବାହରେ ଯୌତୁକ ଉପରେ ଗୁରୁତ୍ୱ ଆଦି ତାଙ୍କୁ ଅତି ବିଚଳିତ କରିଥିଲା । ଏହି ସବୁ କୁସଂସ୍କାର ଯୋଗୁଁ କେତେ ସେ ବାଳିକା ପ୍ରାଣ ହରାଇ ଥିଲେ ଓ ଚିରକାଳ ଦୁଃଖିନୀ ହୋଇ ଜୀବନ କଟାଉଥିଲେ ତା'ର ଇୟତ୍ତା ନ ଥିଲା । ନିଜର "ବାରବୁଲା ଜୀବନରେ" ଭାରତର ବିଭିନ୍ନ ଅଞ୍ଚଳ ବୁଲି ଏହିଭଳି ଅସହାୟ ନାରୀମାନଙ୍କର ଦୁଃଖରେ ସେ ମର୍ମାହତ ହୋଇଥିଲେ । ବାଳିକାମାନେ ଯଦି ପାଠ ପଢ଼ି ନିଜର ବ୍ୟକ୍ତିତ୍ଵ ସୁଦୃଢ଼ କରନ୍ତେ ତେବେ ଏସବୁ ଘଟନ୍ତା ନାହିଁ ବୋଲି ବହୁ ଗଳ୍ପ, ଉପନ୍ୟାସ ଓ ଉପଦେଶ ଛଳରେ ସେ ଲୋକଙ୍କୁ ବୁଝାଉ ଥିଲେ । ସେ କହୁଥିଲେ ପୂର୍ବେ ହିନ୍ଦୁର ପରିବାରରେ ଜୀବନ ଗୋଟିଏ ମହାନ ଉତ୍ସର୍ଗ ଥିଲା । ବିବାହ ଥିଲା ହିନ୍ଦୁର ଧର୍ମ ଅନୁଷ୍ଠାନ । ସେଥିରେ ଶୁଖୁଆ, ମାଛ କିଣିଲା ଭଳି–ଦର ଦସ୍ତୁରି ନ ଥିଲା-। ଯେଉଁ ଦୁଇଜଣ ପରସ୍ପର ବିବାହ ସୂତ୍ରରେ ଆବଦ୍ଧ ହେଉଥିଲେ ପରସ୍ପରର ଜନ୍ମଜନ୍ମାନ୍ତର ପାଇଁ ଆତ୍ମୋନ୍ନତି କାମନା କରୁଥିଲେ । କିନ୍ତୁ ସମାଜ ଏବେ ବଦଳି ଯାଇଛି । କୌଣସି ପାପ ପାଇଁ ପୁରୁଷ ଦାୟୀ ରହୁନି । ସମାଜ ଭୟ, ଲୋକଲଜ୍ଜା, ଚକ୍ଷୁଲଜ୍ଜା, ମାନମହତ ସବୁ କେବଳ ନାରୀମାନଙ୍କୁହିଁ ଦବେଇ ଦେଉଛି । ଏହା ଉଚିତ ନୁହେଁ । ନୂତନ ପରିବର୍ତ୍ତିତ ପରିସ୍ଥିତିରେ ଯାହା-ଯାହା ଦରକାର ଏବଂ ଯେଉଁପରି ମନୋଭାବ ଦରକାର ସେପରି ନ ରହିଲେ ପାରିବାରିକ ଜୀବନ ଭୁଷୁଡ଼ି ପଡ଼ିବ ।

 

ନାରୀମାନଙ୍କୁ ମର୍ଯ୍ୟାଦା ଦେବା ପାଇଁ ଯୁକ୍ତି ଦର୍ଶାଇ, ସେ କହିଛନ୍ତି-ନାରୀର ମୂଲ୍ୟ ପୁରୁଷଠାରୁ ବେଶି । କାରଣ ତା'ର ଦାୟିତ୍ଵ ମଧ୍ୟ ବେଶି । ମୃତପ୍ରାୟ ବ୍ୟକ୍ତିର ପ୍ରାଣରେ ନାରୀ ସୁଧା ସଞ୍ଜିବନୀ ଭଳି କାମ କରିଛି । ନାରୀ ଅନେକ ସମୟରେ ନରକୁ ଧର୍ମର ପଥ ଦେଖାଇଛି । ନାରୀର ତ୍ୟାଗ ସବୁବେଳେ ନରର ତ୍ୟାଗଠାରୁ ଅଧିକ । ମାତୃତ୍ୱର ଗୁରୁଦାୟିତ୍ଵ ନାରୀ ଉପରେ । ସେ ଦୁଃଖ ପ୍ରକାଶ କରି କହିଛନ୍ତି, ଅନେକ ସ୍ୱାମୀ ବି. ଏ. ଏମ୍. ଏ. ପାଶ୍‍ କରି ମଧ୍ୟ ନାରୀକୁ ପିଟନ୍ତି-। ଯେଉଁ ନରାଧମ ସ୍ୱାମୀ ନାରୀକୁ ମାରେ ସେ ଅତି ହୀନ । ଶାଶୁ ଶ୍ୱଶୁର ବୋହୂକୁ କଥା କଥାକେ ମାରିବା ଆହୁରି ବେଶି ଅନ୍ୟାୟ । କାରଣ ଏମାନେ ତ ବେଶି ବୟସ୍କ । ଏମାନଙ୍କର ବ୍ୟବହାର ଆହୁରି ସୁନ୍ଦର ହେବା କଥା ।

 

ଶ୍ରୀ ସାହୁ ସୋଭିଏତ୍ ରୁଷିଆରେ ନାରୀର ସ୍ଥାନ କିପରି ଉଚ୍ଚରେ ବର୍ଣ୍ଣନା କରି "ଅଜ୍ଞାତବାସ ଓ ନାରୀର ଅବମାନନା" ପୁସ୍ତକରେ ଲେଖିଛନ୍ତି—

 

ରୁଷିଆରେ ନାରୀ ସିଧା ହୋଇ ବାଟ ଚାଲେ । ବାଟ ଘାଟରେ, କଳ-କାରଖାନାରେ, ସ୍କୁଲ କଲେଜରେ, ସମାଜସେବା, ରାଜନୀତି, କୃଷିକର୍ମ ସବୁଥିରେ ଏବଂ ସବୁଠାରେ ପୁରୁଷ ସଙ୍ଗେ ସମାନ ଅନୁଭବ କରେ । ଏହା କମ୍ ଗୌରବର କଥା ନୁହେଁ । ସୋଭିଏତ୍ ରୁଷିଆରେ ପ୍ରେମ ଓ ବିବାହର ନିୟନ୍ତ୍ରଣ ଆଇନ୍ କାନୁନ୍ ଜରିଆରେ ଜୋର୍, ଜବରଦସ୍ତ କରାଯାଏ ନାହିଁ । ସେଠାରେ କୌଣସି ଶିଶୁକୁ ଜାରଜ ସନ୍ତାନ ହିସାବରେ ଘୃଣା କରାଯାଏ ନାହିଁ । ଭାରତୀୟ ସମ୍ବିଧାନରେ ପୁରୁଷ ସହିତ ନାରୀକୁ ସମାନ ଆସନ ଦିଆଯାଇଥିଲେ ମଧ୍ୟ, ପ୍ରକୃତ ସମାଜରେ ନାରୀର ସ୍ଥାନ ଏତେ ନିମ୍ନରେ ଯେ କହିଲେ ନ ସରେ । ଯୌନ ଜୀବନକୁ ଏତେ ଲୁଚା ଛପା ନ କରି ସାଧାରଣ ଚକ୍ଷୁରେ ଦେଖିଲେ ନରନାରୀର ବ୍ୟବହାର ତା' ମନକୁ ଠିକ୍ ହୋଇ ଆସିବ ବୋଲି ମତ ଦେଇଛନ୍ତି-। ପ୍ରାଚୀନ ଭାରତରେ ଜାରଜ ସନ୍ତାନ ନାରଦ ଓ ବଶିଷ୍ଠଙ୍କ ପ୍ରତି କିପରି ସମସ୍ତଙ୍କର ଭକ୍ତି ଥିଲା ଓ ଏହି ଜାରଜ ସନ୍ତାନମାନେ ନିଜର ସାଧନା ବଳରେ କେତେ ଉଚ୍ଚକୁ ଉଠି ପାରିଥିଲେ ସେ ତାହା ଦର୍ଶାଇ ଜାରଜ ସନ୍ତାନ ଓ ଅବିବାହିତା ମାତାମାନଙ୍କ ପ୍ରତି ସାଧାରଣ ଲୋକଙ୍କ ସହାନୁଭୂତି କାମନା କରିଛନ୍ତି ।

Image

 

ଜାତୀୟ ଜୀବନ ଚିନ୍ତା

 

ଓଡ଼ିଶାରେ ଜାତୀୟ ଜୀବନର ବିକାଶ କ୍ଷେତ୍ରରେ ଲକ୍ଷ୍ମୀନାରାୟଣବାବୁଙ୍କ ଅବଦାନର ପଟାନ୍ତର ନାହିଁ । ବିଚ୍ଛିନ୍ନ ଉତ୍କଳର ଏକତ୍ରୀ କରଣ ପାଇଁ ଉତ୍କଳ ସମ୍ମିଳନୀରେ ସଭାପତିତ୍ୱ କରି ସେ ଯେପରି ସ୍ଵତନ୍ତ୍ର ଓଡ଼ିଶା ଗଠନ ନିମନ୍ତେ ଚାଲିଥିବା ଆନ୍ଦୋଳନର ପୁରୋଭାଗରେ ଥିଲେ ତାହା ବହୁ ଲୋକଙ୍କୁ ବିସ୍ମିତ କରେ । ଓଡ଼ିଶା ଅପେକ୍ଷା ବାହାରେ ତାଙ୍କର ସୁନାମ ବେଶି ତଥାପି ସେ ମଧୁବାବୁଙ୍କ ନୀତିରେ ଓଡ଼ିଶାର ଉନ୍ନତି ନ ହେଲେ, ଭାରତର ଉନ୍ନତି ହୋଇ ପାରିବ ନାହିଁ ବୋଲି ଦୃଢ଼ ବିଶ୍ୱାସ କରୁଥିଲେ । ଭାରତ ସେବକ ସମିତିରେ ଯୋଗ ଦେଇ ମହାଭାରତୀୟ ହୋଇଥିଲେ ମଧ୍ୟ ଓଡ଼ିଶାର ଉନ୍ନତି ଚିନ୍ତାରୁ ସେ ଟିକିଏ ହେଲେ ବିରତ ହେଉ ନ ଥିଲେ । ୧୯୧୯ ସାଲରେ ଭାରତ ସେବକ ସମିତିରେ ନୂଆ କରି ଯୋଗ ଦେଇଥିବାରୁ ତାଙ୍କୁ ସମ୍ବର୍ଦ୍ଧନା ଜଣାଇବା ପାଇଁ କଟକ ଟାଉନ ହଲରେ ଏକ ବିରାଟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ସଭାପତିତ୍ୱ କରି ସେ ସମୟର ବିଶିଷ୍ଟ ଜନସେବୀ ରାୟବାହାଦୂର ସୁଦାମ ଚରଣ ନାୟକ ତାଙ୍କର ଶେଷ ଭାଷଣରେ ଅଙ୍ଗୁଳି ଦେଖାଇ କହିଥିଲେ—"ଦେଖ ଲକ୍ଷ୍ମୀନାରାୟଣ ଭାରତର ସେବା କର ପଛକେ, ଗରିବ ଓଡ଼ିଆଙ୍କୁ ଭୁଲିବା ନାହିଁ । ଶେଷ ପର୍ଯ୍ୟନ୍ତ ସେ କଥାଟି ସେ ନିଜେ କେବଳ ମନେ ରଖି କାର୍ଯ୍ୟ କରିଥିଲେ ସତେକି ନୁହେଁ, ତରୁଣ ଯେଉଁମାନଙ୍କଠାରେ ଉଜ୍ଜଳ ସମ୍ଭାକାର ସ୍ୱାକ୍ଷର କରୁଥିଲେ ସେମାନଙ୍କୁ ମଧ୍ୟ ସେ ସେଇ କଥା ମନେ ପକେଇ ଦେଉଥିଲେ ।

 

ଓଡ଼ିଶାର ଅତୀତ ଇତିହାସର ଗୌରବବୋଧରେ ତାଙ୍କର ବିଶ୍ୱାସ ଥିଲା । ଏପରିକି, ସେ "ଓଡ଼ିଆର ଜାତୀୟ ଜୀବନ" ପ୍ରବନ୍ଧରେ—ଏହି ଧରିତ୍ରୀ ତଳେ ଭାରତର ପୂର୍ବ ପାଖରେ ମହାନଦୀଠାରୁ ଗୋଦାବରୀ-ମଧ୍ୟରେ ପ୍ରଥମ ମାନବର ବିକାଶ ସୃଷ୍ଟି ହୋଇଥିଲା ବୋଲି ପ୍ରତ୍ନତାତ୍ତ୍ୱିକମାନଙ୍କର ମତ ଉଦ୍ଧାର କରିଛନ୍ତି । ଅକାଳ ଝାଉଁଳା ଓଡ଼ିଆ ଜାତିକୁ ତା'ର ଅତୀତ ଇତିହାସର ଗରିମାଦୀପ୍ତ କୀର୍ତ୍ତି–କାହାଣୀରେ ଉଦ୍‍ବୁଦ୍ଧ କରିବା ପାଇଁ ସେ ଲେଖିଛନ୍ତି—କଳିଙ୍ଗ ସଭ୍ୟତା ଯେତେବେଳେ ଦୀପ୍ତ ଥିଲା ସେତେବେଳେ ଓଡ଼ିଶା କମ୍ପୁଥିଲା । କଳିଙ୍ଗ ସାମ୍ରାଜ୍ୟ ବହୁ ବିସ୍ତୃତ ଓ ବହୁ ପ୍ରଭାବଶାଳୀ ଥିଲା । ତା'ର ସେହି ଆର୍ଯ୍ୟ ସଭ୍ୟତା, ବ୍ରହ୍ମଦେଶ, ସୁଦୂର ଜାଭା, ବାଲି ଦ୍ଵୀପ ପ୍ରଭୃତିକୁ ବିସ୍ତୃତି ଲାଭ କରିଥିଲା ଏବଂ ସେତେବେଳେ ଶୌର୍ଯ୍ୟ ଓ ବୀର୍ଯ୍ୟରେ ଓଡ଼ିଆ ଜଗତର ଅରୁଣସ୍ତମ୍ଭ ଭଳି ବିରାଜମାନ ହେଉଥିଲା ।

 

ଗଲା ସେ କୁଆଡ଼େ ? କାହିଁ ଆଜି ସେ ଓଡ଼ିଆ ? ଅଶୋକଙ୍କ କଳିଙ୍ଗ ଯୁଦ୍ଧରେ ଲକ୍ଷେ ଓଡ଼ିଆ ବନ୍ଦୀ ଓ ଦେଢ଼ ଲକ୍ଷ ନିହତ ହୋଇଥିଲେ । ତଥାପି ଏହା ଓଡ଼ିଆ ଜାତିକୁ ଦୁର୍ବଳ କରି ନ ଥିଲା । ଚଣ୍ଡାଶୋକଙ୍କୁ ଧର୍ମାଶୋକ କରି ଓଡ଼ିଆ ବରଂ ବିଜୟୀ ହୋଇଥିଲା । ତା'ପରେ କଳିଙ୍ଗ ସମ୍ରାଟ୍ ଖାରବେଳଙ୍କ ନେତୃତ୍ୱରେ ଓଡ଼ିଆମାନେ ଭାରତ ଜୟ କରିଥିଲେ । ଏହାହିଁ ଥିଲା ବହିର୍ମୁଖୀ କଳିଙ୍ଗ ସଭ୍ୟତାର ଚରମ ଗୌରବ ।

 

ଏହାପରେ ଅଶୋକଙ୍କର ବୌଦ୍ଧଧର୍ମର ପ୍ରଭାବରେ ଓଡ଼ିଆ ଅନ୍ତର୍ମୁଖୀ ହେଲା । ଅଷ୍ଟମ ଶତାବ୍ଦୀ ବେଳକୁ ଅନ୍ତର୍ମୁଖୀ ଓଡ଼ିଆ ସଭ୍ୟତା ପରିପୂର୍ଣ୍ଣତା ଲାଭ କରି ଶିଳ୍ପ, ସାହିତ୍ୟ, ସଙ୍ଗୀତ, ବିଚାର, ରାଜପଣ, କ୍ଷମା ଓ ଉଦାରତାରେ ଭାରତର ସମସ୍ତଙ୍କୁ ବଳିଯାଇଥିଲା । ସଂସ୍କୃତ ସାହିତ୍ୟର ରତ୍ନ ଭଣ୍ଡାରକୁ ଓଡ଼ିଶାର ଅବଦାନ କମ୍ ନୁହେଁ ।

 

ସାମ୍ରାଜ୍ୟ ଗଠନରୁ ଓଡ଼ିଆ ମନ୍ଦିର ଗଠନ ଦିଗରେ ମନ ଦେଇ ସେଥିରେ ଅଶେଷ କୃତିତ୍ୱ ଦେଖାଇଲା । କଳିଙ୍ଗ ବିଜୟଠାରୁ ଏକ ହଜାର ବର୍ଷ ମଧ୍ୟରେ ଓଡ଼ିଆ ଶିଳ୍ପ ଚାତୁର୍ଯ୍ୟରେ ଅଗ୍ରଣୀ ହେଲା । ଓଡ଼ିଶାରେ ଭୁବନେଶ୍ୱର, କୋଣାର୍କ ମନ୍ଦିର ତିଆରି କରି ଜଗତକୁ ବିସ୍ମିତ କଲା ଏବଂ ଆଜି ପର୍ଯ୍ୟନ୍ତ ଯାହାର କେହି ସମକକ୍ଷ ହୋଇ ପାରି ନାହାନ୍ତି, ସେ ଜାତିର ମହତ୍ୱ ଯେ ବୁଝିବାର ଲୋକ ସେ ବୁଝିବ । ସମସ୍ତେ ପାରିବେ ନାହିଁ । ଓଡ଼ିଆ ଜାତିର ରାଜା ଏକ ଛତ୍ରାଧିପତିର କ୍ଷମତା ହାତରେ ଧରି ତିଳେ ହେଲେ ଗର୍ବ କରୁ ନ ଥିଲେ । ସେଥିରେ ଜାତିର ସେବକ; ଏଣୁ ଶୁଦ୍ର, ପୁଣି ମହାଜ୍ଞାନୀ; ଏଣୁ ବ୍ରାହ୍ମଣ, ଅସାଧାରଣ ଶକ୍ତିଶାଳୀ; ଏଣୁ କ୍ଷତ୍ରିୟ ।

 

ଓଡ଼ିଆମାନଙ୍କର ବୈଶିଷ୍ଟ୍ୟ ରୂପେ ସେ ଦୃଢ଼ ଓ ଉଦାର ମନୋବୃତ୍ତି, ସ୍ୱଳ୍ପ, ସନ୍ତୁଷ୍ଟି, ତ୍ୟାଗ ଓ ସଦ୍ଭାବ ପ୍ରଦର୍ଶନକୁ ଦର୍ଶାଇଛନ୍ତି । ଯୁଗେ-ଯୁଗେ ଭାରତର ଭିନ୍ନ ଭିନ୍ନ ପ୍ରାନ୍ତରୁ ମହାପୁରୁଷମାନେ ଆସି ଓଡ଼ିଆଙ୍କର ଉଦାରତା ନିକଟରେ ମଥାନତ କରିଛନ୍ତି । କ୍ଷୁଦ୍ର–କ୍ଷୁଦ୍ର କୃତୀ ଘେନି ଗର୍ବ କରିବା ଲୋକ ଓଡ଼ିଆ ନୁହେଁ । ସେ ଅତି ପରିଶ୍ରମୀ, ବୁଦ୍ଧିମାନ । ଗଠନ ପଥରେ ଗତି ତାର ଧୀର ଅଥଚ ସୃଷ୍ଟି ବିରାଟ ।

 

କିନ୍ତୁ ପରାଧୀନତା ପରେ ଓଡ଼ିଆ ଜାତିର ଅନାଗ୍ରସରତାରେ ସେ ବ୍ୟଥିତ ହୋଇଛନ୍ତି । ଓଡ଼ିଆ ଜାତି ଉପରେ ଅନ୍ୟ ଜାତିର ଆକ୍ରୋଶ ଅତ୍ୟାଚାର ତାଙ୍କୁ ଅସହ୍ୟବୋଧ ହୋଇଛି । ସେହି ଯୋଗୁ ହିଁ ସେ ମଧୁବାବୁଙ୍କୁ ଗାନ୍ଧିଜୀଙ୍କ ପ୍ରତି ଶ୍ରଦ୍ଧା, ଭକ୍ତି ସତ୍ତ୍ୱେ ବିହାର ଓଡ଼ିଶା ମନ୍ତ୍ରୀମଣ୍ଡଳରେ ଯୋଗ ଦେବାକୁ ପ୍ରବର୍ତ୍ତାଇ ଥିଲେ ଏବଂ ସାଇମନ କମିଶନଙ୍କୁ କଂଗ୍ରେସ ପକ୍ଷରୁ ବିରୋଧ କରାଯାଉଥିବା ସତ୍ତ୍ୱେ ସେ ସ୍ୱାଗତ ଜଣାଇଥିଲେ । ରାଜନୈତିକ ଉଦ୍ଦେଶ୍ୟରୁ ଓଡ଼ିଶାକୁ ଖଣ୍ଡ–ଖଣ୍ଡ କରି ଯେପରି ଅବିଚାର କରାଯାଇଛି, ସାଇମନ କମିଶନଙ୍କ ଆଗମନ ଫଳରେ ତାହାର ପରିସମାପ୍ତି ଘଟିପାରେ ବୋଲି ତାଙ୍କର ଆଶାଥିଲା ।

 

ଓଡ଼ିଆ ଲୋକଙ୍କର କେତେ ଦୁର୍ଗୁଣ ସମ୍ପର୍କରେ ମଧ୍ୟ ତାଙ୍କର ମନ୍ତବ୍ୟ ଅତି କଟୁଥିଲା । ସେ ନିଜେ ଅନୁଭୂତିରୁ ଲେଖିଛନ୍ତି—ଅନେକେ ବହି ମାଗି ନିଅନ୍ତି, ମାତ୍ର ଫେରେଇବାକୁ କୁଣ୍ଠାବୋଧ କରନ୍ତି । ସେଥିରେ ପୁଣି ନେଇଥିବା ବହିରୁ ଛବିସବୁ ଚୋରିକରି ନେଇ ଯାଆନ୍ତି । ଏହି ହୀନ ଜାତୀୟ ଚରିତ୍ରହୀନତା ଆମର ସର୍ବନାଶ କରିଛି, କରୁଛି ଏବଂ ଚିରଦିନ କରୁଥିବ ।

 

ଓଡ଼ିଆ ଠକେ ନାହିଁ—ଠକିବାର ସୁବିଧା ପାଇଲେ ଛାଡ଼େ ନାହିଁ । କିନ୍ତୁ ଇଂରେଜ ଜାତିଠାରେ ଏସବୁ ଆଚରଣ ଦେଖିବାକୁ ମିଳିବ ନାହିଁ । କର୍ତ୍ତବ୍ୟପରାୟଣତା ସେମାନଙ୍କର ଖୁବ୍ ବେଶୀ । କିନ୍ତୁ କର୍ତ୍ତବ୍ୟପରାୟଣତା ଆମର ଆଦୌ ନାହିଁ । ଆମେ ଚରିତ୍ରହୀନ । ଆମର ଆଚରଣ, ପୋଷାକ, ମନ କେଉଁ ଗୋଟିକ ହେଲେ ପରିଷ୍କାର ନୁହେଁ ।

 

ଆମର ପ୍ରକାଶକମାନେ ଲେଖକମାନଙ୍କଠାରୁ ବହି ନେବେ, ଛାପିବେ, କିନ୍ତୁ ବିକ୍ରୀତ ମୂଲ୍ୟ ଦେବେ ନାହିଁ । ତାଙ୍କ ଦୁଆରକୁ ୧୦ ଥର ନେହୁରା ହୋଇ ଧାଇଁଲେ କେଜାଣି ଅବା କାଣିଚାଏ ମିଳେ । କିନ୍ତୁ ମ୍ୟାକ୍‍ମିଲାନ କମ୍ପାନୀରେ ବହି ଖଣ୍ଡେ ଛାପିଲେ, ତୁମେ ଯେଉଁଠି ଥାଅନା କାହିଁକି, ବହିମୂଲ୍ୟ ମନିଅର୍ଡ଼ର ଯୋଗେ ତୁମ ନିକଟରେ ଆସି ପହଞ୍ଚିଯିବ ।

 

ଧପ୍‍ପାବାଜି, ଜାଲିଆତି, ଭଣ୍ଡାମି, ଠକେଇ, ଗୁଣ୍ଡାମି, ଜୁଆଚୋରି, ଚୌର୍ଯ୍ୟବୃତ୍ତି ଓ ଚରିତ୍ରହୀନତା ଆମ ସମାଜରେ ଚାରିଆଡ଼େ କାୟା ବିସ୍ତାର କରି ରହିଥିବାର ଦେଖି ଲକ୍ଷ୍ମୀନାରାୟଣ ବିଶେଷ ମର୍ମାହତ ହୋଇଥିଲେ । ଅନ୍ୟକୁ ଠକିବାରେ ଚତୁରତା ଅପେକ୍ଷା ଅମାନବିକତା ଓ ହିନମନ୍ୟତା ବେଶି ପ୍ରକାଶିତ ହୋଇଥାଏ ବୋଲି ସେ ଦୃଢ଼ ମତପୋଷଣ କରିଥିଲେ ।

 

ଥରେ ଲକ୍ଷ୍ମୀନାରାୟଣ ତାଙ୍କୁ ଆଗରୁ କଥାଦେଇଥିବା କୌଣସି ସମ୍ବାଦପତ୍ରର ଉଚ୍ଚ ଶିକ୍ଷା ସମ୍ପନ୍ନ ଯୁବ ସମ୍ପାଦକଙ୍କ ସହିତ ଫୋନ୍ ଯୋଗେ ଆଳାପ କରିବାକୁ ଫୋନ୍ ଉଠାଇଲେ । ସମ୍ପାଦକ ଫୋନ୍ ନ ଧରି ଆଉ ଜଣେ ଫୋନରେ ତାଙ୍କୁ ଟିକିଏ ଅପେକ୍ଷା କରିବାକୁ କହିଦେଇ, ତଳେ ରିସିଭର ଥୋଇ ନିକଟରେ ଥିବା ସମ୍ପାଦକଙ୍କ ସଙ୍ଗେ କଥାବାର୍ତ୍ତା କରି ଆସି ଜଣାଇଲେ ଯେ ସେ ନାହାନ୍ତି । କିନ୍ତୁ ଲକ୍ଷ୍ମୀନାରାୟଣ ଏ ପାଖରେ ଉଭୟଙ୍କର ଚାପାଗଳାରେ କଥାବାର୍ତ୍ତା ସ୍ପଷ୍ଟ ଶୁଣି ପାରୁଥିଲେ । ଠକାମୀ ବ୍ୟତୀତ ଏହା ଆଉ କ'ଣ ହୋଇପାରେ ?

 

ଆଉ ଥରେ ରେଳ ଷ୍ଟେସନରେ ତାଙ୍କର ଗୋଟିଏ ପାର୍ଶଲ ଆସି ପହଞ୍ଚିଲା । ନୋଟିସ୍ ପାଇଲା ଦିନଠାରୁ ସେ ନିଜେ ଓ ଲୋକ ପଠାଇ ଦିନେ, ଦୁଇଦିନ ଅନ୍ତରରେ ୧୦|୧୨ ଥର ଅନୁସନ୍ଧାନ କଲେ । ଦଶ ଏଗାର ଦିନ ଏପରି ଦଉଡ଼ିବା ପରେ ଦିନେ ଉତ୍ତର ମିଳିଲା ଯେ ଅତିରିକ୍ତ ମହାସୁଲ (Demurrage) ପଡ଼ିଛି । ଦେଲେ ଯାଇଁ ଜିନିଷ ମିଳିବ । ଯେଉଁମାନେ ସେଠାରେ କାମ କରୁଥିଲେ ସେମାନେ ସେ ରସିଦଟାରେ ତାରିଖ ପକେଇ ଦେଇଛନ୍ତି । କହିବେ କାହାକୁ ? କରିବେ ଅବା କ'ଣ ? କାହା ସାଙ୍ଗରେ ଲଢ଼ିବେ ? ଜାତୀୟ ଚରିତ୍ରର ଉନ୍ନତି ନ ହେଲେ ଏପରି ଘଟିବ, ଘଟୁଥିବ । ଆମ ଜାତୀୟ ଚରିତ୍ରର ଦୁର୍ବଳତା ଏତେ ବେଶୀ ଯେ ଦେଖିଲେ ଲଜ୍ଜିତ ଓ ଅପମାନିତ ହେବାକୁ ହୁଏ ।

 

ବର୍ତ୍ତମାନ ଜଗତର ସଭ୍ୟତାର ମାପକାଠିରେ ଓଡ଼ିଆ ପଶ୍ଚାତ୍‍ପଦ । ଯେଉଁ ଜାତି ଭୁବନେଶ୍ୱର, ବିରଜା, କୋଣାର୍କ, ରାଜରାଣୀ ଓ ମୁକ୍ତେଶ୍ଵରର ନିର୍ମାତା ସେ ଜାତି ଅନ୍ୟର ଅନ୍ଧାନୁକରଣ କରୁଛି । ସେ ଜାତିର ଆଉ ସାଧନା ନାହିଁ, କି ଐକ୍ୟ ନାହିଁ, ନାହିଁ ଜ୍ଞାନ ଗୁଣ, ନାହିଁ ଚର୍ଚ୍ଚା, ନାହିଁ ଅନୁସନ୍ଧିତ୍ସା । ଜାତିର ଏ ଘୋର ଦୁର୍ଦ୍ଦିନରେ ଲକ୍ଷ୍ମୀନାରାୟଣଙ୍କର ଅନ୍ତର ଦଳିତ ମତ୍‍ଥିତ ହୋଇଛି ସିନା ଜୀବନର ସାୟାହ୍ନରେ ବିଶେଷ ସକ୍ରିୟ ହୋଇ ପାରିନାହିଁ । ବିଶ୍ଵ ଦରବାରରେ ଏ ଜାତି ଏକ ସଂସ୍କୃତିବନ୍ତ ଜାତି ବୋଲି ସମସ୍ତେ ଉପଲବ୍‍ଧି କରନ୍ତୁ ସ୍ଵୀକାର କରନ୍ତୁ ଓ ସମ୍ମାନ ଦିଅନ୍ତୁ, ଏହାଥିଲା ଲକ୍ଷ୍ମୀନାରାୟଣଙ୍କର ପ୍ରଧାନ ଚିନ୍ତା ।

 

ସେ କ୍ଷୋଭ ପ୍ରକାଶ କରି ଲେଖିଛନ୍ତି ଆଜି ଓଡ଼ିଆ ଜାତି ଉପରେ ଅନ୍ୟ ଜାତିର ଅକ୍ରୋଶ-ଅତ୍ୟାଚାର ଚାଲିଛି ଓ ତାହାର ପ୍ରତିବାଦ ବା ପ୍ରତିରୋଧ କଲେ ଆମେ ହେଲୁ ପ୍ରାଦେଶିକ ଭାବାପନ୍ନ ଆଉ ସେମାନେ ହେଲେ ବିଶ୍ଵଭାବପୂର୍ଣ୍ଣ–ହାୟ ! ହାୟରେ !

 

ଓଡ଼ିଶାର ବର୍ତ୍ତମାନର ଆର୍ଥିକ ଦୁର୍ଗତିରେ ସେ ଦୁଃଖ ପ୍ରକାଶ କରୁଥିଲେ । ଓଡ଼ିଶାର ଲୋକେ ଜାମସେଦପୁର, ରେଙ୍ଗୁନ ଓ ଆସାମରେ ଖଟି ଖଟି ପଇସା ରୋଜଗାର କରିବାକୁ ଯାଇ, ସେଠାରୁ ରୋଗ ଓ ଭଲ ସ୍ୱାସ୍ଥ୍ୟ ଧରି ଫେରୁଥିଲେ । ସେଥିରେ ସେ ଖୁବ୍ ବ୍ୟଥିତ ହେଉଥିଲେ । ସେ ସବୁବେଳେ ଦୃଢ଼ ମତ ପୋଷଣ କରୁଥିଲେ ଆମ ଦେଶର ଯୁବକମାନେ କିପରି ଆମ ଦେଶରେ ରହି ଉପାର୍ଜ୍ଜନ କରିବାକୁ ସମର୍ଥ ହୋଇ ପାରିବେ । ଜାତିର ଯୌବନ ଅନ୍ୟତ୍ର ଯେପରି ଧ୍ୱସ୍ତବିଧ୍ୱସ୍ତ ହୋଇ ଯାଉଛି ତାହା ତାଙ୍କୁ ଚିନ୍ତିତ କରିଥିଲା ।

 

ସେ କ୍ଷୋଭ ପ୍ରକାଶ କରି କହୁଥିଲେ ଓଡ଼ିଆମାନେ କର୍ମଠ ନୁହନ୍ତି ସେମାନେ ସୁସ୍ଥି, ସେଥିପାଇଁ ହୀରାକୁଦ ଭଳି ଯୋଜନାମାନଙ୍କରେ ଅଧିକ ସଂଖ୍ୟାରେ ଉପଯୁକ୍ତ ଓଡ଼ିଆ ଦେଖାଯାଉ ନାହାନ୍ତି । ଭାରତର ଭିନ୍ନ ଭିନ୍ନ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଛାତ୍ରମାନେ କୃତୀତ୍ଵର ସହ ପାଶ କରୁଥିଲେ ମଧ୍ୟ ସେମାନଙ୍କଠାରେ ସତେଜ ମନୋଭାବ ଓ ବଳିଷ୍ଠ ତନୁ ଦେଖାଯାଉ ନାହିଁ । ତେଣୁ ସେମାନେ ନିଜ ଦେଶର କର୍ମବୀର ହୋଇ ଯଶୋଲାଭ କରିପାରୁ ନାହାନ୍ତି । ଓଡ଼ିଶାର କୁଟୀର ଶିଳ୍ପ ଲୋପ ପାଇଯିବାକୁ ବସିଲାଣି । ଯୁବକମାନେ କି କୁଟୀରଶିଳ୍ପ, କି ବୃହତ୍ ଶିଳ୍ପ ସବୁଥିରେ ପଶି କିପରି କାୟିକ ଶ୍ରମ ପ୍ରତି ଆଗ୍ରହ ପ୍ରକାଶ କରିବା ଆବଶ୍ୟକ । ନ ହେଲେ ଜାତିର ପତନ ସୁନିଶ୍ଚିତ ହେବ ଏବଂ ଓଡ଼ିଆ ବୋଲି ଗର୍ବ କରିବାର କୌଣସି କାରଣ ରହିବ ନାହିଁ । ଅତୀତର ଯେଉଁ ଯୋଗ୍ୟତା ଆମ ଇତିହାସରେ ଲିପିବଦ୍ଧ ହୋଇ ରହିଛି ତାହା ଆମର ଦୈନନ୍ଦିନ ଜୀବନରେ ଦେଖା ନଦେଲେ ବିଶ୍ଵ ଦରବାରରେ ଆମର ଆସନ କେଉଁଠି ରହିବ ବୋଲି ସେ ଓଡ଼ିଶାର ଯୁବକମାନଙ୍କ ଆଗରେ ପ୍ରଶ୍ନବଚୀ ଥୋଇ ଯାଇଛନ୍ତି ।

Image

 

ପାରିବାରିକ ଜୀବନ

 

ଆବଲ୍ୟରୁ ସାହୁଜୀଙ୍କ ଜୀବନ ଥିଲା ସଂଘର୍ଷମୟ । କିନ୍ତୁ ଘାତ-ପ୍ରତିଘାତ, ବାଧା-ବନ୍ଧନ, ପ୍ରତିରୋଧ ଓ ଯାତନା ଭିତରେ ସେ କେବେ ନିଜକୁ ଅସହାୟ କିମ୍ବା ଦୁର୍ବଳ ବୋଲି ମନେ କରିନାହାନ୍ତି । ସାହୁଜୀ ନିଜେ ଥିଲେ ଏକ ଅପୂର୍ବ ସମ୍ମିଶ୍ରଣ–ତାଙ୍କର ମନ ଥିଲା ଫୁଲଠାରୁ ଆହୁରି କୋମଳ; କିନ୍ତୁ ଇସ୍ପାତଠାରୁ ଆହୁରି କଠିନ । କାଉଁରିଆ କାଠି ସେ, "ଭାଙ୍ଗିଯିବେ ପଛେ ନଇଁବେ ନାଇଁ" ପୁଣି ସେ ବେତ-"ନଇଁଯିବେ ପଛକେ ଭାଙ୍ଗିଯିବେ ନାହିଁ"—ଏକ ବିଚିତ୍ର ସମନ୍ୱୟ ସେ । ସାଂସାରିକ କ୍ଷେତ୍ରରେ କେଉଁଠି ବିପଦ ତାଙ୍କୁ ଦୁର୍ବଳ କରିପାରି ନାହିଁ । ନିହାତି—ଅଜାଏ ଜବରଦସ୍ତ ଲୋକ ପୁଣି ନିହାତି ଲଘୁ, ନିହାତି ସରଳ ଓ ଅତିଶୟ ଅମାୟିକ । ପରିବାର ବୋଇଲେ ଆମେ ଯେଉଁ ଅର୍ଥରେ ବୁଝୁ, ସାହୁଜୀଙ୍କର ସେ ନଥିଲା ପରିବାର । ଚଉକାନ୍ଥିଘେରା ପରିବାରକୁ ଛାଡ଼ିଦେଲେ, ସମଗ୍ର ବିଶ୍ୱ ଥିଲା ତାଙ୍କ ଦୃଷ୍ଟିରେ ଗୋଟାଏ କୁଟୁମ୍ବ । ସମସ୍ତେ ତାଙ୍କର ଅତି ଆପଣାର—ନହେଲେ ଯାହା ଘରେ ମନ ତା' ଘରେ ପଶି ମାଗିକରି ଲୁଣ ଥାଉ, ତୁଣ ଥାଉ ପଖାଳ କଂସାରେ ହାତ ସେ ବୁଡ଼ାଇ ନଥାନ୍ତେ ।

 

ତେବେ ନିଜର ହୋଇ ପିଲା-କୁଟୁମ୍ବ ତେଲ-ଲୁଣର ସଂସାର ବୋଲି ଆମେ ଯାହାକୁ କୁହେଁ, ତାହା ଲକ୍ଷ୍ମୀନାରାୟଣଙ୍କର ଯେ ନ ଥିଲା ତାହା ନୁହେଁ । ପିଲାଦିନେ ଖିଆଲୀ ମନରେ ସାହେବାଣୀ (ମେମ୍)କୁ ବାହା ହେବାକୁ ତାଙ୍କ ମାଆଙ୍କୁ ଯେମିତି ଅଥୟ କରିଛନ୍ତି, ପରିଣତ ବୟସରେ ବିବାହର ଆୟୋଜନ ସମୟରେ ମଙ୍ଗଳ ଘଟ, ବିବାହ ବେଦୀ, ପୂଜା ଉପଚାରକୁ ଗୋଇଠାମାରି ଛିନ୍ନଛତ୍ର କରିଛନ୍ତି । ପିଲାଦିନର ମେମ୍ ପ୍ରଲୁବ୍‍ଧ ଲକ୍ଷ୍ମୀନାରାୟଣ ଓ କଲେଜ ଜୀବନରେ ଶଙ୍କରାଚାର୍ଯ୍ୟଙ୍କ ମୋହମୁଦ୍‍ଗର ଘୋଷା ଲକ୍ଷ୍ମୀନାରାୟଣଙ୍କ ଭିତରେ ଦେଖା ଦେଇଥିଲା ଘୋର ପାର୍ଥକ୍ୟ । ବିବାହ ହେବାପରେ ମାସ–ମାସ, ବର୍ଷ-ବର୍ଷ ଧରି ନିଜର ପତ୍ନୀକୁ ଅବହେଳିତା କରି ଲକ୍ଷ୍ମୀନାରାୟଣ ବାହାରେ ଦୀନଦୁର୍ଗତଙ୍କ ସେବାରେ ନିଜକୁ ହଜାଇ ଦେଇଛନ୍ତି । ବିଭିନ୍ନ ଅବକାଶରେ କଲେଜ ଛୁଟି ହେଲେ ସବୁ ଛାତ୍ର ଘରକୁ ଯାଆନ୍ତି; କିନ୍ତୁ ଘରକୁ ନଯିବା ଉଦ୍ଦେଶ୍ୟରେ ଜାଣିଶୁଣି ଏଠି ସେଠି ସାଙ୍ଗ ଘରେ କିମ୍ବା କୌଣସି ଅନୁଷ୍ଠାନରେ ଲକ୍ଷ୍ମୀନାରାୟଣ ରହିଯାଆନ୍ତି । ମାଆଙ୍କର ମନସ୍ତାପ, ଚିନ୍ତା-ପୁଅ କାହିଁକି ଘରକୁ ଆସୁନି । ସାଂସାରିକ ସୁଖ ସ୍ୱାଚ୍ଛନ୍ଦ୍ୟ, ଭୋଗ-ବିଳାସ ଓ ପାର୍ଥିବ ଆକର୍ଷଣ ମୋହ ମାୟାର ନିବନ୍ଧନରେ ବାନ୍ଧିହୋଇ ରହିବା ଲୋକ ଲକ୍ଷ୍ମୀନାରାୟଣ ନ ଥିଲେ ।

 

ସେ ଚାହୁଁଥିଲେ—ସେ ଯେମିତି ତାଙ୍କ ପରିବାରର ସମସ୍ତେ ସେହିଭଳି ହୁଅନ୍ତୁ । ତାଙ୍କର ସ୍ତ୍ରୀ ମଫସଲ ଅଞ୍ଚଳର ଝିଅ ଥିବାରୁ ନିରକ୍ଷରା ଥିଲେ; କିନ୍ତୁ ଲକ୍ଷ୍ମୀନାରାୟଣ ତାଙ୍କୁ ବାଧ୍ୟକରି ପାଠ ପଢ଼ାଇବା ଆରମ୍ଭ କଲେ । ଶିକ୍ଷକ ପ୍ରାଥମିକ ଛାତ୍ରକୁ କଡ଼ା ନଜରରେ ରଖିଲା ଭଳି ସେ ନିଜର ସ୍ତ୍ରୀଙ୍କୁ ଅ-ଆ ଠାରୁ ଆରମ୍ଭ କରାଇ ମାଇନର ସ୍ତର ପର୍ଯ୍ୟନ୍ତ ନେଇ ପାରିଥିଲେ । ନବପରିଣତା ପତ୍ନୀଙ୍କ ପ୍ରତି ସେ ଖୁବ୍ ରୁକ୍ଷ ଓ କଠୋର ହୋଇଛନ୍ତି । ସୁଖ-ସୌଖୀନର ବିଳାସ ଦେବା ପରିବର୍ତ୍ତେ ସେ ତାଙ୍କୁ ଦେଇଥିଲେ ଯାତନା, କଷଣ, ସାଧନା ଓ ତାହାରି ମଧ୍ୟରେ ସିଦ୍ଧି । ନିଜର "ବସୁଧୈବ କୁଟୁମ୍ବକ" ନୀତିକୁ ମାନି ନେବା ପାଇଁ ସାମାଜିକ କୁସଂସ୍କାରଗ୍ରସ୍ତା ନିଜର ପତ୍ନୀଙ୍କୁ ବାଧ୍ୟ କରି ହରିଜନ ବସ୍ତିକୁ ପଠାଇଛନ୍ତି, ପାଣ-ପଠାଣଙ୍କୁ ଘରକୁ ଡାକିଆଣି ତାଙ୍କର ପରିଚର୍ଯ୍ୟା କରିବାର ଭାର ଲଦି ଦେଇଛନ୍ତି ପତ୍ନୀଙ୍କ ଉପରେ ।

 

ଭଗବାନ୍ ଜାଣି ଶୁଣି ଲକ୍ଷ୍ମୀନାରାୟଣଙ୍କୁ ବହୁ କୁଟୁମ୍ବୀ କରାଇ ନ ଥିଲେ । ଯେ, ସମସ୍ତଙ୍କୁ ନିଜର ପିଲା ବୋଲି ମନେକରେ ତା'ର ବହୁ କୁଟୁମ୍ବରେ ବା କି ପ୍ରୟୋଜନ ? ଗୃହ ଜଞ୍ଜାଳ ଭିତରେ ବାନ୍ଧି ରଖିଦେଲେ, ଲକ୍ଷ୍ମୀନାରାୟଣ ଦରିଦ୍ର ନାରାୟଣର ସେବା କରିବାକୁ ସମୟ ପାଇବେ ନାହିଁ ବୋଲି ବୋଧହୁଏ ତାଙ୍କୁ ଭଗବାନ୍ ଏକମାତ୍ର କନ୍ୟାର ଜନକ କରିଥିଲେ । ବାପା, ମାଆ, ପତ୍ନୀ ବୀଣା ଓ କନ୍ୟା ଶାନ୍ତିକୁ ଛାଡ଼ିଦେଲେ ତାଙ୍କର ପରିବାରରେ ଆଉ କେହି ନ ଥିଲେ । ଲକ୍ଷ୍ମୀନାରାୟଣଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବୀଣା ଦେବୀ ସୁଖ-ଦୁଃଖ ଉପେକ୍ଷା ଓ ବିରକ୍ତି ସତ୍ତ୍ୱେ ମଧ୍ୟ କେବେ କର୍ତ୍ତବ୍ୟ ପଥରୁ ଓହରି ଯାଇନାହାନ୍ତି । ମନରେ କୌଣସି କଟୁତା କିମ୍ବା କପଟ ପୋଷଣ ନ କରି ଅମ୍ଳାନବଦନରେ ସ୍ୱାମୀଙ୍କର କଥା ମାନି ନେଇଛନ୍ତି । ଯେତେ ଝଡ଼-ଝଞ୍ଜା ଆସିଛି, ସେ ସବୁକୁ ପାଷାଣ ପରି ଛାତି ପାତି ସହି ନେଇଛନ୍ତି । ଲକ୍ଷ୍ମୀନାରାୟଣ ତାଙ୍କର ବାରବୁଲା ଜୀବନରେ ଲେଖିଛନ୍ତି—"ଯେତେ ବିପଦରେ ମୁଁ ପଡ଼ିଛି—କୁଷ୍ଠରୋଗରେ, ଶ୍ୱାସ ରୋଗରେ, ଟାଇଫଏଡ୍‍ରେ, ମ୍ୟାଲେରିଆରେ—ସବୁଥିରେ (ତାଙ୍କ ପତ୍ନୀ) ବିନିଦ୍ର ରଜନୀ କଟାଇଛି । ଦିନେ କହି ନାହିଁ ଯେ—ତୁମପାଇଁ ଏତେ ଖଟିଲି, ଏତେ କଲି, ମୋ' ଆଡ଼କୁ ଟିକେ ଶୁଭଦୃଷ୍ଟି ପକାଇଲ ନାହିଁ ? ବା ବୁଝିଲ ନାହିଁ ମୋତେ ? ନା' ତା ସେ କହି ନାହିଁ । ଆଶ୍ଚର୍ଯ୍ୟ ଏହି ରମଣୀ । ରକ୍ଷା କରିଛି ପାପ, ପ୍ରଲୋଭନରୁ ଭୀଷଣ ବ୍ୟାଘ୍ରୀପରି ଝାମ୍ପ ପ୍ରଦାନ କରି ।"

ବାସ୍ତବିକ୍ ସେ ଜୀବନ ତମାମ ତାଙ୍କର ସ୍ୱାମୀ, ଶାଶୁ, ଶ୍ୱଶୁର, ଝିଅ ଓ ନାତି ନାତୁଣୀଙ୍କ ପାଇଁ ଖଟିଛନ୍ତି; କିନ୍ତୁ ଦିନେହେଲେ ମୁହଁ ଫିଟାଇ କହି ନାହାନ୍ତି—ମୋ ପାଇଁ ଏଇଟା ଆଣି ଦିଅ କି ସେଇଟା କରିଦିଅ । ଯେଉଁ ଲକ୍ଷ୍ମୀନାରାୟଣ ବୈବାହିକ ଜୀବନର ପ୍ରଥମ ପର୍ଯ୍ୟାୟରେ ଘୃଣା, ବିରକ୍ତି, ନିର୍ଯ୍ୟାତନା ଭିତରେ ନିଜର ପତ୍ନୀଙ୍କୁ ଜର୍ଜରିତ କରିଛନ୍ତି; ଜୀବନର ଉତ୍ତର କାଳରେ ସେହି ଲକ୍ଷ୍ମୀନାରାୟଣ ଆଶ୍ଚର୍ଯ୍ୟ ହୋଇଛନ୍ତି ନିଜର ସହଧର୍ମିଣୀଙ୍କର ଆମୂଳ ପରିବର୍ତ୍ତନରେ । ସେହି ଅନ୍ତଃଚିନ୍ତନକୁ ପ୍ରକାଶ କରିବାକୁ ଯାଇ ଲକ୍ଷ୍ମୀନାରାୟଣ କହିଛନ୍ତି—"ଆଶ୍ଚର୍ଯ୍ୟ ଏ ନାରୀ ! ଟ୍ରଟ୍‍ସ୍କି ସ୍ତ୍ରୀ ଯେପରି ଟ୍ରଟ୍‍ସ୍କି ପାଇଁ ସବୁ ସହ୍ୟ କରିଥିଲେ, ଠିକ ସେହିପରି, ଆଶ୍ଚର୍ଯ୍ୟ ।"

ଲକ୍ଷ୍ମୀନାରାୟଣ ନିଜର ଏକମାତ୍ର କନ୍ୟା ଶାନ୍ତିର ବିବାହରେ ଅରାଜି ଥିଲେ । ତାଙ୍କର ଇଛା ଥିଲା ଝିଅ ଆହୁରି ଅଧିକା ପଢ଼ୁ; କିନ୍ତୁ ତାଙ୍କର ମା', ସ୍ତ୍ରୀ ଏବଂ ନିଜେ ଝିଅ ଏଥିରେ ଅରାଜି ହେବାରୁ ଲକ୍ଷ୍ମୀନାରାୟଣ ବାରଣ କରି ନ ଥିଲେ । ତାଙ୍କର ବଡ଼ ଭଉଣୀ (କୃଷ୍ଣମଣି)ର ପୁଅ ସହିତ ଶାନ୍ତିର ବିବାହ ହେଲା । ଶେଷ ଜୀବନରେ ଲକ୍ଷ୍ମୀନାରାୟଣଙ୍କୁ ତାଙ୍କର ଜାମାତା ଏପରି ଅସୁବିଧାରେ ପକାଇଲେ ଯେ ତାହା ଅପ୍ରକାଶ୍ୟ । ଆଗରୁ କୁହାଯାଇଛି ଯେ ଲକ୍ଷ୍ମୀନାରାୟଣଙ୍କ ମାଆ ଥିଲେ ଖୁବ୍ ଜିଦ୍‍ଖୋର ଲୋକ—ଯାହା ବୁଝିଥିବେ ସେଇଆ । ତାଙ୍କ ସହିତ ଲକ୍ଷ୍ମୀନାରାୟଣକର ଆଦୌ ପଡ଼ୁ ନ ଥିଲା । ବୁଢ଼ୀ ସବୁବେଳେ ପୁଅଠାରୁ ଟଙ୍କା ପଇସା ଚାହୁଁଥିଲେ-। ଲକ୍ଷ୍ମୀନାରାୟଣ ନିଜର ଉପାର୍ଜ୍ଜନରେ ଦରିଦ୍ର ସେବା କରୁଥିବାରୁ ଟଙ୍କା ଦେଇପାରୁ ନଥିଲେ । ଏଥିପାଇଁ ପରିବାର ଭିତରେ ଅଶାନ୍ତି ଉପୁଜୁଥିଲା । ତେଣୁ ମା' ଘରେ ଥିଲାବେଳେ ସେ ଦୁଇ ଦିନରୁ ଘରେ ଅଧିକ ରହନ୍ତି ନାହିଁ ।

ତାଙ୍କର ନାତୁଣୀର ବିବାହ ମଧ୍ୟ ତାଙ୍କର ଇଚ୍ଛା ବିରୁଦ୍ଧରେ ହୋଇଥିଲା । ତେଣୁ ନାତୁଣୀ ଜୋଇଁ ତାଙ୍କ ଘରକୁ ଆସିଲେ ନାଟକର ଗୋଟିଏ ଦୁଇଟି ଦୃଶ୍ୟ ଅଭିନୀତ ହୋଇ ଯାଉଥିଲା । ଲକ୍ଷ୍ମୀନାରାୟଣ ନିଜର ତିକ୍ତ-ମଧୁର ଅନୁଭୂତି ନେଇ ଲେଖିଛନ୍ତି—"ମୋର ଗାର୍ହସ୍ଥ୍ୟ ଜୀବନ କଥା ଭାବିଲେ ମନେହୁଏ—ଏକ ନରକ । କିନ୍ତୁ ଏହି ନରକ ଭିତରେ ଆନନ୍ଦ ପାଇଛି । ସେବା ପାଇଛି । ଯତ୍ନ ପାଇଛି । ତାହା ମୋର ସ୍ତ୍ରୀ ଯୋଗୁ । ଏ କଥା ଶତବାର, ସହସ୍ରବାର, ଲକ୍ଷବାର ମୁଁ ମୁକ୍ତ କଣ୍ଠରେ ସ୍ଵୀକାର କରିବି । ଏହି ସ୍ଵୀକାରରେ ମୁଁ ଆନନ୍ଦ ପାଏ ବା ନ ପାଏ, ସୌନ୍ଦର୍ଯ୍ୟ ପାଏ । ମୋର ସ୍ତ୍ରୀ—ମୋର ସ୍ତ୍ରୀ । ମୁଁ ଏହାକୁ ପାଇ ବଞ୍ଚି ରହିଛି ଏବଂ ଜୀବନର ସକଳ ତିକ୍ତତା ଭିତର ଦେଇ ମଧ୍ୟ ରସ ସଂଗ୍ରହ କରିପାରିଛି ଏବଂ ଜୀବନକୁ ବହନ କରି ଚାଲିଛି ।"

ସକଳ ପ୍ରକାର ପାରିବାରିକ ଦୁଶ୍ଚିନ୍ତା ସେହି ଚଉକାନ୍ଥି ଭିତରେ ଆବଦ୍ଧ ହୋଇ ରହୁଥିଲା-। କୌଣସି କାର୍ଯ୍ୟରେ ଦୁଆର ଡେଇଁ ପଦାକୁ ଗୋଡ଼ ବାହାର କଲେ, ବିରାଟ ବିଶ୍ୱର ବିଶାଳତା ନିକଟରେ ଏ ସଂକୀର୍ଣ୍ଣତାକୁ ତୁଚ୍ଛାତିତୁଚ୍ଛ ବୋଲି ମନେ କରୁଥିଲେ । ଯେଉଁ ସ୍ଥାନରେ ଅଶାନ୍ତି ଉପୁଜୁ ଥିଲା ସେ ସ୍ଥାନକୁ ଛାଡ଼ି ଚାଲି ଆସିବା ପାଇଁ ସାହୁଜୀ ଶ୍ରେୟସ୍କର ମଣୁଥିଲେ । କାରଣ ଛାଡ଼ି ଆସିବା ସଙ୍ଗେ ସଙ୍ଗେ ତିକ୍ତତା ଭୁଲି ଯାଉଥିଲେ । ଏହା କରିବା ଦ୍ୱାରା ଜୀବନରେ ସେ ପରମ ଶାନ୍ତି ଲାଭ କରୁଥିଲେ । ସବୁବେଳେ ସେ ଭାବୁଥିଲେ—ଲୋକ ଉଚ୍ଚତର ବା ମହତ୍ତର ଜୀବନର ଆନନ୍ଦ ଲାଭ ନ କଲେ ଅପରକୁ ଉଚ୍ଚତର ବା ମହତ୍ତର କରିବ କିପରି ?

ତାଙ୍କର କନ୍ୟା ବିଧବା ହେବା ପରେ, ଲକ୍ଷ୍ମୀନାରାୟଣ ତାକୁ ଦ୍ୱିତୀୟ ବିବାହ ଦେବାକୁ ପ୍ରସ୍ତାବ ଆଣିଥିଲେ; କିନ୍ତୁ ତାଙ୍କର ମାଆ ମନାକଲେ । କିଛିଦିନ ପରେ ସେ ନିଜ ଇଚ୍ଛା ଅନୁଯାୟୀ ଅନ୍ୟ ଏକ ପତି ବରଣ କରିବାରେ ଲକ୍ଷ୍ମୀନାରାୟଣ ଗଭୀର ଭାବରେ ମର୍ମାହତ ହୋଇଥିଲେ । ପାରିବାରିକ ଜଞ୍ଜାଳ ଓ ଦୁଃଖଦୁର୍ଦ୍ଦଶା ଫଳରେ ତାଙ୍କର ସ୍ତ୍ରୀଙ୍କର ପେଟମରା (Colic) ବେମାରି ବାହାରିଥିଲା । ହତଭାଗୀନୀ କନ୍ୟା ଓ ପୀଡ଼ିତା ପତ୍ନୀଙ୍କର ଦୁଃଖ ଲକ୍ଷ୍ମୀନାରାୟଣଙ୍କୁ ଶେଷ ଜୀବନରେ ଖୁବ୍ କଷ୍ଟ ଦେଇଥିଲେ ।

ଏତେ ଦୁଃଖର ଦହନ ଭିତରେ ମଧ୍ୟ ତାଙ୍କର ଓଠରେ ଧାରେ ହସ ଲାଗି ରହିଥିଲା । ସେ ହସ ଅମୃତତ୍ୱର ସନ୍ଧାନ ଦେଉଥିଲା । ସେ ହସ ଭିତରେ ଥିଲା—ଅଭୟ, କଲ୍ୟାଣ, ସେବା ମନୋବୃତ୍ତି, ସମସ୍ତଙ୍କୁ ନିବିଡ଼ ଆଶ୍ଳେଷ ଭିତରେ ବାନ୍ଧି ରଖିବାର ଗଭୀର ଉତ୍‌କଣ୍ଠା । ସେ ହସ ଯୁଗ ଯୁଗ ପାଇଁ ମରଣଜୟୀ, କୋଟି କୋଟିଙ୍କୁ ଆପଣାର କରିବାର ଅମୋଘ ଅସ୍ତ୍ର ।

Image

 

।। ଜୀବନ ଦର୍ଶନ ।।

 

ଲକ୍ଷ୍ମୀନାରାୟଣଙ୍କ ଜୀବନ ଦର୍ଶନ ଅତି ବିଚିତ୍ର । ଯେଉଁମାନଙ୍କୁ ମଦ୍ୟପ, ଅସତ୍ ଚରିତ୍ର, ଅସାମାଜିକ କହି ଘୃଣା କରାଯାଏ, ସେମାନଙ୍କ ଭିତରେ ସେ କୋମଳ, କମନୀୟ, ଉଦାର ଗୁଣର ସନ୍ଧାନ କରନ୍ତି । ଇଂରେଜ କବି R. L Stevenson ଙ୍କର ବାଣୀ—

 

"There is so much bad

in the best of us,

And so much good

in the worst of us,

That it ill behoves

for any of us,

To think ill of the

rest of us"

 

ଅର୍ଥାତ୍ ଆମ୍ଭେମାନେ ଯାହାଙ୍କୁ ସବୁଠାରୁ ଭଲ କହୁଁ, ତାଙ୍କ ଭିତରେ ବହୁତ ଖରାପ କଥା ରହିଛି । ଆମ୍ଭେମାନେ ଯାହାଙ୍କୁ ସବୁଠାରୁ ଖରାପ ବୋଲି କହୁଁ ସେମାନଙ୍କ ମଧ୍ୟରେ ବି ବହୁ ଭଲ କଥା ରହିଛି । ତେଣୁ କାହାକୁ ଖରାପ ଭାବିବା ନିଜ ଭିତରେ ଥିବ ଖରାପ ଗୁଣର ପରିପ୍ରକାଶ ମାତ୍ର । ସେ ଏହି ସତ୍ୟକୁ ନିଜ ଜୀବନରେ ମର୍ମେ ମର୍ମେ ଉପଲବ୍ଧ କରିଥିଲେ । ମଦ ଖାଇ ଚୁର ହେଉଥିବା ସଂସ୍କାରକ ଶ୍ରୀବତ୍ସ ପଣ୍ଡା ସାହିତ୍ୟକ ଓ ସଂଗଠନ ଜୟମଙ୍ଗଳ ରଥ, ସଦାଶିବ, ଗଦାଧର ପ୍ରମୁଖଙ୍କୁ ଯେ ସେ କେବଳ ନିଜର ଆପଣାର କରିଥିଲେ ତା' ନୁହେଁ, ସେମାନଙ୍କ ପ୍ରତିଭାର ବିକାଶ ନିମନ୍ତେ, ପ୍ରସାର ନିମନ୍ତେ, ସେ ସତତ ଚେଷ୍ଟିତ ଥିଲେ । ଏଥିପାଇଁ ସେ ବିଶ୍ଵନାଥଙ୍କ ଭଳି ବଶିଷ୍ଠ ବ୍ୟକ୍ତିମାନଙ୍କ ଠାରୁ କମ୍ ଗାଳି ଶୁଣିନାହାନ୍ତି; କିନ୍ତୁ ସେ ବିଶ୍ଵାସ କରୁଥିଲେ–“There is a soul of goodness even in things evil. ଅର୍ଥାତ୍ ମନ୍ଦ ଜିନିଷ ମଧ୍ୟରେ ପବିତ୍ରତାର ଆତ୍ମା ନିହିତ ଥାଏ ।

 

ସେ ବିଶ୍ଵାସ କରୁଥିଲେ ଜୀବନର ଧାରାକୁ ପୁଷ୍ଟ କରିବା ପାଇଁ ସମସ୍ତଙ୍କ ସହ ମିଶିକରି କାର୍ଯ୍ୟ କରିବା ଉଚିତ । ଭାରତ ସେବକ ସମିତରେ ଯୋଗଦେବ ! ପରେ କଂଗ୍ରେସ ଓ ରାଜନୀତି ଠାରୁ ସଭ୍ୟମାନଙ୍କୁ ଦୂରରେ ରଖିବା ନିୟମ ଜାଣି ସେ ଦୁଃଖିତ ହେଉଥିଲେ । ସେ କହୁଥିଲେ କଂଗ୍ରେସ ହେଉ, କମ୍ୟୁନିଷ୍ଟ ହେଉ ସୋସାଲିଷ୍ଟ ହେଉ, ଲେଖକ ହେଉ, ସାଧକ ହେଉ ବା ଶିଳ୍ପୀ ହଉ, ବିକାଶ ପଥରେ ଗତି କରିବା ପାଇଁ ସମସ୍ତଙ୍କ ସହଯୋଗ ନେବାକୁ ପଡ଼ିବ । ଯୁଗର ପରିବର୍ତ୍ତନ ସହିତରେ ତାଳ ପକାଇ ସେ ଚାଲି ନ ପାରିବ, ଯୁଗ ତାକୁ ନିଜର ସୃତି ପଥରୁ ଦୂର କରିଦେବ । କୌଣସି ସଂଗଠନକୁ ଶକ୍ତିଶାଳୀ କରିବାକୁ ହେଲେ, ତାର ସଭ୍ୟମାନେ ପାରିପାର୍ଶ୍ଵ ଅବସ୍ଥାକୁ ଭୁଲି ନିଜ ଆଖିରେ ଅନ୍ଧପୁଟୁଳି ଦେଇ ବସିଲେ ଦେଶର ଉନ୍ନତି ଅସମ୍ଭବ ।

 

‘‘ଆମେ ଭଲ ଏବଂ ଅନ୍ୟମାନେ ଖରାପ, ପରିପାର୍ଶ୍ୱ, ପଙ୍କକୁଣ୍ଡ, ନର୍ଦ୍ଦମା, ନରକ-" ଏପରି ଭାବନାର ସେ ତୀବ୍ର ବିରୋଧୀ ଥିଲେ । ପଙ୍କଜ ଯଦି ସୁନ୍ଦର ବୋଲି କଦର୍ଯ୍ୟ ପଙ୍କଠାରୁ ବଚ୍ଛିନ୍ନ ହୋଇଯାଏ, ତା’ର ସେହି ସୌନ୍ଦର୍ଯ୍ୟ ଅକାଳରେ ଝାଉଁଳି ପଡ଼ିବ । ପ୍ରକୃତିରେ ଏହା ଯେପରି ସତ୍ୟ, ସମାଜରେ ମଧ୍ୟ ସେହିପରି ସତ୍ୟ । ଆମର ସାଧୁତା, ସଚ୍ଚରିତ୍ରତା ହେବ କାହାପାଇଁ; ସମସ୍ତଙ୍କ ପାଇଁ, ଅତଏବ ସମସ୍ତଙ୍କୁ କେବେ ବର୍ଜ୍ଜନ କରିହେବ ନାହିଁ । ‘‘ମରୀୟା ଯାଇବ ହଇଲେ ଏକା ଏକଟି ଜଳଜଣା ।”

 

ସଂସାରକୁ ବୁଝିବାରେ ସେ ଅତି ଧୁରନ୍ଧର ଥିଲେ । ତାଙ୍କ ମତରେ ସମସ୍ତେ ନିଜ ଜୀବନରେ ଅସନ୍ତୁଷ୍ଟ । କେହି ନିଜ ଜୀବନରେ ଏକାବେଳେକେ ସୁଖୀ ନୁହେଁ, ପ୍ରତ୍ୟେକଙ୍କୁ ପଚାର ସେ କହିବେ ଯେ ସେ ଜୀବନରେ ଅନେକ ଥର ଭୁଲ କରିଛି । କେହି କହିବ ସେ ଇଂଜିନିୟର ନ ହୋଇ ମାଷ୍ଟର ହୋଇଥିଲେ ଭଲ ହୋଇଥାନ୍ତା ଆଉ କେହି କହିବ ସେ ମାଷ୍ଟର ନ ହୋଇ ଇଞ୍ଜିନିୟର ହୋଇଥିଲେ ଭଲ ହୋଇଥାନ୍ତା । କେହି କହିବ ସେମାନେ ରାଜନୀତିରେ ନ ପଶି ସାହିତ୍ୟ ସାଧନା କରିଥିଲେ ଭଲ ହୋଇଥାନ୍ତା ଆଉ କେହି କହିବ ସେ ବ୍ୟବସାୟୀ ହୋଇଥିଲେ ଭଲ ହୋଇଥାନ୍ତା । ମାତ୍ର ଏ ସବୁ ଦୁଃଖାନ୍ତକ ଭୁଲ । ଏ ଭୁଲ ସୁଧାରିବାର ନୁହେଁ; କିନ୍ତୁ ଏହା ଭୁଲ କି ନୁହେଁ ତା’ ମଧ୍ୟ ସନ୍ଦେହଜନକ । ସିମିତି ହୋଇଥିଲେ ଇମିତି ହୋଇଥାନ୍ତା, ଇମିତି ହୋଇଥିଲେ ସିମିତି ହୋଇଥାନ୍ତା । ଏହା ଏକ ଭେଳିକି ମାତ୍ର । ମନୁଷ୍ୟର ସବୁ ହେବାର ଆକାଂକ୍ଷାର ବୀଜ ଅନ୍ତର ଭିତରେ ନିହିତ । ସେଥିପାଇଁ ସେ ଯେଉଁଟା ପାଇପାରି ନ ଥାଏ, ସେଇଟା ପାଇଁ ଲାଳାୟିତ ହୁଏ । ନିଜ ଜୀବନ କଥା ଦର୍ଶାଇ ସେ ଲେଖିଛନ୍ତି–‘‘ମୋର ନିଜର ଇଚ୍ଛା ଥିଲା ସାଧୁ ହେବି ବା ସନ୍ନ୍ୟାସୀ ହେବି । ପାଠ ପଢ଼ି ପୁଣି ଜ୍ଞାନୀ ହେବି । କୁସ୍ତି, ପହରା, ଫୁଟ୍‍ବଲ ଖେଳି ମୁଁ ଖେଲଓ୍ୱାଡ୍ ବା ବୀର ହେବି । ସବୁ କ’ଣ ହୋଇପାରି ଥା'ନ୍ତି ? ତେଣୁ ଏହା ହୋଇପାରିଲି ନାହିଁ ବୋଲି ଅଯଥା ଆତ୍ମଗ୍ଲାନିରେ ଲାଭ ନାହିଁ ।

 

ତାଙ୍କର ପାପ-ପୁଣ୍ୟ ବିଚାର ମଧ ବିଚିତ୍ର—ପାପୀମାନଙ୍କ ପ୍ରତି ସହାନୁଭୂତି ପ୍ରକାଶ କରି ସେ ଲେଖିଛନ୍ତି—ପାପ କି ବାସ୍ତବିକ୍ ଏତେ ଖରାପ ? ପାପ ପୁଣ୍ୟର ମାପକାଠି ସବୁ ଦେଶରେ, ସବୁ ସମାଜରେ ଭିନ୍ନ ଭିନ୍ନ ସ୍ତରରେ ଭିନ୍ନ । ଦକ୍ଷିଣ ଭାରତରେ ମାମୁଁ ଭାଣେଜୀଙ୍କୁ ବିବାହ କଲେ ଭଲ ବିବାହ, ଏଣେ ଆମେ କଲେ ମହା ପାପ ହେବ । ଦେଶକା ଫାଙ୍କ୍ ନଈକା ବାଙ୍କ୍ ହିସାବରେ ସବୁ କଥା ଚାଲିଛି । ସମାଜ ଧୀରେ ଧୀରେ ବଦଳିବାରେ ଲାଗିଛି । ସମାଜ ପରିତ୍ୟକ୍ତ ବେଶ୍ୟା ଆଜି ସମାଜ ଠାରୁ ଏତେ ଦୂରରେ ନାହିଁ । ଆଗେ ନାଚ କଲେ ଲୋକେ ନାକ ଟେକୁଥିଲେ । ବଡ଼ ଘରର ଝିଅ ବୋହୂମାନେ ଏବେ ନାଚ ଗୀତ କ୍ଷେତ୍ରରେ ଅଗ୍ରଣୀ ହୋଇଛନ୍ତି । ସମସ୍ତେ ସେମାନଙ୍କୁ ପ୍ରଶଂସା କରୁଛନ୍ତି; ତେଣୁ ଯୁଗର ପରିବର୍ତ୍ତନ ସହିତ ସମାଜର ଯେଉଁ ଆଚାର-ବିଚାର ଖାପ ଖାଉ ନାହିଁ, ଯେଉଁ ସାମାଜିକ ଓ ନୈତିକ ବନ୍ଧନ ଆମ ଚିତ୍ତକୁ ସଙ୍କୁଚିତ କରୁଛି; ସେସବୁ ବିରୁଦ୍ଧରେ ବିଦ୍ରୋହ ଆରମ୍ଭ ହେଲେ, ସବୁ ବଦଳିଯିବ । ଅନେକ ବଦଳି ଗଲାଣି ମଧ୍ୟ । ବଦଳିବାକୁ ସ୍ୱାଗତ ନ ଜଣାଇ କବାଟ ଦେଇଦେଲେ, ତାହା ଦୁଆରୁ ଫେରଯିବ ନାହିଁ । କବାଟ ଭାଙ୍ଗି ସମାଜକୁ ସଜାଡ଼ି ଦେଇଯିବ ।

 

ଘର କୋଣରେ ରହି ଯେଉଁ ଜନସେବା କରାଯାଏ, ବାହାରେ ବାହାସ୍ଫୋଟରେ ଖବର କାଗଜରେ ନାମ ବାହାର କରି କରାଯାଉଥିବା ଜନସେବାଠାରୁ, କୌଣସି ଗୁଣରେ କମ୍ ନୁହେଁ ବୋଲି ସେ ମତ ଦେଇଛନ୍ତି । ସେ କହିଛନ୍ତି ଲୋକେ କାହାକୁ ବଡ଼ କହୁଛନ୍ତି—ନା ଯେ ରାଜନୀତିରେ ମାତିଛି । ଯାହା ନାମ ଖବର କାଗଜରେ ନିହାତି ଛପା ହେଉଛି; କିନ୍ତୁ ସେଠାରେ ଶାନ୍ତି ନାହିଁ, ମୁକ୍ତି ନାହିଁ, ସେଠାରେ ଅହମିକା ଅଛି । ଭାରତ ଏସବୁ ଅନେକ ଦେଖିସାରିଛି, ସେଥିପାଇଁ ସେ ଏ ସବୁ ଆସ୍ଫାଳନ ପସନ୍ଦ କରେ ନାହିଁ । ଭାରତର ମୁକ୍ତି ରାଜନୀତିରେ ନାହିଁ, ରାଜନୀତିରେ ବାହାରେ ଅଛି । ଭରତର ମୁକ୍ତି ଶାନ୍ତି, ପ୍ରୀତି, ସେବା, ସ୍ୱଧର୍ମରେ ଅଛି । ଭାରତର ମୁକ୍ତି ବର୍ତ୍ତମାନ ଯେଉଁ ଜାତି ବଡ଼ ବୋଲାଉଛନ୍ତି ତାଙ୍କରି ଭଳି ହେବାର ନାହିଁ, ଭାରତର ମୁକ୍ତି ନିଜକୁ ଚିହ୍ନିବାରେ ଅଛି । ଭାରତ ଜଗତକୁ ବଡ଼ ଆଦର୍ଶ ଦେଖାଇବ; ଅହଂକାରରେ ନୁହେଁ, ସ୍ଵଧର୍ମ ପଥରେ ପ୍ରତିଷ୍ଠିତ ରହି । ଆଧୁନିକ ସଭ୍ୟତାର ହୋହଲ୍ଲାରେ ସେ ଛଟପଟ ହୋଇ ଲେଖିଛନ୍ତି—ସବୁ ବ୍ୟସ୍ତ ଆଜି । ଆଜି ଖାଲି ଭିଡ଼, ଦୌଡ଼, କଚାଡ଼ି ପଡ଼ । କେହି କାହାକୁ ଦେଖିବାର ବେଳ ନାହିଁ । ହୋ’ ହୋ’ କରି ସ୍କୁଲରେ, କଲେଜରେ ପିଲମାନେ ଭର୍ତ୍ତି ହେଉଛନ୍ତି, ଘରକାମ କରିବ କିଏ ? ଚାଷ କରିବ କିଏ ? ହଜାର ହଜାର ସ୍କୁଲ, ହଜାର ନାଚଘର, ହଜାର କ୍ଲବ, ହଜାର ହୋଟେଲ—ପୃଥିବୀ ଭିତରେ ଆଜି ଚଟାପଟ୍, ସଟାସଟ୍, ଖଟାଖଟ୍ ନଟ୍‍ଖଟ୍ ଖୁବ୍ ଚାଲିଛି । ଏ ଜଗତ ଚାହେଁ ନା ଶାନ୍ତି, ଚାହେଁ ହଲ ଚଲ, ଚଞ୍ଚଳତା, ଅସ୍ଥିରତା; କିନ୍ତୁ ଏସବୁ ପରେ ସୁନ୍ଦର ପୃଥିବୀ, ସୁନ୍ଦର ପୃଥିବୀର ସୃଷ୍ଟି, ଦିନ ଦ୍ରୂତ ବେଗରେ ଆଗେଇ ଆସୁଛି । ସେଥିରେ ସ୍ନେହ, ମାୟା, ମମତା, ପ୍ରୀତି, ବନ୍ଧନ, ପରକୁ ଆପଣାର କରିବାର ପ୍ରକୃତି ରାଜତ୍ଵ କରିବ ।

 

ସେ ଯେଉଁମାନଙ୍କ ନୀତିକୁ ତୀବ୍ର ସମାଲୋଚନା କରୁଥିଲେ, ସେମାନଙ୍କ ପ୍ରତି ତାଙ୍କର ଗଭୀର ସହାନୁଭୂତି ତାଙ୍କ ଉଚ୍ଚ ମାନବିକତାର ପ୍ରମାଣ ଦିଏ । ବାସ୍ତବିକ ସେ ନିଜେ ଅତି ହୃଦୟବାନ ଲୋକ ହୋଇ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ ସିଂହାସନର ମୁକୁଟବାନ ସମ୍ରାଟ ଥିଲେ ।

 

ଲକ୍ଷ୍ମୀନାରାୟଣଙ୍କୁ ଅନେକ ଅଜାତ ଶତ୍ରୁ କହନ୍ତି । କେହି ଯଦି ତାଙ୍କ ଉପରେ ରାଗୁଥିଲା ବା ସେ କାହା ଉପରେ ରାଗୁଥିଲେ ଖୁବ୍ ମନ କଷ୍ଟ କରୁଥିଲେ । ଗୋଟିଏ ଶତ୍ରୁ ତିଆରି ହେଲା ବୋଲି ଭାବି, ମନସ୍ତାପ କରି କିପରି ସେ ଶତ୍ରୁକୁ ମିତ୍ର କରାଯିବ, ସେଥିପାଇଁ ବ୍ୟସ୍ତ ହୋଇ ପଡ଼ୁଥିଲି । ସେ ସତରେ ଜୀବନରେ କାହାକୁ ଶତ୍ରୁ ବୋଲି ଭାବିନାହାନ୍ତି । ଘଟଣା ପ୍ରବାହରେ ଯଦି କାହାରି ସହିତ କଜିଆ ହୋଇଛି, ତେବେ ସେ ସଙ୍ଗେ ସଙ୍ଗେ ଯାଇ କ୍ଷମା ମାଗିବାକୁ ବ୍ୟସ୍ତ ହୋଇ ପଡ଼ନ୍ତି । କାହାରି ସହିତ କଥାବାର୍ତ୍ତା ବନ୍ଦ କରି ଚଳିପାରନ୍ତି ନାହିଁ । ଏହି ସ୍ୱଭାବ ତାଙ୍କୁ ଦୁଃଖ ଦେବା ପରିବର୍ତ୍ତେ ସାହାଯ୍ୟ କରିଛି ବୋଲି ସେ ସ୍ୱୀକାର କରି ଯାଇଛନ୍ତି ।

 

ସେ ଅତ୍ୟନ୍ତ ସ୍ନେହଶୀଳ ଥିଲେ । ତାଙ୍କ ହୃଦୟ ନାରୀର ହୃଦୟ ପରି କୋମଳ ଥିଲା । ନିଜର ଦୁଃଖ ଦୁର୍ଦ୍ଦଶାରେ ଖୁବ୍ କଠିନ ଓ କଠୋର ହୋଇ କାର୍ଯ୍ୟ କରୁଥିଲା ବେଳେ ପରର ଦୁଃଖରେ ସେ କାନ୍ଦି ପକାଉଥିଲେ । ଯେତେ ଅସୁବିଧା ହେଉ, ଦାରିଦ୍ର୍ୟ ଘେରି ଆସୁ ପଛେ ସେ ଅନ୍ୟାୟ ବିରୁଦ୍ଧରେ ସଂଗ୍ରାମ କରିବାକୁ ଛାଡ଼ୁ ନ ଥିଲେ ।

 

ସେ ଜଣେ ବିଦ୍ରୋହୀ ସ୍ୱଭାବର ଲୋକ ଥିଲେ । ମାନ୍ଦା ନୀତି ତାଙ୍କୁ ଭଲ ଲାଗୁ ନ ଥିଲା-। ଭାରତ ସେବକ ସମିତି ଓ ସେ ସମୟର ଉଦାରପନ୍ଥୀ ନେତା ମାନଙ୍କ ଭିତରେ ସେ ଥିଲେ ଅଧିକ ପ୍ରଗତିଶୀଳ ।

 

ନିଜକୁ ସେ ଜଣେ ‘‘ବିରହୀ ବ୍ରହ୍ମଚାରୀ” ବା ଏ ଦୁଇର ସମିଶ୍ରଣରେ ଗୋଟିଏ ଅଦ୍ଭୁତ ପ୍ରକାରର ଜୀବ ବୋଲି ଭାବୁଥିଲେ । ସଂସାରରେ ତାଙ୍କର ଆକର୍ଷଣ ବେଶି ନ ଥିଲା; କିନ୍ତୁ ବିକର୍ଷଣ ମଧ୍ୟ ନ ଥିଲା । କିଛିଦିନ ବିକର୍ଷଣ ପରେ ଗୃହୀ ହୋଇ ମଧ୍ୟ ସେ ବିଷୟବାସନା ପ୍ରତି ଆଗ୍ରହୀ ନ ଥିଲେ । ସାନ ସାନ ପିଲାଙ୍କୁ ସେ ଖୁବ୍ ଭଲ ପାଉଥିଲେ; କିନ୍ତୁ ଦମ୍ଭ, ଆସ୍ଫାଳନର ପ୍ରତୀକ ଉପରବାଲା ଲୋକଙ୍କ ସହିତ ସେ ବେଶିକ୍ଷଣ ରହିପାରୁ ନ ଥିଲେ କି ରହିବା ନିମିତ୍ତ ଇଚ୍ଛା ମଧ୍ୟ କରୁ ନ ଥିଲେ ।

 

ବହୁ ଲୋକ ଲକ୍ଷ୍ମୀନାରାୟଣଙ୍କ ସରଳତାର ସୁଯୋଗ ନେଇ ଠକେଇଛନ୍ତି । ଅନେକ ମଧ୍ୟ ନିଜେ ଠକିବା ଉଦ୍ଦେଶ୍ୟରେ, ଆପଣ ଏପରି ଠକାମୀରେ ପଡ଼ନ୍ତୁ ନାହିଁ ବୋଲି ଉପଦେଶ ଦେଇ ଠକି ଦେଇଛନ୍ତି ମଧ୍ୟ । ସେ ଇଚ୍ଛା କରୁଥିଲେ କୁଟିଳ ନ ହୋଇ, ରାମକୃଷ୍ଣ ପରମହଂସଙ୍କ ନିର୍ଦ୍ଦେଶରେ ସରଳ ହେବେ ଏବଂ ବୋକା ହେବେ ନାହିଁ; କିନ୍ତୁ ସେଥିରେ ସଫଳକାମୀ ହୋଇପାରୁ ନଥିଲେ । ଅନେକ ବନ୍ଧୁ ତାଙ୍କୁ ପରାମର୍ଶ ଦେଇଥିଲେ—ରାଜନୀତି କରିବ ତ ଯାହା ଭାବିବ, ତାହା କହିବ ନାହିଁ, ଯାହା କହିବ ତାହା କରିବ ନାହିଁ । ପାର ନ ପାର, କୌଣସି କଥାରେ ଯଦି ନାଆଁ କହିଦେଲ, ତେବେ ରାଜନୀତି ହେବ ନାହିଁ; କିନ୍ତୁ ଲକ୍ଷ୍ମୀନାରାୟଣ ଏହାକୁ ପସନ୍ଦ କରୁ ନ ଥିଲେ । ଚାଲବାଜୀ କରି ରାଜନୀତିରେ ସଫଳ କାମ ହେବାକୁ ପସନ୍ଦ କରୁ ନ ଥିଲେ । ସେ କହୁଥିଲେ–ଛି-! ଛି ! ମୋର ଏହି ରାଜନୀତି ଦରକାର ନାହିଁ ମୋର ଏହି ଦୋମୁହାଁ ନୀତି (Double Personality) ଦରକାର ନାହିଁ ।

 

ସେ ମନୁଷ୍ୟର ଚରିତ୍ର ଉପରେ ଗୁରୁତ୍ୱ ଆରୋପ କରୁଥିଲେ । ଖୁବ୍ ପାଠୁଆ ହୋଇ ଯଦି ଚରିତ୍ର ନ ଥାଏ, କିଛି ଲାଭ ନାହିଁ । କିନ୍ତୁ ଚରିତ୍ର କହିଲେ କେବଳ Sex ବା ଯୌନ ଜୀବନ କଥା ବୁଝାଏ ନାହିଁ ବୋଲି ସେ କହୁଥିଲେ । ଜଣେ ବିଶ୍ଵବିଦ୍ୟାଳୟର କୃତିଛାତ୍ର ଦିନ ୨ଟା ବେଳେ ଆସିବାକୁ କହି ଯେବେ ନ ଆସିଲା, ତାଙ୍କ ଦୃଷ୍ଟିରେ ସେ ଚରିତ୍ରହୀନ । ଭରତୀୟ କଂଗ୍ରେସର ପ୍ରତିଷ୍ଠାତା ସାର ଆଲନ୍ ଅକ୍ଟାଭ ହୁମ୍ ଭାରତରୁ ବିଦାୟ ନେଲା ବେଳେ କହିଥିଲେ—ଦୁଃଖ ହେଉଛି ଭାରତୀୟମାନେ ପ୍ରତିଜ୍ଞାର ମୂଲ୍ୟ ଓ ପବିତ୍ରତା ବୁଝନ୍ତି ନାହିଁ ।

 

ସେ ତାଙ୍କର ଚାକର ଡମାର ଉଦାହରଣ ଦେଇ କହିଛନ୍ତି—ଡମା ୨୭ ବର୍ଷ ହେଲା ତାଙ୍କ ପାଖରେ ରହିଛି, ଖଟରେ ବିଛଣାରେ ଯାହା ପଡ଼ିଥାଏ, ପଇସା କଉଡ଼ି ସବୁ ଉଠାଇ ରଖେ, କଲମ ଇତ୍ୟାଦି ସବୁ ସଜାଇ ଦିଏ, ଅଥଚ ଆମର ସ୍କୁଲ ଓ କଲେଜ ପିଲାଙ୍କ ମଧ୍ୟରେ ଘଡ଼ିଚୋରି, କଲମ ଚୋରି ଓ ବହି ଚୋରି ଏକ ସାଧାରଣ ଘଟଣା । ଏହା ମାନବର ଧର୍ମ ନୁହେଁ; ଅଧର୍ମ । ଧର୍ମ ସବୁବେଳେ ମନୁଷ୍ୟକୁ ରକ୍ଷା କରେ । ଧର୍ମ ଧନଠାରୁ ବଡ଼, ବିଦ୍ୟାଠାରୁ ବଡ଼ । ସେଥିପାଇଁ ଉପନିଷଦ, ଗୀତା, ମହାଭାରତ ଆଦିରେ ସ୍ପଷ୍ଟ ଭାବରେ ଲେଖା ଯାଇଛି—ଚୋରି କରିବ ନାହିଁ, ସତ୍ୟ ପ୍ରତି ଆସ୍ଥା ପୋଷଣ କରିବ, ଅଳସୁଆ ହେବ ନାହିଁ, ଠକ ହେବ ନାହିଁ, ସ୍ୱାର୍ଥପର ହେବ ନାହିଁ, ତେବେ ଯାଇ ମନୁଷ୍ୟର ଧର୍ମ ପାଳନ କରି ପାରିବ ।

Image

 

ବ୍ୟବସ୍ଥାପକ ଜୀବନ

 

ଲକ୍ଷ୍ମୀନାରୟଣ ୧୯୪୬ ମସିହାରେ ଓଡ଼ିଶା ବିଧାନସଭାକୁ ସଭ୍ୟ ମନୋନୀତ ହୋଇଥିଲେ । ସେଠାରୁ ପୁଣି କେନ୍ଦ୍ର ସମ୍ବିଧାନ ପ୍ରଣୟନ ସଭାକୁ ଦିଲ୍ଲୀ ଯାଇଥିଲେ ଏବଂ ଦିଲ୍ଲୀରେ ୧୯୫୧ ଯାଏଁ ରହିଥିଲେ । ଓଡ଼ିଶା ବିଧାନସଭାର ସେ ମନୋନୀତ ସଭ୍ୟ ଥିଲେ ହେଁ ସରକାରଙ୍କ ତ୍ରୁଟି ବିଚ୍ୟୁତିରେ କଠୋର ସମାଲୋଚନା କରିବାକୁ ପଛାଉ ନ ଥିଲେ । କେନ୍ଦ୍ର, ସମ୍ବିଧାନ ପ୍ରଣୟନ ସଭାରେ ମଧ୍ୟ ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁଙ୍କୁ ସମାଲୋଚନା କରିବାରେ ସେ ପଶ୍ଚାତ୍‍ପଦ ହୋଇ ନ ଥିଲେ । ସେ ମଧ୍ୟ ଭାରତ ସେବକ ସମିତିର ତତ୍କାଳୀନ ସଭାପତି ପଣ୍ଡିତ ଡକ୍ଟର ହୃଦୟନାଥ କୁଂଜୁରୁଙ୍କ ସହ ଏହି ସମ୍ବିଧାନ ପ୍ରଣୟନ ସଭାରେ ସାହସର ସହ ଭିନ୍ନ ମତ ପୋଷଣ କରୁଥିଲେ ।

 

ଭାରତ ସେବକ ସମିତିର ସଭ୍ୟଭାବେ ତାଙ୍କୁ ଅସହଯୋଗ ଆନ୍ଦୋଳନରେ ଯୋଗ ଦେବାକୁ ମନା ଥିଲା । ଅଥଚ ସେ ସମୟରେ ଓଡ଼ିଶାରେ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇ ବନ୍ଦୀ ହୋଇଥିବା ନେତା ଉତ୍କଳମଣି ଗୋପବନ୍ଧୁଙ୍କୁ ଲକ୍ଷ୍ୟକରି ସେ ଲେଖିଥିଲେ—ଗୋପବନ୍ଧୁ ଦାସ ଓ ଭାଗୀରଥି ମହପାତ୍ରଙ୍କୁ ୭ । ୮ ଦିନତଳେ ଅଣ୍ଟାରେ ଦଉଡ଼ି ବାନ୍ଧି ସାଧାରଣ କୟେଦୀ ଭଳି ବାଲେଶ୍ଵର କଚେରୀରୁ ଜେଲଖାନାକୁ ଏବଂ ସେହିପରି କଟକରେ ଷ୍ଟେସନରୁ ଥାନାକୁ ଅଣାଯିବା ସମ୍ବାଦ ପୁନାରେ ରହି ଜାଣିଲି ଏବଂ ସେହିଦିନ ମୋ ମନରେ ସେମାନଙ୍କପ୍ରତି ଭକ୍ତିର ଉଦ୍ରେକ ହୋଇଥିଲା । ଏଠାରେ ବସି ମନଶ୍ଚକ୍ଷୁ ସାହାଯ୍ୟରେ ସେ ଦୃଶ୍ୟ ଦେଖି ସହାନୁଭୂତି ସୂଚକ ଅଜ୍ଞାତ ଅଶ୍ରୁ ମୋଚନ କରିଅଛି । ସେମାନଙ୍କର ମହତ୍ତ୍ୱ ବୃଦ୍ଧି ପାଇଛି ଓ ସେମାନେ ଦେବତା ହୋଇଛନ୍ତି ବୋଲି ମୋର ଅନୁଭବ ହୋଇଛି । ଆମ୍ଭେମାନେ ସେତିକିରୁ କେତେ କମ୍ କରିଅଛୁ ଭାବିଲେ ଲଜ୍ଜା ହୁଏ, ଆତ୍ମଧିକ୍‍କାର ଆସେ ।

 

ଏହି ସମୟରେ ପୁଣି ଡକ୍ଟର ମହତାବଙ୍କ ସଂପର୍କରେ ‘ମହାତପୀ ମହତାପ' ଶୀର୍ଷକ ଦେଇ ଲେଖିଛନ୍ତି—ସ୍ୱଜନସ୍ଵଭାବ ମହତାବ, କଟକ କଲେଜର ଉପର କ୍ଲାସରେ ପଢ଼ୁ ପଢ଼ୁ ଅସହଯୋଗ ଆନ୍ଦୋଳନର ଡାକରା ଶୁଣି ଅସ୍ଥିର ହୋଇଛନ୍ତି । ଆଜି ଆନ୍ଦୋଳନରେ ଝାସ ଦେଇ ଧନୀପୁତ୍ର ମହାତାବ୍ ନିଜ ଶରୀରକୁ ଦୁର୍ବଳ କରି ପକାଇଛି । ଯୁବକ ହରେକୃଷ୍ଣ ମହତାବର ତ୍ୟାଗ ଯଥେଷ୍ଟ ଆଦର୍ଶ ସ୍ଥାନୀୟ । ମହାତାବ ଆଜି ଯେଉଁ ତୀର୍ଥରେ ପ୍ରବେଶ କରିଅଛ, ସେଠାରେ ତୁମ ଦେହରେ ହୋମାଗ୍ନିର ଝାସଲାଗି ତୁମର ବଦନ ମଳିନ ହେବ । ଶରୀର ଶୀର୍ଣ୍ଣ ହେବ । ଯାଅ, ଯାଇଛ ମହତାବ ତପସ୍ୟାତୀର୍ଥକୁ । ତପସ୍ୟା ପୂର୍ଣ୍ଣ ହେଲେ ବିଜୟ ଗୌରବରେ ମଣ୍ଡିତ ଈଶ୍ୱରଙ୍କର ଉପଯୁକ୍ତ ସନ୍ତାନ ଭାବେ ମାତୃଭୂମିର ସ୍ନେହମୟ, କର୍ମମୟ ସତ୍ ପୁତ୍ର ହୋଇ ଫେରିଆସିବ ।

 

ସାହୁଜୀ ମହତାବଙ୍କ ହୀରାକୁଦ ବନ୍ଧ ଯୋଜନା ପ୍ରସ୍ତାବକୁ ବିରୋଧ କରୁଥିଲେ । ସେ କହୁଥିଲେ ସମଗ୍ର ହୀରାକୁଦରେ ଶହେକୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କୁହାଯାଉଛି, ସେଥିରେ କେତେ ଏକର ଜମି ଉପକୃତ ହେବ ଜଣାନାହିଁ, ଏହା କି ମାରାତ୍ମକ କଥା ! ଅଥଚ ଆମକୁ ଶହେ କୋଟି ଟଙ୍କାର ସୁଧ ବର୍ଷକୁ ସାଢ଼େ ତିନିକୋଟି ଟଙ୍କା ହିସାବରେ ଦେବାକୁ ପଡ଼ିବ । ପୁଣି ସେ ଏକଥା କହିଲା ବେଲେ ସ୍ମରଣୀୟ ଯେ, ସେ ଓଡ଼ିଶାରେ ନଦୀ ବୋର୍ଡ଼ର ସଭାପତି ଥିଲେ । ବିଭିନ୍ନ ନଦୀରେ କିପରି ବନ୍ୟା ନିୟନ୍ତ୍ରଣ କରିଯାଇପାରିବ ସେ ବିଷୟ ମଧ୍ୟ ଚିନ୍ତା କରୁଥିଲେ ଏବଂ ଚୌଦ୍ୱାରରେ ଏଥିପାଇଁ ଏକ ସମ୍ମିଲନୀ ଡକାଇଥିଲେ । ରାଜନୀତି ଏକ ଧୂର୍ତ୍ତ ଲୋକଙ୍କ କାରବାର ବୋଲି ସେ ଭାବୁ ନ ଥିଲେ । ବିଧାନସଭା ଭିତରେ ନୀତି ଦୃଷ୍ଟିରୁ ଘୋର ସମାଲେଚନା, ପୁଣି ବାହାରକୁ ଆସିଲେ ସେହ ସ୍ନେହଝରା ଅମାୟିକ ହସ ବାସ୍ତବରେ ଓଡ଼ିଶାର ନେତୃବର୍ଗଙ୍କ ହୃଦୟରେ ତାଙ୍କ ମୃତ୍ୟୁରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି କରି ଯାଇଛି ।

Image

 

ଋଣ ସ୍ଵୀକାର

 

ପ୍ରଥମରୁ ସ୍ପଷ୍ଟ କରିଦେବା ଉଚିତ “ସେବକ ଲକ୍ଷ୍ମୀନାରାୟଣ” ଏକ ଅସଂଶୋଧିତ ପ୍ରକାଶିତ ପାଣ୍ଡୁଲିପି । ଏଥିରେ ଲେଖକର କିଛି କୃତିତ୍ଵ ନାହିଁ । ନିଜର କର୍ମ ଓ କୀର୍ତ୍ତିରେ ଅମୃତତ୍ଵର ଅଧିକାରୀ ଲକ୍ଷ୍ମୀନାରାୟଣଙ୍କ “ମୋ ବାରବୁଲା ଜୀବନ” ଏବଂ ତାଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ପ୍ରକାଶିତ “ଲକ୍ଷ୍ମୀନାରାୟଣ ସ୍ମରଣିକା”ର କଳେବର ମଣ୍ଡନ କରିଥିବା ଓଡ଼ିଶାର ବହୁ କୃତବିଦ୍ୟ ଜନନାୟକ ସମାଜସେବୀ, ସାହିତ୍ୟିକ ଓ ବୁଦ୍ଧିଜୀବୀଙ୍କ ଶ୍ରଦ୍ଧାଞ୍ଜଳିକୁ ଭିତ୍ତି କରି କିଶୋରମାନଙ୍କ ପାଇଁ ଏହି ପୁସ୍ତକ ଲେଖା ଯାଇଛି । କେବଳ ଭାବ ନୁହେଁ, କେତେକଙ୍କର ଭାଷା ମଧ୍ୟ ମୁଁ ଗ୍ରହଣ କରିଛି । ଏହା ବ୍ୟତୀତ ଲକ୍ଷ୍ମୀନାରାୟଣଙ୍କ ପୂତ ଜନ୍ମପୀଠ ବାଲେଶ୍ଵର ଓଲନ୍ଦା ସାହିର କେତେକ କିଶୋର, ବୟସ୍କ ଏବଂ ବହୁ ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ସହ ସାକ୍ଷାତ ଆଲୋଚନା କରି ଆଉ କେତୋଟି ପାହାଚ ଅତିକ୍ରମ କରିଛି । ଏହି ସବୁ ବ୍ୟକ୍ତି ବିଶେଷଙ୍କ ନିକଟରେ ଋଣ ସ୍ଵୀକାର ପୂର୍ବକ ମୋର ବିନମ୍ର ପ୍ରଣତି ଜଣାଉଛି ।

 

ଡକ୍ଟର ହରେକୃଷ୍ଣ ମହତାବ ‘ଅଭିମତ’ ଲେଖି ଏହି ପୁସ୍ତକର ଶ୍ରୀବୃଦ୍ଧି ସାଧନ କରିଛନ୍ତି । ମୋ ଭଳି ଅଭାଜନ ଅଲେଖକ ହାତରେ ଏହି ପୁସ୍ତକ ରଚନା ଦାୟିତ୍ଵ ଦେଇ ମହା ଭୁଲ କରିଥିବାରୁ, ଲକ୍ଷ୍ମୀନାରାୟଣ ସ୍ମୃତିରକ୍ଷା କମିଟିର ଯୁଗ୍ମ ସମ୍ପାଦକ ଅଧ୍ୟାପକ ନରସିଂହ ସାହୁଙ୍କୁ ମୁଁ କ’ଣ ଜଣାଇବି ? ଲକ୍ଷ୍ମୀନାରୟଣ ସ୍ମୃତିରକ୍ଷା କାର୍ଯ୍ୟରେ ସେ ଏଭଳି ପାଗଳ ହୋଇ ଯାଇଛନ୍ତି ଯେ ତାଙ୍କୁ ଗାଳି ମଧ୍ୟ ଚନ୍ଦନଭଳି ଲାଗୁଛି ।

 

ନାଲନ୍ଦା ପୁସ୍ତକ ପ୍ରତିଷ୍ଠାନର ପରିଚାଳକ ଶ୍ରୀ ଶୁକଦେବ ସାଙ୍ଗ ଓ ଶ୍ରୀ କୃଷ୍ଣଚନ୍ଦ୍ର ସାହୁ ଏହି ପୁସ୍ତକର ପ୍ରକାଶନ ଦାୟିତ୍ୱ ନ ନେଇଥିଲେ ଏହା ହୁଏତ ଆଲୋକକୁ ଆସିପାରି ନ ଥାନ୍ତା ।

 

ଲକ୍ଷ୍ମୀନାରାୟଣଙ୍କ ସାଧନା ଓ ଚିନ୍ତା ସଂପର୍କରେ ଓଡ଼ିଶାର ଛାତ୍ର-ଛାତ୍ରୀଙ୍କୁ କିଛି ଜଣାଇବାର ସୁଯୋଗ ପାଇ ମୁଁ ନିଜକୁ ମଧ୍ୟ ଧନ୍ୟ ମନେକରୁଛି ।

 

ମୁଦ୍ରଣ କ୍ଷେତ୍ରରେ ଡଗର ପ୍ରେସର ପରିଚାଳକ ଶ୍ରୀରାମଚନ୍ଦ୍ର ମିଶ୍ର (ଫତୁରାନନ୍ଦ), ଶୈଳପ୍ରିଣ୍ଟର୍ସର ଶ୍ରୀ ଦେବେନ୍ଦ୍ରନାଥ ମିଶ୍ର; ପାଣ୍ଡୁଲିପି ଲେଖା କାର୍ଯ୍ୟରେ ମୋର ବନ୍ଧୁ ଶ୍ରୀ ରମେଶଚନ୍ଦ୍ର ଭଞ୍ଜ, ଗୁରୁଚରଣ, କଳ୍ପନା ଦେବୀ, ଦେବେନ୍ଦ୍ର, ସୁରେନ୍ଦ୍ର, ଜୟନ୍ତ, ରଘୁ, ନିମାଇଁ ଓ ଶକ୍ତି ପ୍ରମୁଖଙ୍କ ସାହାଯ୍ୟ ଭୁଲି ହେବ ନାହିଁ । ସମସ୍ତ ପ୍ରକାର ପରିବର୍ତ୍ତନ ଓ ପରିବର୍ଦ୍ଧନ ପାଇଁ ପ୍ରସ୍ତାବକୁ ମୁଁ ସାଦରେ ଗ୍ରହଣ କରିବି ।

 

ବିନୀତ

ଲେଖକ

Image